ଓଜନ

ତୁମର ଓଜନ କେତେ ?
ସାମାନ୍ୟ ଭ୍ରୁକୁଞ୍ଚନ କରି, ଆଖିଦ୍ୱୟକୁ ଯଥାସମ୍ଭବ
ମୁଦିବାର ପ୍ରୟାସ କରି,
ଟିକିଏ ଆସ୍ଫାଳନର ସହ ଉତ୍ତର ଆସେ,
“ପୃଥିବୀ ଭିତରେ ଏତିକି, କବାଟ ବାହାରେ ସେତିକି
ପୁଣି ବିଶେଷ କରି ଚନ୍ଦ୍ରର ପାହାଚ ଉପରେ କେତିକି !”

ବ୍ୟସ୍ତ ହୋଇଯାଏ ଏ ପୃଥିବୀ
ଶୂନ ଓ ଦଶମିକ ମାନଙ୍କୁ ନିଜ ନିଜ ସ୍ଥାନ ଦେଖାଇବାରେ ।
କେତେ ସୂତ୍ର ବ୍ୟାପିଯାନ୍ତି ସର୍ବତ୍ର
କେତେ ଉପପାଦ୍ୟ ସାଜିଯାନ୍ତି ବାଦ୍ୟ
କେତେ ନିୟମର ଆଉ ନଥାଏ ବିନିମୟ ।
କେଜାଣି କିଏ ଏଠି ଆସି ବୁଝାଇବ,
ଓଜନଟା ଯେ ଅନୁଭବର କଥା ,
ସଂଖ୍ୟା ସବୁ ତ କେବଳ ବାହୁଲ୍ୟ ରୂପକ,
ମୂଲ୍ୟର ଏକମାତ୍ର ବୈଧ ମାପକ !

ମିନିଟିଏ ପାଇଁ ଜୀବନକୁ
କୋଳରେ ବସାଇ ଦେଖ ତ ;
ଠିକ୍ ବୁଝିପାରିବ,
ତୁମେ ହିଁ ପୃଥିବୀର ସବୁଠାରୁ ମୋଟୀ ମଣିଷ !
ମାତୃ-ଜଳଧିରେ** ଅନାୟାସରେ ଭାସିବା ଠାରୁ ଆରମ୍ଭ କରି
ସ୍କୁଲ୍ ପ୍ଲେ ଗ୍ରାଉଣ୍ଡ୍ ରୁ ଧୂଳି ଧୂସରିତ ଶରୀର ନେଇ ଆସିବା ପର୍ଯ୍ୟନ୍ତ
ଏ ଜୀବନଟା ଠିକ୍
ବହୁତ ଝଗଡ଼ା କରି ହାସଲ କରିଥିବା
ସେ ନରମ ତକିଆ ଭିତର ତୁଳା ପରି ।
କିନ୍ତୁ ତା ପରେ !!
ତାପରେ ଚାଲେ ଅଦୃଶ୍ୟ ତଣ୍ଟିକଟା ପ୍ରତିଯୋଗିତା ..
ମୁହୂର୍ତ୍ତକ ମଧ୍ୟରେ ବେଗ ସଂପ୍ରସାରଣ କରିବାରେ !
ବୟସ ତ ଓଜନ ବଢ଼ାଏ
କିନ୍ତୁ ଜୀବନର ଓଜନ ବୃଦ୍ଧି ବେଗଟା ଭାରୀ ପଡ଼ିଯାଏ !

ବେଳେବେଳେ ଲୁହ ପିଇଯାଏ କିଛି ଓଜନ
ପୁଣି ନୀରବତା ଖୋଜିଆଣି ଯୋଡ଼ିଦିଏ ତାକୁ
କେଜାଣି କେତେ ଗୁଣିତ କରି !
ଛାତି ଭିତରଟାକୁ ରାମ୍ପୁଡି କାମୁଡ଼ି
ତାଣ୍ଡବ କରନ୍ତି ମେଦ ସବୁ !
ମେଦିନୀ** ବେଳେବେଳେ ଚିତ୍କାର କରେ,
ବେଳେବେଳେ ତୁନି ହୋଇ ଶୋଇପଡ଼େ
କିନ୍ତୁ ମେଦବହୁଳତାର ଉପଚାର ପାଇଁ
ନା ମିଳେ ଅସ୍ତ୍ର
ନା ଉପଶମ ପାଇଁ ମହୌଷଧି !

ଏବେ ଠିକ୍ ବୁଝିପାରେ ସେ,
ଶୂନ ଓ ଦଶମିକର ହିସାବ ଭୁଲ୍ ନୁହେଁ
ଅଥବା ସେ ରୂପକ ସବୁ ନିରର୍ଥକ ନୁହେଁ ।
ପୃଥିବୀ ବାହାରେ ଶରୀରଟା ଯେ ସତରେ ହାଲୁକା…
କିନ୍ତୁ ସବୁ ଜାଣି ମଧ୍ୟ
ସେ ପାଲଟିଯାଏ ନିରୁପାୟ !
ତଥାପି ବାରମ୍ବାର ମାପିଚାଲିଥାଏ ପ୍ରତିଦିନ
କେତେ ଓଜନ ସେ କମେଇ ପାରିଲା,
ଆଉ କେତେ ମୋଟା ହେବା ବାକି ରହିଗଲା !

ସେ ହିସାବ ଖାତାର ପୃଷ୍ଠା ସରିଯାଏ,
ଯେବେ ଓଜନ ମେସିନ୍ ର ସୂଚକ ଶୂନ ଛୁଇଁଯାଏ !

Leave a Comment

Your email address will not be published. Required fields are marked *