ଏଇ କାହାଣୀ ଅଟେ ଏମିତି ଏକ ଦୁନିଆ ର ଯାହା ପୃଥିବୀ ର ଖୁବ ନିକଟରେ ଥାଇ ମଧ୍ୟ ସମସ୍ତଙ୍କ ଠାରୁ ଅଦୃଶ୍ୟ ହେଇ ରହେ । ଆଜ୍ଞା ହଁ, ଏଇ କାହାଣୀ ଅଟେ ନୂଆଁ ଏକ ପୃଥିବୀର ଯାହା ପୃଥିବୀ ସହିତ ସମାନ୍ତରାଳ ଭାବେ ଗତି କରେ । ଏହାକୁ ବୈଜ୍ଞାନିକ ମାନେ ମଲ୍ଟିଭର୍ସ ବା ପାରାଲାଲ ୱାର୍ଲ୍ଡ ବୋଲି ମଧ୍ୟ କୁହନ୍ତି ।
ସେହିଭଳି ଏକ ପୃଥିବୀର ଏକ ବିଶାଳ ଓ ମହାନ ରାଜ୍ୟ ଅଟେ ଭାବନା । ଭାବନା ରାଜ୍ୟ ର ଏକ ଘଞ୍ଚ ଜଙ୍ଗଲ କୁ ଆଖେଟ କରିବା ପାଇଁ ଯାଇଥାନ୍ତି ବାସ୍ତବ ରାଜ୍ୟ ର ରାଜକୁମାର ତଥା ମହାରାଜ ମନୁ ଙ୍କ ପୁତ୍ର ମାନବ । ଆଉ ତାଙ୍କ ସାଙ୍ଗ ରେ ଥାନ୍ତି ତାଙ୍କ ଦୁଇ ପରମ ମିତ୍ର ରାଜକୁମାର ମନ ଏବଂ ରାଜକୁମାର ବିବେକ । ମନ ଏବଂ ବିବେକ ଥିଲେ ଭାବନା ରାଜ୍ୟ ର ଅଧିପତି ମହାରାଜ ଜ୍ଞାନ ଏବଂ ମହାରାଣୀ ବୁଦ୍ଧି ଙ୍କ ଦୁଇ ପୁତ୍ର । ରାଜକୁମାର ମାନବ ଥିଲେ ଧନୁର୍ବିଦ୍ୟା ରେ ଧୁରନ୍ଧର । ତେଣୁ ତାଙ୍କ ଲକ୍ଷ୍ୟ କେତେ ସଠିକ ତାହା ଦେଖିବାକୁ ରାଜକୁମାର ମନ ଏକ ସୁନ୍ଦର ଆଶା ପକ୍ଷୀ ଟିଏ ଦେଖି କହିଲେ,
ମନ – ମିତ୍ର । ଯଦି ତୁମେ ସତରେ ଧନୁର୍ବିଦ୍ୟା ରେ ପ୍ରବୀଣ ତାହେଲେ ସେଇ ସୁନ୍ଦର ପକ୍ଷୀ ଟିର ଶିକାର କରି ଦେଖାଅ । ତେବେ ଯାଇ ଜଣା ପଡିବ ତୁମ ଲକ୍ଷ୍ୟ କେତେ ସଠିକ ।
ବିବେକ – ଭାଇ, ତୁମେ ଏ କଣ କହୁଛ ?
ମନ – କାଇଁ କଣ ହେଲା କି ?
ବିବେକ – ଭାଇ, ତାହା ହେଲା ଆଶା ପକ୍ଷୀ । ଖୁବ ଦୁର୍ଲଭ , ଖୁବ ପବିତ୍ର ଆଉ ଖୁବ ନିରୀହ ମଧ୍ୟ । ଆଶା ପକ୍ଷୀର ଶିକାର କରିବା ଶାସ୍ତ୍ର ଅନୁସାରେ ପାପ ।
ମନ – ଯେମିତି ବିନା ଦୁଃଖ ରେ ସୁଖର କଳ୍ପନା କରିହେବନି ସେମିତି ହିଁ ବିନା ପାପ ରେ ପୂଣ୍ୟର ମଧ୍ୟ କଳ୍ପନା ଅସମ୍ଭବ । ତା ଛଡା ସେ ପକ୍ଷୀ ଟି କେଡେ ସୁନ୍ଦର ଦେଖା ଯାଉଛି । ତାର ମାଂସ କେତେ ସ୍ଵାଦିଷ୍ଟ ନ ହେଇଥିବ ।
ଦୁଇ ରାଜକୁମାର ଙ୍କ ମଧ୍ୟରେ ଏମିତି ଛୋଟ କଥା କୁ ନେଇ ସବୁଦିନ ପରି ସେ ଦିନ ମଧ୍ୟ ତର୍କ ଚାଲିଥାଏ ଆଉ ମାନବ ସବୁ ଦିନ ପରି ସେ ଦିନ ମଧ୍ୟ ରାଜକୁମାର ମନ ଙ୍କ କହିଲା ଭଳି ସେ ଆଶା ପକ୍ଷୀ ର ଶିକାର କରିବାକୁ ସଜ ହେଲେ । ଧନୁର ପ୍ରତଞ୍ଛା ରେ ବାଣ ଟିଏ ଖୋସିଦେଇ ଲକ୍ଷ୍ୟ କରି ରହିଲେ ସେ ପକ୍ଷୀ ଆଡକୁ । ସୁଯୋଗ ପାଇଲା ମାତ୍ରେ ଲକ୍ଷ୍ୟ ଭେଦ କରି ଶୀକାର କରିବେ । ଠିକ ସେତିକି ବେଳେ ସେଠାରେ ଜଣେ ସୁନ୍ଦର ଯୁବତୀ ଆସି ବଡ ଜୋର ରେ ଚିତ୍କାର କରି ସେ ପକ୍ଷୀ ସମୂହ କୁ ସେଠାରୁ ଘଉଡାଇ ଦେଲା । ଯୁବତୀ ଜଣଙ୍କ ଚିତ୍କାର ଶୁଣି ଆଶା ପକ୍ଷୀ ସବୁ ସେହି ସ୍ଥାନ ରୁ ଅନ୍ୟତ୍ର ଉଡି ଚାଲିଗଲେ ।
ରାଜକୁମାର ମାନବ ଖୁବ କ୍ରୋଧିତ ହେଇ ଯୁବତୀ ଜଣଙ୍କ ଆଡକୁ ଦୃଷ୍ଟି ପକେଇଲେ କିନ୍ତୁ ସେ ଯୁବତୀ ଜଣଙ୍କୁ ଦେଖୁ ଦେଖୁ ମାନବ ଙ୍କ କ୍ରୋଧର ଅଗ୍ନି ଥମିଗଲା ଆଉ ସେ ବୁଡିଗଲେ ଯୁବତୀ ଙ୍କ ରୂପ ର ସମୁଦ୍ର ରେ । ମୃଗୁଣୀ ଆଖି ଭଳି ଦୁଇଟି ଢଳ ଢଳ ଆଖି, ଛୋଟ ଶିଶୁ ପରି ସୁନ୍ଦର ନାକ ଟିଏ, ଗୋଲାପ ପାଖୁଡା ଭଳି ଦୁଇ ଓଠ ଆଉ ଅମାନିଆ କେଶ ରାଶି । ଏମିତି ଲାଗୁଥିଲା ଯେମିତି କି ପୁର୍ଣିମା ର ଜହ୍ନ କୁ ଛୋଟ ଛୋଟ ମେଘ ଖଣ୍ଡ ଘେରି ରଖିଛନ୍ତି । ରାଜକୁମାର ମାନବ ସେ ଯୁବତୀ ଜଣଙ୍କୁ ଅପଲକ ଚାହାଣି ରେ ଚାହିଁ ରହିଲେ । ହେଲେ ଯୁବତୀ ଜଣଙ୍କ ନିଜ ଅମାନିଆ କେଶ ସବୁକୁ ନିଜ କାନ ପଛପଟେ ଖୁଞ୍ଚି ଦେଇ କହିଲେ,
“ନିଜ ଧନୁର୍ବିଦ୍ୟା ର ପରୀକ୍ଷା ଶତ୍ରୁ କିମ୍ବା ନିର୍ଜୀବ କୁଶ ପୁତଳିକା ଉପରେ କରନ୍ତୁ ରାଜକୁମାର । ଜୀବନ୍ତ, ନିରୀହ ପଶୁ ପକ୍ଷୀ ଙ୍କ ଉପରେ ନୁହଁ”।
ଏତିକି କହି ସେ ଯୁବତୀ ଜଣଙ୍କ ସେଠାରୁ ଚାଲିଗଲେ, କିନ୍ତୁ ମାନବ ତାଙ୍କୁ ସେମିତି ଚାହିଁ ରହିଥାନ୍ତି । ମନ ଆଉ ବିବେକ ସେଠାରେ ମାନବ ଙ୍କ ଅବସ୍ଥା ଦେଖି କହିଲେ,
ମନ – ମିତ୍ର, ମୋତେ ଲାଗୁଛି ଭଗବାନ ବୋଧେ ସେ ଝିଅର ଭାଗ୍ୟରେ ବାସ୍ତବ ରାଜ୍ୟ ର ଭାବି ମହାରାଣୀ ହେବାର ଯୋଗ ଲେଖିଛନ୍ତି ।
ମାନବ – ମାନେ ?
ବିବେକ – ହଁ ମିତ୍ର, ମୋତେ ମୋ ଭାଇ ଙ୍କ ପ୍ରତ୍ୟେକ କଥାରେ ଅନର୍ଥ ଦେଖାଯାଏ କିନ୍ତୁ ଏଇ କଥା ରେ ମୁଁ ବି ସହମତ । ସେ ଝିଅଟି ତୁମ ଜୀବନ ସଂଗିନୀ ହେବାପାଇଁ ସମ୍ପୂର୍ଣ ପ୍ରଯୁଜ୍ୟ ।
ମାନବ – କିନ୍ତୁ । କିନ୍ତୁ ସେ କିଏ, ତାଙ୍କ ଘର କେଉଁଠି ତାଙ୍କ ମନରେ କଣ ଅଛି ଏଇଟା ବି ତ ଜାଣିବାକୁ ପଡିବ ନା ?
ମନ – ଯଦି ସେ ସବୁ ଜାଣିବାକୁ ଇଛା ଅଛି ତାହେଲେ ଚାଲ ।
ମାନବ – କୁଆଡେ ?
ଏତିକି ଶୁଣିବା ମାତ୍ରେ ମାନବ ଙ୍କୁ ନେଇ ରାଜକୁମାର ମନ ଆଉ ବିବେକ ଅନୁସରଣ କଲେ ସେ ଯୁବତୀ ଜଣଙ୍କୁ । ସେ ଯୁବତୀ ଜଣଙ୍କ ପାଖରେ ପହଞ୍ଚିଲା ପରେ, ରାଜକୁମାର ମନ ଯାଇ ସେ ଯୁବତୀ ଜଣଙ୍କ ସହିତ କଥା ହେଲେ,
ମନ – ଶୁଣନ୍ତୁ ଦେବୀ । ଆପଣ ମୋ ମିତ୍ର କୁ ଶୀକାର କରିବା ରୁ ରୋକିଦେଇ ତାଙ୍କ ଶୀକାର କରି ଚାଲି ଆସିଲେ ।
ଯୁବତୀ – ଅର୍ଥାତ ?
ମନ – ଅର୍ଥାତ, ମୋ ମିତ୍ର ବାସ୍ତବ ଦେଶ ର ରାଜକୁମାର ମାନବ, ଆପଣଙ୍କ ପ୍ରେମ ର ଶୀକାର ହେଇଛନ୍ତି ।
ଯୁବତୀ – ଆପଣ ଗୋଟିଏ କଥା କୁହନ୍ତୁ ତ । ଆପଣଙ୍କ ଘରେ ସମସ୍ତେ ଏମିତି ଅଭଦ୍ରାମି କରନ୍ତି ନା ଆପଣ ଟିକେ ସ୍ଵତନ୍ତ୍ର ?
ବିବେକ – ନା ଦେବୀ । ମୋ ଭାଇ କିଛି ବି ମିଛ କହି ନାହାନ୍ତି ।
ଯୁବତୀ – ମୁଁ କେତେବେଳେ କହିଲି ଯେ ସିଏ ମିଛ କହିଲେ ବୋଲି ? ମୁଁ କହିଲି ସିଏ ଅଭଦ୍ରାମି କରୁଛନ୍ତି ବୋଲି । ଆପଣ କଣ ଅଭଦ୍ରାମି ଆଉ ମିଛ ଭିତରେ କିଛି ଫରକ ବୁଝନ୍ତିନି ?
ମାନବ – ତେବେ ଆପଣ ହିଁ କୁହନ୍ତୁ ? ବିନା ଅଭଦ୍ରାମି ରେ ନିଜ ପ୍ରେମ ର ପ୍ରସ୍ତାବ ମୁଁ ଆପଣଙ୍କ ସମ୍ମୁଖରେ କିପରି ରଖିବି ?
ଯୁବତୀ – ଯଦି ଆପଣ ସତରେ ମୋତେ ପ୍ରେମ କରୁଛନ୍ତି ତାହେଲେ ମୁଁ ଆପଣଙ୍କ ଆବେଗ କୁ ସମ୍ମାନ ଜଣାଉଛି । ହେଲେ ମୁଁ ଏ ସବୁ ବ୍ୟାପାର କୁ ନିଜ ହାତ ରେ ନେବାକୁ ଚାହୁଁନି । ଏ ସବୁ ବିଷୟରେ ଆପଣଙ୍କୁ ମୋ ବାପା ଙ୍କ ସହିତ କଥା ହେବାକୁ ପଡିବ ।
ମାନବ – ମୁଁ ନିଶ୍ଚୟ ମିଶିବାକୁ ଚାହିଁବି ଆପଣଙ୍କ ବାପା ଙ୍କ ସହିତ । କୁହନ୍ତୁ କେଉଁଠି ସେ । ମୋତେ ତାଙ୍କ ପାଖକୁ ନେଇ ଯାଅନ୍ତୁ ।
ଯୁବତୀ – ଠିକ ଅଛି । ତେବେ ଚାଲନ୍ତୁ ।
ଯୁବତୀ ଜଣଙ୍କ ସେ ତିନି ରାଜକୁମାର ଙ୍କୁ ନେଇ ଚାଲିଲେ ନିଜ ଠିକଣା ଆଡକୁ । ବାଟ ସାରା ସେ ତିନ ରାଜକୁମାର ଅନେକ ଚେଷ୍ଟା କଲେ ଯୁବତୀ ଙ୍କ ବିଷୟରେ ଜାଣିବା ପାଇଁ ହେଲେ କିଛି ବି ତଥ୍ୟ ସେମାନେ ପାଇ ପାରିଲେ ନାହିଁ । ଏମିତି ଚାଲୁ ଚାଲୁ ସେମାନେ ପହଞ୍ଚିଲେ ସଂସାର ର ସବୁଠୁ ଉନ୍ନତ, ବିକଶିତ, ସମୃଦ୍ଧ ଆଉ ଶକ୍ତିଶାଳୀ ରାଜ୍ୟ ରେ ଯାହାର ନା ଥିଲା ସ୍ଵପ୍ନ । ସ୍ଵପ୍ନ ରାଜ୍ୟ ରେ ପହଞ୍ଚିଲା ପରେ ସେମାନେ ଜାଣିବାକୁ ପାଇଲେ ସେ ଯୁବତୀ ଜଣଙ୍କ ପରିଚୟ । ଯୁବତୀ ଜଣଙ୍କ ଆଉ କେହି ନୁହଁ, ସେ ଥିଲେ ସ୍ଵପ୍ନ ରାଜ୍ୟ ର ମହାରାଜ ପରିଶ୍ରମ ଆଉ ମହାରାଣୀ କଲ୍ପନା ଙ୍କ ଏକ ମାତ୍ର କନ୍ୟା ଓ ସ୍ଵପ୍ନ ରାଜ୍ୟ ର ରାଜକୁମାରୀ ସ୍ଵପ୍ନା ।
ସ୍ଵପ୍ନା ସେ ତିନି ଜଣଙ୍କୁ ନେଇ ଗଲେ ମହାରାଜ ପରିଶ୍ରମ ଙ୍କ ଦରବାର କୁ । ସମ୍ରାଟ ଙ୍କ ଭବ୍ୟ ଦରବାର କୁ ଦେଖି ତିନି ରାଜକୁମାର ଖୁବ ବିସ୍ମିତ ହେଇ ଉଠିଲେ । ଅପୂର୍ବ କାରିଗରୀ ସାଙ୍ଗକୁ ବିଭିନ୍ନ ରତ୍ନ ମାନଙ୍କ ସମାଗମ ଦେଖି ନିଜ ନିଜ ରାଜ୍ୟ ରେ ଥିବା ଦରବାର ଅପେକ୍ଷା ତାହା କେତେ ବିଶାଳ ଆଉ କେତେ ଉନ୍ନତ ତାହାର ହିସାବ କରୁଥିଲେ । ସିଂହାସନ ରେ ବିରାଜମାନ ସମ୍ରାଟ ପରିଶ୍ରମ ଙ୍କୁ ଦେଖି ତିନି ରାଜକୁମାର ମୁଣ୍ଡ ନୁଆଇ ଅଭିବାଦନ ଜଣାଇଲେ । ସମ୍ରାଟ ମଧ୍ୟ ସେମାନଙ୍କୁ ହୃଦୟରୁ ସ୍ଵାଗତ ଜଣାଇଲେ । ସମସ୍ତେ ସମ୍ରାଟ ଙ୍କୁ ନିଜ ନିଜ ପରିଚୟ ପ୍ରଦାନ କଲେ ଆଉ ଶେଷ ରେ ମାନବ ନିଜ ମନ କଥା ସମ୍ରାଟଙ୍କ ଆଗରେ ପ୍ରକାଶ କଲେ ।
ସମ୍ରାଟ ପରିଶ୍ରମ ଙ୍କୁ ରାଜକୁମାର ମାନବ ଙ୍କ ପ୍ରସ୍ତାବ ରଖିବା ଶୈଳୀ ପସନ୍ଦ ଆସିଲା ନାହିଁ । ତା ଛଡା ତାଙ୍କ ମତ ଅନୁଯାଇ ତାଙ୍କର କେହି ପୁତ୍ର ସନ୍ତାନ ନାହାନ୍ତି ତେଣୁ ସେ ଚାହଁନ୍ତି କୌଣସି ଯୋଗ୍ୟ ପୁରୁଷ ଙ୍କୁ ନିଜ ଜାମାତା କରି ସ୍ଵପ୍ନ ଭଳିଆ ଉନ୍ନତ ଏବଂ ବିକଶିତ ରାଜ୍ୟ ର ଭାର ତାଙ୍କ ହାତରେ ଦେବାପାଇଁ । ଆଉ ସେଥିପାଇଁ କାଳେ ବାସ୍ତବ ର ରାଜକୁମାର ମାନବ ଏତେ ଟା ଯୋଗ୍ୟ ନୁହଁନ୍ତି କାରଣ ସେ ଥିଲେ ଜଣେ ନୌଶିକ୍ଷିତ ରାଜକୁମାର । ଏହି ସମୟରେ ରାଜକୁମାରୀ ସ୍ଵପ୍ନା ନିଜ ବାପଙ୍କୁ କହିଲେ ଯେ, କିଛି ସମୟର ମିଳାମିଶା ରୁ ସେ ରାଜକୁମାର ମାନବ ଙ୍କ ଭିତରେ ତାଙ୍କ ପ୍ରତି ଥିବା ସମର୍ପଣ ଭାବ କୁ ଦେଖି ପାରିଛନ୍ତି ତେଣୁ ସିଏ ମାନବ ଙ୍କୁ ହିଁ ନିଜ ଜୀବନ ସାଥି ରୂପେ ପାଇବାକୁ ଚାହଁନ୍ତି । ସମ୍ରାଟ ନିଜ ଅଲିଆଳି ଝିଅ ର କଥା କୁ ଅବମାନନା କରିଲେ ନାହିଁ ସତ କିନ୍ତୁ ସେ ଏହି ବିବାହ ପ୍ରସ୍ତାବ ପାଇଁ ସହଜରେ ରାଜି ମଧ୍ୟ ହେଲେ ନାହିଁ । ସେ ରାଜକୁମାର ମାନବ ଙ୍କ ପ୍ରସ୍ତାବ କୁ ସ୍ଵୀକୃତି ଦେବା ପାଇଁ ଏକ ସର୍ତ୍ତ ଟିଏ ରଖିଦେଲେ । କାରଣ ସିଏ ଚାହୁଁଥିଲେ ତାଙ୍କ ଜାମାତା ଏକ କୁଶଳ ଯୋଦ୍ଧା ଆଉ ଯୋଗ୍ୟ ଶାସକ ଟିଏ ମଧ୍ୟ ହେଇଥାଉ ବୋଲି ।
ସ୍ଵପ୍ନ ରାଜ୍ୟ ଯେତିକି ସୁନ୍ଦର ସେତିକି ଶକ୍ତିଶାଳୀ ମଧ୍ୟ । ସେ ରାଜ୍ୟ କୁ ଯୁଦ୍ଧ ରେ ପରାଜୟ କରିବା ଥିଲା ସମସ୍ତଙ୍କ ପାଇଁ କାଠିକର ପାଠ । ଏ ସବୁ ସମ୍ପୂର୍ଣ୍ଣ ଶ୍ରେୟ ଯାଏ ମହାରାଜଙ୍କର ଦୁଇଟି କୁଶଳ ସେନାପତି କର୍ମ ଏବଂ ଅପେକ୍ଷା ଙ୍କୁ । ବର୍ତ୍ତମାନ ସମ୍ରାଟ ପରିଶ୍ରମ ରାଜକୁମାର ମାନବ ଙ୍କ ପାଖରେ ସର୍ତ୍ତ ରଖିଲେ, ଯେ ଯଦି ସିଏ ସ୍ଵପ୍ନା ଙ୍କୁ ପାଇବାକୁ ଇଛୁକ ତାହେଲେ ତାଙ୍କୁ ସେନାପତି କର୍ମ ଓ ସେନାପତି ଅପେକ୍ଷା ଙ୍କୁ ସ୍ପର୍ଦ୍ଧା ରେ ପରାସ୍ତ କରିବାକୁ ପଡିବ । ମାନବ ଆଗ ପଛ କିଛି ବିଚାର ନ କରି ଏ ସ୍ପର୍ଦ୍ଧା ପାଇଁ ରାଜି ହେଇଗଲେ କିନ୍ତୁ ଏହା କେତେ କଷ୍ଟକର ହେବାକୁ ଯାଉଛି ଏ କଥା ଠିକ ଜାଣିଥିଲେ ରାଜକୁମାର ବିବେକ ।
ସ୍ପର୍ଦ୍ଧା ର ପ୍ରସ୍ତୁତି ନିମନ୍ତେ ମାନବଙ୍କୁ ଭାବନା ରାଜ୍ୟ କୁ ନେଇଗଲେ ମନ ଆଉ ବିବେକ । ବିବେକ ମାନବ ଙ୍କୁ ସେ ଦୁଇ ସେନାପତି ଙ୍କ ବିଷୟରେ ବିବରଣୀ ପ୍ରଦାନ କଲେ । ଆଉ ରାଜକୁମାର ମାନବ ବର୍ତ୍ତମାନ କେତେ ବଡ ବିଷମ ପରିସ୍ଥିତି ରେ ପଡିଛନ୍ତି ତାହା ଅନୁଭବ କରାଇଲେ । କିନ୍ତୁ ଏତିକି ରେ ମଧ୍ୟ ରାଜକୁମାର ମନ ତାଙ୍କୁ ଆତ୍ମହରା ହେବାକୁ ଦେଲେନି । କାରଣ ସେ ଜାଣନ୍ତି, ତାଙ୍କ ମାତା ମହାରାଣୀ ବୁଦ୍ଧି ଙ୍କ ପାଖରେ ଏ ସବୁ ପାଇଁ ନିଶ୍ଚୟ କିଛି ନା କିଛି ଉପାୟ ରହିଥିବ । ତେଣୁ ଭାବନା ରାଜ୍ୟ ରେ ପହଞ୍ଚୁ ପହଞ୍ଚୁ ସେମାନେ ଧାଇଁ ଗଲେ ମହାରାଣୀ ବୁଦ୍ଧି ଙ୍କ ପାଖକୁ । ଆଉ ସେ ସବୁ ବର୍ଣ୍ଣନା କଲେ ଯାହା ଏଇ କିଛି ଦିନ ତଳେ ସେମାନେ କରିଥିଲେ । ମହାରାଣୀ ଏ କଥା ସବୁ ଶୁଣି ଖୁବ ଚକିତ ହେଇଗଲେ ଆଉ ବଡମାନଙ୍କ ବିନା ଅନୁମତି ରେ ଏ ସବୁ କରିଥିବା କାରଣରୁ ଖୁବ ନିରାଶ ମଧ୍ୟ ହେଲେ । କିନ୍ତୁ ଏବେ ପରିସ୍ଥିତି କିବା ବଦଳେଇ ଦିଆଯାଇ ପାରିବ ? ତେଣୁ ସେ ମାନବ ଙ୍କୁ ସାହାଯ୍ୟ କରିବାକୁ ରାଜି ହେଇଗଲେ ।
ମହାରାଣୀ କହିଲେ ଯେ, “ସେନାପତି କର୍ମ ତାଙ୍କ ଶତ୍ରୁ ଙ୍କ ଉପରେ ପ୍ରଥମେ “କ୍ଳାନ୍ତି” ନାମକ ଏକ ବାଣ ପ୍ରୟୋଗ କରନ୍ତି ଯାହା ଶତ୍ରୁ ର ଶାରୀରିକ ଶକ୍ତି କୁ କ୍ଷୀଣ କରିଦିଏ ତା ପରେ ସିଏ ପ୍ରୟୋଗ କରନ୍ତି ଆଉ ଏକ ବାଣ ଯାହାର ନାଁ ହେଲା “ପୀଡା” । ତାହା ଶତ୍ରୁ କୁ କଦର୍ଯ୍ୟ କରିପକାଏ ଆଉ ଶେଷରେ ତାକୁ ହାରିବାକୁ ବାଧ୍ୟ କରେ । ଏ ସବୁ ପରେ ବି କର୍ମ ସ୍ଵୟଂ ଶହେ ସିଂହ ର ବଳଧାରୀ ଅଟନ୍ତି । ତେଣୁ ତାଙ୍କୁ ପରାସ୍ତ କରିବା ଖୁବ କଷ୍ଟ ହେଇଯାଏ । ଯଦି ତୁମେ ଏ ସ୍ପର୍ଦ୍ଧା ରେ ବିଜୟୀ ହେବାକୁ ଚାହଁ ତେବେ ତୁମକୁ ଦେବୀ ସାଧନା ଆଉ ଦେବୀ ଆରାଧନା ଙ୍କୁ ତପସ୍ୟା କରି ସେମାନଙ୍କ ଠାରୁ ଦିବ୍ୟ ଅସ୍ତ୍ର ପ୍ରାପ୍ତ କରିବାକୁ ପଡିବ “ ।
ମହାରାଣୀ ଙ୍କ କଥା ଶୁଣି ରାଜକୁମାର ମାନବ ଚାଲିଲେ ଦେବୀ ସାଧନା ଆଉ ଦେବୀ ଆରାଧନା ଙ୍କ ତପସ୍ୟା କରିବା ପାଇଁ । ଅନେକ ଦିନ ଧରି ସେ ଅନାହାର ହେଇ କଠିନ ତପସ୍ୟା କଲେ ଦୁଇ ଦେବୀଙ୍କର । ଦୀର୍ଘ ୨୧ ଦିନର କଡା ତପସ୍ୟା ପରେ ମାନବ ଙ୍କ ସାମ୍ନା ରେ ପ୍ରକଟ ହେଲେ ଦୁଇ ଦେବୀ । ଦେବୀ ସାଧନା ମାନବଙ୍କ ତପସ୍ୟା ରେ ପ୍ରସନ୍ନ ହେଇ ତାଙ୍କୁ ପ୍ରଦାନ କଲେ “ଚେଷ୍ଟା” ନାମକ ଏକ ଦିବ୍ୟ କବଚ, “ଧୌର୍ଯ୍ୟ” ନାମକ ଏକ ଦିବ୍ୟ ଢାଲ ଆଉ “ଦକ୍ଷତା” ନାମକ ଏକ ଦିବ୍ୟ ଖଡ୍ଗ । ଶେଷରେ ଦେବୀ ଆରାଧନା ତାଙ୍କୁ ପ୍ରଦାନ କଲେ ନିଷ୍ଠା ନାମକ ଏକ ଦିବ୍ୟ ଔଷଧି ।
କିଛିଦିନ ପରେ ସ୍ପର୍ଦ୍ଧା ର ଦିନ ଆସି ଉପନୀତ ହେଲା । ସମ୍ରାଟ ଙ୍କ ନିୟମ ଅନୁଯାୟୀ ସ୍ପର୍ଦ୍ଧା ସମ୍ପୂର୍ଣ୍ଣ ମୈତ୍ରୀ ପୂର୍ଣ୍ଣ ରହିବ ଓ ଏହା ଦୁଇଟି ପର୍ଯ୍ୟାୟ ରେ ସମ୍ପାଦିତ ହେବ । ପ୍ରଥମ ପର୍ଯ୍ୟାୟ ରେ ମାନବ ଙ୍କ ଯୁଦ୍ଧ ହେବ ସେନାପତି କର୍ମ ଙ୍କ ସହିତ । ଯଦି ସିଏ ଏ ପର୍ଯ୍ୟାୟ ରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କୁ ଯୁଦ୍ଧ କରିବାକୁ ପଡିବ ସେନାପତି ଅପେକ୍ଷା ଙ୍କ ସାଥିରେ । ପ୍ରଥମ ପର୍ଯ୍ୟାୟ ରେ କେବଳ ଗୋଟିଏ ସୁଯୋଗ ମିଳିବ ଆଉ ଦ୍ଵିତୀୟ ପର୍ଯ୍ୟାୟରେ ମିଳିବ ୪ ଟି ସୁଯୋଗ ।
ତେବେ ସ୍ପର୍ଦ୍ଧା ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଲା । ମାନବ ଆଉ ସେନାପତି କର୍ମ ଦୁହିଙ୍କ ସାମ୍ନା ରେ ଦୁହେଁ ଠିଆ ହେଲେ , ଯେମିତି ଶୁଭାରମ୍ଭ ର ଶଙ୍ଖ ଧ୍ୱନି ଶୁଭିଲା କର୍ମ ପ୍ରୟୋଗ କଲେ ନିଜ ପ୍ରଥମ ବାଣ କ୍ଳାନ୍ତି । କିନ୍ତୁ ତାହା ମାନବ ଙ୍କ ଦିବ୍ୟ କବଚ ଚେଷ୍ଟା କୁ ଭେଦ କରିପାରିଲା ନାହିଁ । ତା ପରେ ପଣି ସେ ପ୍ରୟୋଗ କଲେ ନିଜ ଦ୍ଵିତୀୟ ବାଣ ପୀଡା । ଆଉ ତାକୁ ମଧ୍ୟ ପ୍ରତିରୋଧ କଲା ମାନବ ଙ୍କ ଦିବ୍ୟ ଢାଲ ଧୌର୍ଯ୍ୟ । ଯେବେ ତାଙ୍କ ସମସ୍ତ ବାଣ ସରିଗଲା ସେତେବେଳେ ମାନବ ତାଙ୍କ ଶାଣିତ ଧାର ବିଶିଷ୍ଟ ଦିବ୍ୟ ଖଡ୍ଗ ଦକ୍ଷତା ରେ ତାଙ୍କ ଉପରେ ଅନବରତ ଭାବେ ପ୍ରହାର କରି ଚାଲିଲେ । ଆଉ ଶେଷରେ ନିଜର ପରାଜୟ ସ୍ଵୀକାର କଲେ କର୍ମ ।
ପ୍ରଥମ ପର୍ଯ୍ୟାୟ ରେ ବିଜେତା ହେବା ପରେ , ରାଜକୁମାର ମାନବ ଙ୍କୁ ମିଳିଲା ଏକ ପୁରସ୍କାର । ସେ ପୁରସ୍କାର ଟି ହେଲା ଅହଂକାର । ମାନବ ସେଇ ପୁରସ୍କାର କୁ ଉପଭୋଗ କରୁ କରୁ ଦିନ ବିତିଗଲା ଆଉ ସିଏ ପ୍ରସ୍ତୁତି କରି ପାରିଲେ ନାହିଁ ଅପେକ୍ଷା ଙ୍କ ସହିତ ସ୍ପର୍ଦ୍ଧା ପାଇଁ । କିଛି ଦିନ ପରେ ଦିନ ଆସିଲା ସେନାପତି ଅପେକ୍ଷା ଙ୍କ ସହିତ ସ୍ପର୍ଦ୍ଧା ର । ମହାରାଣୀ ବୁଦ୍ଧି ସେନାପତି ଅପେକ୍ଷା ଙ୍କ ରଣ ନୀତି ବିଷୟରେ କିଛି ବି କହିନଥିଲେ , କାରଣ ଅପେକ୍ଷା ଙ୍କ ଯୁଦ୍ଧ କୌଶଳ ଥିଲା ସମସ୍ତଙ୍କ ଠାରୁ ଭିନ୍ନ ଆଉ ସମସ୍ତଙ୍କୁ ଅଜଣା ।
ସ୍ପର୍ଦ୍ଧା ର ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ଦିନ ଆସି ଉପନୀତ ହେଲା । ସେନାପତି ଅପେକ୍ଷା ଙ୍କ ଆଗରେ ନିଜ ଦକ୍ଷତା ର ଖଡ୍ଗ ଧରି ଠିଆ ହୋଇଥିଲେ ମାନବ । ଚାହୁଁ ଚାହୁଁ ସେନାପତି ଅପେକ୍ଷା ବାହାର କଲେ ନିଜ “ଅପମାନ” ନାମକ ବଜ୍ର ଆଉ ପ୍ରହାର କଲେ ମାନବ ଙ୍କ ଉପରେ । ରାଜକୁମାର ମାନବ ଙ୍କ ଧୌର୍ଯ୍ୟ ର ଢାଲ ଟି ସେ ବଜ୍ର ର ପ୍ରହାର ରେ ଖଣ୍ଡ ଖଣ୍ଡ ହେଇଗଲା ତା ପରେ ଅପେକ୍ଷା ବ୍ୟବହାର କଲେ ନିଜ “ଲାଜ୍ୟା” ନାମକ ଖଡ୍ଗ ଆଉ ପ୍ରହାର କଲେ ମାନବ ଙ୍କ ଉପରେ । ଶେଷରେ ରାଜକୁମାର ମାନବ ଙ୍କର ପରାଜୟ ହେଲା ।
ଦ୍ଵିତୀୟ ପର୍ଯ୍ୟାୟ ର ସମସ୍ତ ସୁଯୋଗ ବିତି ଚାଲିଲା । ତିନି ତିନି ଟା ସୁଯୋଗ ରେ ମଧ୍ୟ ନିଜର ବିଜୟ ସୁନିଶ୍ଚିତ କରି ପାରିଲେ ନାହିଁ ରାଜକୁମାର ମାନବ । ବାକି ଥିଲା କେବଳ ଶେଷ ସୁଯୋଗ । ଏହା ପରେ ତାଙ୍କୁ ସବୁ ଦିନ ପାଇଁ ରାଜକୁମାରୀ ସ୍ଵପ୍ନା ଙ୍କୁ ଭୁଲିଯିବାକୁ ପଡିବ । ତେଣୁ ସେଦିନ ରାତ୍ରି ରେ ସେ ବିଷାଦ ରେ ଅଧିକ ମାତ୍ର ରେ ମଦିରା ପାନ କରିବାକୁ ଲାଗିଲେ । ଏ ସବୁ ଦେଖି ତାଙ୍କ ଦୁଇ ବନ୍ଧୁ ରାଜକୁମାର ମନ ଆଉ ରାଜକୁମାର ବିବେକ ମଧ୍ୟ ଖୁବ ବିଷାଦ ଓ ଗ୍ଳାନି ଅନୁଭବ କଲେ । ଠିକ ସେତିକି ବେଳେ ରାଜକୁମାର ବିବେକ ଙ୍କୁ ଏକ ଉପାୟ ଦେଖାଗଲା ଆଉ ସେ କହିଲେ,
ବିବେକ – ମିତ୍ର, କାଲି ସ୍ପର୍ଦ୍ଧା ରେ ତୁମେ ଦେବୀ ଆରାଧନା ଙ୍କ ଠାରୁ ମିଳିଥିବା ଔଷଧି କୁ ବ୍ୟବହାର କର । ହୁଏତ ତୁମକୁ କୌଣସି ବିଜୟମାର୍ଗ ମିଳିଯିବ ।
ମନ – ବିବେକ । ତୁମ ମୁଣ୍ଡ କାମ କରୁଛି ନା ନାଇଁ ? ଆରେ ଯେଉଁଠି ଦିବ୍ୟ ଅସ୍ତ୍ର ସବୁ ବିଫଳ ହେଇଗଲା ସେଇଠି ସାମାନ୍ୟ ଔଷଧି ଭଲା କିଭଳି ବିଜୟମାର୍ଗ ଦେଖେଇ ପାରିବ ?
ମାନବ – ମିତ୍ର ଆଜି ମୋତେ କାହିଁକି କେଜାଣି କୁମାର ବିବେକ ଙ୍କ କଥା ମାନିବା ପାଇଁ ଇଛା ହେଉଛି । ଦେଖ ଯଦି କାଲିର ସ୍ପର୍ଦ୍ଧା ରେ ମୋର ପରାଜୟ ହିଁ ଲେଖାଥାଏ ତାହେଲେ ଠିକ ଅଛି, ମୁଁ ସ୍ଵୀକାର କରିବି କିନ୍ତୁ ମୋତେ ମୋ ତପସ୍ୟା ରେ ମିଳିଥିବା ସମସ୍ତ ବରଦାନ କୁ ବ୍ୟବହାର କରିଦେବା ଉଚିତ ।
ମନ – କିନ୍ତୁ ମିତ୍ର, ସାମାନ୍ୟ ଔଷଧି ରେ ?
ବିବେକ – ଏହା ସାମାନ୍ୟ ନୁହେଁ ଭାଇ, ଦିବ୍ୟ ଔଷଧି ।
ମାନବ – ବିଲକୁଲ ଠିକ । ତାଛଡା ଆମେ ମଧ୍ୟ ତ ଜାଣିବା ଦରକାର ଯେ ଏହା କିପରି କାର୍ଯ୍ୟ କରେ ।
ଦ୍ଵିତୀୟ ପର୍ଯ୍ୟାୟ ର ଶେଷଦିନ । ସେନାପତି ଅପେକ୍ଷା ଓ ରାଜକୁମାର ମାନବ କ୍ରୀଡା ଶାଳ ରେ ପ୍ରସ୍ତୁତ । ଲକ୍ଷ ଲକ୍ଷ ଲୋକ ଙ୍କ ଆଖି ଥିଲା ସେମାନଙ୍କ ଭିତରେ ଆରମ୍ଭ ହେବାକୁ ଯାଉଥିବା ଶେଷ ଯୁଦ୍ଧ ଦେଖିବାକୁ । ସ୍ପର୍ଦ୍ଧା ଆରମ୍ଭ ହେବା ପୂର୍ବରୁ ମାନବ ଚିତ୍କାର କରି କହିଲେ , “ ହେ ଅପେକ୍ଷା ! ମୁଁ ଜାଣେ ଆଜି ବି ତୁମେ ମୋତେ ପରାସ୍ତ କରିଦେବ । କାରଣ ତୁମେ ମୋ ଠାରୁ ଅଧିକ ଶକ୍ତିଶାଳୀ । ମୁଁ ଆଜି ତୁମ ପାଖରେ ଗୋଟିଏ ଅନୁରୋଧ କରିବାକୁ ଚାହେଁ । ଆଜି ଯଦି ମୁଁ ଏ ସ୍ପର୍ଦ୍ଧାରେ ପରାସ୍ତ ହେଇଯାଏ ତେବେ ସବୁଦିନ ଭଳି ଆଜି ମୋତେ କେବଳ କ୍ଷତାକ୍ତ କରି ଛାଡିଦେବନି, ଦୟାକରି ମୋତେ ମୃତ୍ୟୁ ଭିକ୍ଷା ଦେଇଦେବ । ଆଜି ଯଦି ମୁଁ ଏ ସ୍ପର୍ଦ୍ଧରେ ହାରିଯାଏ ତାହେଲେ କେବଳ ସ୍ପର୍ଦ୍ଧା ନୁହେଁ ବରଂ ମୁଁ ମୋ ସ୍ଵପ୍ନା ଙ୍କୁ ମଧ୍ୟ ହରେଇଦେବି । ମୁଁ ସ୍ଵପ୍ନା ଙ୍କୁ ବହୁତ ଭଲପାଏ, ତାଙ୍କ ବିନା ମୋ ଭବିଷ୍ୟତ କିପରି ହେବ ତାହା ଚିନ୍ତା ମଧ୍ୟ କରିପାରୁ ନାହିଁ । ସିଏ ମୋ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ପାଲଟି ସାରିଛନ୍ତି , ସ୍ଵପ୍ନା ହିଁ ମୋ ଜୀବନ ଜିଇଁବା ର ଏକ ମାତ୍ର ଉଦ୍ଦେଶ୍ୟ । ମୁଁ ତାଙ୍କ କୋଳରେ ମୃତ୍ୟୁ କୁ ସ୍ଵୀକାର କରି ପାରିବି କିନ୍ତୁ ତାଙ୍କରି ଅନୁପସ୍ଥିତିର ଜୀବନ କୁ, କେବେ ନୁହେଁ “ ।
ମାନବ ଙ୍କ ମୁଖରୁ ଏ ସବୁ ଶୁଣି ରାଜକୁମାରୀ ସ୍ଵପ୍ନା ଧାଇଁ ଆସିଲେ କ୍ରିଡା ଭୂମିକୁ ଏବଂ ରାଜକୁମାର ମାନବ ଙ୍କୁ କୁଣ୍ଢେଇ ଧରିଲେ । ମାନବ ଙ୍କ ଆଖିରେ ବୋହୁଥିବା ଲୁହ ବର୍ତମାନ ସ୍ଵପ୍ନା ଙ୍କ ଆଖିରୁ ବି ଝରିବା ଆରମ୍ଭ ହେଲା । ଛଳଛଳ ଆଖି ଆଉ କୋହ ଭିଜା କଣ୍ଠରେ ସ୍ଵପ୍ନା ମହାରାଜ ପରିଶ୍ରମ ଙ୍କୁ ଚିତ୍କାର କରି କହିଲେ , “ ହେ ପିତା, ଆହୁରି କେତେ ଯୋଗ୍ୟତା ର ପରୀକ୍ଷା ଦେବେ ମୋ ପ୍ରିୟ । ଆପଣଙ୍କ ଦୁଇ ସେନାପତି ଙ୍କୁ ପରାସ୍ତ କରିବା ତ ଦୂରର କଥା ସେମାନଙ୍କ ନାମ ଶୁଣିଲା ମାତ୍ରେ ଆପଣଙ୍କ ସମସ୍ତ ଶତ୍ରୁ ଭୟରେ ଥରି ଉଠନ୍ତି । ସେମାନଙ୍କ ଭିତରୁ ଜଣଙ୍କୁ ପରାସ୍ତ କରି ଅନ୍ୟ ଜଣଙ୍କ ସହିତ ଅନବରତ ଭାବେ ତିନିଦିନ ଧରି ଲଢେଇ କରୁଛନ୍ତି ମୋ ପ୍ରିୟ । ଏତିକି ରୁ କଣ ଏହା ପ୍ରମାଣିତ ହୁଏନାହିଁ କି ଆପଣଙ୍କ ସେନାପତି ମାନଙ୍କ ତୁଳନାରେ ସେ ମଧ୍ୟ ଶକ୍ତି ରେ କୌଣସି ପ୍ରକାର କମ ନୁହନ୍ତି । ଆପଣଙ୍କୁ ଏହା ସ୍ଵୀକାର କରିବାକୁ ହିଁ ହେବ ଯେ ସେ ମୋତେ ବିବାହ କରିବାକୁ ସମ୍ପୂର୍ଣ ଯୋଗ୍ୟ । ଅନ୍ୟଥା, ଯଦି ଆଜି ତାଙ୍କ ଦେହରୁ ଟୋପାଏ ବି ରକ୍ତ ବୁହେ ତାହେଲେ ମୁଁ ମୋ ଦେହର ସମଗ୍ର ରକ୍ତ ବୁହାଇଦେବି” ।
ସ୍ଵପ୍ନା ଙ୍କ କଥା ସବୁ ମହାରାଜ ପରିଶ୍ରମ ଙ୍କୁ ବାଧ୍ୟ କଲା ସେ ସ୍ପର୍ଦ୍ଧା କୁ ସେଇଠି ବନ୍ଦ କରିବାକୁ । ତା ପରେ ସ୍ଵପ୍ନା ଙ୍କ ସହିତ ମାନବ ଙ୍କ ବିବାହ ସମ୍ପନ୍ନ କରାଇ ସ୍ଵପ୍ନ ରାଜ୍ୟ ର ଶାସନ ଭାର ମାନବ ଙ୍କୁ ଅର୍ପଣ କଲେ । ଏଣେ ନିଜ ପୁତ୍ର ର ବିଜୟୀ ହେବା ଦେଖି ମହାରଜ ମନୁ ମଧ୍ୟ ତାଙ୍କୁ ବାସ୍ତବ ରାଜ୍ୟର ରାଜକାର୍ଯ୍ୟ ସବୁ ଅର୍ପଣ କଲେ । ଫଳରେ ସ୍ଵପ୍ନ ଆଉ ବାସ୍ତବ ରାଜ୍ୟ ର ଅଧିପତି ହେଲେ ଜଣେ , ସମ୍ରାଟ ମାନବ ।
ବର୍ତ୍ତମାନ ଆପଣ ଭାବିବା ଦରକାର ଯେ, ଚତୁର୍ଥ ଦିନ ସ୍ପର୍ଦ୍ଧା ରେ ମାନବ ଏମିତି ସବୁ କାହିଁକି କହିଲେ ? ଠିକ ନା ? ତେବେ ଶୁଣନ୍ତୁ, ମାନବ ସେଦିନ ସ୍ପର୍ଦ୍ଧା କୁ ଯିବା ପୂର୍ବରୁ “ନିଷ୍ଠା” ନାମକ ଦିବ୍ୟ ଔଷଧି ସେବନ କରି ଯାଇଥିଲେ । ଯାହା ଦ୍ଵାରା ତାଙ୍କର ବିଗତ ବିଜୟ ରେ ମିଳିଥିବା ପୁରସ୍କାର ଅହଂକାର ପ୍ରତି ତାଙ୍କର ପ୍ରୀତି କମିଗଲା । ତା ପରେ ତାଙ୍କ ଭିତରେ ସ୍ଵପ୍ନା ଙ୍କ ପ୍ରତି ଥିବା ପ୍ରେମ ଓ ସମର୍ପଣ ଭାବ ସବୁ ବାହାରକୁ ସ୍ପଷ୍ଟ ଦେଖାଗଲା ଆଉ କର୍ମ ଓ ଅପେକ୍ଷା ଙ୍କ ବୀରତ୍ଵ ପ୍ରତି ସମ୍ମାନ ଭାବ ଜାଗ୍ରତ ହେଲା । ତା ପରେ ଯାହା ସବୁ ଚମତ୍କାର ଘଟିଲା , ଆମେ ତାହା ଦେଖିଲେ ।