ଅଲୋଡ଼ା

ମୁଁ ସେତେବେଳେ ବାଇଶି ବର୍ଷରେ ପାଦ ଦେଇଥାଏ, ଗୋଟିଏ ବେସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥାଏ, ପିଲାମାନଙ୍କୁ ନେଇ କପିଳାସ ଯିବାର ଥାଏ, କୁନି କୁନି ପିଲାଙ୍କ ମେଳରେ ମୁଁ ବହୁତ ଖୁସି ଥାଏ, ଆମ ସାଥିରେ ବିଦ୍ୟାଳୟ ପରିଚାଳନା ସମିତିର ଜଣେ ସଦସ୍ୟ ଓ ତାଙ୍କ ଭଉଣୀ ଯାଇଥାନ୍ତି l ସମସ୍ତଶିକ୍ଷକ ଶିକ୍ଷୟିତ୍ରୀଓ ପିଲାମାନେ ମିଶି ମନ୍ଦିରରେ ଦର୍ଶନ କଲୁ l ଭିଡ଼ରେ ଦୁଇଟି ପିଲା ଓ ସଦସ୍ୟଙ୍କ ଭଉଣୀ ମୋ ଉପରେ ପଡିଗଲେ l ମୁଁ ନିଜକୁ ସମ୍ଭାଳି ନେବା ସହିତ ପିଲାଙ୍କୁ ବି ଧରିନେଲି, ସଦସ୍ୟଙ୍କ ଭଉଣୀ ମଧ୍ୟ ମୋ ହାତ ଧରି ଉଠି ପଡିଲେ, ଦର୍ଶନ ପରେ ସମସ୍ତେ ଫେରିଲୁ l
କିଛିଦିନ ବିତିଗଲା l ମାସେ ଦୁଇ ମାସ ପରେ ମୁଁ ଅନୁଭବ କଲି ସଦସ୍ୟଙ୍କ ଭଉଣୀ ମୋ ଯିବା ଆସିବା ବାଟକୁ ଏକ ଲୟରେ ଚାହିଁ ରହନ୍ତି l ମୁଁ କିନ୍ତୁ ମୁହଁ ଉଠାଇ ଚାହିଁ ପାରେ ନାହିଁ, ତଥାପି ମୁଁ ମନେ ମନେ ବେଳେ ବେଳେ ତା’ଙ୍କ କଥା ଭାବେ, ହେଲେ ସାହସ କରି କିଛି କହି ପାରେ ନାହିଁ l
ମୋ ଭାବନାରେ ମଗ୍ନ ଥିବାବେଳେ ସଦସ୍ୟ ଓ ତା’ଙ୍କ ଭଉଣୀ ଆଉ ଏକ ସହରକୁ ଚାଲିଗଲେ, ମୁଁ ଯେତେ ଚେଷ୍ଟା କଲେ ବି ତାଙ୍କ ଖବର ପାଇ ପାରିଲି ନାହିଁ, ଚାରାଗଛଟି ବଢ଼ିବା ଆଗରୁ ମଉଳିଗଲା l ମୁଁ ମନକୁ ବୁଝାଇନେଇ ଘର ସଂସାରରେ ମନ ଦେଲି l
ଦଶ ବର୍ଷ ବିତିଗଲା l ଦୁଃସ୍ବପ୍ନ ଭାବି ମୁଁ ଭୁଲିଗଲି l
ହଠାତ ଦିନେ ସଦସ୍ୟ ଓ ତାଙ୍କ ଭଉଣୀଙ୍କୁ ଆମ ସହରରେ ଦେଖିଲି l
ଯାହା ଦେଖିଲି ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ l ସଦସ୍ୟଙ୍କ ଭଉଣୀଙ୍କର ଗୋଟିଏ ଗୋଡ଼ ନ ଥିବା ବେଳେ ସେ ପାଗଳୀ ହୋଇଯାଇଥିଲେ, ତାଙ୍କ ଭାଇ ତାଙ୍କୁ ଘରେ ବନ୍ଦ କରି ଦେଇ ଅଫିସ ଯାଆନ୍ତି, ଘରେ ଭଉଣୀ ଏକୁଟିଆ ରହି ନିଜେ ନିଜ କାମ କରନ୍ତି l
ଅଫିସ କାମରେ ତାଙ୍କ ଭାଇ ବେଳେବେଳେ ଦଶ ପନ୍ଦର ଦିନ ପାଇଁ ବାହାରେ ରହନ୍ତି l ଭଉଣୀ ଘରଭିତରେ ଏକୁଟିଆ କିପରି ରହୁଥିବେ ଭାବି ମୁଁ ଆଶ୍ଚର୍ଯ୍ୟ ହୁଏ l
ରାସ୍ତାରେ ଗଲାବେଳେ ସେ ବଡ଼ ପାଟିରେ ସମସ୍ତଙ୍କୁ ସାହାଯ୍ୟ ପାଇଁ ଡାକନ୍ତି, କିନ୍ତୁ କେହି ବି ପାଗଳୀର ପ୍ରଳାପ ଭାବି ସାହାଯ୍ୟ କରନ୍ତିନି l
ଦିନେ ମୋତେ ବଡ଼ ପାଟି କରି ମୋତେ ଡାକିଲେ, ମୁଁ କିଛି ବି ଭାବି ପାରିଲିନି, ସେତେବେଳେ ମୋର କଣ କର୍ତ୍ତବ୍ୟ ଚିନ୍ତା କରିପାରିଲିନି l
ସମସ୍ତଙ୍କ ପରି ମୁହଁ ବୁଲାଇ ଚାଲି ଆସିଲି ଓ ମାନସ୍ତାପରେ ସାଙ୍ଗ ସମୀରକୁ ସବୁ କଥା କହିଲି,
ସେ କହିଲା, “ଆରେ ସୁଧୀର, ତୁ ଯାହାକୁ ଚିହ୍ନିନୁ, ତା’ନାଁ ବି ଜାଣିନୁ, ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି?
ସେ ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି, ବାପା ମାଆ ତ ଚାଲିଗଲେ, ଭାଇ ନିଜ କାମରେ ବ୍ୟସ୍ତ, ତୁ କଣ କରିବୁ, ତୁ ତୋ ସଂସାରରେ ମନ ଦେ l”
ହେଲେ ମୋ ମନ ମାନେନି,ଯେତେ ଚେଷ୍ଟା କଲେ ବି ପୂର୍ବ କଥା ମନେ ପଡିଯାଏ, ମଣିଷ ଏମିତି ଅଲୋଡ଼ା ହୋଇଯାଏ l

Leave a Comment

Your email address will not be published. Required fields are marked *