ଆସ ଆଦିଶକ୍ତି

ଆସ ଆଦିଶକ୍ତି

ଆସ ଅବତରି ଅଶ୍ବିନେ ଗୋ ମାତ
ଅସରା ଆଶିଷ ନେଇ
ଆଶାର ଆକାଶ ଆଲୋକିତ ହେଉ
ତୁମରି ପରଶ ପାଇ
ଅପେକ୍ଷା ରତ ଏ ମହୀ
ଶରତ ମରତେ ଆବାହନୀ ଗାଏ
କାଶତଣ୍ଡି ଅଛି ଚାହିଁ

ତୁମେ ତ ଚିନ୍ମୟୀ ଚିନ୍ତା ଚେତନାରେ
ପ୍ରାଣରେ ପୀୟୂଷ ଧାର
ତୁମେ ତ ସୃଷ୍ଟିର ପ୍ରାରମ୍ଭିକ ପଦ
ସଂହାରର ଶେଷାକ୍ଷର
ସମ୍ଭାବନାର ସମ୍ଭାର
ପରମା ପ୍ରକୃତି ପୁରୁଷର ଶକ୍ତି
ତୋର ପଦେ ନମସ୍କାର

ପାପୀ ପାଇଁ ତୁମେ ପୂର୍ଣ୍ଣ ପ୍ରାୟଶ୍ଚିତ
ତପୀ ସାଧନାର ତୃପ୍ତି
ତୁମରି ଉଦରେ ନୂଆ ସକାଳର
ଆଉ ଏକ ପରିଚିତି
ତୁମେ ସୃଷ୍ଟି ତୁମେ ସ୍ଥିତି
ପ୍ରତିଟି ପ୍ରାନ୍ତରେ ତୁମରି ପ୍ରକାଶ
ସ୍ନେହସିକ୍ତ ଉପସ୍ଥିତି

ମରୁଭୂମି ମଧ୍ୟେ ତୁମେ ମନ୍ଦାକିନୀ
ତୃଷାର୍ତ୍ତ ପାଇଁ ତଟିନୀ
ଭକ୍ତିରେ ମୁକ୍ତିରେ ଜୀବନ ଗୀତିରେ
ତୁମେ ସୁର ତରଙ୍ଗିଣୀ
ସର୍ବଂସହା ଗୋ ଧରଣୀ
ସଂସାର ସାଗରେ ପାରି ହେବା ପାଇଁ
ତୁମେ ତ ଏକା ତରଣୀ

ପ୍ରୀତି ରୂପେ ତୁମେ ପ୍ରାପ୍ତି ରୂପେ ତୁମେ
ତୁମେ ପୁଣି କ୍ରିୟାଶକ୍ତି
ଜଡ଼ ଶରୀରରେ ଜୀବନ ସଞ୍ଚାରେ
ତଵ ବନ୍ଦନାର ପଂକ୍ତି
ଗୁଣାତୀତ ଗୁଣବତୀ
ଏ ଚଞ୍ଚଳ ଚିତ୍ତ ଯା ପଦରେ ସ୍ଥିର
ତୁମେ ସେହି ଭଗବତୀ

1 thought on “ଆସ ଆଦିଶକ୍ତି”

  1. ଚିନ୍ମୟ କୁମାର ନାୟକ

    ବାଃ ଖୁବ୍ ସୁନ୍ଦର ଭକ୍ତିଭରା କବିତା ….. 😊👌👌👌

Leave a Comment

Your email address will not be published. Required fields are marked *