ତୁମେ : ଏକ ଅମୂଲ୍ୟ ଉପହାର

ଜାଣିଛ . . . !

ସେ . .  ଦୂର ପାହାଡ଼ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ
ତୁମେ ଯେବେ ଭାବୁଥାଅ ଏଣୁତେଣୁ କିଛି କଥା;
ମୁଁ ତ ବାସ୍ ଉପଭୋଗ କରୁଥାଏ,
ତୁମ ଚଞ୍ଚଳ ଆଖିରେ, ଆନମନା ଭାବନାସବୁକୁ
ଯାହାର ସ୍ପଷ୍ଟ ପ୍ରତିବିମ୍ବ ଆଙ୍କିଦିଏ ତୁମର ସେଇ ପ୍ରସାରିତ ମଥା ।

ଟିକି ଟିକି ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ଶୁଣି
ତୁମେ ଯେବେ ଧାଇଁଯାଅ ଉଡ଼ିବାର ପ୍ରୟାସରେ;
ଆହାଃ କି ଆନନ୍ଦ ସେତେବେଳେ,
ଯେବେ କୁନି ବାଳକଟିଏର ଚପଳତା ବାରିହୋଇପଡ଼େ
ପାଞ୍ଚ ଫୁଟ୍ ସାତ ଇଞ୍ଚ୍ ଦୀର୍ଘ ଗାମ୍ଭିର୍ଯ୍ୟ ଶରୀର ଭିତରେ ।

କେତେବେଳେ ଆଣ୍ଠେଇ ପଡ଼ି, ପୁଣି କେତେବେଳେ ପେଟେଇ ହୋଇ
ତୁମେ ଯେବେ ଲାଗିପଡ଼ ସାଇତିବାରେ;
ପ୍ରକୃତିଦତ୍ତ ସୁନ୍ଦର ସବୁଜିମାକୁ ତୁମର ସେଇ ଦାମିକିଆ କ୍ୟାମେରାରେ,
ମଜାନେଉଥାଏ ମୁଁ, ତୁମର ଏଇ ପାଗଳାମିର
ଆଉ ସାଇତିନିଏ “ତୁମେ” ରୂପେ ପାଇଥିବା ଅମୂଲ୍ୟ ଉପହାରକୁ ମୋ ସ୍ମୃତି ସିନ୍ଦୁକରେ ।

ଗମ୍-ଗମ୍ ଝାଳର ତାଳେ ତାଳେ, ଧକ୍-ଧକ୍ ଛାତିର ସ୍ପନ୍ଦନରେ
ଲେଖନୀ ତୁମର ଯେବେ ଆରମ୍ଭକରେ ନାଚିବାକୁ;
ଅସହ୍ୟ ରୌଦ୍ରତାପ ବି ଅଟକାଇ ପାରେନା ତା’କୁ,
ମୁଁ ତ ବାସ୍ ଦୂରରୁ ପରଖୁଥାଏ ତୁମକୁ ଆଉ ତୁମର
ଭାବନାସବୁକୁ ଉତ୍ତାରିଦେବାର ବ୍ୟଗ୍ରତା, ଉତ୍କଣ୍ଠା, ଉନ୍ମାଦନାକୁ ।

ହଠାତ୍ ଆକାଶରେ କଳା ବାଦଲ ସହ ବିଜୁଳିର ଚମକ୍ ଦେଖି
ଜାଣିନି, ସତରେ ଡରଲାଗେ କି ନାହିଁ;
ହେଲେ ଭାବିବା ଆଗରୁ ବାନ୍ଧିହୋଇ ସାରିଥାଏ ମୁଁ
ଶକ୍ତ, କିନ୍ତୁ ସିକ୍ତ ଦୁଇ ବାହୁର ବଳୟ ଭିତରେ
ଆଉ କାନ ପାଖେ ଶୁଭୁଥାଏ ଗୁଞ୍ଜରଣ, “ଆରେ ପାଗେଳି ! ଅଛି ତ ମୁଁ, ଡର କାହିଁ ?”

ତୁମେ . . .
ଭାବି ଭାବି କିଛି ଲେଖ, ଲେଖୁ ଲେଖୁ କିଛି ଭାବ
ଭାବନା ଆଉ ଲେଖନୀ ଚାଳନାର ଦ୍ବନ୍ଦ୍ୱ ଭିତରେ
ହଜିଯାଅ କେଉଁ ଏକ ଅଜଣା ଇଲାକାରେ;

ହେଲେ ମୁଁ . . .
ଜାଣି ଜାଣି ହଜେ, ହଜି ହଜି ଭିଜେ ଆଉ ଭିଜି ଭିଜି ଖୋଜିଚାଲେ
ତୁମ ଭିତରର “ତୁମେ”କୁ ମୋ ଠାରେ,
ମୋ ଭିତରର “ମୁଁ”କୁ ତୁମଠାରେ ।

Leave a Comment

Your email address will not be published. Required fields are marked *