ଆଜବେଷ୍ଟ୍ ଘର

ସବୁଦିନ ଭଳିଆ ସେଦିନ ବି ସକାଳ ୭ ଟା ରେ ଉଠି ବୁବୁନୁ ପାଠ ପଡିବାକୁ ଛାତ ଉପରକୁ ଚାଲିଯାଇଥିଲା । ହେଗିନ ର ଟ୍ରାକ ପ୍ୟାଣ୍ଟ, “ଅପ୍ନା ଟାଇମ ଆଏଗା” ଟି-ସର୍ଟ ଆଉ ହାତରେ “ଫିଜିକାଲ କେମେଷ୍ଟ୍ରି” ର ନୋଟ୍ସ ଧରି ଛାତ ଉପରେ ଏପଟ ସେପଟ ହେଉଥିଲା ୧୮ ବର୍ଷ ର ବୁବୁନୁ । ଲାଗୁଥିଲା ଯେମିତି ସିଏ ପାଠ ପଢିବା ବାହାନା କରି ସକାଳୁ ସକାଳୁ କାହାକୁ ଦେଖିବା ପାଇଁ ଆସିଛି ଛାତ ଉପରକୁ । କାରଣ ବାରମ୍ବାର ତା’ର ନଜର ଯାଉଥିଲା ସାମ୍ନାରେ ଥିବା ଏକ ଅଜବେଷ୍ଟ ଘର ଆଡକୁ ।

ସେଇ ଆଜବେଷ୍ଟ ଘରେ ଗତ କିଛି ଦିନ ହେବ ଭଡା ରେ ରାହୁଥାନ୍ତି ନୂଆଁ କରି ପାଖ ସ୍କୁଲ ରେ ଚାକିରୀ ପାଇଥିବା ଦୁଇ ମହିଳା ଶିକ୍ଷୟତ୍ରୀ । ଦୁହେଁ ଅବିବାହିତା, ଜଣେ କନ୍ଧମାଳ ରୁ ତ ଆଉ ଜଣେ ପୁରୀ ରୁ । ସେମାନଙ୍କ ମାସିକ ଦରମା କୁ ଦେଖିଲେ କମ ଭଡା ରେ ଘର ଟା ମିଳିଛି ବୋଲି ସିନା ରହିବା କଥା, ନହେଲେ ସେ ଘରେ କିଛି ଖାସ ସୁବିଧା ନହିଁ । ସାମାନ୍ୟ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି ଆଉ ଖରାଦିନେ ତ ଭିତରେ ଥିବା ମଣିଷ ମାନେ ଭାଜି ହେଇଯାନ୍ତି । ପାଇଖାନା ଆଉ ଗାଧୁଆଘର କଥା ନ କହିଲେ ଭଲ । ବାରି ଘରୁ ଦଶପାଦ ଦୂର ରେ ଥାଏ ପାଇଖାନା ଆଉ ଗାଧୁଆ ଘର । ରାତିରେ ଯିବାପାଇଁ ଭୟ ଲାଗେ ସେଇଠିକୁ । କେତେବେଳେ ସାପ ତ କେତେବେଳେ ବିଛା ଏମିତି ଅନେକ ପ୍ରକାର ଯିବଜନ୍ତୁ ଙ୍କୁ ଦେଖିଲେଣି ସେ ଭିତରେ ସେମାନେ । ପାଇଖାନା କୁ କେହି କେହି ଲଣ୍ଡନ ବୋଲି ମଧ୍ୟ କୁହନ୍ତି ହେଲେ ସେ ଦୁହେଁ ତାଙ୍କ ପାଇଖାନା ଆଉ ଗାଧୁଆ ଘର କୁ ଆଫ୍ରିକା ଏବଂ ଆମାଜନ ବୋଲି ନା ଦେଇଛନ୍ତି । ବୁବୁନୁ ଘର ଛାତ ଉପରୁ ଠିଆ ହେଇ ଦେଖିଲେ ସେଇ ଅଜବେଷ୍ଟ ଘରର ଅଗଣା ଠୁ ଆରମ୍ଭ କରି ପାଇଖାନା ଆଉ ଗାଧୁଆ ଘର ର ସମସ୍ତ ଛବି ପ୍ରାଞ୍ଜଳ ଭାବେ ଦେଖାଯାଏ ।

୧୫ ମିନିଟ ପରେ ଗାଧେଇ ଯିବାକୁ ବାହାରିଲେ ଜଣେ ଶିକ୍ଷୟତ୍ରୀ । ସବୁଦିନ ପରି ସେଦିନ ମଧ୍ୟ ସେ ଛାତ ଉପରେ ବହିଟିଏ ଧରି ଠିଆ ହେଇଥିବା ବୁବୁନୁ କୁ ଦେଖିବାକୁ ପାଇଲେ । ହେଲେ ସେଦିନ ସିଏ ଗାଧୁଆ ଘର କୁ ନ ଯାଇ ଘରଭିତରକୁ ଫେରିଗଲେ ଆଉ ଅଗଣା ରେ ଥୁଆ ହେଇଥିବା ମୋବାଇଲ ରେ କିଛି ଟାଇପ କରିବା ପରେ ମୋବାଇଲ ଟିକୁ ନିଜ ଜାଗାରେ ଥୋଇ ଦେଇ ପୁଣି ଥରେ ଚାଲିଲେ ଗାଧୁଆ ଘର ଆଡକୁ । ସେଇ ଗାଧୁଆ ଘର ର ଛାତ ରେ ଥିବା ଏକ କଣା ଦେଇ ବୁବୁନୁ ଦେଖି ପାରୁଥିଲା କଣ ସବୁ ଚାଲିଛି ଗାଧୁଆଘର ଭିତରେ । ଆଉ ମନେ ମନେ ଖୁସି ମଧ୍ୟ ହେଉଥିଲା । ଠିକ ସେତିକିବେଳେ ବୁବୁନୁ ପଛପଟୁ ଶୁଣିବାକୁ ପାଇଲା,

“ତୋତେ ଏତେ ଆଉ କଷ୍ଟ କରିବାକୁ ପଡିବନି । ଏଥର ମୁଁ ଗାଧେଇଲା ବେଳେ ବାଥରୁମ କବାଟ ଟା ପୁରା ଖୋଲିଦେବି, ଦେଖିବୁ” ।

ବୁବୁନୁ ପଛକୁ ବୁଲି ଦେଖିଲା ତା’ର ନବମ ଶ୍ରେଣୀ ରେ ପଢୁଥିବା ସାନଭଉଣୀ କୁନିକୁ ।

କୁନି ର ଆଖିରେ ସେ ଦିନ ସାମାନ୍ୟ ଲୁହ ସାଙ୍ଗରେ ଥିଲା ଏକ ଅଜଣା ଅଭିଯୋଗ । ହେଲେ କୁନି ସେତେବେଳେ ତା’ର ଅଭିଯୋଗ ମାନଙ୍କର ତଣ୍ଟି ଚିପି ହତ୍ୟା କରି ସମାଧାନ ର ସ୍ଵର ରେ କହିଲା,
“ମୁଁ ସ୍କୁଲ ଗଲାବେଳେ ବାଟରେ କିଛି ପୁଅ ମୋତେ କମେଣ୍ଟ ପାସ କରୁଛନ୍ତି । ସ୍କୁଲ ରେ ଆମେ ସାଙ୍ଗମାନେ ପରିଶ୍ରା କରିବାକୁ ଟଇଲେଟ ଗଲାବେଳେ ଆମ କ୍ଳାସ ର କିଛି ପୁଅ ନ ଜାଣିଲା ଭଳିଆ ଆମ ପଛରେ ପଛରେ ଆସୁଛନ୍ତି ।

ଏ ସବୁ କଥା ଯେତେବେଳେ ମୁଁ ଆମ ଦିଦି ଙ୍କୁ ଜଣେଇଲି ଦିଦି ମୋତେ ଉତ୍ତର ରେ କହିଲେ,

‘ଆରେ ପୁଅ ମାନେ ଯଦି ଆମ ଦେହ ଟା ଦେଖିବାକୁ ଚହୁଁଛନ୍ତି ତାହେଲେ ଏଥିରେ ଅସୁବିଧା କଣ ଅଛି । ଭଗବାନ ତ ଆମକୁ ପୁଅ ମାନେ ଦେଖିବେ ବୋଲି ହିଁ ସୁନ୍ଦର କରି ବନେଇଛନ୍ତି । ତୁମ ଭାଇ ବି ସକାଳୁ ସକାଳୁ ଛାତ ଉପରେ ରହି ଆମ ମାନଙ୍କୁ ଦେଖୁଛନ୍ତି ଆମେ ଗାଧେଇବାକୁ ଗଲାବେଳେ । ଆମେ କଣ କେବେ କିଛି କହୁଛୁ’ ?” ଏତିକି କହି କହି କୁନି କାନ୍ଦି ପକେଇଲା ।

ଆଉ କୁନି ର ଲୁହ ପୋଛିବା ପାଇଁ ବୁବୁନୁ ହାତ ବଢେଇବା ଦେଖି କୁନି ଡରିଯାଇ ପଛକୁ ଘୁଞ୍ଚିଗଲା ଆଉ କହିଲା, “ଦିଦି ସେ ଦିନ ସେ ପୁଅ ମାନଙ୍କୁ ଖୁବ ବାଡେଇ ଥିଲେ, ହେଲେ ତୁ ତ ମୋର ବଡ ଭାଇ । ମୁଁ ତୋ ଉପରେ ହାତ ଉଠେଇ ପାରିବିନି ନା, ବାସ ଅନୁରୋଧ କରିବି । ଦେଖିବୁ ଯଦି ମୋତେ ଦେଖେ, ହେଲେ ଆମ ଦିଦି ମାନଙ୍କୁ ଏମିତି ଦେଖେନି” ।

7 thoughts on “ଆଜବେଷ୍ଟ୍ ଘର”

  1. ଖୁବ୍ ସୁନ୍ଦର ଭାବେ ଉପସ୍ଥାପନା ସହ ସରଳ ଉପାୟରେ ଆଜିର ସମାଜ କୁ ବାର୍ତ୍ତା ଦେଇଛନ୍ତି 👌👌👌👌

  2. Bibhuti Bhusan Mohapatra

    ଖୁଵ ମର୍ମସ୍ପର୍ଶୀ ଆଲେଖ୍ୟ l ଚଟାପଟ ସମାଧାନ l ଶୁଭ ଅଭିନନ୍ଦନ l

Leave a Comment

Your email address will not be published. Required fields are marked *