ସ୍ମୃତି ..

ସ୍ମୃତି ସେ ତ ଫୁଲ ପେନ୍ଥା ଟିଏ ,
ମୋ ମନର ଶୂନ୍ୟ ବଗିଚା ରେ |
ଶ୍ରାବଣ ର ବର୍ଷା ପରି ଆଖିକୁ ଭିଜାଏ
ଶୀତର କାକର ପରି ସ୍ବପ୍ନ କୁ ସଜାଏ
ଫଗୁଣର ଫଗୁ ଭଳି ମନକୁ ରଙ୍ଗାଏ
ବୈଶାଖର ତାତି ପରି ମନକୁ ଜଳାଏ
କୃଷ୍ଣ ଚୁଡାର ହସ ପରି ମନ ମୋହିଥାଏ ।
ସ୍ମୃତି ସେତ ପହିଲି ଆଷାଢ଼ର ବର୍ଷା ,
ଭିଜା ମାଟିର ବାସ୍ନା ପରି କରେ ମତୁଆଲା ,
ଆନମନା କରେ ଦେହ ମନ ,
ସ୍ମୃତି ସେ ତ ଶରତ ଆକାଶ ର ନିର୍ମଳ ଚନ୍ଦ୍ରମା
ଢାଳିଦିଏ ଜ୍ୟୋତ୍ସ୍ନାର ଅମୃତ ,
ବୋଳି ଦିଏ ଶୀତଳ ପରଶ |
ସ୍ମୃତି ସେ ତ ବସନ୍ତ ର ମଳୟ ପବନ ,
ଆମ୍ର ବକୁଳର ବାସ୍ନା ,
ପତ୍ର ଗହଳ ରେ କୋଇଲିର କୁହୁ ତାନ ।
ସ୍ମୃତି ସେ ତ ଅମାନିଆ ଚୁଲ୍ ବୁଲ୍ ଝିଅଟିଏ
ମାନେ ନାହିଁ ମନା,
ପଶି ଆସେ ଆପେ ଆପେ ମୋ ମନର
ଖୋଲା ଝରକାରେ ,
ସ୍ମୃତି ଲେଖି ଦିଏ ସୁନ୍ଦର ପ୍ରେମ କାହାଣୀ
ପବନର ଛାତି ସିଲଟ ରେ ।
ହୃଦୟରେ ଆଣଇ ପୁଲକ ,
ଏକ ଶବ୍ଦ ହୀନ ଚଳଚ୍ଚିତ୍ର  ପରି ।
ସ୍ମୃତି ସେ ତ ମରୀଚିକା
ସ୍ମୃତି ସେ ତ ଅଭିସାରିକା
ଅଜଣା ରାତିରେ କାହାପାଇଁ
ଝରି ଯାଉଥିବା ଲୁହ ଦି ଟୋପା।
ସ୍ମୃତି ସେ ତ ମନ ଗହନର ଛାଇ
ପାଉଁଶ ତଳର ନିଆଁ ପରି ଉଠ ଚେଇଁ।
ସ୍ମୃତି ସେ ତ ଖୁଵ ଅବୁଝା ଅଝଟିଆ
ଚେତନା ଅବଚେତନାର ଅମଳିନ ସ୍ନିଗ୍ଧ ସ୍ରୋତ ଟିଏ |

Leave a Comment

Your email address will not be published. Required fields are marked *