ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣକେ ଆନ
ଧରିତ୍ରୀ ମଧ୍ୟେ ପ୍ରାଣ ସଞ୍ଚରି ପ୍ରକୃତି ଯୁଗେ ଯୁଗେ ମହାନ
ଦୁଧ,ଦଧି,ମଧୁ, ଶର୍କରା ରେ ହୁଏ ପଞ୍ଚାମୃତ
କ୍ଷିତି, ଅପ୍,ତେଜ,ମରୁତ, ବ୍ୟୋମେ ଗଢା ପ୍ରାଣୀ ଜଗତ।।
ଆମ ଚତୁଃପାର୍ଶ୍ଵେ ରହିଛି ଏକ ବିସ୍ତୀର୍ଣ୍ଣ ଆସ୍ତରଣ
ସୈାରମଣ୍ଡଳେ ଏହି ଧରିତ୍ରୀ ଏକ ପ୍ରାଣ ଆବରଣ
ପ୍ରଗତି ପଥରେ ମନୁଷ୍ୟ ଆଜି ହୋଇଛି ବ୍ରତୀ
ବସିଥିବା ଗଛ ଡାଳକୁ ନିଜେ ସେ ହାଣୁଛି।।
ଦୃଢ଼ ବୁକୁରେ ଧରଣୀ କୁ ରଖିଅଛି ଆବୋରି
ଅହର୍ନିଶ ଅବଲୋକନ, ମାନ୍ୟତା ରହିଛି ଜନକ ପରି
ପ୍ରଦୁଷଣ ଯେତେ ବଢୁଛି ମାତ୍ରା ସେତେ ଭୋଗୁଛି
କୁହୁଡି ଆଛନ୍ନ ପରିବେଶ ଅସ୍ୱାସ୍ଥ୍ୟକର ହେଉଛି।।
ପ୍ରେମ ପ୍ରଣୟ ର ପ୍ରତୀକ ସେଇ ଝରା ଶ୍ରାବଣୀ
ଧରିତ୍ରୀ ପ୍ରତି ନଭର ସେ ଯେ ପ୍ରେମ ବରଣୀ
ବିଶ୍ୱତାପାୟନେ ଅମ୍ଲ ବୃଷ୍ଟି ଚର୍ମ ଜଳାଉଛି
କୃଷି କୃଷକ ଉପରେ ବର୍ଷା ଦାଉ ସାଧୁଛି।।
ଗଳିକନ୍ଦି ଗିରି ଗହ୍ୱରେ ଆତଯାତ ତା’ର
ଜୀବ ସଞ୍ଜୀଵନି ମରୁତ, ଅଟେ ପ୍ରାଣ ସଂଚାର
କଳକାରଖାନା ଧୁଆଁରେ ମଳିନ ତାର ନୀଳବଦନ
ଅତିଷ୍ଠ ବିଷାକ୍ତ ଧୂଆଁ ରେ ସଂଗଠିତ ହୁଏ ବାୟୁ ପ୍ରଦୂଷଣ।।
ଅନ୍ନ ଜଳ ବାସଗୃହ ସମାହାର ସିଏ
ଅମ୍ଲଜାନ, ଖାଦ୍ୟ, ବସ୍ତ୍ର ସେ ଯୋଗାଏ
ରାସାୟନିକ ସାର ପ୍ରୟୋଗେ ସେ କଳୁଷିତା
ନୂତନ ପ୍ରଣାଳୀ ପ୍ରୟୋଗେ ସେ ଆଜି ଦୂଷିତା।।
ପ୍ରକୃତି ‘ମାଆ’ ର ଷଡ଼ ସନ୍ତାନ ପରି
ଗୋଟିକ ପରେ ଗୋଟିଏ ଆସନ୍ତି ଧରା ଅବତରି
ଦୃଷ୍ଟି ଗୋଚର ନ ହୁଏ ସେ ପୁରୁଣା ମାନ
ସତେକି ସୁନ୍ଦରୀ ଧରଣୀ ଆଜି ଋତୁହୀନ।।
ସମୟ ର ତାଳେ ତାଳେ ସଭ୍ୟତା ଆଗକୁ ବଢ଼ିଛି
ପ୍ରସ୍ତର ଯୁଗରୁ ଆଜି ଯନ୍ତ୍ର ଯୁଗରେ ପାଦ ଥାପିଛି
କିନ୍ତୁ, ସଭ୍ୟତା ନାଁ ରେ ଏଠି ବଢିଚାଲେ କିସ୍ତି
କିଏ କଲା ଦୋଷ ଆଉ କିଏ ପାଉଛି ଶାସ୍ତି।।