ଉନ୍ମୁକ୍ତ ପଞ୍ଜୁରୀ

-ମାଲିକିଆଣୀ,କୁକୁର ଛୁଆଟା ରାତି ଦିନ ଭୋକୁଛି ମୁଁ ବି ଶୁଣୁଛି ମାଲିକ ବି ଶୁଣୁଛନ୍ତି !
– ସେଇଠୁ କ’ଣ ହେଲା ? ମୁଁ ବି ଶୁଣୁଛି, ଏଥିରେ ନୂଆ କଥା କ,ଣ ??
ମୁଁ ମୁଣ୍ଡକୁ କୁଣ୍ଡେଇ ହେଲି ! କେତେ ଗୁଡ଼ିଏ ଅଡ଼ୁଆ ପ୍ରଶ୍ନ ନିଜ ଉପରକୁ ଫିଙ୍ଗି ମୋର ଅର୍ନ୍ତନିହିତ ସାମାନ୍ୟ ଜ୍ଞାନ କୌଶଳକୁ ପରଖି ନେଲି ! ଯେଉଁଟା ମୋ ଆଖିକୁ ଦେଖା ଯାଉଛି ସେହିଟା ଅନ୍ୟ ମାନଙ୍କ ଆଖିକୁ —?? ସତରେ ସେ କ’ଣ ଭୋକୁଛି କି ଅସହାୟ ଅବସ୍ଥାରେ କାନ୍ଦୁଛି ??
– ଗୋଠ ଛାଡ଼ି ଆସିଛି ପଶୁ ପିଞ୍ଜରାରୁ, ମଣିଷ ପିଞ୍ଜରାର ନିୟମ ବେଡ଼ିରେ ବନ୍ଦି ହେଉ ହେଉ ଟିକିଏ ସମୟ ତ ଲାଗିବ ନା ?? ତେର ଯାଇ ଚଉଦ ନମ୍ବର ପଡ଼ିଲା ତୁ କ’ଣ ଜାଣିନୁ ?
ମୁଁ ବୁଝି ପାରିଲିନି ସମ୍ମତି ସୂଚକ ଶବ୍ଦ କି ଆଦେଶାତ୍ମକ ?
ହୁଁ ଟିଏ ମାରି ରୋଷେଇ ଘରକୁ ପଶୁ ପଶୁ ଆଉ କେତେ ଗୁଡିଏ ପ୍ରଶ୍ନ ମୋ ଭିତରେ ଅଙ୍କୁରିତ ହେଉଥିଲା ! କ୍ଷୀର ମାଂସ ରୋଟି ଛେନା ଖୋଇ ମମତାର ବୋକ ଦେଇ ପୁଅ ନାତୀ ବୋଲକରା ହେଲାନି ଶେଷରେ ମୂକ ପ୍ରାଣୀକୁ ବୋଲକରାର ତାଲିମ୍ ?? ଛାଡ୍‌ ମାଧୁଆରେ ଯେତିକିର ଲୋକ ସେତିକିରେ ରହିଥା ଅଧିକ ମସ୍ତିସ୍କକୁ ଘାଣ୍ଟି ଚକଟି ହ’ନା !
ମାଲିକ ସ୍କର୍ପିଅ ଗାଡ଼ିର ହର୍ଣ୍ଣ ଦେଇ ବଡ଼ ପାଟିରେ ରଢି ଛାଡ଼ିଲେ – ମାଧୁଆ, ବାଘ ଟେକି ନେଇଗଲା କିରେ??
ବଜାର ତାଲା ପଡ଼ିଲେ ଯିବୁ ??
– ହେଇ ଆସୁଛି ଆପଣ ଷ୍ଟାର୍ଟ  ମାରନ୍ତୁ ! ଯଦିବା ମାଲିକ ପାଞ୍ଚ ମିନିଟ୍ ଧରି ଗାଡ଼ି  ଷ୍ଟାର୍ଟ ଦେଇ ସାରିଲେଣି ତଥାପି —
ମାଧୁଆ ଗୋଟିଏ ନିଶ୍ୱାସରେ ଧାଇଁଲା ମାଲିକ ଙ୍କ ଗାଡ଼ି ପାଖକୁ !ଲୌହ ଫାଟକର ନିରବ ଚୂମ୍ୱନକୁ ଖାତିର ନ କରି ମାଧୁଆ ବାମ ଗୋଡ଼ର ବୃଦ୍ଧ ଆଙ୍ଗୁଠିରୁ ଝରି ପଡ଼ୁଥିବା ରକ୍ତକୁ ପୋଛି ପକେଇ ସମାନ୍ୟ ହସଟିଏ ଫିଙ୍ଗି ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରି ଗାଡ଼ିର ପଛ ସିଟ୍ ରେ ବସି ପଡ଼ିଲା ! ତିନି ଘଣ୍ଟା ମାନସିକ କୁସ୍ତି କସରତ ପରେ କଳା ସର ସର ବ୍ୟାଘ୍ର ମୁଖ ସଦୃଶ୍ୟ ଏଲ୍‌ଶିଶିଆନ୍‌ ପନ୍ଦର ଦିନର ଜନ୍ମିତ କୁକୁର ଛୁଆଟିକୁ ବାବୁ ଧରେଇ ଦେଇ କହିଲେ ମାଧୁଆରେ ଏ ନିରିହ ଜୀବଟି ତତେ ଲାଗିଲା ୟାକୁ ଏମିତି ତାଲିମ୍ ଦେବୁ ଯେମିତି ବାଘ ବି ୟାର ଗର୍ଜନ ଶୁଣି କମ୍ପିବ !
ମୁଁ ହୁଁଟିଏ ମାରି ଛାତିରେ ହାତ ପିଟିଦେଇ ମୋର ଅବଦମିତ ଦକ୍ଷତାକୁ ପ୍ରମାଣ ଦେଲି !
ଚ ଚ କରି ଭାତ ହାଣ୍ତିର ପେଜ ଗୁଡ଼ାକ ଜଳନ୍ତା ଚୁଲିକୁ ଶୀତଳ କରୁଥିବା ଅସ୍ପଷ୍ଟ ଶବ୍ଦରେ ମାଧୁଆ ଫେରିଆସିଲା ଅତୀତରୁ ! ହେ ମାଧୁଆ ତ ହଜି ଗଲାଣି ଆଉ ! ଏପଟ ସେପଟ ଅନେଇ ମାଧୁଆ ନିଜ ମସ୍ତିଷ୍କ  ବ୍ରହ୍ମ ଚାପୁଡ଼ା ଦେଲା କେତେ ଥର କହିଛି  ମସ୍ତିଷ୍କକୁ ଅଧିକ ଚକଟା ନା ହେଲେ ସେ କଣ ଶୁଣୁଛି ! ବିଚରା ମାଧୁଆ ମାଲିକ ମାଲିକିଆଣୀ କୁ ମନେ ମନେ କସିଲା ! -ସେହି ମାଟି ଚୁହ୍ଲାରେ ରାନ୍ଧି ପରସି ଦେ ସେଥିରେ ଦେହ ସୁସ୍ଥ ନିରୋଗ ରହିବ ବୁଝିଲୁ ! ହେଲେ ସେ ମଦ ବୋତଲ ଗୁଡ଼ାକ କେଉଁ ଆରୋଗ୍ୟତା ପ୍ରଦାନ କରୁଛି କେଜାଣି ? ମାଧୁଆର ହୁଇସିଲ ମରା ଭାତହାଣ୍ଡି ସ୍ୱପ୍ନ କେତେ ଦିନରୁ ପାଶୋରି ଗଲାଣି ! ମାଲିକ ସତ୍ୟେନ୍ଦ୍ରନାଥ ଚୌଧୁରି ଅବସରପ୍ରାପ୍ତ ରେଭେନିଉ ଇନ୍‌ସ୍‌ପେକଟର ! ଟଙ୍କାର ହିସାବ ନାହିଁ ! ମାଲିକିଆଣୀ ମାଲିକଙ୍କ ପଇସାରେ ବଡ଼ବଡ଼ିଆ ପଣ ! କେତେଥର ସେମାନଙ୍କ ମୁହଁରୁ ମାଧୁଆ ଶୁଣିଛି – ଖଣ୍ଡ ମଣ୍ଡଳରେ ତାଙ୍କ ଭଳି ଆଭିଜାତ୍ୟ ବଂଶ ବିରଳ ! ଖୋଜି ଆଣେ ଦେଖି ! ସଂସାରଟା ଯାକ ଆଖି ଫେରେଇ ଆଣେ ଦେଖି ! ଆମ ଭଳି ରହଣି ସହଣି କେଉଁଠି ଅଛି ?ମାଧୁଆ ପୁଣି ନିଜକୁ ପ୍ରଶ୍ନର ବେଡ଼ି ରେ ଛନ୍ଦି ହୋଇ ଉତ୍ତର ଖୋଜେ କେଉଁ ଦୃଷ୍ଟି କୋଣରୁ ଆଭିଜାତ୍ୟର ରଙ୍ଗ ଝଲସେ ଏମାନଙ୍କ ମୁଖରୁ ?? ପୁଅ ବୋହୁ ଦଶ ବରଷ ହେଲା ଆମେରିକାରେ !
ପୁଅ ସଫ୍ଟୟର୍ ଇଞ୍ଜିନିୟର ମାସକୁ ଦରମା ପାଞ୍ଚ ଲକ୍ଷ ! ନାତି ପୁଅ ସାତବର୍ଷ ହେଲାଣି କାହିଁ ନିଜେ କି ନାତି ଟୋକାକୁ ଗାଁ ନେଇ ଆସୁ ନାହାନ୍ତି ଜେଜେ ଜେଜେମା’ ଙ୍କୁ ଦେଖେଇ ଆଣିବାକୁ ! ମାଧୁଆ ଚାକିରୀ କଲାଣି ଆଠ ବର୍ଷ ! ମାତ୍ର ପରଖୁ ଥିଲା ଆଖି ଖୋଲି ! ଧନ୍ୟ କହିବ ଏ ଆଭିଜାତ୍ୟ କୁ ! ଭାରତର ଗଳି କନ୍ଦି କୁ ପାଶ୍ଚାତ୍ୟ ଦୁରାରୋଗ ଗ୍ରାସ କଲାଣି ! ଟଙ୍କା କି କାହାର ମନ କିଣେ ! ଟିକିଏ ଆତ୍ମୀୟତା ହିଁ ସର୍ବସ୍ୱ ଧନ! ମାଲିକିଆଣୀ ଏବେ ଏବେ ହାତରେ ବାଡ଼ି ଧରିଲେଣି ! ଗଣ୍ଠି ଦରଜ,ପେଟ ଆଗକୁ ହାଣ୍ଡି ଭଳି ଓହଳି ପଡ଼ିଲାଣି ! ଜିଭ ଲହ ଲହ ପାଣି ଟପ୍ ଟପ୍ ଖସିପଡୁଥିବ, ବରାଦ ହେଉଥିବ ‘ମାଧୁଆରେ ଛେନା ତରକାରୀଟିଏ କରେ, ପେଟ ଯମା ଭରୁନିରେ ! ମାଧୁଆ କଢ଼େଇ ଭର୍ତ୍ତି ଛେନା ତରକାରୀ ରାନ୍ଧି ପରସିଦିଏ ଗୁଣୁ ଗୁଣୁ କରି ମାଲିକ ମାଲିକିଆଣୀଙ୍କୁ ! ବିଚରା ଲକି’ ମୂକ ପ୍ରାଣୀ ଟା ମାଲିକିଆଣୀଙ୍କ ସୁସ୍ଵାଦୁ ତରକାରୀର ସୁଗନ୍ଧକୁ ନଜର ନାହିଁ ! ତଥାପି ପିଞ୍ଜରା ଦ୍ୱାରକୁ ମୁହଁ ଲଗେଇ ଅନେଇଥାଏ ବଲ ବଲ ! ମାଧୁଆ ତା’ର ମନର ଭାଷା ପଢ଼ି ପାରେ କି କେଜାଣି ଇଶାରା କରି କହେ ଯମାରୁ ତତେ ବନ୍ଦୀ ହେବାର ଇଚ୍ଛା ନାହିଁ ! ତୁ ସ୍ଵାର୍ଥର ଶିକୁଳୀ ଭାଙ୍ଗି ମୁକ୍ତିର ଗୀତ ଗାଇ ଉଡ଼ି ଯିବାକୁ ଚାହୁଁ ବହୁ ଦୂର ଯେଉଁଠି ଆଭିଜାତ୍ୟ ନାଆରେ ବାପ ପୁଅ ଅଲଗା ସଂସାରର ଭିନ୍ନ ମତ ଭିନ୍ନ ବିଚାରର ବିଷ ବୃକ୍ଷ ଶାଖା ମେଲୁଥିବ ସତେ ନା ! ବୄଦ୍ଧାବସ୍ଥାରେ ବି ଗୋଟିଏ ଡାଇନିଙ୍ଗ ରେ ବସି ସମରସ ପାନର ସୁଅ ! ମାଧୁଆ ଅଣନିଶ୍ୱାସୀ ହେଇଗଲାଣି !
ଘର ଚଉକାଠକୁ ଲାଗି ପୁରୁଣା ଫଳକର ଅଳନ୍ଧୁ ସଫା କରୁ କରୁ ଗୋଲ୍ ଗୋଲ୍ ସୁନ୍ଦର ସୁଢଳ ଅକ୍ଷର ଗୁଡ଼ିକୁ ଆଖିଫେରେଇ ଆଣିଲା “କୁକୁର ପ୍ରତି ସାବଧାନ” ଠିକ୍ ଚାରିଫୁଟ ତଳେ ମାଟି ପାତ୍ରର କଞ୍ଚା ମାଟି ଫଟେଇ ମୁଣ୍ଡ ଟେକୁଥିବା ତୁଳସୀ ଗଛଟା ଜିଇଁବାକୁ ସହସ୍ର ପ୍ରୟାସ ପରେ ବି ଆଉ ଶାଖା ବିସ୍ତାରି ନ ପାରି ଝାଉଁଳି ପଡ଼ିଛି ! ମାଧୁଆ ଚାରିଆଡ଼କୁ ଅନେଇ ନେଲା ! ସନ୍ଧ୍ୟା ହୋଇ ଦୁଇ ଘଡ଼ି ! ମାଲିକ ଆମେରିକା ଷ୍ଟାମ୍ପ ମରା ହୁକା ହୁଡ଼ୁ ହୁଡ଼ିରେ ବ୍ୟସ୍ତ ! ମାଲିକିଆଣୀ ତଣ୍ଟି ଯାଏ ଖାଦ୍ଯ ଠୁସି ଘୁଙ୍ଗୁଡ଼ି ମାରିବାରେ ବ୍ୟସ୍ତ ! ମଲା ତୁଳସୀ ଗଛର ଦେହକୁ ଲାଗି କଅଁଳ ତୁଳସୀ ଚାରାଟିକୁ ଯତ୍ନରେ ପୋତି ଦମ୍ଭ ରେ ପାଣି ମୁନ୍ଦିଏ ଢାଳିଲା ! ପୁରୁଣା ଫଳକର ପୁରୁଣା ଅକ୍ଷର ପୋଛି ସେଥିରେ ଲେଖିଦେଲା ନୂଆ କଥା ! ‘ଦୟାକରି ଭିତରକୁ ଆସନ୍ତୁ କାରଣ ଆମ ଘରେ କୁକୁର ନାହିଁ’ ! ତହିଁ ପର ଦିନ
ଦ୍ବାର ମୁହଁରେ କଅଁଳ ତୁଳସୀ ଗଛଟା ମୁରୁକି ହସୁଥିଲା ! ଲକିର ପିଞ୍ଜରା ଉନ୍ମୁକ୍ତ ଥିଲା ! ନା ଥିଲା ମୂକ ପ୍ରାଣୀ ଲକି’ ନା ଥିଲା ମୁରୁଖ ଅପାଠୁଆ ମାଧୁଆ !!

Leave a Comment

Your email address will not be published. Required fields are marked *