ଶବ୍ଦରେ ଶବ୍ଦକୁ ଯୋଡି,
ଭାବକୁ ଭାବରୁ ଫେଡ଼ି
କାଗଜ ଛାତିରେ କଲମ ତୁଳୀରେ
କବିତା ଆଙ୍କିବାକୁ ହୁଏ
କବି ହେବା ଏତେ ସହଜ ନୁହେଁ,
କବି ହେବା ଏତେ ସହଜ ନୁହେଁ।
ସମାଜ ଆଖିରୁ ଝରିଲେ ଲୁହ
କବି ଆଖିରୁ ଝରଇ ଲହୁ,
ଦିନ ଦ୍ଵିପ୍ରହରେ,ଡହ ଡହ ଝାଞ୍ଜିରେ
ତମାମ ଦୁଃଖକୁ ପିଠି କରି
ଶତାବ୍ଦୀର ସୂର୍ଯ୍ୟ ପାଇଁ
କଲମର ନୀଳ ସ୍ୟାହିରେ
ରକ୍ତ ରଙ୍ଗର ବିଦ୍ରୋହୀ ଶବ୍ଦଙ୍କୁ ପାଳିବାକୁ ହୁଏ,
କବି ହେବା ଏତେ ସହଜ ନୁହେଁ।
ଦିଗ ଭ୍ରଷ୍ଟ ପୋତ ପରି,
ଜୀବନ ଭାସୁଥାଏ,
ବସ କଣ୍ଡକ୍ଟରର ଯାତ୍ରା ପରି
ଯେଉଁଠୁ ଆରମ୍ଭ ହୁଏ ସେଇଠି ପହଂଚୁଥାଏ,
ଅବସୋସ ସବୁକୁ ଆକାଂକ୍ଷିତ ଭବିଷ୍ୟତ କରି
ଢୋକେ ଚାହାରେ,ଦୀର୍ଘ ନିଶ୍ଵାସ ସାଥିରେ
ଅତୀତକୁ କବର ଦେବାକୁ ହୁଏ,
ମେଘ ଫେରିଗଲା ପରେ ଇନ୍ଦ୍ରଧନୁ ଆଙ୍କି,
ଇଚ୍ଛା ଭଳି ଢ଼େଉ ମାନଙ୍କ ଆବେଗକୁ
ତୁଣୀରରେ ରଖି,
ଯୁଦ୍ଧର ଶଙ୍ଖନାଦ ଦେବାକୁ ହୁଏ
କବି ହେବା ଏତେ ସହଜ ନୁହେଁ।
ଯୁଦ୍ଧ ଶେଷରେ କ୍ଷତାକ୍ତ ମନରେ
ଆଶାର ବୀଜଟେ ରୋପିବାକୁ ହୁଏ,
କବିତା ଭିତରେ ଶବ୍ଦକୁ ଜୀବନ ଦେଇ
ଜୀବନ ଭିତରେ କବିତାକୁ ମଜ୍ଜିଦେଇ
ପ୍ରତିକ୍ଷଣ ଏଠି ଲଢ଼ିବାକୁ ହୁଏ,
ଯନ୍ତ୍ରଣା ଜୁଇରେ ଜଳିବାକୁ ହୁଏ
ଖୋଜିବା,ଲଢ଼ିବା,ଜଳିବା ଭିତରେ
ଜୀଇଁବାର ସୂତ୍ର ଖୋଜିବାକୁ ହୁଏ,
କବି ହେବା ଏତେ ସହଜ ନୁହେଁ।