ଶରତ ଋତୁର ପ୍ରଥମ ପରଶେ
କାସତଣ୍ଡି ଫୁଲ ହସେ
ମାତା ଆଗମନେ ଏ ବିଶ୍ୱ ଭୁବନ
ଉତ୍ସବ ମୁଖର ଦିଶେ ।
ମା ଆସୁଛନ୍ତି ବରଷକ ପରେ
ଆନନ୍ଦ ବିଭୋର ଭକତ
ପୂଜା ପାର୍ବଣର କେତେ ଆଡମ୍ବର
ମନ ଲୋଭା ଏ ଜଗତ ।
ନବରାତ୍ରୀ ପାଳନ ନଅ ଗୋଟି ରୂପ
ପୂଜିତ ହୁଅନ୍ତି ସର୍ବତ୍ର
ଦୁର୍ଗତି ନାଶନି ସଙ୍କଟ ହାରିଣୀ
ଚଣ୍ଡୀ ପୀଠେ ମନ୍ତ୍ର ପାଠ ।
ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ
ମାତା ଶୈଳପୁତ୍ରୀ ବେଶ
ହସ୍ତେ ଶୂଳ ପଦ୍ମ ବୃଷଭ ବାହାନେ
ଦେବୀଙ୍କର ଦିବ୍ୟ ରୂପ ।
ଦ୍ଵିତୀୟା ତିଥିରେ ବ୍ରହ୍ମଚାରିଣୀ ରୂପେ
ଆସନ୍ତି ଧରା ଅବତରି
ହସ୍ତେ କମଣ୍ଡଳ ଶୋଭା ପାଉଥାଏ
ଜପାମାଳି ସାଥେ ଧରି ।
ତୃତୀୟା ଦିବସେ ଚନ୍ଦ୍ରଘଣ୍ଟା ରୂପ
ସୁଖ ସୌଭାଗ୍ୟ ପ୍ରଦାନ କାରିଣୀ
ଦେବୀ ଚତୁର୍ଭୁଜା ସିଂହ ବିରାଜିତା
ମସ୍ତକେ ଅର୍ଦ୍ଧ ଚନ୍ଦ୍ର ଧାରିଣୀ ।
ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ
ମା ଦର୍ଶନ ଦିଅନ୍ତି ସଭିଙ୍କୁ
ଅଷ୍ଟଭୁଜା ମାତା ବ୍ୟାଘ୍ର ବିରାଜିତା
ଅଭୟ ବର ଦିଅନ୍ତି ଭକ୍ତଙ୍କୁ ।
ପଞ୍ଚମୀ ତିଥିରେ ସ୍କନ୍ଦମାତା ଭାବେ
ପଦ୍ମାସନେ ସିଂହ ବାହନ
ଚତୁର୍ଭୁଜ ହସ୍ତେ ପଦ୍ମ ଶୋଭା ପାଉଥାଏ
ମନସ୍କାମନା କରନ୍ତି ପୂରଣ।
କାର୍ତ୍ତାୟନୀ ରୂପେ ଷଷ୍ଠୀ ଯାତରାରେ
ଅଭୟଦାୟିନୀ ମାତା
ଅଭିଷ୍ଟ ପୂରଣ କରନ୍ତି ସଂସାର ଜନଙ୍କ
ହସ୍ତେ କମଳ ପୂଜିତା ।
ସପ୍ତମୀ ତିଥିରେ କାଳରାତ୍ରି ଭାବେ
ଗଧ ବାହନ ଉପରେ ବିରାଜିତା
ଉଗ୍ରରୂପ ଦେବୀ ଖଡଗ ଧାରିଣୀ
ନାନା ଅସ୍ତ୍ରଶସ୍ତ୍ରରେ ସଜିତା ।
ମା ମହାଗୌରୀ ଅଷ୍ଟମୀ ଦିନରେ
ଶାନ୍ତ ସରଳ ସମୃଦ୍ଧ ସ୍ଵଭାବ
ଶ୍ଵେତ ବସ୍ତ୍ର ପରିଧାନ ବୃଷଭ ବାହନ
ସୁନ୍ଦର ମନଲୋଭା ରୂପ ।
ନବମୀ ପର୍ବରେ ମା ସିଦ୍ଧିଦାତ୍ରୀ ବିଜେ
ଆଶିଷ କରନ୍ତି ପ୍ରଦାନ
କୃପାମୟୀ ମାତା ପଦ୍ମପରେ ଉଭା
କରନ୍ତି ସଂସାର ପାଳନ ।