ପ୍ରିୟର ଭାବଗ୍ରାହୀ,
ତୁମେ ନିଶ୍ଚୟ ଭଲରେ ଥିବ ବୋଲି ଆଶା କରେ ।କାହିଁକି ବି ରହିବନି ବଡ଼ ଦେଉଳରେ ରହୁଛ,ବଡ଼ ଦାଣ୍ଡରେ ବୁଲୁଛ,ବଡ ଭୋଜନାଳୟ ଆନନ୍ଦ ବଜାରରେ ଖାଉଛ, ଭାବୁଥିବ ମୁଁ ଈର୍ଷା କରୁଛି ହେଲେ ଏ ସବୁ ଈର୍ଷା ନୁହେଁ ,ଏସବୁ ଅଭିମାନ ତୁମ ଦର୍ଶନ ପାଇଁ,ବହୁତ ଦିନ ପରେ ମତେ ମୋ ପରି ଅଧମକୁ ତୁମ ଦର୍ଶନ ପାଇଁ ଡାକିଛ,ସେଥିପାଇଁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ।ଭାବିଲି ତୁମକୁ କିଛି ଦେବି,ହେଲେ କଣ ଦେବି ?ଶେଷରେ ଏ ମନ କହିଲା ତୁମେ ତ ଭାବର ଠାକୁର ତୁମ ପାଇଁ ଚିଠିଟିଏ ଲେଖିଲେ ଠିକ୍ ହେବ।ସେଥିପାଇଁ ଏ ଚିଠି ଟି ତୁମ ପାଇଁ ,ଭଲ ସେ ପଢ଼ିବ ।ନହେଲେ ମୋ ଅଭିମାନ ବି କାହାଠୁ କମ୍ ନୁହେଁ।
ସତେ ଏକ ଦିବ୍ୟ ସଂଯୋଗ ପରି ଲାଗିଲା । ଦୀର୍ଘ ପାଞ୍ଚ ବର୍ଷ ପରେ ହଠାତ୍ ଏମିତି ତୁମର ଡୋରି ଲାଗିବ ବୋଲି କେବେ ଭାବି ନଥିଲି ।ତୁମ ଇଚ୍ଛାରେ ହିଁ ସବୁ ଚାଲେ ।ସେଦିନ ତୁମ ଡୋରି ଲାଗିବା,ତୁମ ପାଇଁ ଅସମ୍ଭବ ନୁହେଁ ହେଲେ ମୋ ପାଇଁ ଏହା କୌଣସି ବଡ ସ୍ବପ୍ନ ଠାରୁ କମ୍ ନୁହେଁ । ପାଞ୍ଚ ବର୍ଷ ପାଞ୍ଚ ଯୁଗ ପରି ଲାଗୁଥିଲା ।ତୁମଠାରୁ ବେଶୀ ନାହିଁ ମାତ୍ର ୪୦ କିମି ଦୂରରେ ରହି ମଧ୍ୟ ତୁମକୁ ଦେଖିବାର ସୁଯୋଗ ପାଇନି । ୫ ମେ ୨୦୨୨ ବୋଧ ହୁଏ ମୋ ପାଇଁ ସବୁଠୁ ଖୁସିର ଦିନ ଥିଲା ,କାହିଁକି ନା ଜଗତନାଥ ଜଗନ୍ନାଥଙ୍କୁ ଦେଖିବା ଠାରୁ ବଡ ଆଉ କିଛି ହୋଇ ନପାରେ ।
ଯେତେବେଳ ମୋ ପାଦ ସେଇ ପବିତ୍ର ବଡ଼ ଦାଣ୍ଡର ପୁଣ୍ୟ ଶରଧାବାଲିରେ ପଡ଼ିଲା, ଏକ ଅପୂର୍ବ ଶିହରଣ ଦେହରେ ଖେଳି ଉଠିଲା ।ସେଠାକାର ପବନରେ ଥିଲା ତୁମ ଚନ୍ଦନ ମିଶା ତୁଳସୀର ମହକ ।ଲାଗୁଥିଲା ଯେମିତି ସେଠି ବହୁଥିବା ପବନ କାନ ପାଖରେ ଆସି ତୁମ ନାମ ଗାଉଥିଲା । ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଉଡୁଥିବା ତୁମର ସେଇ ୧୨ ହାତର ପତିତବାବନ ବାନା ଯେମିତି ଆମକୁ କହୁଥିଲା,”ଆସ ଦେଖିବ ମୋ ପ୍ରଭୁଙ୍କୁ” । ରାସ୍ତାକଡ଼ରେ ତୁମ ପ୍ରଶାସନ ତରଫରୁ ମିଳୁଥିଲା ଟଙ୍କ ତୋରାଣି,ଅପୂର୍ବ ତାର ସ୍ଵାଦ ବର୍ଣ୍ଣନା କରିବାକୁ ଶବ୍ଦ ବି କମ୍ ପଡ଼ିବ । ବାସ୍ ଏତିକି କହିବି
“ଟଙ୍କ ତୋରାଣି ସତେ ଅବା ଅମୃତ ତୁଲ୍ୟ
ସେଦିନ ପାଇଲା ପରେ ବଢ଼ିଗଲା ଏ ଜୀବନ ମୂଲ୍ୟ”
ତୁମର ଅପାର କୃପାରୁ ତୁମର ପ୍ରତିମୂର୍ତ୍ତି ବଟ ଜଗନ୍ନାଥଙ୍କୁ ଆଲିଙ୍ଗନ କରିବାର ଅନୁମତି ମିଳିଲା ।ଲାଗିଲା ଯେମିତି ଜୀବନରେ କିଛି ଦରକାର ନାହିଁ,ଯଦି କିଛି ଦରକାର ଅଛି ତାହା ହେଉଛ,ତୁମେ ।ତୁମ ଦର୍ଶନ ପାଇଁ ଅପୂର୍ବ ଗହଳି ଲାଗିଥାଏ,ଯେହେତୁ ଭୋଗ ପାଇଁ ତୁମ ଦ୍ଵାର ବନ୍ଦ ଥିଲା ।ହଠାତ୍ ଯେବେ ଦ୍ଵାର ଫିଟିଲା, ସମୁଦ୍ରର ଢେଉ ପରି ଭକ୍ତ ମାନଙ୍କ ଢେଉରେ ମୁଁ ତୁମ ଆଡ଼କୁ ଯାଉଥାଏ ।ତୁମେ ତ ଚୁମ୍ବକ ଥିଲା ଆଉ ଆମେ ସବୁ ଥିଲୁ ଲୁହା । ଏତେ ଭିଡ଼ ଭିତରେ ମୋ ଆଖି ତୁମ ଆଖି ସହ ମିଶିଲା,ଆଖି କୋଣରୁ ଜକେଇ ଆସିଲା କିଛି ଟୋପା ଲୁହ,ଆଖିରେ ଲୁହ ଥିଲା,ଓଠରେ ହସ ବି ଥିଲା । ଏ ତ ସବୁ ତୁମର ହିଁ ଲୀଳା ।ହସ ଓ ଲୁହ ର ଏକ ଦିବ୍ୟ ସଂଯୋଗ । ଏଠି ହସ ବି ଥିଲା ଲୁହ ବି ଥିଲା ହେଲେ କେହି କାହାକୁ ଈର୍ଷା କରୁନଥିଲେ । ହସ ତା ନିଜ ବାଟରେ ଝରୁଥିଲା ସେ ଲୁହ ବି ସେମିତି ତା ନିଜ ବାଟରେ ।ହେଲେ ମନ ତୁମକୁ ହିଁ ଦେଖୁଥିଲା ଆଉ ଆତ୍ମା ତୁମକୁ ସ୍ପର୍ଶ କରିବାକୁ ଚାହୁଁଥିଲା ।
ତୁମର ସେଇ ଦୁଇ ଆଖି କଥା କଣ କହିବି,ସେଇ ଆଖି ଭିତରେ ହିଁ ଏ ସାରା ସଂସାର ଲୀନ ହେଇକି ଅଛି ।ତୁମକୁ ତ ସମସ୍ତେ ଅଧା ଗଢା କୁହନ୍ତି ,ହେଲେ ତୁମେ ତ ପୂର୍ଣ୍ଣତାର ପ୍ରତୀକ । ତୁମେ ସୁର୍ଯ୍ୟ ପରି ଚିର ଉଜ୍ଜଳ ।ଲାଗୁଥିଲା ଯେମିତି ତୁମ ଶରୀରରୁ ଉଦ୍ ଭାଷିତ ହେଉଥାଏ ସକାରାତ୍ମକ ଆଲୋକଧାରା । ସେ ଦିବ୍ୟ ଆଲୋକରେ ଭିଜୁଥିଲେ ତୁମର ଭକ୍ତ ସବୁ । ମୋର ତ ଆଖିର ପଲକ ପଡ଼ିବା ବି ବନ୍ଦ ହେଇଯାଇଥାଏ । ଲାଗୁଥିଲା ଯେମିତି ଦୁନିଆରେ ସବୁ ଖୁସି ମତେ ମିଳିଯାଇଛି ।ତୁମେ ମୋର ହୋଇ ନପାର ହେଲେ ଏ ଅଧମ ସବୁବେଳେ ହିଁ ତୁମର ।
ତୁମର ଦର୍ଶନ ପରେ କିଛି ମାତ୍ରାରେ ଏ ମନ ପୁରିଲା ।ପେଟର ଭୋକ ପାଇଁ ତୁମ ମହାପ୍ରସାଦ ,ଯାହାର ଅନ୍ୟ କାହା ସହ ତୁଳନା କରିବା ହିଁ ପାପ । ଆତ୍ମା ତୃପି ହେଲା ତୁମ ମହାପ୍ରସାଦ ପାଇଲା ପରେ ।ତୁମ କୃପାରୁ ତୁମ ରୋଷ ଗୃହ ବି ଦେଖିବାକୁ ମିଳିଲା ।ଖୁବ୍ ସରଳ ଓ ସୁନ୍ଦର ତୁମ ଖାଦ୍ୟ ପ୍ରସ୍ତୁତିର ଶୈଳୀ । ଆଜିର ସମାଜ ଯେଉଁଠି aquaguard ନହେଲେ ପାଣି ପିଅନ୍ତି ନାହିଁ , ହେଲେ ସେଠି ତୁମେ ସବୁବେଳେ ଗଙ୍ଗା ଓ ଯମୁନା ନାମକ କୂଅରୁ ହିଁ ତୁମ ରୋଷେଇ ପାଣି ଯାଏ । ଧନ୍ୟ ପ୍ରଭୁ ,ଧନ୍ୟ ତୁମ ଲୀଳା ।
ତୁମେ ଆଦି,ତୁମେ ଅନ୍ତ,ତୁମେ ପୁଣି ଅନନ୍ତ । ଯେତେବେଳେ ତୁମେ ମର୍ତ୍ତ୍ୟରେ ରୁହ , ଏଠାକାର ସବୁ ନିୟମ ବି ମାନ । ତୁମେ ବି ଦେହତ୍ୟାଗ କର,ତୁମର ଘଟ ପରିବର୍ତ୍ତନ ହୁଏ । ତୁମେ ସମାଧି ନିଅ,ସେ ପୁଣି କୋଇଲି ବୈକୁଣ୍ଠରେ । ତୁମର ଅପାର ଦୟାରୁ ଏପରି ଏକ ଦିବ୍ୟ ଅନୁଭବ ମିଳି ପାରିଲା ।
ତୁମ ଦର୍ଶନ ପରେ । ତୁମକୁ ଛାଡ଼ି ଆସିବାକୁ ଇଚ୍ଛା ନଥିଲା ,ହେଲେ କଣ ହେବ ସଂସାରର ନିୟମ ସବୁକୁ ମାନିବାକୁ ପଡ଼ିବ ନିଶ୍ଚିତ ।ମୋ ଶରୀର ସିନା ଶ୍ରୀମନ୍ଦିରରୁ ବାହାରି ଆସିଲା,ହେଲେ ଏ ଅଝଟ ମନ ତୁମ ପାଖରେ ବନ୍ଧା ପଡ଼ିଗଲା ।ତୁମେ ଦର୍ଶନ ପରେ ମୋ ପାଇଁ ଏ ବିରାଟ ଦୁନିଆ ଜଗନ୍ନାଥମୟ ହୋଇଯାଇଛି,ଲାଗୁଛି ତୁମେ ମୋ ଆଖି ସାମ୍ନାରେ ହିଁ ଅଛ । ଏକ ପ୍ରକାର କହିବାକୁ ଗଲେ ତୁମେ ଭକ୍ତିପ୍ରେମରେ ମୁଁ ନିଜକୁ ହଜେଇ ଦେଇଛି,ନିଜକୁ ଖୋଜିବାର ଶତ ପ୍ରଚେଷ୍ଟା ପରେ ବି କେବଳ ତୁମକୁ ହିଁ ଦେଖୁଛି । ଲାଗୁଛି ମୋ ନିଜ ସତ୍ତା ହରେଇ ବସିଛି । ଏ ମିଛ ମୋହ ମାୟା ସଂସାରର କେବଳ ଗୋଟିଏ ସତ ଅଛି,ଯାହା ହେଉଛ ତୁମେ ।
ଶେଷରେ ଏତିକି କହିବି ଆଉ ଥରେ ତୁମକୁ ଦେଖିବାକୁ ଇଚ୍ଛା ହଉଛି ।ଚିଠି ପାଇ ନିଶ୍ଚୟ ଚିଠି ଦେବ ବୋଲି ମୋର ଆଶା । ଅଶେଷ ଧନ୍ୟବାଦ ତୁମକୁ ମାଗିବା ପୂର୍ବରୁ ସବୁ ଦେଇଥିବାରୁ ।ତୁମ ଚିଠି ଅପେକ୍ଷାରେ …..
“ଇତି”
ତୁମ ଦର୍ଶନ ଅପେକ୍ଷାରେ
ଏକ ଅଧମ