ଆୟୁଷ

ସେଦିନ ପୁଷ୍ପା  ଦେବୀ ସକାଳୁ  ମନ୍ଦିର ଗଲେ ପୂଜା କରିବା ପାଇଁ ।  ମନ୍ଦିରରୁ ବାହାରିବା ସମୟରେ ତାଙ୍କର ନଜର ପଡ଼ିଲା ଗୋଟିଏ ୪/୫ ବର୍ଷ ର କୁନି ଝିଅ ଉପରେ। ଝିଅ ଟି ଦେଖିବାକୁ ଖୁବ୍ ସୁନ୍ଦର୍ ସେଥିପାଇଁ ପୁଷ୍ପା ଦେବୀ ତା ଉପରୁ ହଠାତ୍ ନଜର ଫେରେଇ ଆଣି ପାରିଲେ ନାହିଁ।  ପୁଷ୍ପା ଦେବୀ ଦେଖିଲେ  ଝିଅ ଟି ନିଜ  ଆଖି ବନ୍ଦ କରି ଦୁଇ ହାତ ଯୋଡ଼ି ଭଗବାନ ଙ୍କୁ କହୁଥିଲା ଠାକୁରେ “ମାେ ମା କୁ ୧୦୦ ବର୍ଷ ପର୍ଯ୍ୟନ୍ତ ଆୟୁଷ ଦିଅ ।”  ତାକୁ କେବେ ମାେ ଠାରୁ ଅଲଗା କରିବନି ଠାକୁରେ  । ଏହା ଶୁଣି ପୁଷ୍ପା ଦେବୀ ଙ୍କ ଓଠ ରେ ହସ ଖେଳିଗଲା କିନ୍ତୁ ହଠାତ୍ ସେ ହସ ପାଣି ଫଟୋକା ପରି କୁଆଡ଼େ ଉଭେଇ ଗଲା  ।

ତାଙ୍କର ମନ୍ଦିର କୁ ଆଜି ଆସି ପୂଜା କରିବାର କାରଣ ବାରମ୍ବାର ତାଙ୍କ ଗାଲ ରେ ଶକ୍ତ ଚାପୁଡ଼ା ମାରୁଥିଲା । କାରଣ ସେ ମନ୍ଦିର ରେ ଆଜି ଠାକୁର ଙ୍କୁ କହୁଥିଲେ   ଯେ ଠାକୁର ମାେ ବୋଉ କୁ ଶୀଘ୍ର ତୁମ ପାଖକୁ ନେଇ ଯାଅ।  ବୋଉ ବୁଢ଼ୀ ହେଲାଣି ବୟସ ୮୫ ବର୍ଷ । ବିଛଣା ରୁ ଉଠି ପାରୁନି ଝାଡା ପରିସ୍ରା ସବୁ ଗୋଟିଏ ଜାଗା ରେ କରୁଛି। ବିଛଣା ରେ ପଡି ପଡି କତରା ଲଗା ହୋଇ ଗଲାଣି । ମୁଁ ଏକୁଟିଆ ଲୋକ ଆଉ କେତେ ଯେ କରିବି? ମୋର ଦୁଇଟି ଛୁଆ ଆଉ ସ୍ବାମୀ ଙ୍କ କାମ ସହ  ନିଜ ଅଫିସ୍ କାମ ଭିତରେ ମୁଁ ଅଣନିଃଶ୍ବାସୀ ହୋଇ ପଡିଲିଣି। ଏମିତିରେ ବି ବୋଉ ନିଜେ ଖୁବ୍ କଷ୍ଟ ପାଉଛି ବିଛଣା ରେ ପଡି। ୮୫ ବର୍ଷ ତ ହେଲାଣି ଆଉ ବଞ୍ଚି ରହି କଣ ହେବ ଯେ?ଯେତେ ଶୀଘ୍ର ଚାଲିଯିବ ସେତେ ଶୀଘ୍ର ଯନ୍ତ୍ରଣା ରୁ ମୁକ୍ତି ମିଳିବ। ଠାକୁର ଏତିକି କାମନା ମୋର ପୂର୍ଣ୍ଣ କର ବୋଲି କହି କିଛି ସମୟ ପୂର୍ବରୁ ମୁଣ୍ଡ ପିଟି ଠାକୁର ଙ୍କ ଆଗରେ କାନ୍ଦୁଥିଲେ  ପୁଷ୍ପା ଦେବୀ । ଆଉ ଠିକ୍ ତାହାରି ପରେ ପରେ ଏ ଛୋଟ ଝିଅ ଟି ର କଥା ଶୁଣି ପୁଷ୍ପା ଯେମିତି ପଥର ପାଲଟି ଯାଇଥିଲେ।

ତାଙ୍କର  ମନେ ପଡି ଯାଉଥିଲା ଠିକ୍ ଛୋଟ ବେଳେ ସେ ବି ଏମିତି ଠାକୁର ଙ୍କ ଆଗରେ କହୁଥିଲେ  ଠାକୁର ମାେ ବୋଉ କୁ ୧୦୦ ବର୍ଷ ଆୟୁଷ ଦିଅ। ହେଲେ ଆଜି ଯେତେବେଳେ ଠାକୁର ତାଙ୍କ ବୋଉ କୁ ୧୦୦ ବର୍ଷ ଆୟୁଷ ଦେବାକୁ ଯାଉଛନ୍ତି ସେ ଏତେ କୁଣ୍ଠା ପ୍ରକାଶ କରୁଛନ୍ତି କାହିଁକି? ତାଙ୍କ  ଅନ୍ତର ଆତ୍ମା ତାଙ୍କୁ  ଉତ୍ତର ଦେଲା ଯେ କେବଳ ନିଜ ସ୍ବାର୍ଥ ପାଇଁ । ସେତେବେଳେ ତତେ ତୋ ବୋଉ ର ଦରକାର୍ ଥିଲା ନିଜର ସେବା ଯତ୍ନ ପାଇଁ କିନ୍ତୁ ଏବେ ତୋ ବୋଉ ର କିଛି ବି ଆବଶ୍ୟକତା ତୋ ପାଖରେ ନାହିଁ । ବାସ୍ ସେଥିପାଇଁ ବୋଧେ ସେଦିନ ଠାକୁର ଙ୍କ ଠାରୁ ଭିକ୍ଷା ରେ ନେଇ ଥିବା ଆୟୁଷ କୁ ଆଜି ଫେରେଇ ଦେବାକୁ  ମନ୍ଦିର ଆସିଥିଲେ ପୁଷ୍ପା ଦେବୀ  ।

Leave a Comment

Your email address will not be published. Required fields are marked *