ମା’ ଏ ଫଟୋ ଟି କାହାର, ତୁମ ପୁରୁଣା ଡାଏରୀରୁ ମୁଁ ପାଇଲି। କିଏ ଏ ଝିଅ ମା’? ଦେଖିବାକୁ ବହୁତ ସୁନ୍ଦର। କଣ ତୁମ ସହିତ ତା’ ସଂର୍ପକ? ତୁମ ସାଙ୍ଗ କି? ଏମିତି ଅନେକ ପ୍ରଶ୍ନର ପସରା ମେଲାଇ ଥିଲା ସୌମ୍ୟା ମୋ ଆଗରେ। କଣ କହିବି ନିଜ ଝିଅକୁ? କେମିତି ବା କହିବି, ” ତା ମା’ ଜଣେ ବିଶ୍ବାସ ରେ ବିଷ ଦେଇଥିବା ମଣିଷ। ଜଣେ ଅପରାଧୀ। ”
ହଁ, ମୁଁ ଅପରାଧୀ ସାହିତ୍ୟର।ସାହିତ୍ୟ ଆକାଶ ରେ ଉଇଁ ବାକୁ ଯାଉଥିବା ଗୋଟିଏ ପ୍ରତିଭାବାନ୍ ନକ୍ଷତ୍ର କୁ ଟେକା ମାରି ଖସାଇ ଦେଇଛି।
ମା’ କଣ ହେଲା ? କହୁନୁ କିଏ ଏ ଝିଅ ?
ହୁଁ, କହି ସୌମ୍ୟାର ପ୍ରଶ୍ନିଳ ଆଖି ଦୁଇଟିକୁ ଦେଖୁଥିଲି।ହାତରେ ଧରିଥିବା ଫଟୋ ବିଷୟ ରେ ଜାଣିବା ପାଇଁ କେତେ ଆଗ୍ରହ ତା’ର। ଏତେ ବର୍ଷର ଅଭିମାନର ସିନ୍ଦୁକକୁ କିପରି ଖୋଲିବି ତା’ ଆଗରେ !
ମା’ ଏତେ ଗମ୍ଭୀର ହେଇଗଲୁ କଣ ପାଇଁ ଯେ?
ସୌମ୍ୟା ଆସି ,ମୋ ପାଖରେ ସୋଫା ଉପରେ ବସିଲା। କୁଣ୍ଢାଇ ଧରି ଗେହ୍ଲେଇ ହେଇ ପଚାରିଲା, ” ମା’ କହୁନୁ କିଏ ଏ ଝିଅ? କାହା ଫଟୋ ଏଇଟା? ଦେଖେ ମା’ ମୁଁ ଚାହିଁଥିଲେ ତୋ ଡାଏରୀ ପଢି ପାରିଥାନ୍ତି। ତୁ ତ ଜାଣୁ ମୁଁ ଆଜିକା ଜମାନାର ସଟ୍ କଟ୍ ପିଲା। ପୁରା ଡାଏରୀ ପଢିବା ଅପେକ୍ଷା ତୋ ଠାରୁ ଶୁଣିବା ଠିକ୍ ହେବ କହି ପଚାରୁଛି। ତୁ ତ କହୁ ମୁଁ କୁଆଡେ ତୋର ସବୁଠାରୁ ଭଲ ସାଙ୍ଗ। କହନା , ପ୍ଲିଜ। ହୁଁ, କେଉଁ ପୁଅ ବିଷୟ ରେ ପଚାରୁ ନାହିଁ ମ। ଯେ ତୁ ଡରିବୁ ତୋ ପ୍ରେମିକ ବିଷୟ ରେ ଜାଣି ମୁଁ ପାପାଙ୍କୁ କହିଦେବି। ”
ଏ ବଦମାସ ପିଲା। ମାରିବି ଗୋଟିଏ ଜାଣିଛୁ ନା। ଦୁଇଜଣ ଯାକ କେହି କାହାକୁ ଊଣା ନୁହଁନ୍ତି।
ଆଁ, ଦୁଇଜଣ। ମୁଁ ତ ତୋର ଗୋଟିଏ ବୋଲି ଝିଅ। ଦୁଇଜଣ କେଉଁଠୁ ହେଲୁ। ଏ ଫଟୋ ରେ ଯିଏ ଅଛି ସେ ଆଉ ମୁଁ, ନା ମା। ଆମେ ଦୁଇଜଣ। ଠିକ୍ ନା ମା।
ହୁଁ।
ମା’ ଏ ଫଟୋ କୁ ଦେଖିଲେ ଲାଗୁଛି। ମୁଁ କେଉଁଠି ଦେଖିଛି। ମା’ ଏ ଫଟୋ ଆଉ ଓଡ଼ିଶାର ସୁନାମଧନ୍ୟ କ୍ରିମିନାଲ୍ ଓକିଲ ଡ଼ ସୌମ୍ଯାଶ୍ରୀ ପଣ୍ଡା ଙ୍କ ନୁହେଁ ତ। ମାନେ, ତାଙ୍କର କଲେଜ ସମୟର ।କାଲି ହିଁ ତାଙ୍କର ସଫଳତାର କାହାଣୀ ସମ୍ବାଦ ରେ ବାହାରି ଥିଲା। ସତକଥା କହିବି ମା’ ମାନିବାକୁ ପଡିବ ତାଙ୍କୁ। ନ ହେଲେ ସଂଙ୍ଗୀତା ମଡର କେସ୍ ରେ ସବୁ ପ୍ରମାଣପତ୍ର ତାଙ୍କର ସ୍ବାମୀ ସହିତ ଥିବା ବେଳେ, ସୌମ୍ଯାଶ୍ରୀ ପଣ୍ଡା ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଦେଲେ। ମା’ ଜାଣିଛ, ବର୍ତ୍ତମାନ ସେ ଓଡ଼ିଶା ଓକିଲ ସଂଘ ର ସଭାପତି ରୂପରେ ନିର୍ବାଚିତ ହେଇଛନ୍ତି।
ହୁଁ, ତା’ର ବହୁତ ସାହାସ। ପିଲାଳିଆମୀ ଭିତରେ ଏତେ ସାହାସ କେଉଁଠାରୁ ଆଣେ କେଜାଣି। ବହୁତ ଅଭିମାନୀ ଟେ।
ମା’ ଏମିତି କହୁଛୁ ଯେମିତି ସୌମ୍ୟାଶ୍ରୀ ପଣ୍ଡା ଆମ ପଡିଶା ଘର ଲୋକ।
ତୁ ବି ଧାନି ବିଷୟ ରେ ଅନେକ ଖବର ରଖିଛୁ। କଥା କଣ??
ଧାନି.. ! ମା’ ମୁଁ କିଛି ବୁଝି ପାରୁନି। ମୋ ଭଲନାମ ସୌମ୍ୟାଶ୍ରୀ, ତୁ ଆଉ ପାପା ଧାନି ଡାକ। ଆଉ କେହି ଏହି ନାମରେ ଡାକିଲେ ମୁଁ ଜମା ସହି ପାରନା। ତାହାହେଲେ କ୍ରିମିନାଲ୍ ଲୟର ସୌମ୍ୟାଶ୍ୀ ପଣ୍ଡା ଙ୍କ ସହିତ ମୋର କିଛି ସଂମ୍ପର୍କ ଅଛି। ମା’ ପ୍ଲିଜ କହ। ମୋ ପାଖରେ ଆଉ ଧୈର୍ଯ୍ୟ ନାହିଁ ଅପେକ୍ଷା କରିବାକୁ।
ହଁ ଅଛି! ତୋ ମା ତୋତେ ଯେତିକି ଭଲପାଏ ତାକୁ ବି ସେତିକି ଭଲପାଏ। ସେତେବେଳକୁ ମୋର ବାହାଘର ହୋଇ ନ ଥାଏ। SSB ପାଇଲା ପରେ ମୋର ପ୍ରଥମ ପୋଷ୍ଟିଂ ଯାଜପୁରର ଗୋଟିଏ କଲେଜ ରେ ହେଇଥିଲା। ପ୍ରଥମ ଦିନ ସ୍ନାତକ ତୃତୀୟ ବର୍ଷ ପିଲାମାନଙ୍କ ବାଧ୍ଯତାମୂଳକ ଓଡ଼ିଆ କ୍ଲାସ ନେବାର ଥିଲା। କ୍ଲାସ୍ ରେ ସବୁ ଅନର୍ସ ପିଲା ମାନେ ଥିଲେ। ସେ ପ୍ରଥମ ଦିନ ହିଁ ଅର୍ଥନୀତି ବିଭାଗ ରେ ପଢୁଥିବା ଧାନି ମାନେ ସୌମ୍ଯାଶ୍ରୀ ପଣ୍ଡା ସହିତ ପ୍ରଥମ ସାକ୍ଷାତ ହେଇଥିଲା। ତା’ ଭିତରେ ଲେଖାଲେଖି କୁ ନେଇ ପ୍ରଚୁର ପ୍ରତିଭା ଥିଲା। ଆମ ଭିତରେ ବୟସ ଅନ୍ତର ବହୁତ ବେଶୀ ନ ଥିଲା। ତେଣୁ ଗୁରୁ ଶିଷ୍ଯ ସମ୍ପର୍କ ବଦଳରେ ଗୋଟିଏ ସାଙ୍ଗର ସମ୍ପର୍କ ଗଢ଼ି ଉଠିଥିଲା। ସେ ସବୁବେଳେ କୁହେ, ” ସୋନା ମୁଁ ତୁମକୁ ବହୁତ ଭଲପାଏ। ମୋତେ କେବେ ଛାଡିକି ଯିବନି। ଆମର କେତେ ବଡ ଝଗଡ଼ା ହେଉ ନା କାହିଁକି। ” ମୁଁ ବି ତାକୁ ବହୁତ ରୁ ବହୁତ ଭଲପାଏ। ଯାହା କେବେ ତାକୁ କହି ପାରେନି। ତାକୁ ଲାଗୁଥିଲା, ମୁଁ ତାକୁ କେବେ ଛାଡିକି ପଳେଇବି। ଅଜଣା ଭୟ ସବୁବେଳେ ତା’ ମନରେ ଥିଲା।
ମା’ ସତକଥା ତ। ମୁଁ କାଇଁ ଆଜିଯାଏଁ ତାଙ୍କ ବିଷୟ ରେ ଜାଣି ନ ଥିଲି। ମୁଁ ଯେବେ ତାଙ୍କର କାମକୁ ନେଇ ତୁମକୁ କୁହେ ତୁମେ ବହୁତ ଖୁସି ହେଇଯାଏ। ହେଲେ କେବେ ତ କହି ନ ଥିଲ, ” ତୁମେ ତାଙ୍କୁ ଚିହ୍ନିଛ କହି। ” ଯଦି ତୁମେ ତାଙ୍କୁ ଏତେ ଭଲପାଉଥିଲ ତେବେ ତାଙ୍କ ଠାରୁ ଦୂରେଇ ଗଲ କାହିଁକି ??
ତା’ର ତା ନିଜ ଉପରେ ବିଶ୍ବାସ ନ ଥିଲା, କେବେ କାହାଣୀ ଲେଖି ପାରିବ କହି। କବିତା ସେ ବହୁତ ଭଲ ଲେଖେ। ଆଜି ବି ତା’ କବିତାର କିଛି ଧାଡି ମୋର ମନେ ଅଛି। ମୋ ଖୁସି ପାଇଁ ସେ ଥରେ କାହାଣୀ ଲେଖି ଆଣି କଲେଜ ରେ ଦେଖେଇଲା। ମୁଁ ତାକୁ ପଢି ବହୁତ ଖୁସି ହେଇ ଯାଇଥିଲି। ମୋ ଛାତି ଗର୍ବରେ ଫାଟି ପଡୁଥିଲା। ମୋ ଧାନି ଏତେ ସୁନ୍ଦର କାହାଣୀ ଲେଖିଛି କହି। କାହାଣୀ ମୁଁ ତା’ ପାଖରୁ ନେଇ ସେ ସମୟର ଗୋଟିଏ ପ୍ରତିଷ୍ଠିତ ପତ୍ରିକା କୁ ଦେଇଥିଲି। ଯାହା ପ୍ରକାଶିତ ହୋଇ ବହୁ ପ୍ରଶଂସିତ ହେଇଥିଲା। ଜାଣିଛୁ, କେହି ମୋ ଆଗରେ ତା’ ପ୍ରଶଂସା କଲେ ମୋତେ ବହୁତ ଖୁସି ଲାଗେ। ସେ ମୋ ପାଇଁ ଭଲ ସାଙ୍ଗ ,ସାନ ଭଉଣୀ ଠାରୁ କମ୍ ନ ଥିଲା।ବେଳେବେଳେ ଲାଗେ ସେ ମୋ ଝିଅ। ତୁ ଯେମିତି ସେ ବି ଠିକ୍ ସେମିତି। ସେଥିପାଇଁ କଲେଜ ରେ ବି ମେମ୍ ବଦଳରେ ମୋ ନାମ ଧରି ସୋନା ବୋଲି ଡାକେ। ଆଉ ଦିନରେ ଶହେ ଥର ସୋନା I love you so much କହିବାର। ସେତିକି ପରିମାଣ ରେ ତୋ ପାପା ବି ଆଜି ଯାଏଁ କହି ନ ଥିବେ।
ହା ହା ହା ହା। ମା ତୁମର ଗୋଟିଏ ପ୍ରେମିକ ଥିଲା। ଆଛା, ପାପା ଏ ବିଷୟ ରେ ଜାଣିଛନ୍ତି।
ହଁ, ତୋ ପାପା ସବୁ ଜାଣିଛନ୍ତି।
ତା’ ପରେ କଣ ହେଲା ମା??
ସବୁ କାହାଣୀ ଆମେ ସାର୍ଥକତାର ସହିତ ଲେଖି ପାରିବା ତାହା ମନରେ ଧାରଣା ରଖିବା ଅନୁଚିତ। ଦିନେ ତା’ର ଗୋଟିଏ କାହାଣୀ କୁ ପଢି ଆମ ଓଡ଼ିଆ ବିଭାଗ ଜଣେ ସାର୍ ତା’ର ବିଶ୍ଲେଷଣ କରି ଲେଖାର ଦୁର୍ବଳତା ବିଷୟ ରେ କହିଲେ। ସେଇଠୁ ସେ ମୋ ଉପରେ ଆଉ ବିଶ୍ବାସ କଲା ନାହିଁ। ତାକୁ ଲାଗିଲା ସେ ଠିକ୍ ଲେଖି ପାରୁନି। ମୁଁ ତାର ମିଛ ପ୍ରଶଂସା କରୁଛି। କେହି କଣ ନିଜ ଝିଅର କ୍ଷତି ଚାହିଁବ ! ମୁଁ ଡରୁ ଥିଲି, ଭୁଲ ଜାଣିଲା ପରେ ତା’ କାହାଣୀ ଲେଖିବାର ଉତ୍ସାହ କମି ଯିବ କହି। ମୋର ଧାରଣା ଥିଲା ତା’କୁ ଅନୁଶାସନ ବଦଳରେ ପ୍ରେରଣା ଦେଇ ଲେଖାର ଦୁର୍ବଳତା କୁ ଦୂର କରିହବ। ସେ ନିଜକୁ ନିଜେ ଲୁଜର କହି ଗାଳି ଦେଲା। ଯାହା ମୋତେ ଜମା ଭଲ ଲାଗିଲା ନାହିଁ। ସେଠାରୁ ମୁଁ ବି ତାକୁ ବୁଝେଇବାକୁ ଯାଇ ବହୁତ ଗାଳି କଲି। ଶେଷରେ ରାଗି ଯାଇ କହିଲି, ” ତୁ ଲେଖିବୁ କି ନାହିଁ ସେଇଟା ତୋ ବ୍ଯକ୍ତିଗତ କଥା। ” ତା’ ପରେ ସେ ଶପଥ କରି ନେଲା ଆଉ କେବେ ଲେଖିବ ନାହିଁ। ଯାହାର ହାତ ଧରି ସାହିତ୍ୟର ରାସ୍ତାରେ ଚାଲିବା ଶିଖାଇଥିଲି। ତା’ ହାତ ଛାଡିଦେଲି। ତାକୁ ଲାଗିଲା ମୁଁ ତା ବିଶ୍ବାସ ରେ ବିଷ ଦେଇଛି।କଣ କରିଥାନ୍ତି, ତାକୁ ବୁଝାଇବା ପାଇଁ ବହୁତ ଚେଷ୍ଟା କରି ବିଫଳ ହେଲି।
+୩ ସରିବା ପରେ ଧାନି ଓକିଲାତି ପଢିବା ପାଇଁ ମଧୁସୂଦନ ଲ’ କଲେଜ ରେ ଆଡମିଶନ ନେଲା। ଆଉ ମୁଁ ତୋ ପାପାଙ୍କ ସହିତ ବାହାଘର ଠିକ୍ ହେଇଗଲା କହି ଅଧ୍ଯାପିକା ଚାକିରି ଛାଡି ଦେଲି। ବାହାଘର ପରେ ତୋ ବାପାଙ୍କ ସହିତ ଏଠି ରହୁଛି।
ମା’ ସତରେ ତୁମେ ଭୁଲ୍ କରିଛ। କଥା ଦେଇଥିଲ ପରା କେତେ ବଡ ଝଗଡ଼ା ହେଲେ ବି ତାଙ୍କୁ କେବେ ନିଜ ଠାରୁ ଦୂରେଇ ଦବ ନାହିଁ। ତୁମେ ଏମିତି କାହିଁକି କଲ?
ଆ ଲୋ ପାଗଳି ମୁଁ ତାକୁ କେତେବେଳେ ଦୂରେଇ ଦେଲି। ସୌମ୍ଯା କୁ କୁଣ୍ଢେଇ ଧରି ତା’ ମଥାରେ ଚୁମା ଦେଇ କହିଲି, ” ତୋ ନାମ ପରା ଧାନି, ସୌମ୍ଯାଶ୍ରୀ। ତୋ ଭିତରେ କେବଳ ସେ ଅଛି। ତୁମେ ଦୁଇଜଣ ଯାକ ମୋ ପାଇଁ ସମାନ। ତୁମ ଦୁଇଜଣଙ୍କୁ ମୁଁ ବହୁତ ଭଲପାଏ। I love you so much dhana. ”
ଆଖିରୁ ଅନବରତ ଲୁହ ବୋହି ଯାଉଥାଏ। କିଛି ସମୟ ପରେ ଧାନି ମୋ ଆଖି ଲୁହ ପୋଛି, ସୋଫାରୁ ଉଠି ଯାଇ ମୋ ହାତକୁ ଟାଣି କହିଲା, ” ମା’ ତୁ ଉଠିଲୁ ଚାଲ୍ ମୋ ସହିତ। ”
“କୁଆଡେ ଯିବା ”
ମା’ ଆଜି କ୍ରିମିନାଲ୍ ଲୟର ସୌମ୍ଯାଶ୍ରୀ ପଣ୍ଡା ତାଙ୍କର ଝିଅ ସୋନାକୁ ଦେଖା କରିବାକୁ ହାଇଦ୍ରାବାଦ ଆସିଛନ୍ତି। ଯେ କି ମୋ କଲେଜ ରେ ତଳ ଶ୍ରେଣୀ ରେ ପଢେ। ଚାଲ୍ ମୋ ସହିତ ଚାଲିଲୁ…
———- ସମାପ୍ତ—–
ବନ୍ଧୁତା ର ନିଖୁଣ ପରିଚୟ , ନକହି ବି କହିଯାଏ ଅନେକ।👌👌👌