କବିତାରେ ତୁମେ

ତୁମେ ନିଶ୍ୱାସ ପ୍ରଶ୍ୱାସ ଆଶ୍ୱାସନା
ତୁମେ ଦିବସ ରଜନୀ ପ୍ରବୋଧନା ।।

ତୁମେ ଆହାର ବିହାର ଆଚରଣେ
କର୍ମ କର୍ତ୍ତବ୍ୟ ବିଭୋର ଆଲୋଡନେ ।।

ତୁମେ ଗୁଣ ଦ୍ଵନ୍ଦ ବ୍ୟୋମ ମାୟାତୀତ
ଜୀଵ ହୃଦୟ କନ୍ଦରେ ପ୍ରସ୍ଫୁଟିତ ।।

ଶୋକ ଜର୍ଜରିତ ଚିତ୍ତେ ଆରାଧନ
ତୁମେ ବିପଦେ ଆପଦେ ସଦା ଧ୍ୟାନ ।।

ତୁମେ ଆଧାର ପ୍ରେମର ଶିଳାପଦ୍ମ
ଜୀଵ ନିର୍ଜୀବ ଶରୀରେ ତତ୍ୱ ସମ ।।

ତୁମେ ଅନ୍ଧାରୀ ସାଗରେ ଧ୍ରୁବତାରା
ଦ୍ଵନ୍ଦ ମାନସେ ଦେଖାଅ ଶଶିକଳା ।।

ବାଲ୍ୟ ଚପଳ ଓଠରେ ଦରହାସ
ତୁମେ ପ୍ରେମିକା ଆଖିରେ ଜୀବନ୍ୟାସ ।।

ଶାନ୍ତ ସମାହିତ ଚିତ୍ତେ ହଂସ ନାଦ
ଶୁଦ୍ଧ ଆଧାରେ ଭାବର ଘନ ହ୍ରଦ ।।

ପ୍ରତି ପ୍ରଭାତେ ଶୀତଳ ସମୀରଣ
ତୁମେ ସନ୍ଧ୍ୟା ଦୀପାଳୀରେ ତେଜିୟାନ ।।

ତୁମେ ତ୍ରିସନ୍ଧ୍ୟାର ନିତି ଉପାସନା
ଇହକାଳ ପରକାଳ ନିରାଜନା ।।

ଭବ ପାରାବାରେ ତୁମେ ନାଉରିଆ
ତୁମ ଆଶ୍ରାରେ ବାହୁଛି ଭଙ୍ଗା ନାଆ ।।

ଦିନ ଆରମ୍ଭ ତୁମରି ପ୍ରତୀକ୍ଷାରେ
ପୁଣି ଶେଷ ହୁଏ ତୁମ ଚରଣରେ ।।

ତୁମେ ଅରୁପ ସ୍ୱରୂପ ଅପରୂପ
ତୁମେ ନିରାକାର ବ୍ରହ୍ମ ଶୁନ୍ୟରୁପ ।।

ତୁମେ ଧ୍ୟାନ ତୁମେ ଧ୍ୟେୟ ଜ୍ୟୋତିର୍ମୟ
ଅନାହାତ ପଦ୍ମେ ତୁମେ ଭାବମୟ ।।

ତୁମେ ଓଁକାରର ଦିବ୍ୟ ଦୀର୍ଘ ନାଦ
ତୁମେ ଆଦି ତୁମେ ପୁଣି ପୂର୍ଣ୍ଣଛେଦ ।।

ଅରି ସୁଦନ ହେ ଭୟ ନିବାରକ
ତୁମେ ତୁମ ଧାମ ଲାଭ ପ୍ରଦାୟକ ।।

କାର୍ଯ୍ୟ, କାରଣ, ଓ କର୍ତ୍ତା ଲୀଳାମୟ
ତୁମେ ଖେଳୁଛ ଜୀବକୁ କରି ଥୟ ।।

ତୁମେ ହସରେ ଲୁହରେ ଭାବଘନ
ଗଢ଼ି ଭାଙ୍ଗି ପୁଣି ଗଢ଼ ଏ ଭୁବନ ।।

ତୁମେ ଜୀଵନ ଯାତ୍ରାର ଶିରୋନାମା
ଆତ୍ମଜ୍ଞାନ ସଙ୍ଗୀତର ସାରେଗାମା।।

ତୁମେ ଦୃଷ୍ଟି ପଥାରୁଢେ ଦିବ୍ୟରୁପ
ଭାବ ଅଭାବରେ ମୂର୍ତ୍ତି ଜଡ଼ରୁପ।।

ଭକ୍ତି ସୁଗନ୍ଧରେ କରେ ଅରଚନା
ଭକ୍ତି ଆସେନା ତୁମରି କୃପାବିନା।।

ପ୍ରାଣ ପ୍ରଦୀପର ତୁମେ ତେଜ ଶିଖା
ମନ ମନ୍ଦିରରେ ବସ ତୁମେ ଏକା।।

କାଳ ପ୍ରବାହାର ତୁମେ ସୂତ୍ରଧର
ତୁମେ ଏକମାତ୍ର ଆଶା ଫେରିବାର।।

ତୁମେ ନଟ ତୁମେ ପୁଣି ନାଟ୍ୟକାର
ଭବ ମଣ୍ଡପେ ମୁଁ ଲୀଳା ସହଚର।।

ସତ୍ୟପଥେ ତୁମେ ବାୟୁ ଅନୁକୂଳ
ଘୋର ଅସତ୍ୟେ ପାଏନା ଥଳକୁଳ।।

ଆହେ ସହସ୍ରାର ବାସୀ ବ୍ରହ୍ମମୟ
ତୁମ ଦର୍ଶନେ ଜୀଵନ ତେଜୋମୟ।।

ଭଙ୍ଗା ହୃଦୟର ତୁମେ ଏକା ରାହା
ଥାଇ ପ୍ରଚ୍ଛନ୍ନେ ମୋ ଛିନ୍ନ କର ମାୟା।।

ଆହେ ସଚ୍ଚିଦାନନ୍ଦ ହେ ନିରାକାର
ତୁମ କୃପା ବିନା ଜୀଵ ଛାରଖାର।।

ତୁମେ ଚିନ୍ମୟ ସୁନ୍ଦର ପରମାତ୍ମା
ମୁଁ ଯେ ଚିନ୍ମୟ ସ୍ୱରୂପ ଅପତ୍ୟାତ୍ମା।।

ତୁମେ ପରମ ଆରାଧ୍ୟ ହୃଦେଶ୍ବର
ମାଗେ ଚରଣେ ଶରଣ ପ୍ରାଣେଶ୍ୱର ।।

Leave a Comment

Your email address will not be published. Required fields are marked *