ସୃଷ୍ଟିଚକ୍ରର ଆରମ୍ଭ ତୁ
ଜୀବନ ସଂଚାରର ମାଧ୍ୟମ ତୁ,
ତଥାପି ମାନିବାକୁ ବାଧ୍ୟହେବୁ
ଶାସନ ଶିକୁଳିର ନିୟମକୁ ।
କୋଟି ପୁଣ୍ୟବଳେ ଜନ୍ମ ତୁ
ଶ୍ରୀ ଆଗମନର ସଙ୍କେତ ତୁ,
ତଥାପି ତୋତେ ସହିବାକୁ ହେବ
ନିନ୍ଦା, ଅପବାଦର ପାହାଡ଼କୁ ।
ଅସରା ସ୍ବପ୍ନ ଦେଖିବୁ ତୁ
ଅକ୍ଲାନ୍ତ ପରିଶ୍ରମ କରିବୁ ତୁ,
ତଥାପି ଜଳାଞ୍ଜଳି ଦେବାକୁ ହେବ
ରଙ୍ଗୀନ୍ ଆଶାର ଡେଣାସବୁକୁ ।
ବିନା ବେତନରେ ଖଟିବୁ ତୁ
ବିନା ମୂଲ୍ୟରେ ସ୍ନେହ ବାଣ୍ଟିବୁ ତୁ,
ତଥାପି ଉପହାରରେ ଦିଆଯିବ
ବିଶାଳକାୟ ଦାମୀ ଘୃଣାକୁ ।
ପର ପାଇଁ ସବୁକିଛି ତ୍ୟଜିବୁ ତୁ
ପରକୁ ଆପଣେଇ ଚଳିବୁ ତୁ,
ତଥାପି ତୋତେ ବୋହିବାକୁ ହେବ
ଅବଳା, ଦୂର୍ବଳାର ଉପାଧିକୁ ।
ହେଲେ କାହିଁକି ?
କାହିଁକିନା ତୁ ନାରୀ ?
ନା ! ଏବେ ସମୟ ଆସିଛି !
ସ୍ୱର ଉତ୍ତୋଳନ କରିବୁ ତୁ
ନିଜ ପାଇଁ ନିଜେ ଲଢ଼ିବୁ ତୁ,
ଆସୁପଛେ ଯେତେ ଝଡ଼ଝଞ୍ଜା
ସବୁକୁ ସାମ୍ନା କରିବୁ ତୁ ।
ଅପବାଦର ପ୍ରତିଶୋଧ ନେବୁ ତୁ
ନିନ୍ଦାକୁ ପ୍ରଶଂସାରେ ବଦଳାଇବୁ ତୁ,
ପ୍ରତିକୂଳ ପରିସ୍ଥିତି ଆସିଲେ ବି
ସମ୍ମାନେ ସ୍ଵାଗତ କରିବୁ ତୁ ।
ନିଜ ରାସ୍ତା ନିଜେ ବାଛିବୁ ତୁ
ଲକ୍ଷ୍ୟ ପଥେ ଏକାକୀ ଚାଲିବୁ ତୁ,
ସହିବାର ସୀମା ଅତିକ୍ରମିଲେ
ସଂହାରକାରିଣୀ ସାଜିବୁ ତୁ ।
ଆଶାକୁ ପୂରଣ କରିବୁ ତୁ
ଅନ୍ୟାୟ ଉଚ୍ଛେଦ କରିବୁ ତୁ,
ଅଭେଦ୍ୟ ପଥକୁ ଭେଦ କରି ଦିନେ
ସଫଳତା ସ୍ଵାଦ ଚାଖିବୁ ତୁ ।
ଶକ୍ତିସ୍ୱରୂପିଣୀ ଅଟୁ ତ ତୁ
ପ୍ରେମମୟୀ, ପ୍ରୀତିଧାରା ବି ତୁ,
ତୋ କୋମଳ ସ୍ପର୍ଶ ଦେଇ ଧରଣୀକୁ
ସ୍ୱର୍ଣ୍ଣିମ ଇତିହାସ ରଚିବୁ ତୁ ।
ଜାଣିଛୁ, କାହିଁକି ?
କାହିଁକିନା ତୁ ନାରୀ ।