ବିଦଗ୍ଧ ସ୍ୱପ୍ନ

ହୁତୁହୁତୁ ନିଆଁରେ ମାଆର ମମତା ଜଳୁଥିଲା।ସମାଜର କୁସଂସ୍କାର ଭାଟିରେ ଜଳି ଇଟା ଭଳିଆ ଶକ୍ତ ହେଉଥାଏ ଷଡ଼ଯନ୍ତ୍ର ଏକ ବିଶାଳ ଅନ୍ୟାୟର କୋଠାଘର ତିଆରି କରିବା ପାଇଁ।ଦୁଇ ବର୍ଷର କୁନି ପୁଅର ଚିତ୍କାର କ’ଣ ନିଆଁ ଶୁଣିବାରେ ସକ୍ଷମ?କ’ଣ ସେ ବ୍ୟାକୁଳ ଚିତ୍କାରରେ ଏତିକି ଶକ୍ତି ଅଛି ସେ ଲିଭେଇ ପାରିବ କାଳ ରୂପକ ଅଗ୍ନିକୁ ଲୁହର ଅଗ୍ନି ନିର୍ବାପକ ସାଜି!ସେ ତ କାନ୍ଦୁଛି ଏଇ ଦୁଇ ଘଣ୍ଟା ହେଲା ମାଆ କ୍ଷୀର ନ ପାଇ, ଭୋକରେ ଡହଳ ବିକଳ ହେଇ।ସେ ଏତିକି ବି ଜାଣିନି କି ଏଇ ବୟସରୁ ତାକୁ ଭୋକ ସାଙ୍ଗେ ଲଢ଼ିବାକୁ ପଡ଼ିବ।ଏଇ ନିଆଁରେ ଜଳୁଛି ତାର ଶିଶୁତ୍ଵ।ଏବେ ଏବେ ମାଆ ଡାକିବା ସିନା ଶିଖିଛି ହେଲେ ମାଆର ମୂଲ୍ୟ ସେ କ’ଣ ବୁଝିଛି?ବୁଝିବା ଆଗରୁ ଆଉ ସେ ପଦାର୍ଥ ରହିବ ନାହିଁ।ତା’ ଜୀବନରେ ସେ ଡାକ ହୁଏତ ଅର୍ଥ ହୀନ ହେଇଯିବ କିନ୍ତୁ ସେ ତଥାପି ଡାକିବ ପଡ଼ିଲେ, ଝୁଣ୍ଟିଲେ, ହାରିଲେ,ଜିତିଲେ,ସୁଖରେ,ଦୁଃଖରେ,ଚେତନରେ,ଅବଚେତନରେ।

ଶିକ୍ଷିତ ପରିବାରରେ ଜନ୍ମ ଲାବନ୍ୟା ପ୍ରସାଦ।ପ୍ଲସ ଟୁ ରେ ନବେ ପ୍ରତିଶତ ନମ୍ବର ରଖି ମେଡିକାଲ୍ ଏଣ୍ଟ୍ରାସ ପାଇଁ ଖୁବ୍ ଜୋର୍ ସୋର୍ ରେ ପ୍ରସ୍ତୁତି ଚାଲିଥାଏ।ତା’ ପାଠ ପଢାକୁ ନେଇ ବାପା ମାଆ ସର୍ବଦା ଗମ୍ଭୀର ଆଉ ତତ୍ପର।ତା’ ଜୀବନର ସ୍ବପ୍ନ ମାଆ ବାପାଙ୍କ କେବଳ ଏକମାତ୍ର ଖୁସି।ଗୋଟେ ମାତ୍ର ଝିଅର ଭବିଷ୍ୟ ପାଇଁ ସବୁ କିଛି ଲୁଟାଇ ଦେବାକୁ ଚାହୁଁ ଥାଆନ୍ତି ବାପା ମାଆ ଦୁହେଁ।ଆଉ ଅଳ୍ପ ଦିନ ଥିଲା ପରୀକ୍ଷା ପାଇଁ।ପାଖାପାଖି ପ୍ରସ୍ତୁତି ସରିଥାଏ କେବଳ ଅପେକ୍ଷା ଥିଲା ସ୍ୱପ୍ନର ପଥରେ ପାଦ ଦେବାକୁ। ବୋଳିଦିଆ ଗଲା ଅଳତା ସେ ପାଦରେ,ଯେମିତି ଲକ୍ଷ୍ମଣ ରେଖା।ପିନ୍ଧେଇ ଦିଆଗଲା ଭାରି ଭାରି ପାଉଁଜି, ବେଡ଼ି ସଜାଇ।ଭାଗ୍ୟ ରେଖା ସାଜିଗଲା ସିନ୍ଦୂର ରେଖା।କେବଳ ସତର ବୟସରେ ସେ ଏକ ନୂତନ ଜୀବନ ଆରମ୍ଭ କରିବା ପାଇଁ ପ୍ରାପ୍ତ ଯୁବତୀଟେ ସଜେଇ ଦେଲା ନିଜକୁ।ବାପା ମାଆ,ଯିଏ ଜନ୍ମ ଦେଇଛନ୍ତି ତାଙ୍କ ଖୁସିକୁ,ଇଚ୍ଛାକୁ ସମ୍ମାନ ଦେବାଠୁ କ’ଣସ୍ବପ୍ନ ବେଶୀ ଗୁରୁତ୍ୱପୂର୍ଣ୍ଣ ?

ଅଙ୍କୁଶ ଗୁପ୍ତା ବହୁତ୍ ଅଳ୍ପ ବୟସରେ ଆକାଶ ଛୁଆଁ ଉନ୍ନତି କରିଥିଲା।ତା’ ବାପା ଆକାଶ ଗୁପ୍ତା ଙ୍କ ପାଦ ଚିହ୍ନରେ ଚାଲି ଆଜି ସେ ଏକ ସଫଳ ବ୍ୟବସାୟୀ।ନିଜ ସହର କେବଳ ନୁହଁ ଅନେକ ସହରରେ ତାଙ୍କ ନାମ ଖୁବ୍ ଚର୍ଚ୍ଚିତ ଆଉ ପ୍ରଶଂସିତ।ଏମିତି ଜ୍ବାଇଁ ପାଇ ଲାବନ୍ୟାର ବାପା କେମିତି ପ୍ରସ୍ତାବ ଟିକୁ ଅସ୍ବୀକାର କରି ପାରିବେ!ଯେତେ ବଡ଼ ଡାକ୍ତର ହେଇଗଲେ ମଧ୍ୟ ଝିଅ ତ ତା’ ପରିବାର ସେବା ଆଗ କରିବ ତାପରେ ଯାଇ ଦୁନିଆ ଲୋକଙ୍କ ସେବା।ସେଟା ବି ତ ଘର,ସ୍ବପ୍ନ କୁଆଡ଼େ ପଳେଇ ଯାଉଛି, ଏଠି ନ ହେଲେ ସେଠି ପୂରଣ ହେବ, ହୁଏତ ଆହୁରି ଭଲ ଭାବରେ।ଆକାଶ ଗୁପ୍ତା ବି କଥା ଦେଇଦେଲେ,”ଲାବନ୍ୟା ଆମ ବୋହୂ ନୁହଁ ଝିଅ ହେଇ ରହିବ ଆଉ ସେ ଯାହା ଚାହିଁବ ସ୍ଵାଧୀନ ଭାବରେ ଏଠି କରି ପାରିବ।ଆମେ ତା ମାଆ ବାପା ହେଇ ତାର ସବୁ ସ୍ୱପ୍ନରେ ଭାଗୀଦାର ହେବାକୁ ଚାହିଁବୁ।”

ନିଶ୍ଚୟ ଲାବନ୍ୟାର ସୌଭାଗ୍ୟ ଯେ ଏମିତି ପରିବାର ତାକୁ ମିଳୁଛି।ଆଜି କାଲି ଭଲ ଘର ଭଲ ଜ୍ବାଇଁ ପାଇବାକୁ ହେଲେ ଭାଗ୍ୟ ଭାଗ୍ୟ ଭିତରେ ବି ଜୋର୍ ସୋର୍ ପ୍ରତିଯୋଗିତା ଲାଗେ।ଏମିତିରେ ବି ଏଟା କ’ଣ ତା’ର ଘର,ଯାହା ହେଲେ ବି ଦିନେ ନା ଦିନେ ତାକୁ ଯିବାକୁ ଥିଲା ତା ନିଜ ଘରକୁ।ଯଦି ଆଗରୁ ଯାଉଛି ଆହୁରି ବେଶୀ ଭଲ। ମାଆ ବାପା ହିସାବ ରେ କେହି ତାଙ୍କ ନିଷ୍ପତିକୁ ଭୁଲ୍ କହି ପାରିବେ ନାହିଁ କିନ୍ତୁ ସେମାନେ ଥରେ ଥରେ ଅନ୍ଧ ହୋଇ ନିଜ ସନ୍ତାନକୁ ପେଲି ଦିଅନ୍ତି ଗଭୀର ଅଗ୍ନିକୁଣ୍ଡରେ।ସେଇ ଅଗ୍ନିକୁଣ୍ଡ ପ୍ରଥମେ ପ୍ରଥମେ ଆଲୋକ ଦିଏ,ଉତ୍ତାପ ଦିଏ ଆଉ ଶେଷରେ ଭସ୍ମ କରି ପାଉଁଶ କରିଦିଏ।ଲାବନ୍ୟାର ସୌନ୍ଦର୍ଯ୍ୟ ତାଙ୍କ ମିଥ୍ୟା ଆଭିଜାତ୍ୟ ପାଇଁ ଏକ ସୌଖିନ ଥିଲାବେଳେ ତା’ର ସ୍ବପ୍ନ ପରିବର୍ତ୍ତନ ହେଇଗଲା କର୍ତ୍ତବ୍ୟରେ।ଭାରି ଭାରି ବହି ସବୁ ଧିରେ ଧିରେ ଅଚଳ ହେଇଗଲେ ସେ ଥାକରେ ପଡ଼ି ପଡ଼ି।ତାକୁ ପଢ଼ିବା ପାଇଁ ମନା ନଥାଏ କିନ୍ତୁ ପଢ଼ିବା ପାଇଁ ସମୟ ଦରକାର ଥିଲା ଆଉ ସେ ସମୟରେ ଅଧିକାର ଜମେଇ ତା ସ୍ବପ୍ନକୁ ପ୍ରେମର ପ୍ରଲେପ ଦେଇଦେଲା ଅଙ୍କୁଶ।ସେ ବି ହଜି ଗଲା ଏକ ସୁନ୍ଦର ପ୍ରେମମୟ ଦୁନିଆରେ।ଯୌତୁକ ହିସାବ ରେ ଗୋଟେ ଟଙ୍କା ଆଣି ନଥିଲା କିନ୍ତୁ ଭାଗିଦାରୀରେ ତା ବାପାଙ୍କ ଆଉ ଶଶୁରଙ୍କ ଗୋଟେ କମ୍ପାନୀ ସମ୍ପୂର୍ଣ୍ଣ ରୂପେ ଆକାଶ ଗୁପ୍ତାର ହେଇଯିବ ଏହା ଚୁକ୍ତି ଥାଏ।ଲାବନ୍ୟା ବାପାଙ୍କୁ ଏସବୁ ସାମାନ୍ୟ ଲାଗିଲା।ଯାହା ହେଲେ ବି ସବୁ ଲାବନ୍ୟାର।ଏଥିରେ କିଛି ବି କ୍ଷତି ହେବ ନାହିଁ କାହାର।ଏମିତି ବି ଯାହାକିଛି ବି ଅଛି ତାଙ୍କର ଏକମାତ୍ର ଝିଅ ପାଇଁ ।କିଛି ଲୋଭ ଆଉ ଚୁକ୍ତିରେ ହେଇଥିବା ସମ୍ପର୍କ ର ଆୟୁଷ ବେଶୀ ନୁହଁ ଏସବୁ ଲୋକ ବୁଝି ପାରନ୍ତି ନାହିଁ ଆଉ ବୁଝିଲା ବେଳକୁ କିଛି ବାକି ନଥାଏ ସଜାଡ଼ିବା ପାଇଁ।

ପୋଥିରେ ଡୋରି ବନ୍ଧା ହେବା ସେତେ କଷ୍ଟ ନୁହଁ ଯେତେ ସମ୍ପର୍କର ଡୋରି ଛିଣ୍ଡିବା।ସେଥିପାଇଁ ଲାବନ୍ୟା ବୋଧେ ନାରୀ ଜୀବନର ପ୍ରକୃତ ଖୁସି କ’ଣ ଜାଣି ଯାଇଛି।ଲାବନ୍ୟା ଏବେ ସମ୍ପୂର୍ଣ୍ଣ ଗୃହିଣୀ।ଅଙ୍କୁଶ ତାକୁ ଖୁବ୍ ସ୍ନେହ କରେ।ସବୁ ପାର୍ଟିରେ ତାକୁ ରାଣୀ ଭଳିଆ ସଜେଇ ଦିଏ ତ କେବେ ମର୍ଡନ୍ ଜୀବନ୍ତ ପିତୁଳାଟେ।ନିଜକୁ ଭିନ୍ନଭିନ୍ନ ପ୍ରଦର୍ଶନୀରେ ଭଳିଭଳି ପ୍ରତିମା ସଜେଇ ସେ ବି ନିଜକୁ ଏବେ ଅପୂର୍ବ ସୁନ୍ଦରୀ ଭାବେ।ଅଙ୍କୁଶ ଆଖିରେ ନିଜକୁ ଦେଖି ତା’ର ସୁନ୍ଦରତା ବହୁ ଗୁଣିତ ହେଇଯାଏ।ଗୋଟେ ଝିଅର ପ୍ରକୃତ ସୌନ୍ଦର୍ଯ୍ୟ ତ କେବଳ ତା ସ୍ବାମୀ ପାଇଁ ତା’ ସମ୍ମାନ ପାଇଁ।ଏସବୁ କେତେ ସୁନ୍ଦର ଚିନ୍ତାଧାରା ନା!ଆଜୀବନ ନାରୀ ଏଥିରେ ବହୁତ୍ ସନ୍ତୁଷ୍ଟ,ନିଜକୁ ସୌଭାଗ୍ୟଶାଳୀ ଭାବି ଭୁଲିଯାଏ ତା’ର ପ୍ରକୃତ ଅର୍ଥ।ସଂସାରର ଅର୍ଥ ଖୋଜୁ ଖୋଜୁ ନିଜ ଜୀବନ କେତେବେଳେ ଅର୍ଥହୀନ ହେଇଯାଏ ସେ ଜାଣି ପାରେ ନାହିଁ।

ବିବାହର ଦୁଇ ବର୍ଷ ଭିତରେ ସେ ଘରକୁ ଦାୟାଦ ଦେଇ ଦେଇଛି।ତା’ ସ୍ବପ୍ନ ପୁଅଟିଏ ହେଇ ପୁଣି ଜନ୍ମ ନେଇ ସାରିଥିଲା।ଏବେ ଏକ ସନ୍ତାନର ପାଳନ ପୋଷଣ ଯଦିଓ କଷ୍ଟକର କିନ୍ତୁ ସେ ବହୁତ୍ ବେଶୀ ଖୁସି ମାତୃତ୍ଵକୁ ଅନୁଭବ କରି।ସେଇ ମଧୁର ଅନୁଭବ କେବେ ବି ତା’ ସ୍ବପ୍ନର ଅତୀତ ଆଡ଼କୁ ଆଉ ଚାହିଁବା ପାଇଁ ସୁଯୋଗ ଦେଇ ନାହିଁ କି କିଛି ଆବଶ୍ୟକତା ନଥିଲା।ତାଙ୍କ ପାଇଁ ବଂଶ ରକ୍ଷାର ଆୟୋଜନ ଆଉ ଲାବନ୍ୟା ପାଇଁ ତା’ ପୁଅ ଧୀରେ ଧୀରେ ବଞ୍ଚିବାର ଏକମାତ୍ର ସାହାରା ବନିଯାଏ।ଏମିତି ଦିନ ପରେ ଦିନ ବିତି ଚାଲୁଥାଏ।ସମୟ ସାଙ୍ଗରେ ବହୁତ୍ କିଛି ବଦଳିବା କିଛି ବଡ଼ କଥା ନୁହଁ।

ବହୁତ୍ ଡେରି ହେଇଯାଇଥାଏ କିନ୍ତୁ ଅଙ୍କୁଶ ଘରକୁ ଫେରି ନଥିଲେ।ବାରମ୍ବାର ଘଣ୍ଟାକୁ ଅନାଉ ଥାଏ ଲାବନ୍ୟା କିନ୍ତୁ ଆଜି ତା’ର ଗତି ପୂର୍ବ ଅପେକ୍ଷା ବହୁତ୍ ଧୀର ହେଇ ଯାଇଛି।ଅଙ୍କୁଶ ଅନେକ ଥର ବାହାରୁ ଖାଇକି ଆସିଯାଏ କିନ୍ତୁ ଲାବନ୍ୟା ସବୁ ଦିନ ସେମିତି ଅନେଇ ବସିଥାଏ।ଏଭଳି ଅପେକ୍ଷା ତାକୁ ଭୋକଠୁ ବେଶୀ ଭୋକିଲା କରି କଷ୍ଟ ଦିଏ।ସେଦିନ ଅପେକ୍ଷାର ସୀମା ଟିକେ ବେଶୀ ଘୁଞ୍ଚି ଯାଇଥାଏ ଆଉ କେତେବେଳେ ଘୁମେଇ ପଡ଼ି ଆଖି ପତା ଅର୍ଦ୍ଧ ମୁଦ୍ରିତ ହେଇ ଯାଇଛି ସେ ଜାଣି ପାରିନି।ଗଭୀର ନିଦ୍ରା ନହେଲେ ବି ଏକ ଗମ୍ଭୀର ଅନୁଭବ ସହ ସେ ଈଷତ୍ ମୂର୍ଚ୍ଛିତ ଅବସ୍ଥାରେ ଥାଏ।ତା’ ଅର୍ଦ୍ଧ ମୁଦ୍ରିତ ଆଖିରେ ଅଙ୍କୁଶ ଆସିବାର ଆଭାସ ପାଇଥିଲେ ମଧ୍ୟ ଆଖି ଖୋଲିବା କଷ୍ଟକର ହେଇ ଯାଉଥାଏ।ନିଦୁଆ ଆଖିକୁ ତାକିଦ୍ କରି ବାଧ୍ୟ କରୁଥାଏ ଖୋଲିବାକୁ।

ପାଦ ଦୁଇଟି ଭାରସାମ୍ୟ ହରେଇ ଦେଉଥିଲେ ଅବଶ୍ୟ ନୂଆ ନୁହଁ।ଧୀରେ ଧୀରେ ସେ ଧୂଆଁଳିଆ ଚେହେରା ସ୍ପଷ୍ଟ ହେବାକୁ ଲାଗୁଥାଏ କିନ୍ତୁ ଗୋଟେ ଜାଗାରେ ଛାଇଟି ଜୀବନ୍ତ ଲାଗିଲା।ବେଡ୍ ପାଖକୁ ଆସି କାନ୍ଧରେ ଥିବା ହାତଟି ଶରୀର ପାଇଁ ଅପରିଚିତ ଅନୁଭବ ହେଲା କିନ୍ତୁ ଆଖି ପାଇଁ ନୁହଁ।ଅବଶ୍ୟ ସେ ହାତ ଦିନେ ମୁଣ୍ଡରେ ଆସି ବାହା ବେଦୀରେ ଆଶୀର୍ବାଦ ଅଜାଡ଼ି ଦେଇଥିଲା ସେଥିପାଇଁ ତା’ ପାଇଁ ପବିତ୍ର।

ସାଙ୍ଗେ ସାଙ୍ଗେ ପଛକୁ ଘୁଞ୍ଚିଗଲା ଲାବନ୍ୟା। ତଡ଼ିତ୍ ବେଗରେ ମୁଣ୍ଡରେ ଓଢଣା ଟାଣି ଖଟରୁ ଓହ୍ଲେଇ ପଡ଼ିଲା।ଥର ଥର କଣ୍ଠରେ ବି ଥିଲା ବାପା ସମାନ ଶଶୁର ପାଇଁ ସମ୍ମାନ ଆଉ ବ୍ୟବହାରରେ ଶାଳୀନତା।

-ଆଜ୍ଞା ବାପା,କିଛି କହୁଥିଲେ।

– ନାଇ,ନାଇ କିଛି ନାହିଁ ,ଏମିତି ଆସିଥିଲି ତୋ ହାଲ୍ ଚାଲ୍ ପଚାରିବାକୁ। ତୁ ଠିକ୍ ଅଛୁ ନା?ଆଉ ଏତେ ହାଲିଆ,ଚିନ୍ତିତ କାହିଁକି ଲାଗୁଛୁ,ଯଦି କିଛି ଅସୁବିଧା ମତେ କହିପାରୁ।ମୁଁ ନିଶ୍ଚୟ ତୋ ସାଙ୍ଗରେ ଅଛି।

ଏତିକି କହି ତା ପିଠିରେ ହାତ ମାରିଥିଲେ ଆକାଶ ଗୁପ୍ତା।ଲାବନ୍ୟାକୁ ସେ ଛୁଆଁ ଅତ୍ୟନ୍ତ ଅସଂଯତ ଅନୁଭବ କରେଇ ଥିଲା ତଥାପି ସେ ଆଜ୍ଞା ବାପା କହି ଗୋଟେ ପାଦ ପଛକୁ ଘୁଞ୍ଚି ଗଲା।

-କିଛି ଅସୁବିଧା ନାହିଁ ବାପା,ଆପଣ ସମସ୍ତେ ଅଛନ୍ତି ମୋ ସାଙ୍ଗରେ ମତେ ଝିଅଠୁ ଅଧିକ ସ୍ନେହ ଦିଅନ୍ତି ,ମୋର କ’ଣ ଅସୁବିଧା ହବ ଯେ!ଖାଲି ଆପଣଙ୍କ ପୁଅ ଆସି ନାହାଁନ୍ତି ତ ତାଙ୍କୁ ଅପେକ୍ଷା କରୁକରୁ ଆଖି ଟିକେ ମାଡ଼ି ପଡ଼ିଥିଲା।

-ତୁ କାହାକୁ ଅପେକ୍ଷା କରିବା ଦରକାର ନାହିଁ ବୁଝିଲୁ।ସେ ଆସିବ ମୁଁ ଫୋନ୍ କରିଥିଲି।ତୁ ନିଜ ଯତ୍ନ ନେ ଖାଲି ।ଦେଖୁନୁ ଏତେ ସୁନ୍ଦର ଚେହେରା କେମିତି ଝାଉଁଳି ପଡ଼ିଲାଣି।କ’ଣ ଥିଲୁ ଆଉ କ’ଣ ହେଇ ଗଲୁଣି। କ’ଣ କହିବି ମୁଁ ତୋ ବାପାଙ୍କୁ?

ପୁଣି ଆଜ୍ଞା ବାପା ଛଡ଼ା ତା ମୁହଁରୁ ଆଉ କିଛି ବାହାରି ନାହିଁ।

ଏମିତି ବହୁତ୍ ସମୟ ସେ କିଛି ଭିନ୍ନ ବ୍ୟବହାର ଲକ୍ଷ୍ୟ କରେ କିନ୍ତୁ ଶଶୁରଙ୍କ ବୋହୂ ପ୍ରତି ଯତ୍ନଶୀଳ ମନୋଭାବ ବି କିଛି ଥାଏ।ସେ ପୁଣି ଖୁସି ହୁଏ ତା ପାଖରେ କେହି ତ ଅଛନ୍ତିର ବୋଧ ପାଇ।ଅଙ୍କୁଶ ବହୁତ୍ ବ୍ୟସ୍ତ ରହେ।ଧୀରେ ଧୀରେ ଡେରି କରିବାର ସମୟ ଅବଧି ବଢ଼ି ବଢ଼ି ଯାଏ।କେବେ କେବେ ଗୋଟେ ଦୁଇଦିନ ବି ଆସେ ନାହିଁ।ଲାବନ୍ୟା ପାଇଁ ଏବେ ସବୁ ଅଭ୍ୟାସରେ ପରିଣତ।ନିଜ ମନ କଥା ଆଉ କାହାକୁ କହିବ?ବାପା ବୋଉ ଙ୍କୁ ସବୁ ଟିଖି ନିଖି କହିବା କେବଳ ତାଙ୍କ ଚିନ୍ତା ବଢେଇବା ଛଡ଼ା କେବେ ଲାଭ ଦାୟକ ନୁହଁ।ଏସବୁ ମନୋଭାବ ଢେର୍ ବେଶୀ ଅନ୍ୟାୟକୁ ସହି ତାକୁ ପ୍ରଶୟ ଦେବାପାଇଁ।

ରୋଷେଇ ଘରେ ଲାବନ୍ୟା ଏକା ଥିଲା ବେଳେ ଆକାଶ ଗୁପ୍ତା ଯାଇ ଠିଆ ହେଇଗଲେ ପାଖରେ।ଏକ ଭିନ୍ନ ଚାହାଣୀ ତାକୁ ଖୁବ୍ ଅସଞ୍ଜତ ଅନୁଭବ କରାଉଥାଏ।ତଥାପି ସେ ନିଶ୍ଚଳ।ବେଶୀ ସମୟ ବିଳମ୍ବ ନକରି ଆକାଶ ଗୁପ୍ତା ହାତକୁ ଟାଣି ଆଣିଲେ ଲାବନ୍ୟାର।

-ଘରେ ଏତେ ଚାକର ବାକର ଥାଇ ତତେ କିଏ କହିଲା ରୋଷେଇ ଘରେ ପଶିବା ପାଇଁ। ଏ କୋମଳ ହାତ କେବେ କାମ ପାଇଁ ନୁହଁ।ଅଳ୍ପ ବଳ ପ୍ରୟୋଗ କରି ସାମାନ୍ୟ ଉଚ୍ଚ କଣ୍ଠରେ କେବଳ ଏତକ କହିଲା ଲାବନ୍ୟା,

-ବାପା ହାତ ଛାଡ଼ନ୍ତୁ।

ସେ ଆଉ ହାତ ଛାଡ଼ିବାକୁ ନାରାଜ୍।ଲାବନ୍ୟା ଆଶ୍ଚର୍ଯ୍ୟ ହେଇ ରହିଗଲା ତାଙ୍କ ସେ ଭିନ୍ନ ଚାହାଣୀ ଦେଖି।ପୁଣି ଅଳ୍ପ ସମୟ ପରେ ନିଜେ ହାତ ଛାଡ଼ି ଟିକେ ଅନ୍ୟ ମନସ୍କ ହେବାର ଅଭିନୟ କରି ଚାଲିଗଲେ ସେଠୁ।

ଦୀର୍ଘ ଅପେକ୍ଷା ମଧ୍ୟ ଲାବନ୍ୟା ଆଖିରେ ନିଦ ଆଣିବାରେ ଅକ୍ଷମ।ରାତି ଦୁଇରେ ଆସିଲା ଅଙ୍କୁଶ।ସେମିତି କ୍ଲାନ୍ତ ଅସଜଡ଼ା ଅବସ୍ଥାରେ ଶୋଇପଡ଼ିଲା ସୋଫାରେ।କେମିତି କ’ଣ କହିବି ଭାବିବା ଆଗରୁ ସେ ଆଉ ଶୁଣିବା ଅବସ୍ଥାରେ ନଥିଲା।ତାକୁ ଠିକ୍ ରେ ଶୁଆଇ ଘୋଡ଼େଇ ଦେଲା ନିଜ ମନର ଅକୁହା ବେଦନାକୁ।ଆଖିକୁ ନିଦ ନୁହଁ କେବଳ ମନରେ ଗୋଟିଏ ଆଶା ଅଙ୍କୁଶକୁ ମନ କଥା କହିଲେ ସେ ନିଶ୍ଚୟ ବୁଝିବାକୁ ଚେଷ୍ଟା କରିବ।

ଲାବନ୍ୟାର ଆଖି ଅଳ୍ପ ଲାଗିଲା ବେଳକୁ ଅଙ୍କୁଶ ଉଠି ଯାଇଛି।ତା’ ହାଲିଆ ଆଖିରେ ଏକ ମିଠା ପ୍ରେମର ପରଶ।ଆଖି ଖୋଲି ତାକୁ ବି ପ୍ରେମର ସ୍ମିତ ହାସ୍ୟ ଦେଇଦେଲା ଲାବନ୍ୟା। କାଲିର କଥା ତା ମନରୁ ଲିଭିନି।ଏଟା ଠିକ୍ ସମୟ ଏସବୁ କହିବାକୁ ଭାବି ଅଙ୍କୁଶ ହାତକୁ ଧରି ନିଜ ପାଖରେ ବସେଇ ଦେଲା।

-କ୍ଷମା କରିବ ଅଙ୍କୁଶ, ଆଜି ଉଠିବାରେ ମୋର ଏତେ ଡେରି ହେଇଗଲା, କାଲି ଟିକେ ନିଦ ହେଇନି ସେଥିପାଇଁ।ତମେ ମତେ କାହିଁକି ଉଠେଇଲ ନାହିଁ।ଆଉ ଘରେ ବି କେମିତି କେହି କିଛି କହି ନାହାଁନ୍ତି ଯେ।

-ହଁ ମମି ଆସିଥିଲେ ହେଲେ ତୁମକୁ ଏତେ ଥକି କି ଶୋଇବାର ଦେଖି ମୁଁ ମନା କଲି।

-ଅଙ୍କୁଶ ତୁମେ ମୋ ଜୀବନର ସବୁଠୁ ବଡ଼ ଉପହାର।ମୁଁ ଜାଣେ ତୁମଠାରୁ ମତେ ଆଉ କେହି ବେଶୀ ବୁଝିବେ ନାହିଁ।

-ଆରେ ଆଜି ସକାଳୁ ସକାଳୁ ମୋର ପ୍ରଶଂସା!ଘଟଣା କ’ଣ କି ମ୍ୟାଡମ?ଏମିତି ତ ମୁଁ ତୁମକୁ ସମୟ ଦେଇ ପାରୁନି,ଯେଉଁ ଜାଗାରେ ଅଭିଯୋଗ ଆଉ ଅଭିମାନ ଆଶା କରାଯିବ ତୁମେ ପ୍ରଶଂସା କରୁଛ।ମତେ ଅପମାନ ନୁହଁ ତ!

ଏତିକି କହି ଖୁବ୍ ଜୋରରେ ସନ୍ଦିହାନର ହସ ହସିବାକୁ ଲାଗିଲା ଅଙ୍କୁଶ।

-ଏମିତି କଥା ଲାଗିବନି ଆଉ କହି ଦେଉଛି।ତୁମ ଅପମାନ ଅର୍ଥ ମୋ ଅପମାନ।ଆଉ ହୁଏତ ମୁଁ ମୋ ଅପମାନ କରି ପାରିବି ଆଉ ସହି ପାରିବି ହେଲେ ତୁମର ନୁହଁ।

-ହଉ ବାବା ମୁଁ ହାରିଗଲି।ତୁମକୁ କଥାରେ ମୁଁ ନା ଆଗରୁ କେବେ ପାରିଥିଲି ନା କେବେ ପାରିବି କହି ପୁଣି ହସିବାକୁ ଲାଗିଲା।
କିଛି ସମୟ ମନର ଭୟ ସାଙ୍ଗେ ସଂଗ୍ରାମ କରି କହିବା ଆରମ୍ଭ କରିଥିଲା ଲାବନ୍ୟା,

-ଅଙ୍କୁଶ ଆଶା ତୁମେ ମତେ ବୁଝିବ।ମୁଁ ଯାହା କହିବି ହୁଏତ ତୁମ ପାଇଁ ବିଶ୍ୱାସ ଯୋଗ୍ୟ ନୁହଁ ଅନ୍ତତଃ ମତେ ଭୁଲ୍ ବୁଝିବ ନାହିଁ,,,,,

-ଶକ୍ତ ଚାପୁଡ଼ାର ଗୁଞ୍ଜନରେ ଲାବନ୍ୟାର ସବୁ ବିଶ୍ୱାସ ଶବ୍ଦହୀନ ହେଇଗଲେ।ସେ କେବେ ବି ଏସବୁ ଆଶା କରି ନଥିଲା। ଯାହା ପାଇଁ ସେ ଏ ଘରକୁ ନିଜର ଭାବି ଆସିଛି ତା’ ହୃଦୟରେ ଏ ପର୍ଯ୍ୟନ୍ତ ବିଶ୍ୱାସର ବୀଜ ରୋପଣ କରିବାରେ ସକ୍ଷମ ହେଇ ପାରି ନାହିଁ। ଏ ଭାବନା ବହୁତ୍ ବେଶୀ ଥିଲା ତା ଭ୍ରମକୁ ଭାଙ୍ଗିବା ପାଇଁ।

-ତୁମେ ମୋ ପାପାଙ୍କ ଉପରେ ଏଭଳି ଘୃଣ୍ୟ ଅଭିଯୋଗ କେମିତି ଲଗେଇ ପାରିଲ!ଛି ଲାବନ୍ୟା ଛି।ତୁମେ ମୋ ପତ୍ନୀ ହେବାର ଯୋଗ୍ୟ ନୁହଁ।ମୁଁ ଆଜି ଯାହା ତାଙ୍କ ପାଇଁ।ତୁମେ ମୋ ଜୀବନରେ ଆସିଲ ତାଙ୍କ ପାଇଁ।ସେ ମୋ ଦେବତା, ମୋ ଆଦର୍ଶ।ଏବେ ମତେ ନିଜକୁ ଘୃଣା ଲାଗୁଛି।ତୁମେ ଯଦି ଏସବୁ ଆଉ ଥରେ ବି ମୋ ସାମ୍ନାରେ କୁହ ମୁଁ ଭୁଲି ଯିବି ତୁମେ ମୋ ପତ୍ନୀ।
ଅଙ୍କୁଶ ଆଖିରେ ଜଳୁଥିବା ଘୃଣାର ନିଆଁ ଅତି ନିଷ୍ଠୁର ଭାବରେ ଜଳାଇ ଚାଲୁଥାଏ ଲାବନ୍ୟାର ନିରୀହ ବିଶ୍ୱାସୀ ହୃହୟକୁ।

ନିଜ ସଂପର୍କକୁ ବଞ୍ଚେଇବାକୁ ଯାଇ ପୁଣି ଚୁପ୍ ହେଇଗଲା ଲାବନ୍ୟା।କିନ୍ତୁ ସବୁବେଳେ ଡରି ଡରି ରହିଲା।ଏବେ ଅଙ୍କୁଶ ଆହୁରି କମ୍ ଆସୁଛି।ନିଜ ପୁଅକୁ ଏକମାତ୍ର ବଞ୍ଚିବା ସାହାରା ଭାବି ସବୁ ସହିଯାଏ ସେ।

ଆକାଶ ଗୁପ୍ତା ବାରମ୍ବାର ବହୁତ୍ ଚେଷ୍ଟା କରେ ତା’ର ପାଶବିକ ଚରିତ୍ରର ଚରିତାର୍ଥ ପାଇଁ କିନ୍ତୁ ବିଫଳ ହୁଏ। ପୁଅ ଦିବ୍ୟଂଶୁ ଶୋଇଥାଏ ଏକା ରୁମ୍’ରେ ଆଉ ତାକୁ ଛାଡ଼ି କିଛି ଘର କାମରେ ବାହାରକୁ ଆସିଥାଏ।ସାମାନ୍ୟ ଥକାନ୍ ମିଟାଇବା ପାଇଁ ହଲ୍’ରେ ସୋଫା ଉପରେ ବସିଗଲା ଲାବନ୍ୟା।ରାତି ଦଶ ଟା ହବ।ଶଶୁର କିଛି ଫାଇଲ୍ ପାଇଁ ତାକୁ ଡାକିଲେ,ସେଇ ଆଜ୍ଞା ବାପା କହି ମୁଣ୍ଡରେ ଓଢଣା ଟାଣି ଠିଆ ହୋଇଗଲା ସାମ୍ନାରେ।କିଛି ନ ଭୁଲି ସବୁକିଛି ଭୁଲିବା ଅଭିନୟ ଥିଲା।ଆଖି କୁ ଇଆଡ଼େ ସିଆଡେ କରି ଶରୀରକୁ ଗୋଟେ ଜାଗାରେ ରଖି ଥାଏ ଆଜ୍ଞାଧୀନ ଛାତ୍ରୀଟିଏ ପରି।ଅନ୍ୟ ଆଡ଼େ ଦୃଷ୍ଟି କେନ୍ଦ୍ରିତ କରି ଗୋଟେ ଫାଇଲ୍ ଆଡେ ଇଶାରା କରିଲେ ଆଉ ଫାଇଲ୍ ଟି ହାତକୁ ପହଞ୍ଚିବା ଆଗରୁ ତାଙ୍କର ପାଶବିକ ଚରିତ୍ର ଖୁବ୍ ନିକଟତର ହେଇ ସାରିଥିଲା ଲାବନ୍ୟା ପାଖରେ।ଜୋରରେ ପାଟି କରି ଦଉଡ଼ି ଯାଇଥିଲା ହଲ୍ ରୁମ୍ କୁ।ତା’ ଠୁ କ୍ଷିପ୍ର ଗତିରେ ଶ୍ୱାନ ଚରିତ୍ର ପାଦ ଦୁଇଟି ଲମ୍ବା ଲମ୍ବା ପାଦ ପକେଇ ଆଗକୁ ବଢ଼ିଲା।ଏତେ ବଡ଼ ଘରେ ହଜି ଯାଉଥିଲା ତା’ ଆକୁଳ ଚିତ୍କାର।ବହୁତ୍ ଚେଷ୍ଟା କରି ଲ୍ୟାଣ୍ଡ ଫୋନ୍’ଟେ ପାଇ ଅଙ୍କୁଶକୁ ଫୋନ ଲଗେଇ ଦେଲା ହେଲେ ତା’ ଦୁର୍ଭାଗ୍ୟ ବୋଧେ, ସେ ଆଡୁ ଆଉ ଉତ୍ତର ଆସି ନାହିଁ।ଶେଷରେ ସେଇଆ କଲା ଯାହା କେବେ ସେ ଚାହୁଁ ନଥିଲା, ଯେଉଁଥି ପାଇଁ ସେ ସବୁ ସହି ଆସୁଥାଏ।ଯେଉଁ ମାନଙ୍କୁ କଷ୍ଟ ନ ଦେବା ପାଇଁ କଷ୍ଟକୁ ଆପଣେଇ ଥାଏ ଆଜି ବହୁତ୍ ସଂଘର୍ଷ କରି ଘରକୁ ଫୋନ ଲଗେଇଲା।ଦୁଇ ଥର ରିଙ୍ଗ ହେଇ ଏକ ଦୀର୍ଘ ଟିଂ,,,,,,,ଶବ୍ଦ। ଫୋନ୍ କଟି ଆଉ ଲାଗିଲା ନାହିଁ।ଦେଖୁ ଦେଖୁ ତାରଟି ଚିଣ୍ଡା।ଏବେ ଗୋଟେ ଉପାୟ,,, ପୋଲିସ୍।ହେଲେ ଘରର ସମ୍ମାନ,ଇଜ୍ଜତ ଏସବୁ?କିଛି ସମୟ ରହିଗଲା ଲାବନ୍ୟା।ହେଲେ କ’ଣ କରି ପାରିବ?ପୁଣି ଆଗକୁ ଦଉଡ଼ି ଗଲା,ନିଜ ରୁମ୍ ଆଡେ ଧାଇଁଲା। ପହଞ୍ଚୁ ପହଞ୍ଚୁ ପଛରୁ ଧକ୍କା ଖାଇ ତଳେ ପଡ଼ିଗଲା।କିଛି ସମୟ ପରେ ନିଜକୁ ରୋଷେଇ ଘରେ ପାଇଲା,ଚାରି ଆଡେ଼ ଧୂଆଁ,ନିଆଁ ଆଉ ଲିଭି ଯାଉଥିବା ଚିତ୍କାର। ସିଲିଣ୍ଡର୍ ରୁ ବାହାରୁଥିବା ଗନ୍ଧ ମିଟାଇ ଦେଉଥିଲା ସମ୍ପର୍କର ମହକ।

ହୁତୁହୁତୁ ନିଆଁ ରେ ଜଳୁଥିଲା ଗୋଟେ ମାଆ ର ମମତା,ଗୋଟେ ଅଲିଅଳି ଝିଅ, ଯିଏ ଦିନେ ସ୍ବପ୍ନ ଦେଖିଥିଲା ତା’ର ସ୍ୱପ୍ନର କଞ୍ଚା କାଠ।ତାକୁ ବେଶୀ ଜ୍ଜ୍ଵଳନ ହେଇଥିଲା ଯେତେବେଳେ ଏ ଦୃଶ୍ୟକୁ ନିରବ ଦ୍ରଷ୍ଟା ସାଜି ଉପଭୋଗ କରୁଥିଲା ଝରକା ସେ ପଟେ ଥାଇ ତା’ ପ୍ରେମ ଅଙ୍କୁଶ। ଏ ନିଆଁର କଷ୍ଟ କ’ଣ ସେତେ ବେଶୀ ଥିଲା?ସେ ତ ଆହୁରି ଅଧିକ ଅସହ୍ୟ ବିଭତ୍ସ ଯନ୍ତ୍ରଣାରେ ଜଳୁଥାଏ।ପୁଅଟି ଦଉଡି ଆସି ମାଆ ମାଆ ହେଇ କାନ୍ଦିଲା ବେଳକୁ ଶାଶୁ ତା’ ହାତକୁ ଜାବୁଡ଼ି ଧରିଥିଲେ।ଅପେକ୍ଷା କରିଥିଲେ ସମସ୍ତେ,ଜଣଙ୍କ ଜୀବନ ଲିଭିଲା ଯାଏଁ ଜଳିବାକୁ।

ସତରେ କ’ଣ ସେ ବଞ୍ଚିବା ପାଇଁ ଅଯୋଗ୍ୟ ଥିଲା?ଭଲ ପାଇବାକୁ ଲକ୍ଷ୍ୟ କରି ଆଜି ସେ ଏକ ବିଭତ୍ସ ମୃତ୍ୟୁର ଆଲିଙ୍ଗନରେ।ମୃତ୍ୟୁ ନିଜ ଲକ୍ଷ୍ୟ ହୁଏତ ସାଧନ କରିଦେବ ହେଲେ ମାନବିକତା ଯେ କେତେ ନିର୍ଦ୍ଦୟ ଭାବରେ ମୃତ୍ୟୁ ବରଣ କରିବ ତଥାପି ତା’ର ଶୋକ ମନେଇବା ପାଇଁ କେହି ନ ଥିବେ।

ସକାଳେ ଚାରି ଆଡେ ସେଇ ଚର୍ଚ୍ଚା।ନିରୀହ ଝିଅଟି କେତେ ଖରାପ୍ ଭାଗ୍ୟ ନେଇ ଆସିଥିଲା।ଏତେ ସୁଖୀ ଜୀବନ ଆଉ ସୁନ୍ଦର ପରିବାର ପାଇ ମଧ୍ୟ ଭଗବାନ ହତଭାଗୀନି ସାଙ୍ଗରେ ଏତେ ବଡ଼ ଅନ୍ୟାୟ କଲେ।ସବୁ ନିଉଜ୍ ରେ ସେଇ ଖବର,” ରୋଷେଇ ଘରେ ସିଲିଣ୍ଡର୍ ଫାଟି ଆକାଶ ଗୁପ୍ତାଙ୍କ ଗୋଟେ ମାତ୍ର ଅଲିଅଳି ବୋହୂର ଘଟଣା ସ୍ଥଳରେ ମୃତ୍ୟୁ ହେଇଛି।ତାଙ୍କ ଘରେ ଏବେ ଶୋକର ଛାୟା।”ଖୁବ୍ ସୁନ୍ଦର ଭାବରେ ଗୋଟେ ସୁଚିନ୍ତିତ ଯୋଜନାକୁ ଦୁର୍ଘଟଣା ସଜେଇ ଦିଆ ଯାଇଥିଲା ସବୁଥର ପରି।

ଅନେକ ଘଟଣା ପଛରେ ଲୁଚିଥିବା ସତ୍ୟତା ବି ଏମିତି ସହଜରେ ଜଳିଯାଏ।ହେଲେ ମରେ ନାହିଁ ଅବସୋସ ଲାବନ୍ୟାର ମାଆ ବାପାର।ହୁଏତ ଆଜି ଅନେକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିବା ପାଇଁ ଯୋଗ୍ୟା ହେଇଥାନ୍ତା।କିନ୍ତୁ ହତ୍ୟାକାରୀ ବୋଧେ ସେ ନିଜେ ଥିଲେ,ଲଢ଼ିବେ କାହା ସାଙ୍ଗେ ଆଉ କାହା ପାଇଁ?

************************************

Leave a Comment

Your email address will not be published. Required fields are marked *