ହ୍ରୁଦୟ ଘାଟରୁ ଭକ୍ତିପୂତ ଜଳ
ଭରି କଳସୀରେ ମୋର
ସଂସାର ବାହୁଙ୍ଗୀ କାନ୍ଧରେ କାନ୍ଧେଇ
ଚାଲିଛି ହୋଇ ତତ୍ପର।
ମୁଁ କର୍ମଠ କାଉଡ଼ି ବାଲା
କର୍ମକୁ ମୋ କରି ଜୀବନର ମନ୍ତ୍ର
ଚାଲେ ଧରି ଜଳଭାରା।।
ସଞ୍ଚି ମୁଁ ଭକତି ସମ୍ପିଛି ଶକତି
ତୁମ ପାଇଁ ମହେଶ୍ୱର
ବିଶ୍ଵାସର ପୁଷ୍ପ ମାଲ୍ୟ ଦେଇ ଗଳେ
ଅର୍ପିବି ମୋ ଭକ୍ତିଜଳ।
ମୁଁ କର୍ମଠ କାଉଡ଼ି ବାଲା
ଏକ ଲକ୍ଷ ଧରି ଚାଲିଛି ନିଷ୍ଠାରେ
ସହି ଖରା ମେଘ ଜ୍ଵାଳା।।
ମଣିଷ ମାତ୍ରକେ ଆଶା ଅସୁମାରୀ
ଆଶାରେ ମୁଁ ଯିଉଁଥାଏ,
କିଛି ରହିଗଲେ ଆପୁରା ଜୀବନେ
ବିଭୁ ଦ୍ୱାରେ ଧାଇଁଥାଏ।
ମୁଁ କର୍ମଠ କାଉଡ଼ି ବାଲା
ମନସ୍କାମ ମୋର ପୂର୍ଣ୍ଣ ହେବ ବୋଲି
ଜପେ ବିଭୁନାମ ମାଳା।।
ଇଛିଥିବା ବସ୍ତୁ ପାଏ କି ନ ପାଏ
ସେପାଇଁ ନାହିଁ ମୋ କ୍ଷୋଭ,
ମୋ ଆରାଧ୍ୟ ପାଇଁ ଆଚରିଛି ତପ
ସେତିକିରେ ମୋର ଲୋଭ।
ମୁଁ କର୍ମଠ କାଉଡ଼ି ବାଲା,
ଜୀବନ ମୋ ପାଇଁ ଆଶା ବିଶ୍ଵାସର
ସମର୍ପିତ ପାନ୍ଥଶାଳା।।
ଏକଥା ସତ ମୁଁ ଚାହେଁ ବହୁକିଛି
ତୁମଠାରେ ହାତ ପାତି,
ତୁମେ କିନ୍ତୁ କେତେ ଦେଲ କି ନ ଦେଲ
ହିସାବ ରଖେନା କତି।
ମୁଁ କର୍ମଠ କାଉଡ଼ି ବାଲା,
ତୁମ ପାଇଁ ଲେଖେ ଶ୍ରାବଣ କବିତା
ତୁମେ ମୋ ପଢ଼ିବା ବାଲା।।
କିଛି ଚାଲେ କିଛି ଧାଏଁ ପୁଣି ନିଏ
ବିଶ୍ରାମ ମୁଁ ଦୁଇ ଘଡି,
ବାଟେ ଚାଲୁ ଚାଲୁ ଭୁଲେନାହିଁ କିନ୍ତୁ
ନାମ ଶିବ ପଞ୍ଚାକ୍ଷରୀ।
ମୁଁ କର୍ମଠ କାଉଡ଼ି ବାଲା,
ଦିଅ ଭୋଳାନାଥ ଏତିକି ଆଶିଷ
ନ ହୁଡେ ବାଟରୁ ଭଲା।।