ଦୋଳ ଗୋବିନ୍ଦ

ଚୂତ ଡାଳେ ଆସିଲାଣି ବସନ୍ତ
କୋକିଳ କଣ୍ଠରେ ମଧୁ ସଙ୍ଗୀତ
ରଙ୍ଗ ପ୍ରସୂନରେ ଶୋଭେ ଜଗତ
ଧରଣୀ ରାଣୀ ହୃଦ ରୋମାଞ୍ଚିତ
ଚଉଦିଗେ ଖେଳେ ମହା ଆନନ୍ଦ
ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ।

ଦୂର ଦିଗନ୍ତେ ହସେ କିଶଳୟ
ତନୁ ଛୁଇଁଯାଏ ମୃଦୁ ମଳୟ
ଧ୍ୱନିତ ଶ୍ରୀରାଧା କୃଷ୍ଣଙ୍କ ଜୟ
ଆହା ଏ ମୁହୁର୍ତ୍ତ ଅମୃତମୟ
ନାଚିଉଠେ ଆଜି ପୂର୍ଣମୀ ଚାନ୍ଦ
ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ।

ରାଧାରାଣୀ ବେଣୁପାଣି ସଙ୍ଗତେ
ଦୋଳି ଖେଳୁଛନ୍ତି ଗୋପୀଙ୍କ ସାଥେ
ଯୁଗଳ ମୁରତି ନିର୍ମଳ ଚିତ୍ତେ
ହେରି ସମ୍ମୋହିତ ପ୍ରେମୀ ଭକତେ
ପ୍ରାଣେ ପ୍ରାଣେ ସ୍ଫୁରେ ସାତ୍ଵିକ ଛନ୍ଦ
ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ।

ଦେଖ କି କୃପାଳୁ ସେ ବେନି ମୂର୍ତ୍ତି
ଦ୍ୱାରେ ଦ୍ୱାରେ ବୁଲି ଦର୍ଶନ ଦ୍ୟନ୍ତି
ଫଗୁଣ ରଙ୍ଗରେ ଭରି ଏ କ୍ଷିତି
ରଙ୍ଗରେ ରଙ୍ଗରେ ବିତରି ପ୍ରୀତି
ଅଧରେ ଦେଖ ହସ ମନ୍ଦ ମନ୍ଦ
ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ।

ଆହା କି ଅପୂର୍ବ ବସନ୍ତ ରାସ
ଶାଶ୍ୱତ ପ୍ରେମର ମହା ଉଲ୍ଲାସ
ରାଧାକୃଷ୍ଣ ମୟ ଆଜି ଏ ବିଶ୍ୱ
ଦୂର ହୋଇଯାଏ ଯେତେ ଉଦାସ
ପାନ କରିବା ଆସ ମକରନ୍ଦ,
ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ।

ପ୍ରେମର ଈଶ୍ୱର ଈଶ୍ୱରୀ ଆଜି
ଦିବ୍ୟ ପ୍ରଣୟର ଉଲ୍ଲାସେ ମଜ୍ଜି
ବିତରନ୍ତି ଭାବ ସୌରଭ ରାଜି
ପ୍ରେମରଙ୍ଗେ ଭିଜେ ଜଗତ ଆଜି
ଧରା ଧାମେ ଝରେ ପରମାନନ୍ଦ
ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ।

Leave a Comment

Your email address will not be published. Required fields are marked *