ଏଥର ରେବି ପାଳିବ ରଜ

ବ୍ୟାସେ ! ଚିହ୍ନିପାରୁଛ କି ମୋତେ
ମୁଁ ପରା ସେଇ ପାଟପୁରର ରେବି
ଯାହାର ଜୀବନେ
ତୁମେ ଲେଖିଥିଲ ….
ଦୁଃଖ ,ଯନ୍ତ୍ରଣା ଆଉ ଅକାଳମୃତ୍ୟୁ ।

ଆଜି ମୁଁ ଫେରିଛି ….ଖାଲି
ତୁମଠାରୁ ଜବାବ ମାଗିବା ପାଇଁ ।
କୁହ ବ୍ୟାସେ !
କଣ ବା ଭୁଲ ଥିଲା ମୋର
ମାତ୍ର ଦଶବର୍ଷ ବୟସରେ
ମୋତେ ତୁମେ ଦେଖେଇଲ
ମୃତ୍ୟୁର ଦ୍ବାର ।

ପ୍ରଥମେ ଛଡାଇନେଲ ମା କୁ ମୋର
ଉଠାଇନେଲ ମୋ ମୁଣ୍ଡରୁ
ମୋ ମା’ର ହାତ
ଆଶୀର୍ବାଦ, ସ୍ନେହମମତାର…..
ତୁମେ କଣ ଏତେ ସ୍ୱାର୍ଥପର !

ଏତିକିରେ ବି ଭରିଲାନି ତୁମ ମନ
କଲବଲ କରି ମାରିବା ପାଇଁ
ଦୂର କରିଦେଲ ମୋ ଠାରୁ
ବାପାକୁ ପ୍ରିୟ ବାସୁ ଭାଇକୁ
ଆଉ ଝୁରିଝୁରି ମୁଁ ମରିଗଲା ପରେ
ଆମ ଘରଶୂନ୍ୟ କରି ମାରିଦେଲ
ମୋତେ ଗାଳିଦେଉଥିବା ସେ ବୁଢ଼ୀକୁ ।

ବ୍ୟାସେ ! ଜାଣିଛ
ମୁଁ ଦେଖିଥିଲି ଅନେକ ସ୍ବପ୍ନ
ପାଠ ପଢିବି , ବଡ଼ ମଣିଷ ହେବି
ଆଉ ମୋ ବାସୁଭାଇକୁ ବାହାହେଇ
ନୂଆ ଏକ ସଂସାର ଗଢ଼ିବି ।

ହେଲେ ତୁମ ପାଇଁ
ମୋ ସବୁସ୍ବପ୍ନ ସବୁଆଶା
ଭାଙ୍ଗିରୁଜି ଚୁନା ହେଇଗଲା
ମୋ ଦେହସିନା ମିଶିଗଲା ମାଟିରେ
ହେଲେ ଆତ୍ମା ଅତୃପ୍ତ ରହିଗଲା ।

କିନ୍ତୁ ଆଜି ମୁଁ ଫେରିଛି ବ୍ୟାସେ
ପୁନର୍ଜନ୍ମ ନେଇ….
ହାତରେ କଲମ ଧରି
ନିଜର କାହାଣୀ
ନିଜେ ମୁଁ ଲେଖିବା ପାଇଁ ।

ହଁ ବ୍ୟାସେ ,ଠିକ୍ ଶୁଣିଛ
ମୁଁ ଲେଖିବି ଆଉ ଏକ କାହାଣୀ
ଯେଉଁଠି ମୁଁ ପୂରଣ କରିବି
ମୋର ସବୁ ଆଶା ସବୁ ସ୍ବପ୍ନ
ଆଉ ଭରି ରହିଥିବ
ଖାଲି ଖୁସି ଆଉ ଖୁସି ।

ସବୁ ଝିଅମାନଙ୍କ ଭଳି
ମୁଁ ବି ଖେଳିବି ଗାଁ ଦାଣ୍ଡରେ
ପୁଚି ଆଉ ବୋହୂଚୋରି
ଗାଁ ମୁଣ୍ଡର ସେ ଆମ୍ବଗଛରେ
ମୁଁ ବି ଖେଳିବି ଦୋଳି ।

ସାଙ୍ଗସାଥି ସହ ମିଶି
ମୁ ବି ପାଳିବି ଏଥର ରଜ
ନୂଆ ଜାମା ପିନ୍ଧି ଘରଘର ବୁଲି
ଖାଉଥିବି ପୋଡପିଠା
ହୋଇଣ ସଜବାଜ ।

ରଜ ସରିଗଲେ
ରଥଯାତ୍ରା ଦେଖି
ବାପାମା ସାଥିରେ ଯାଇ
ବାହୁଡ଼ା ବେଳକୁ ବାହା ହୋଇଯିବି
ବାସୁଭାଇ ସଙ୍ଗେ ମୁହିଁ।

ନିଜର କାହାଣୀ ନିଜେ ମୁଁ ଲେଖିଛି
ଯାହା ଅଧାଥିଲା ସେ ଜନମରେ
କୁହ କୁହ ବ୍ୟାସେ ….
କେମିତି ହେଇଛି କାହାଣୀ ମୋର
କ୍ଷମା କରିଦେବ….
ଯଦି କଷ୍ଟ ଦେଇଥିବି ତୁମ ମନରେ ।

Leave a Comment

Your email address will not be published. Required fields are marked *