ଧୂଆଁଳିଆ ଡିସେମ୍ବରରେ
କାଶତଣ୍ଡି ଖୋଜିବାର ଧ୍ରୃଷ୍ଟତା କରିବସେ ଯେବେ,
ଡାକବାଲା ର ବେନାମୀ ଚିଠି ଟେ ଆସେ,
ସେଇ ପୁରୁଣା ଠିକଣା ରେ!
ଅବଶୋଷ ସବୁ ବିଛାଡି ପଡନ୍ତି
ଡିସେମ୍ବର ର କୁହୁଡି ପରି ଠାଏ ଠାଏ !
ମୋହ ସବୁ କୋହ ପରି ବାଷ୍ପୀଭୂତ ହୁଏ,
କିନ୍ତୁ ଶୀତ ପରେ ଆଉ ବର୍ଷା ଆସେନି!
ଛାତିରେ ସୃଷ୍ଟି ହୁଏ ଅନେକ ଫାଟ,
ଶୁଷ୍କ ହେଇଯାଏ ଶିରା ପ୍ରଶିରା;
ନରମ ଚମଡା ବି ରୁକ୍ଷ ଲାଗେ,
ହେଲେ! ଚୁଲି ନିଆଁ ମିଟେଇ ପାରେନି ଫାଟ,
ପଲ୍ଲବିତ କରି ପାରେନି ହୃଦୟ ଫୃଦୟ!
ବିଶାଳ ଆକାଶ ଖେଦି ଆସେ ପାଖକୁ ପାଖକୁ,
କାମୁଡି ଗୋଡାଏ କୁହୁଡି ପରି ଜୀବନ,
ବଞ୍ଚିବାକୁ ସଂଘର୍ଷ ଆଉ ମରିବାକୁ ଆକର୍ଷଣ,
ଏକାସାଙ୍ଗେ ସଙ୍ଗଠିତ ହୁଏ,
ସେତେବେଳେ ଠିକ୍ ବୁଝି ହୁଏ;
ଜାଡ ବି ମାଡ ମାରି ପାରେ!
ନିଆଁ ପୁହାଉଁ ଥିବା ସେ ଅବୋଲକରା,
କ୍ଷଣକେ ସୁଖୀ ହେଇଯାଏ,
ଶୁକ୍ରୂ ଜାନି ପରି ସପନ ଦେଖେ,
ଡୁମା କୁ ବୋଲ ମନାଏ,
ସପନ ଯେବେ ଆଖିତଳେ କଳାଦାଗ ସାଜେ,
ଟିକ୍ରା ସହ ଗୋତି ଖଟେ,
ଆଉ,ଡିସେମ୍ବର ଛାତିରେ ଝରିଯାଏ ଅଦିନରେ!
ଦାନା ଖୋଜୁ ଖୋଜୁ ନିରୁଦ୍ଦିଷ୍ଟ ହୁଏ ଶୈଶବ,
ଘନେଇ ଆସେ ବାର୍ଦ୍ଧକ୍ୟ,
ରାସ୍ତା କଡେ କଡେ ଅନେକ ମୋଡ଼,
ଭାଗ୍ୟ ସହ ସାଲିସ କରୁ କରୁ,
ଡିସେମ୍ବର ସରିଯାଏ,ଜାନୁଆରୀ ବେଢ଼ି ଯାଏ ;
କୁହୁଡି ପରି ଜୀବନ ଟା ବି ସୂର୍ଯ୍ୟ ଆଲୋକ ରେ ଦବି ଯାଏ !