ସଖି କି ଯୁଗ ହୋଇଲା ଆସି
ସଖି କି ଯୁଗ ହୋଇଲା ଆସି
ସଖି କି ଯୁଗ ହୋଇଲା ଆସି
ଦେବତା ସୁମରି ସନ୍ତାନ ପ୍ରାପତ
ମୁରୁକି ଦିଏ ଲୋ ହସି
ମାତା ମୁରୁକି ଦିଏଲୋ ହସି !
ପୂର୍ଣ୍ଣମାସୀ ଚାନ୍ଦ ଉଇଁଛି ଆକାଶେ
ପାଦରେ ନୂପୁର ବାନ୍ଧି !
ମାୟା ବନ୍ଧନରେ ବାନ୍ଧି ତା’ ଜୀବନ
ଦିନୁ ଦିନ ହୁଏ ଛନ୍ଦି !!
ରକତ ଚିହ୍ନିବ ଆପଣାର ଭେଦ
କରିବ ଭେଦର ଅନ୍ତ !
ସମାଜ ଦାଣ୍ଡରେ ପାଠୁଆ ସନ୍ତାନ
ହେଉଥିବ ଗୁଣମନ୍ତ !!
ଧନ ହେଉଥିବ ଭାଗ୍ୟବନ୍ତ !!!
ଘୁଣ ଲାଗିଲାଣି ସମ୍ପର୍କ ନରକ
ସ୍ଵାର୍ଥ ମୋହ ସିଦ୍ଧି ଲାଗି !
ଜରାଶ୍ରମ ମାଟି ଭିଜୁଛି ଲୁହରେ
କିଏ ହେବ ପାପ ଭାଗି !!
ଦିନ ଗଲା ଗଡ଼ି ବେଳଗଲା ବୁଡ଼ି
ଉଡ଼ିଗଲେ ଛାଡ଼ି ନୀଡ଼ !
ଦଦରା କୁଟୀର ଛପର ଉଡ଼ଇ
ଦିଶଇ ପଞ୍ଜରା ହାଡ଼ !!
ବୁଢୀ ଖାଉଛି ଦଇବ ମାଡ଼ !!!
ଭୁଲିଗଲେ ସବୁ ମା’ର ମମତା
ଦିଆ ନିଆ ପ୍ରୀତି ପ୍ରେମ !
ଅନ୍ଧାରେ ନ ଦିଶେ ପଥ ଖୋଜି ଖୋଜି
ବୁଢ଼ୀ ହୁଏ ହନ୍ତସନ୍ତ !!
କାଳ ଆସିଲାଣି ଡାକରା ଛାଡ଼ିଣ
ଖୋଜ ରେ ଅସଲ ପଥ !
ବେକରେ ଦଉଡ଼ି ଘୋଷାରି ନେବଟି
କହୁଅଛି କଥା ସତ !!
ଘୋର କଳି ଆସି ଦାଣ୍ଡରେ ହାଜର
ମନ୍ଦିର ବେଢ଼ାରେ ଭିଡ଼ !
ନୂଆ ବାହା ପ୍ରେମ ଭାରିଯା ମାଲିକ
ସେପାଇଁ ଲାଗିଛି ଝଡ଼ !!
ଘର କୋଣେ ବସି ଲୁହ ପିଉଥାଏ
ଶୁଖିଲା ରୁଟି ଚକଟି !
ଅନ୍ତ ଫାଡ଼ି ପୁଅ ଦେଲା ସେ ଜନମ
ପଡ଼ିଛି କାମୁଡ଼ି ମାଟି !!
ମା’ ମାଟିରେ ପଡ଼ିଛି ଲୋଟି !!!