ଅସୀମିତ ଆକାଂକ୍ଷା ଓ ସୀମିତ ପ୍ରାପ୍ତିର
ଅବିରତ ସଂଗ୍ରାମ ଭିତରେ
କିଛି ଇଛା ପ୍ରାପ୍ତ ହୁଏ ପ୍ରାପ୍ତିର ପୂର୍ଣ୍ଣତା,
ଆଉ କିଛି ଭାଙ୍ଗି ଯାଏ
ଢଳ ଢଳ ସ୍ଵପ୍ନଭରା ଜଳ ବୁଦବୁଦ ପରି
ଭରିଦେଇ ଭିଡ଼ ଭିତରେ ଭରପୁର ଶୂନ୍ୟତା,
ସ୍ତର ପରେ ସ୍ତର ଅସରନ୍ତି ଆକାଂକ୍ଷାର ରଙ୍ଗ
ପ୍ରଲୋଭିତ କରି
ବେସୁରା କରନ୍ତି ଯାହା
ଜୀଵନର ଶାଶ୍ୱତ କବିତା ।
ସେଇ ସୀମାହୀନ ଆକାଂକ୍ଷାର
ବୋଝ ତଳେ ଚାପି ହୋଇ
ମୃତ ହୁଏ ବିବେକୀ ଅଭୀପ୍ସା,
ଇଛାପୂର୍ତ୍ତିର ଅଣନିଶ୍ୱାସୀ ଯାତ୍ରାରେ
କେଜାଣି ଆଉ କେତେଦିନ
ଏମିତି ଧାଉଁଥିବ
ସମ୍ମୋହିତ ପଶୁଟିଏ ପରି,
ବୋଧହୁଏ
ଆୟୁଷର ସେତିକି ବି ନଥିବ ଭରସା।
ସବୁ ଶେଷ ପରେ ହିଁ
ପୁଣି ଆରମ୍ଭ ହୁଏ
ସୃଜନର ସାଉଁଟା କାହାଣୀ,
ଭଙ୍ଗା ଆକାଶ ତଳେ
ଗଢ଼ା ହୁଏ ଆଉ ଏକ
ଆକାଂକ୍ଷାର ସବୁଜ ଧରଣୀ।