ଆମ ରଜ ପରବର କଥା ଲୋ….
ଶୁଣୁଥା ଲବଙ୍ଗ ଲତା
କୁମାରୀ ମିଳନ୍ତି, ଏକାଠି ପାଳନ୍ତି
ଓଡ଼ିଆ ଜାତିର ପ୍ରଥା ଲୋ….
ଶୁଣୁଥା ଲବଙ୍ଗ ଲତା।। (୧)
ତିନି ଦିନ ତିନି ରାତି ଉତ୍ସବ ମନାନ୍ତି
ନୂଆ ବସ୍ତ୍ର ପାଟଶାଢ଼ୀ ସଭିଏଁ ପିନ୍ଧନ୍ତି
ମଲ୍ଲୀ ! ଫୁଲରେ, ସଜାନ୍ତି ଖୋଷା ଲୋ….
ଶୁଣୁଥା ଲବଙ୍ଗ ଲତା,
ଆମ ରଜ ପରବ ର କଥା ଲୋ….
ଶୁଣୁଥା ଲବଙ୍ଗ ଲତା।।(୨)
ଆମ ଓଡ଼ିଶା ମାଟିର ଗାଥା ଲୋ….
ଶୁଣୁଥା ଲବଙ୍ଗ ଲତା
ଅଳତା ପିନ୍ଧନ୍ତି ,ଅଞ୍ଜନ ଲେପନ୍ତି
ହସ ହସ ମୁଖ ଚାରୁ ଲତା ଲୋ….
ଶୁଣୁଥା ଲବଙ୍ଗ ଲତା।।(୩)
ରଜ ପାନ, ପୋଡ଼ ପିଠା ବ୍ୟଞ୍ଜନ ଭୁଜନ୍ତି
ଲୁଡୁ ପାଲି, ବାଗୁଡ଼ି ର ଆସର ଜମାନ୍ତି
କଇଁଚି କାକୁଡି ପିତା ଲୋ….
ଶୁଣୁଥା ଲବଙ୍ଗ ଲତା,
ଆମ ରଜ ପରବ ର କଥା ଲୋ…
ଶୁଣୁଥା ଲବଙ୍ଗ ଲତା।।(୪)
ଆମ ପଲ୍ଲୀ ପୁର ମାଟି କଥା ଲୋ….
ଶୁଣୁଥା ଲବଙ୍ଗ ଲତା
ବାଉଁଶ ପିଟନ୍ତି, ଦୋଳିଟେ ବାନ୍ଧନ୍ତି
ଦୋଳି ଝୁଲିବାର ଅଛି ପ୍ରଥା ଲୋ….
ଶୁଣୁଥା ଲବଙ୍ଗ ଲତା।।(୫)
ହଳ, ଲଙ୍ଗଳକୁ କେହି ହାତ ନ’ଦିଅନ୍ତି
ବସୁଧା, ମା’ର ପୂଜା ନିଇତି କରନ୍ତି
ଗୋରୀ! ପାଦେ ସରୁ ଚିତା ଲୋ….
ଶୁଣୁଥା ଲବଙ୍ଗ ଲତା,
ଆମ ରଜ ପରବ ର କଥା ଲୋ….
ଶୁଣୁଥା ଲବଙ୍ଗ ଲତା।।(୬)
ଆମ ଓଡ଼ିଶା ମାଟିର ଗାଥା ଲୋ….
ଶୁଣୁଥା ଲବଙ୍ଗ ଲତା
ବର୍ଷାରେ ଭିଜନ୍ତି, ସାଧବ ଖେଳନ୍ତି
ଘାସ! ପତର ରେ ନାଲି ଛିଟା ଲୋ …..
ଶୁଣୁଥା ଲବଙ୍ଗ ଲତା।। (୭)
ଜ୍ୟେଷ୍ଠ ମାସ ସଂକରାନ୍ତି ଶୁଭ ବାର ତିଥି
ନିର୍ନିମେଷ ନୟନ ରେ ଅପେକ୍ଷା କରନ୍ତି
ପୂଜା! ପାଏ ଶିଳ ପଟା ଲୋ……
ଶୁଣୁଥା ଲବଙ୍ଗ ଲତା,
ଆମ ରଜ ପରବ ର କଥା ଲୋ…
ଶୁଣୁଥା ଲବଙ୍ଗ ଲତା।।(୮)
ଆମ ଘର ଘରଣୀ ଙ୍କ କଥା ଲୋ….
ଶୁଣୁଥା ଲବଙ୍ଗ ଲତା,
କୁଆଁରୀ ମନର ଭାଷା ଲୋ….
ଶୁଣୁଥା ଲବଙ୍ଗ ଲତା,
ଶୁଣୁଥା ଲବଙ୍ଗ ଲତା,
ଶୁଣୁଥା ଲବଙ୍ଗ ଲତା।।





