ଆସାମୀ
ମାଆ କେବଳ ମାଆ ହେଇଥାଏ ଆମ ଆଖିରେ,ତାଙ୍କ ଆଖିରେ ,ଆମ ସଭିଙ୍କ ଆଖିରେ।ବୟସ ବଢ଼ିବା ସହିତ ଆୟୁଷ କମେ,ସମୟ ସରିବା ସହିତ ଯୌବନ ଝଡେ ହେଲେ ଯଦି କିଛି ସ୍ଵୟଂ ସଦ୍ୟ ସତେଜ ହେଇ ଆଜୀବନ ରହିଥାଏ ତାହା ହଉଛି ମାଆର ସେଇ ବାତ୍ସଲ୍ୟ ମମତା।ବୋଧେ ଏଥିରେ ବି ଭୁଲ୍ ରହିଗଲା?ପ୍ରତ୍ୟେକ ଭୁଲ୍ ରେ ସେ ହୁଏ ବହୁ ଗୁଣିତ,ଆଉ ପ୍ରତ୍ୟେକ ପରାଜୟରେ ଆହୁରି କାୟା ବିସ୍ତାର କରେ ତା ‘ ହୃଦୟରେ ତା’ର ନିଜ ରକ୍ତମାଂସ ଗଢ଼ା ହୃଦୟ।
– ବୋଉ ତୁ କେବେ ହତ୍ୟାକାରୀ ହେଇଥିବୁ ମୁଁ ସ୍ୱପ୍ନରେ ବି ଭାବିପାରୁନି।ଯଦି ବି ତୁ ହତ୍ୟା କରିଛୁ ତା ଭିତରେ ନିଶ୍ଚୟ କିଛି କାରଣ ଥିବ।ପୁଣି ଛୋଟ ମୋଟ ନୁହଁ ବହୁତ୍ ବଡ଼ କାରଣ।ମୋର ଏତିକି ବିଶ୍ୱାସ ମୋ ନିଃଶ୍ବାସ ସହିତ ସମାନ୍ତରାଳ ବହେ।
ବ୍ୟାକୁଳତା ଆଖି ଏବଂ ଉଦାସୀ କଣ୍ଠରେ ଥିଲା ପ୍ରଶ୍ନିଳ ଆବେଗ।ଖୁବ୍ କଷ୍ଟ ଥିଲା ଦିବ୍ୟମ ପାଇଁ; ନିଜ ମାଆଙ୍କୁ ପ୍ରଶ୍ନର ଘେରାଉରେ ଜେରା କରିବା।
ସେଇ ମମତାରେ ଗଢ଼ା ପୁତୁଲି ଆଜି କଥା କହେ ; ବିଶ୍ୱାସର ଭରସାର।ହେଲେ ସେ କ’ଣ ଉତ୍ତର ଦେବ ତାକୁ!କିଛି ଅତୀତର ଭୁଲ୍ ସମୟ ସାଙ୍ଗେ ଆହୁରି ବଳବାନ୍ ହୁଏ ଆଉ ସବୁ ଭଲ ମୁହୂର୍ତ୍ତ ସବୁକୁ ନିଜ ପ୍ରଶସ୍ତ ହାତ ପାପୁଲି ରେ ଚାପି,ଦଳି ମଚକି ଦିଏ ଶୁଖି ଯାଇଥିବା ତୁଳସୀ ପତର ଭଳି।ନା ରହେ ବାସ ନା ଅସ୍ତିତ୍ଵ।ନା ରହେ ପୁଣ୍ୟ ନା ରହେ ମହିମା।ନା ରହେ ଗୁଣ ନା ରହେ ସୁଲଭତା।ଯଦି କିଛି ପ୍ରାପ୍ୟ ତାହେଲେ ଖାଲି ଧିକ୍କାର।
– ନା କିଛି କାରଣ ନାହିଁ। ହତ୍ୟାକାରୀ ସାଜିବା ଥିଲା କେବଳ ମୋ ନିଜ ଭୁଲ୍।ନା ଭାଗ୍ୟ ନା ପରିସ୍ଥିତି,ମୁଁ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାର ଯୋଗ୍ୟ ନୁହଁ।
-ବୋଉ ଯିଏ ଜୀବନ ଦିଏ ସେ କେବେ କ’ଣ କାହାକୁ ମୃତ୍ୟୁ ଦେଇପାରେ?ଯିଏ ବୁଝିଛି ଜନ୍ମର ମୂଲ୍ୟ,ଏହାର ଦୁର୍ଲଭତା ସିଏ କେମିତି କାହା ଜୀବନକୁ ଛଡ଼େଇ ପାରିବ ନୃଶଂସ ଭାବରେ?
– ହେଲେ ମାଆ କ’ଣ ହତ୍ୟାକାରୀ ହୁଏ ନାହିଁ?ହଁ ମୁଁ ହତ୍ୟାକାରୀ।ଲୋକଙ୍କ ସାମ୍ନାରେ ଏତେବଡ଼ କଳଙ୍କର ବୋଝ ନେଇ ବର୍ଷବର୍ଷ ଧରି ଏମିତି ବଞ୍ଚିଯିବି ହେଲେ ତୋ ସାମ୍ନାରେ ମିଥ୍ୟାର ଅତୀତକୁ ସାଜସଜ୍ଜା କରି ସେ ନିରୀହ ବିଶ୍ବାସୀ ଆଖି ଦୁଇଟିକୁ ଭ୍ରମର କଣ୍ଟକ ବନ୍ୟ ଦେଖେଇ ପାରିବି ନାହିଁ।ନା ଧନ ମୁଁ ପାରିବି ନାହିଁ ଆଉ ସହି ତୋର ମୋ ପ୍ରତି ଏ ନିଷ୍କପଟତା ଦେଖି।
– ବୋଉ ମୋ ପାଇଁ ତୁ ସୃଷ୍ଟି କର୍ତ୍ତା।ଜାଣିନି ଈଶ୍ୱର କିଏ,କେମିତି ତାଙ୍କ ରୂପ ଭେକ ହେଲେ ଯଦି କେହି ଅଛନ୍ତି ତାକୁ ମୁଁ ଚିତ୍କାର କରି କହୁଛି,”ମୋ ବୋଉ ତା ଠୁ ବହୁତ୍ ଉର୍ଦ୍ଧ୍ବରେ।”ହଁ ବୋଉ ମତେ କିଛି ଦିଶେ ନାହିଁ ତୋ ଛଡ଼ା।ନା ନ୍ୟାୟ ନା ସେ ଇଶ୍ଵର ଫିଶ୍ୱର।
କେମିତି କହିବ ଅହଲ୍ୟା ସେ ଅଭିଶପ୍ତା।ଏମିତି କୋଳରୁ ଜନ୍ମ ନେଇ ତା ସନ୍ତାନ ଜୀବନ ବି କଳଙ୍କ ମଣ୍ଡିତ।ତା’ ବାପାଙ୍କ ହତ୍ୟାକାରୀ ସେ।ସେଇ ବାପା ଯିଏ ତାକୁ ନେଇ ଦିନେ ବହୁତ୍ ସ୍ବପ୍ନ ଦେଖିଥିଲେ।ତାକୁ ସ୍ବପ୍ନ ଦେଖେଇବା ଶିଖେଇ ଥିଲେ।
ସେଇ କଳଙ୍କିତ ଅତୀତକୁ ନିଜେ ଖୋଲି ଦେଇଛି ଦିବ୍ୟମ୍ ସାମ୍ନାରେ। ତା କଳଙ୍କ ତ ପୋଛି ପାରିବ ନାହିଁ କିନ୍ତୁ ପୁଅର ପ୍ରଶ୍ନର ବନ୍ୟାକୁ ହୁଏତ କିଛି ମାତ୍ରାରେ ଶାନ୍ତ କରିଦେଇ ପାରିବ।ସେ କରିପାରେ ଘୃଣା,ଲିଭି ଯାଇପାରେ ତା’ ପାଇଁ ହୃଦୟରେ ଜଳୁଥିବା ଅଖଣ୍ଡ ବିଶ୍ବାସର ଦୀପ।କିନ୍ତୁ ସେ ଆଜି ସବୁ କହିବ।ପରିଣାମକୁ ଭ୍ରୂକ୍ଷେପ ନକରି ସେ ଦେବ ନିଜ ଆସାମୀ ହେବାର ପରିଚୟ।
*****************************
ମୁଁ ସବୁକିଛି ପାଇଥିଲି ତାଙ୍କଠାରୁ।କିଛି ଆଉ ଅଧିକ ପାଇବାର ଭାବନା ବି କେବେ କାଇଁ ଆସି ନାହିଁ।ହୁଏତ ଯେତିକି ସେ ଦେଇଥିଲେ ସେ ହିଁ ଅତ୍ୟଧିକ ଥିଲା ମୋ ପାଇଁ।ତାଙ୍କ ପ୍ରେମ ବଦଳରେ ଜୀବନଟା ଉତ୍ସର୍ଗ କରିଦେଲେ ବି ତୁଚ୍ଛ ଲାଗିବ।ତୋ ଅଜା ଆଈ ମୋର କିଛି ଅଭାବ ରଖି ନଥିଲେ ତଥାପି କିଛି ଶୂନ୍ୟସ୍ଥାନ ରହିଯାଇଥାଏ ଜୀବନରେ, ଯାହାକି ତୋ ବାପାଙ୍କ ଦ୍ଵାରା ପୂରଣ ହେଇଥିଲା ।ନିଶ୍ଚୟ ଏହା ବ୍ୟବସ୍ଥିତ ବିବାହ ଥିଲା।ମୋର ବାରମ୍ବାର ବିବାହକୁ ବାରଣ କରିବା ମୋ ବାପା ବୋଉଙ୍କ ଇଜ୍ଜତ ଉପରେ ପ୍ରହାର ଉପରେ ପ୍ରହାର ଥିଲା।ମୁଁ ପୁଣି ତାଙ୍କୁ ସ୍ବପ୍ନର ବାହୁ ପ୍ରସାରି ସଙ୍ଖାଳି ଦେଉଥିଲି।ହେଲେ ମୋ ପାଖରେ ଧୀରେ ଧୀରେ ବାହାନାର ଅଭାବ ଘୋଟିଲା।
ଜଗନ୍ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ। ଗୋରା ରଙ୍ଗ,ସୁସ୍ଥ ଶରୀର,ଉଚିତ୍ ଉଚ୍ଚତା,ଆଉ ମୁଖମଣ୍ଡଳରେ ଏକ ଜ୍ୟୋତିମୟ ଆଭା।ମୁଁ ବି ଦୁର୍ବଳ ହେଇଯାଇଥିଲି ସେ ଆକର୍ଷଣ ସାମ୍ନାରେ।ସବୁଥର ଯେଉଁ ରଙ୍ଗ କାଢ଼ି ସଭିଙ୍କୁ ବାହାର ବାଟ ହୁଡେଇ ଦେଉଥିଲି ତାଙ୍କ ସାମ୍ନାରେ ନ ଚାହିଁ ବି ତାଙ୍କ ମନରେ ବୋଳିବାକୁ ଚାହିଁଥିଲି ଗୋଟେ ଝିଅର ହୃଦୟରକୁ ଶୋଭିତ କରୁଥିବା ପ୍ରେମର ରଙ୍ଗ। ମୋ ରଙ୍ଗହୀନ ହୃଦୟ ନିଜେନିଜେ ହେଇ ଯାଇଥିଲା ରଙ୍ଗୀନ୍।ମୁଁ ଭୁଲିଥିଲି ମୋର ସ୍ବପ୍ନ।ମୋ ଆଖିରେ ଥିଲା ଜଗନ୍ ସାଙ୍ଗରେ ଜୀବନ ବିତେଇବାର ନୂତନ ନିଆରା ସ୍ବପ୍ନ।ମୁଁ ହେଇଥିଲି ସମ୍ପୂର୍ଣ୍ଣ ଏକ ନାରୀରୂପୀ ଅବଧାରଣା।
ଘରେ ସମସ୍ତେ ତାଙ୍କୁ ବହୁତ୍ ପସନ୍ଦ କରିଥିଲେ।ମୁଁ; ଯିଏ କି ବିବାହ ନାମରେ ମାଇଲ୍ ମାଇଲ୍ ଦୂରକୁ ଘୁଞ୍ଚି ଯାଉଥିଲି ଏବେ ସେ ଗୋଟେ ମାସ ଅପେକ୍ଷା ମତେ ଭିତ୍ତିହୀନ କରିଦେଉ ଥିଲା।ତାଙ୍କ ଅନୁପସ୍ଥିତି ମୋର ସତ୍ତା ହଜେଇ ଦେଇଥିଲା।ମୋ ସାନଭାଇ ସୁରଜ, ମାନେ ତୋ ମାମୁଁ ଆଉ ମାଉସୀ ଲିସା ବି ତାଙ୍କୁ ବହୁତ୍ ଭଲପାଉଥିଲେ। ଜଗନ୍ ବି ଖୁବ୍ କମ୍ ଦିନରେ ତାଙ୍କୁ ଆପଣେଇ ଦେଇଥିଲେ।ଘଣ୍ଟା କଣ୍ଟାର ଗତି ଯେତେ ବି ଧୀର ଥିଲେ ବି ସେମାନେ ଚାଲିବା ବନ୍ଦ୍ କରି ନାହାଁନ୍ତି।ଶେଷରେ ପହଞ୍ଚି ଗଲେ ଗନ୍ତବ୍ୟ ସ୍ଥଳରେ।ଆମ ମିଳନ ସମୟ ନିକଟତର ହେଇ ଏବେ ଅତ୍ୟନ୍ତ ନିକଟରେ।
ମୋ ଜୀବନରେ ଦୁଃଖ ଆସିବା ପାଇଁ କେବେ ବି ମୋ ଘରର ଠିକଣା ପାଇ ନାହିଁ।ତୋ ବାପା ଦୁଇବର୍ଷରେ ଜୀବନର ସବୁ ସୁଖ ଅଜାଡ଼ି ଦେଇଥିଲେ ମୋ ଅଣ୍ଟିରେ।ଏପରିକି ଯଦି ୟା ଭିତରେ ମୁଁ ମରି ବି ଯାଇଥାଆନ୍ତି କିଛି ଆଶା ଅପୂରଣ ହେବାର ଅବସୋସ ବି ନ ଥାଆନ୍ତା।ମୁଁ ନିଜକୁ ସମ୍ପୂର୍ଣ୍ଣ ସୁଖୀ ଭାବି ସାରିଥିଲି।
ଜଗନ୍ ଥିଲେ ବ୍ଲକ ଡେଭଲପମେଣ୍ଟ ଅଫିସର୍ ସେଥିପାଇଁ ବାପା ବୋଉ ସବୁବେଳେ ମୋ ସୁଖ ସଂସାରକୁ ନେଇ ଅଚିନ୍ତା। ଯେଉଁ ଚାକିରି ମୋର ସ୍ବପ୍ନ ଥିଲା ଆଜି ମୁଁ ନିଜେ ତାକୁ ରାସ୍ତା ବଦଳେଇବା ପାଇଁ ତାକିଦ୍ କରିଦେଲି।
ତୋ ବାପାଙ୍କୁ ପ୍ରତିବଦଳରେ ମୁଁ କିଛି ଦେଇପାରି ନାହିଁ।ତାଙ୍କର ଗୋଟେ ଇଚ୍ଛା ମୁଁ ତାଙ୍କୁ ପୁଅଟିଏ ଦିଏ।ମୁଁ କିନ୍ତୁ ପୁଅ ଆଉ ଝିଅ କଥା ଭାବି ନାହିଁ।ମୁଁ ତ ମାତୃତ୍ଵ ଲାଘବ କରି ମୋ ଜୀବନରେ ଯଦି କିଛି ନାରିତ୍ୱର ଅଭାବ ରହିଥିଲା ତାକୁ ପୂର୍ଣ୍ଣ କରିବା ପାଇଁ ବ୍ୟାକୁଳ ଥିଲି।
ବିବାହର କିଛି ମାସ ପରେ ଗର୍ଭ ଧାରଣ କରିବା ପରେ ମୁଁ ବହୁତ୍ ଖୁସି ହେଇଥିଲି କିନ୍ତୁ ଜଗନ୍ ବାପା ହେବା ପାଇଁ ନିଜକୁ ପ୍ରସ୍ତୁତ କରି ପାରିନଥିଲେ।ମତେ ଆହୁରି ଟିକେ ସମୟର ଗୁହାରି କଲେ।ତାଙ୍କର ଏତେ ଭଲପାଇବା ବଦଳରେ ମୁଁ ବି ମୋ ଗର୍ଭରେ ଥିବା ଜୀବନକୁ ତୁଚ୍ଛ ଭାବିଥିଲି।ମୋ ପ୍ରଥମ ଗର୍ଭ ମୋ ସହମତିରେ ନଷ୍ଟ କରା ଯାଇଥିଲା।
ପୁଣି ଦୁଇବର୍ଷ ପରେ ଈଶ୍ୱର ମୋ ଅଣ୍ଟିରେ ଅଜାଡ଼ି ଦେଲେ ମୋ ଭିତରେ ମତେ ଦୁଇଗୁଣ କରୁଥିବା ଖୁସି। ମୋ ଗର୍ଭ ପୁଣି ପବିତ୍ର ହେଇଗଲା।ମୁଁ ଖୁସିରେ ଫାଟି ପଡୁଥାଏ। ଦୌଡ଼ି ଦୌଡ଼ି ତୋ ବାପାଙ୍କ ପାଖକୁ ଯାଇଥିଲି।ସେ ମତେ ଖୁସିରେ ନିଜ ଛାତିରେ ଚାପି ଧରିଲେ।ମୋ ଗର୍ଭରେ ଥିବା ସନ୍ତାନଟି ଗର୍ବରେ ଫୁଲି ଉଠୁଥିଲା ତା’ ବାପା ବୋଉକୁ ଏକାଠି ପାଇ।
*****************************
ମୁଁ ଶଯ୍ୟାଶାୟୀ ହେଇଗଲି।ମୁଁ ଜାଣି ପାରିଲି ନାହିଁ ହଠାତ୍ କ୍ଷୀଣ ହୋଇଯାଉଥିବା ଶରୀରର କାରଣ। ଜଗନ୍ ମୋର ବହୁତ୍ ସେବା କରୁଥିଲେ।କୌଣସି ମାତ୍ରାରେ କିଛି ଅଭାବ ରଖି ନଥିଲେ।ହେଲେ ହଠାତ୍ ମୁଁ ବିକଳି ଉଠିଲି।ଚିତ୍କାର କରି ଉଠିଲା ମୋ ଆତ୍ମା।ମୋ ଗର୍ଭରେ ମୋ ସନ୍ତାନ ନିଶ୍ଚିହ୍ନ।ମୁଁ କୋଳ ଶୂନ୍ୟ।ମୁଁ ବାୟାଣୀ ଭଳିଆ ନିଜକୁ ଝିଙ୍କି ପକାଉଥାଏ।ଗୋଟେ ହାତକୁ ଜଗନ୍ ଧରିଥିଲା ଭିତରେ ଅନ୍ୟ ହାତରେ ଡାକ୍ତର ବାବୁ ମତେ ଆୟତ୍ତ କରିବା ପାଇଁ ଗୋଟେ ଇଞ୍ଜେକ୍ସନ ଦେଇଦେଲେ।ମୁଁ କିଛିକ୍ଷଣ ପାଇଁ ଚେତା ହରେଇ ଦେଲି ଆଉ ସବୁଦିନ ପାଇଁ ମୋ ସନ୍ତାନ।
ମତେ ଆଗ ଅପେକ୍ଷା ବେଶୀ ଭଲପାଇଲେ ଜଗନ୍।ମୁଁ ବି ଭୁଲିଗଲି ସବୁ ଦୁର୍ଘଟଣାକୁ ଦୁଃସ୍ଵପ୍ନ ଭାବି।ଡାକ୍ତର କହିଲେ ମୋ ଗର୍ଭ ସନ୍ତାନକୁ ସମ୍ଭାଳି ରଖିବା ପାଇଁ ସେତେ ଶକ୍ତ ନୁହେଁ। ସେଥିପାଇଁ ମତେ ଆଗକୁ ମଧ୍ୟ ଏମିତି ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡ଼ିପାରେ।ଯଦି ଈଶ୍ୱର ଚାହିଁବେ ଖୁବ୍ ଶୀଘ୍ର ମୁଁ ସେ ସୁଖ ଭୋଗ କରିବି।ଆଉ ମୋ ହିସାବରେ ଶ୍ରାପମୁକ୍ତ ହେବି। ସେଥିପାଇଁ କେତେ ହୋମ ଯଜ୍ଞ,ଦିଅଁ ଦେବତା, ଉପାସ ବ୍ରତ ଗୋଟିଗୋଟି ନିଷ୍ଠା ଭାବରେ କରିଛି ମୁଁ। ଜଗନ୍ ବି ମୋ ସବୁ ପରିସ୍ଥିତିରେ ମୋ ସାଙ୍ଗରେ ଛାଇ ଭଳିଆ ଥିଲେ।ତାଙ୍କ ଦୁଃଖ ବି ମୋଠାରୁ ଟିକେ ହେଲେ କମ୍ ନ ଥିବ।ସେ ବି ଭୁକ୍ତଭୋଗୀ।ମାଆ ହେବାର ସ୍ଵପ୍ନଠୁ ବାପା ହେବାର ଆକାଂକ୍ଷା ବି କେଉଁ ତୁଳନାରେ କମ୍ ନୁହଁ।ବାପା ହେବା ପାଇଁ ସେ ଯୋଗ୍ୟ କିନ୍ତୁ ମୁଁ ଥିଲି ଅଯୋଗ୍ୟା ମାଆ।ନିଜ ସନ୍ତାନକୁ ଗର୍ଭରେ ଧାରଣ କରି ପାରୁନାହିଁ ତାକୁ ଜୀବନସାରା କେମିତି ମୋର କରି ରଖି ପାରିବି?ଏସବୁ ଭାବନା ବି ମୂଲ୍ୟହୀନ ଯେ ପର୍ଯ୍ୟନ୍ତ ସେ ଆମ ଜୀବନରେ ଆସିନାହିଁ।ମତେ ଦିନେ ହେଲେ ମୋ ଦୁର୍ବଳତାର ଅନୁଭବ କରେଇ ନଥିଲେ ଜଗନ୍।
ମଝିରେମଝିରେ ମୋ ଚେକ୍ ଅପ୍ ଚାଲିଥାଏ।ମୁଁ ପୁଣି ଗର୍ଭ ଧାରଣ କଲି।ଏଥର ଆଉ ଖୁସି ହେଇନି।ନିଜ ମନକୁ ଆଗରୁ ସମ୍ଭାଳି ଈଶ୍ୱର ପାଖରେ ସମର୍ପି ଦେଇଥିଲି ମୋ ସନ୍ତାନର ଆୟୁଷକୁ।କହିଦେଲି ତାଙ୍କୁ,ଯଦି ତାକୁ ରଖିବ ହେଲେ ମତେ ବି ରଖ ନହେଲେ ମୁଁ ବି ନିଃସନ୍ତାନ ହେଇ ମୂଲ୍ୟହୀନ ଜୀବନ ବଞ୍ଚିବାକୁ ଚାହେଁ ନାହିଁ।
ସବୁଦିନ ଡରିଡରି ବଞ୍ଚିବା ମରଣଠୁ ବି ଦାରୁଣ।ମୋ ସମଗ୍ର ପୃଥିବୀ ଥିଲା ମୋ ଗର୍ଭ।ମୋ ପରିଧି ଥିଲା ସେଟା।ସବୁତକ ଲକ୍ଷ୍ୟ ନିୟୋଜିତ କରିଥିଲି ସେଠାରେ।ତାକୁ କେନ୍ଦ୍ରିତ କରି ମୋ ଖୁସିର ଭବିଷ୍ୟତ।ଧୀରେଧୀରେ ମୋ ସନ୍ତାନ ବି ମୋ ଗର୍ଭକୁ ଆପଣେଇ ଚାଲିଥାଏ।ଏମିତି ବିତିଗଲା ଆଠ ମାସ। ଏଥର ତୋ ବାପା ମୋଠୁ ବେଶୀ ଧ୍ୟାନ ତାଙ୍କ ଚାକିରି ଆଉ କର୍ତ୍ତବ୍ୟ ଉପରେ ଦେଉଥିଲେ।ଅବଶ୍ୟ ତାଙ୍କ କାମ ବି ସେମିତି। ସାରା ଜିଲ୍ଲାର ଭଲ ମନ୍ଦ ବୁଝୁଥିଲେ,ଯଦି ମୋର ନ ବୁଝନ୍ତି କିଛି ବଡ଼ କ୍ଷତି ହେବନି କାରଣ ଘରକୁ କାମ ପାଇଁ ଆସୁଥିବା ଦିଦି ଜଣକ ସବୁ ଯତ୍ନ ନେଉଥିଲା ମୋର।ତାଙ୍କୁ ଯଦି ମୁଁ ଦୋଷ ଦେବି,ଅଭିମାନ କରିବି କିମ୍ବା ଅଭିଯୋଗ କରିବି ତା ହେଲେ ମୁଁ କେବେ ଭଲ ପତ୍ନୀ ହେଇ ପାରିବି ନାହିଁ।ସେ ତ ଭଲ ସ୍ବାମୀ ହେବାର ପ୍ରମାଣ ବାରମ୍ବାର ଦେଇ ଆସିଛନ୍ତି।ମୋ ଦୋଷ ଦୁର୍ବଳତା ପାଇଁ ଆମ ପ୍ରେମ କେବେ ଦୁର୍ବଳ ହେଇନାହିଁ।
ଏଥର କିନ୍ତୁ ସେ ଗୋଟେ ମାସ ହେବ ଘରକୁ ଆସି ନାହାଁନ୍ତି। ମୋର ପ୍ରସବ ସମୟ ହେଇ ଆସୁଥାଏ।ତାଙ୍କୁ ସରକାରୀ କାମରେ ଦିଲ୍ଲୀ ଯିବାକୁ ପଡ଼ିଲା।ମୁଁ ନିଜକୁ ବେସାହାରା ମନେ କଲି ତାଙ୍କ ବିନା।ସେ କିନ୍ତୁ କଥା ଦେଲେ ମଝିରେମଝିରେ ସବୁ ବୁଝିବେ। ସେଠି ଥାଇକି ମଧ୍ୟ ମୋ ପାଖେପାଖେ ରହିବେ।ମୁଁ ଟିକେ ଆଶ୍ୱସ୍ତି ଅନୁଭବ କଲି।
ଘରେ ଖାଲି ଶାଶୁ ଶଶୁର।ଶାଶୁ ନିଜ କାମ ନିଜେ କରି ପାରନ୍ତି ମୋ ପାଇଁ ସେତିକି ଢେର୍।ସେ ଉଷା ଦିଦି ,ଶଶୁରଙ୍କ ସବୁ କାମ କରିଦିଏ।
ମୋର ପ୍ରସବ ବେଦନା ଆରମ୍ଭ ହେଇଗଲା। ମୁଁ ଗୋଟେଗୋଟେ ମୁହୂର୍ତ୍ତକୁ ଅପେକ୍ଷା କରିଥାଏ କେବେ ମୋ ସନ୍ତକ ଭୂମିଷ୍ଟ ହେବ।ମୋ ଜୀବନ ସାର୍ଥକ ହେବ।ମୁଁ ସବୁ ଯାତନାକୁ ଖୁସିଖୁସି ଅମୃତ ଭାବି ପାନ କରୁଥିଲି।
ଆଖି ଖୋଲିଲା ପରେ ମୋ ଜୀବନ ଅନ୍ଧାର ହେଇଗଲା।ମୁଁ ଏକ ମୃତ କନ୍ୟା ଶିଶୁକୁ ଜନ୍ମ ଦେଇଛି ବୋଲି ଡାକ୍ତର ବାବୁ କହିଲା ପରେ ମୁଁ ନିଜେ ନିଜକୁ ମୃତ ଘୋଷିତ କରିଦେଲି।ମୋ ଚିତ୍କାରରେ ସାରା ଡ଼ାକ୍ତରଖାନା ପ୍ରକମ୍ପିତ ହେଇ ଉଠିଲା।ମୁଁ ମୋର ମାନସିକ ଭାରସାମ୍ୟ ହରେଇ ବସିଲି। ମୋ ପାଖରେ ମତେ ସମ୍ଭାଳିବା ପାଇଁ ବାପା ବୋଉ ଥିଲେ ବି ମୁଁ ଖୋଜୁଥିଲି ତୋ ବାପାଙ୍କୁ।
ମୁଁ ପୁରା ଭାଙ୍ଗି ଯାଇଥିଲି।ମତେ ଆଉ ସଙ୍ଖୋଳି ଲାଭ ନଥିଲା।ମୁଁ ପାଲଟି ଯାଇଥିଲି ଏକ ବିଷାକ୍ତ କଣ୍ଟା। ସଭିଙ୍କ ପାଇ କ୍ଷତି କାରକ ହେଇ ଯାଇଥିଲି, ଏମିତି କି ତୋ ବାପା ପାଇଁ ବି। ତଥାପି ସେ ମୋର ମାନସିକ ବିକୃତିର ଚିକିତ୍ସା କରିଥିଲେ ନିଜ ପ୍ରେମରେ।ବଡ଼ବଡ଼ ଡାକ୍ତରଖାନା ଆଉ ପ୍ରସିଦ୍ଧ ମନୋଚିକିତ୍ସକଙ୍କ ଦ୍ଵାରା ମୁଁ ଚିକିତ୍ସିତ ହେଉଥିଲି।ଧୀରେଧୀରେ ମୁଁ ଠିକ୍ ହେଉଥିଲି।ଶେଷରେ ନିଜ ମନକୁ ବୁଝେଇ ଦେଲି ମୁଁ ବନ୍ଧ୍ୟା।କେହି ମତେ ଲାଞ୍ଛନା ଦେବା ଆଗରୁ ମୁଁ ନିଜକୁ ଲାଂଛିତ ମନେ କଲି। ତୋ ବାପାଙ୍କ ପ୍ରେମ ହିଁ ଥିଲା ମୋର ଶେଷ ଖୁସି।ମାତୃତ୍ଵ ପାଇଁ ମୁଁ ହେଲି ଅଯୋଗ୍ୟା।କିନ୍ତୁ ନିଜକୁ ଭଲ ପତ୍ନୀ ଆଉ ସୁଯୋଗ୍ୟ ବୋହୂ ଟିଏ ସାବସ୍ତ୍ୟ କରିବା ପାଇଁ ପ୍ରାଣ ପଣେ ଚେଷ୍ଟିତ ହେଲି।ନିଜ ଭିତରେ ସଂଚାର କଲି ନୂତନତ୍ବ।
**************************
ଏମିତି କିଛିଦିନ ବିତିଗଲା।ଖୁସି ସଂସାର ଭଳିଆ ପ୍ରତୀତ ହେଉଥିବା ମୋ ଟିକି ସଂସାରଟି ପ୍ରକୃତରେ କେତେ ଖୁସି ମୁଁ ଅନୁଭବ କରୁଥିଲି।ସଭିଙ୍କ ହୃଦୟର ସେ ଆକାଂକ୍ଷା ମୁଁ କେବେ ପୂରଣ କରିପାରିବି ନାହିଁ ଯେତେ ଚାହିଁଲେ ବି ସେ ଅବସୋସକୁ ମନରୁ ପୋଛି ପାରୁନଥିଲି।
ଠିକ୍ କିଛି ମାସ ପରେ ତୋ ବାପା ସବୁ ପରିସ୍ଥିତିକୁ ବୁଝି ସାରିଲା ପରେ ଶେଷ ଚେଷ୍ଟା ପାଇଁ ଅନୁରୋଧ କଲେ।ତାଙ୍କ ମନର କଷ୍ଟ ମତେ ଅଛପା ନଥିଲା।ମୁଁ କିନ୍ତୁ ସମ୍ପୂର୍ଣ୍ଣ ନାରାଜ ହେଲି।ଆମ ଦୁହିଁଙ୍କ ଭିତରେ ବହୁତ୍ ବେଶୀ ଯୁକ୍ତି ତର୍କ ହେଲା।ଆଉ ଥରେ ମୁଁ ମୋ ସନ୍ତାନକୁ ହରେଇ ପାରିବି ନାହିଁ।ପୁଣି ଆଉ ଥରେ ମୁଁ ବଞ୍ଚି ପାରିବି ନାହିଁ।ମୁଁ ବିଗିଡ଼ି ଯିବା ଆଗରୁ ସେ ମତେ ପୁଣି ସଜାଡ଼ି ଦେଲେ।ଯେଉଁ ସତ୍ୟତାକୁ ମୁଁ ମୋ ଭାଗ୍ୟର ଶେଷ ନିଷ୍ପତି ଭାବି ଗ୍ରହଣ କରି ସାରିଥିଲି ସେଥିରେ ଆଉ ଚେଷ୍ଟାର ପ୍ରଶ୍ନ ହିଁ ଆସୁ ନଥିଲା।
ମୋ ଶାଶୁ ଦିନେ ମତେ ତାଙ୍କ ରୁମ୍ କୁ ଡାକିଲେ। କାନି ପାତି ନିଜ ପାଇଁ ନାତି ନାତୁଣୀ ଟିଏ ପାଇଁ ଗୁହାରି କଲେ।ତାଙ୍କ ଲୁହ ଛଳଛଳ ଆଖିରେ ମୁଁ ତରଳି ଗଲି।ନିଜ ଜୀବନକୁ ବାଜି ଲଗେଇ ମୁଁ ମୋ ଶାଶୁଙ୍କ ଅନୁରୋଧ ରଖିବି କହିକି ମନେମନେ ପଣ କଲି।ମୋ ପାଇଁ ନହେଲେ ବି,ତାଙ୍କ ପାଇଁ ନ ହେଲେ ବି, ଶାଶୁ ଶଶୁରଙ୍କ ଆଶା ଥିଲା ମୋ ପାଇଁ ତାଙ୍କ ଆଶୀର୍ବାଦ।ମୂଳଠୁ ବେଶୀ ସୁଧରେ ଆଶା ସଭିଙ୍କ। ଈଶ୍ୱରଙ୍କ କୃପା କହିବି କି ତାଙ୍କର, ଏଥର ପୁଣି ମୋ ଗର୍ଭ ହସି ଉଠିଲା।ଆଉ ତୁ ଆସିଗଲୁ ଆମ ଜୀବନରେ ଜ୍ୟୋତି ହେଇ,ଉଲ୍ଲାସ ହେଇ,ଅଭିଳାଷ ହେଇ।
ସତ କହିଲେ ମାଆ ହେବାର ସେ ଉତ୍ସାହ ଆଉ ଆତ୍ମୀୟତା ମୋ ମନରୁ ମରିମରି ଯାଉଥାଏ।ଏଥର କିନ୍ତୁ ତୋ ବାପା ଜଗନ୍ ମତେ ଫୁଲ ଭଳିଆ ଯତ୍ନରେ ରଖିଥିଲେ।ମୁଁ ମହକେଇବାକୁ ଯାଉଥିଲି ତାଙ୍କ ପିତୃତ୍ଵକୁ।ହେଲେ ତୋ ଆସିବା ଖୁସି କଥା ଯେତେ ଚାହିଁଲେ ବି କଳ୍ପନା କରି ପାରୁ ନଥିଲି କିନ୍ତୁ ଖୁସି ହେଉଥିଲି ତାଙ୍କ ପ୍ରେମକୁ ପୁଣି ଥରେ ବଞ୍ଚିବାର ଦେଖି।ମୁଁ ଜୀଇଁ ଉଠିଥିଲି ପୁଣି ଥରେ।ଡେଣା ଛିଣ୍ଡି ଛଟପଟ ହେଉଥିବା ସେ ଚଢ଼େଇଟିର ଉଡ଼ିବାର ଆକାଂକ୍ଷା ବି ଏବେ ଜୀବନ୍ତ ହେଇଗଲା।ଦେଖୁଦେଖୁ ମୋ ଜୀବନରେ ବର୍ଷବର୍ଷର ପ୍ରେମର ବର୍ଷା ଅଜାଡ଼ି ହୋଇପଡ଼ିଲା କିଛି ମାସ ଭିତରେ।ଭୁଲିଗଲି ସବୁ।ଉପଭୋଗ କଲି ସାଂସାରିକ ଜୀବନର ବସନ୍ତକୁ।ତତେ ଆହୁରି ଭଲପାଇବାକୁ ଲାଗିଲି।ସବୁଦିନ ତୋ ପାଇଁ ଜଗନ୍ ନୂତନ ସ୍ବପ୍ନ ଗଢନ୍ତି ମୋ ସାଙ୍ଗରେ ମିଶି।ମୁଁ ଡରିଯାଏ,ମୁଁ ଡରିକି ସ୍ତବ୍ଦ ହେଇଯାଏ। ଏ ଭାଗ୍ୟର ପ୍ରହସନ ନୁହଁ ତ?ସେ ମତେ କୋଳେଇ ନିଅନ୍ତି।ମୁଁ ଆଶ୍ୱସ୍ତି ଲାଭ କରେ।ଏକ ଦୀର୍ଘ ନିଃଶ୍ବାସ ସାଙ୍ଗେ ପୁଣି ଉଡ଼ିବା ପାଇଁ ଶକ୍ତିପାଏ।
ଦେଖୁଦେଖୁ ସେ ସମୟ ଆସିଗଲା ଯାହା ଥିଲା ମୋ ଜୀବନର ସବୁଠୁ ବଡ଼ ଚମତ୍କାର।ଆଜି ସମ୍ଭାବନା ରୂପ ନେଇଛି ସମ୍ଭବର।ଏତେ ଦିନ ମରୁଡ଼ି ପଡ଼ିଥିବା ମୋ ମାତୃତ୍ୱ ରେ ଯେମିତି ଖୁସିର ଲହରୀ ନୁହଁ ବନ୍ୟା ଆସିଛି।ଏତେ ସୁଖ ଯେମିତି ମତେ ନିଜକୁ ସହ୍ୟ ହେଉ ନଥିଲା।ମୁଁ ବିଶ୍ୱାସ କରି ପାରୁନଥିଲି ମୋ ଅଭାଗା ଭାଗ୍ୟ ବି ଫଳବତୀ ହେବ।ବାପା ବୋଉ ଶାଶୁ ଶଶୁର ସମସ୍ତେ ଆଜି କୋଟିନିଧି ପାଇଗଲେ।ମୁଁ ନ ଚାହିଁ ମଧ୍ୟ ଗର୍ବ କଲି ନିଜ ଭାଗ୍ୟକୁ ନେଇକି।ତୋ ବାପାଙ୍କ ମୁହଁରେ ଅଙ୍କିତ ଖୁସିକୁ ବର୍ଣ୍ଣନା କରିବା ବୋଧେ ମୁର୍ଖାମି ହେଇଯିବ।
***********************
ସବୁ ଥିଲା ଛଳନା।ଘୃଣା ସହ୍ୟ ହୁଏ ହେଲେ ପ୍ରେମ ଯଦି ଛଳନା ହୁଏ ତେବେ ଦୁଃଖର କଳନା ଆହୁରି ଦୁଃଖଦାୟକ।ମୁଁ ସହିଗଲି ସବୁ ତୋ ପାଇଁ। ମାଆରୁ ହେଇଗଲି ଧାଈ।ବଦଳି ଗଲା ସେ ପ୍ରେମ,ସେ ଯତ୍ନ, ସେ ଚିନ୍ତା।ମୋ କାହାଣୀର ମୁଁ ଥିଲି ଏକ ପରିବର୍ତ୍ତିତ ଚରିତ୍ର। ତଥାପି ପ୍ରତିବାଦ ବାଢ଼ି ନାହିଁ। ମୋ ସନ୍ତାନର ଧାଈ ହେବା ମୋ ସୌଭାଗ୍ୟ କହିଲି।ମୁଁ କିନ୍ତୁ ସେତେବେଳେ ରୌଦ୍ର ରୂପ ଧାରଣ କଲି ଯେବେ ଜାଣିଲି ହତ୍ୟା ହେଇଛି ମୋ ସନ୍ତାନ ମାନଙ୍କ।ଥରେ ନୁହଁ ତିନିତିନି ଥର।ମୋ ଝିଅସବୁ ମତେ ବ୍ୟାକୁଳ ହେଇ ହାତ ବଢ଼େଇଲେ।ଆମକୁ କେମିତି ବଞ୍ଚେଇ ପାରିଲ ନାହିଁ ମାଆ?ଏଭଳି ପ୍ରଶ୍ନରେ ମତେ ଜେରା କଲେ।ତମେ ବି ଦୋଷୀ, ତମେ ନିଷ୍ଠୁର,ତମେ ଯୋଗ୍ୟ ନୁହଁ ମାଆ ହେବାର ବୋଲିକି ଧିକ୍କାର କଲେ। ହେଲେ ମୋ ଅଜାଣତରେ ସବୁ ହେଇଛି କେମିତି କହିବି ତାଙ୍କୁ?
ହଁ ; ସବୁଥିଲା ଷଡ଼ଯନ୍ତ୍ର କେବଳ ତତେ ପାଇବା ପାଇଁ।ମୁଁ କିଛି ସମୟ ତତେ ବି ଭୁଲିଗଲି।ତତେ ପେଲିଦେଲି ଅବହେଳାର କୋଠରୀରେ। ହେଲେ ବେଶୀ ସମୟ ପାରିଲି ନାହିଁ। ପୁଣି ମାଆ ମନ ତରଳି ଯାଉଥାଏ।ତୋ ଜୁଳୁଜୁଳୁ ଆଖି ଦୁଇଟି ମତେ ଯେମିତି ନିବେଦନ କରୁଥାଏ।ପ୍ରେମ ମାଗୁଥାଏ।
ମୁଁ ପ୍ରତିବାଦ କଲି।ତତେ ନେଇକି ସେଠୁ ପଳେଇଯିବି ଭାବିଲି।ହେଲେ ତୋ ବାପା,ଆଉ ଜେଜେ ମାଆ ସାଜିଲେ ଆତତାୟୀ।ଜେଜେ ବାପା ନିରୁତ୍ତର,ମୂର୍ତ୍ତି ସଦୃଶ। ତାଙ୍କ ସାଙ୍ଗରେ ଥିଲେ ତୋ ବାପା ଙ୍କ ପ୍ରଥମ ପତ୍ନୀ।ନିଜକୁ ଘୃଣା କରିବି କି ତାଙ୍କୁ।ମୋ ଶରୀରରେ କ୍ରୋଧର ରକ୍ତ ଗତିହୀନ ହେଉଥାଏ କି ବେଗବୃଦ୍ଧି ଜାଣିବା ଅସମ୍ଭବ। ତତେ ନେଇ ସେଠୁ ପଳେଇ ଆସିଲା ବେଳେ ସମସ୍ତେ ଛଡ଼େଇ ନେଇଗଲେ ତତେ ମୋ ଠାରୁ।ମୁଁ ପୁଣି ନରମି ଗଲି, ଗୋଡ଼ ଧରିଲି, ନେହୁରା ହେଲି। ଚାକରାଣୀ ହେଇ ରହିବି ପଛେ,କିନ୍ତୁ ମତେ ମୋ ଛୁଆଠୁ ଅଲଗା କର ନାହିଁ ବୋଲି ଆକୁଳ ନିବେଦନ କଲି।ଅନେକ ଗୁହାରି ପରେ ମତେ ସେଦିନ ଟିକେ ଦୟା ଭିକରେ ମିଳିଥିଲା।
କିଛିଦିନ ପରେ ମତେ ଆଉ ତୋର ଧାଈ ହେବାର ହକ୍ ବି ଛଡ଼େଇ ନେଲେ।ସବୁଦିନ ନେହୁରା ହୁଏ ତତେ ଟିକେ ଦେଖିବା ପାଇଁ।ମୋ ବକ୍ଷରୁ ନିଗିଡ଼ି ପଡୁଥିବା ମମତା ବି ଆକୁଳ କ୍ରନ୍ଦନ କରୁଥାଏ।ଧୀରେଧୀରେ ମୁଁ ପାଗଳି ହେଇ ଯାଉଥାଏ।ମାନସିକ ଶାରୀରିକ ଭାରସାମ୍ୟ ହରାଇ ଦେଉଥାଏ।ତୁ ପାଖରେ ଥାଇ ମଧ୍ୟ ମୋ କୋଳଶୂନ୍ୟ।ଦରାଣ୍ଡି ପକାଉ ଥାଏ ମୋ କୋଳକୁ।ଗୋଟେଗୋଟେ ସପ୍ତାହ ରୁମ୍ ଭିତରେ ମୁଁ ଅଣନିଃଶ୍ୱାସ ହେଉଥାଏ କେବଳ।ଏକ ବିଭତ୍ସ ଶୂନ୍ୟତା ମତେ ଜାବୁଡି ଧରୁଥିଲା।ଯେତେ ବେଶୀ ଦିନ ଯାଉଥାଏ ମୋ ସନ୍ତାନ ମାନେ ମତେ ଧିକ୍କାର କରୁଥିଲେ।ତୁ କେବେ ମାଆ ହେବାର ଯୋଗ୍ୟ ନୁହଁ ବୋଲି ଲାଞ୍ଛନା ଦେଉଥିଲେ।ଦୁଃସହ ହେଇ ଯାଇଥିଲା ଜୀବନ।
ଦିନେ ସମସ୍ତେ ଶୋଇଥିଲା ଅବସ୍ଥାର ସୁଯୋଗ ନେଇ ତତେ ଜାବୁଡ଼ି ଧରିଲି କୋଳରେ।ସେଠୁ ଖସିକି ପଳେଇବି ଭାବିଲି।ହେଲେ ଜାଣିଥିଲି ବେଶୀ ବାଟ ନୁହଁ।ସମସ୍ତଙ୍କ ପ୍ରତିରୋଧ ଏଥର ଶେଷଥର ଥିଲା।ମୁଁ ଶେଷରେ ପ୍ରତିଶୋଧ ନେଇଗଲି ମୋ ସନ୍ତାନ ମାନଙ୍କ ହତ୍ୟାର।କାହାକୁ ବି ଛାଡ଼ି ନାହିଁ।ମୁଁ ସେତେବେଳେ କେବଳ ମୋ ସନ୍ତାନ ମାନଙ୍କ ମାଆ ଥିଲି ଯିଏ ମତେ ଚିତ୍କାର କରି ନ୍ୟାୟ ପାଇଁ ଗୁହାରି କରୁଥିଲେ।ଆକୁଳ ନିବେଦନ କରିଥିଲେ।ମୁଁ ଥିଲି ତୋ ମାଆ ଯାହାକୁ ତା’ର ଆତ୍ମାଠାରୁ ଦୂରେଇ ରଖିବାର ଜଘନ୍ୟ ଅପରାଧ କରିଥିଲେ ସେମାନେ ।
ହଁ ମୁଁ ହତ୍ୟାକାରୀ ତଥାପି ଅଦ୍ଭୁତ ଶାନ୍ତି ଥିଲା।ମୁଁ ହତ୍ୟା କରିଛି ହତ୍ୟାକାରୀଙ୍କ।ହେଲେ ଅବସୋସ କି ରୋକି ପାରିଲି ନାହିଁ ମୋ କୋଳରେ ଘଟିଥିବା ବିଭତ୍ସହତ୍ୟାକାଣ୍ଡ ମାନ।
**********************