କେବଳ ତୁମରି ପାଇଁ

ଆଜି ମୁଁ ବଞ୍ଚିଚି ତୁମ ପାଇଁ
ମଶାଣି ତଳେ ପାଉଁଶ ହୋଇ
କୁହୁଳିବା ପାଇଁ
କିଏ ହଜେ କିଏ ଖୋଜେ
ଜାଣି ଜାଣି ନିଜକୁ ହଜେଇ
ପୁଣି ହଜେଇବା ପାଇଁ
କେବଳ ତୁମରି ପାଇଁ ।

ଯେବେ ବାଜେ ତୁମ ସାହାନାଇ
ଶାରଦ ଆକାଶେ ତାରା
ଆଉ ଜହ୍ନିଫୁଲ ଫୁଟେ ନାଇଁ
ଇତିହାସ ଆଜି ନୀରବ ପାଲଟେ
ଦଗ୍ଧୀଭୂତ ହୋଇ
ଲହୁଟିଏ ଛାତିତଳେ
ଲୁହ ହେଇ ବହିଯାଏ
କେବଳ ତୁମରି ପାଇଁ ।

ଅରୁନ୍ଧତି ତାରାର ଆଲୁଏ
ସଞ୍ଜ ଆସେ ନଇଁ ନଇଁ
କାଶତଣ୍ଡି ଫୁଲ ଆଉ
ପୂର୍ଣ୍ଣଗର୍ଭା ନଈ
ପାଷାଣର ଦେହେ
ବଞ୍ଚିରହେ ତୁମ ପାଇଁ
ଛାଇଟିଏ ହୋଇ
ପୁଣି ଅଧାପୋଡା ଅଙ୍ଗାରରେ
ଜଳିବାକୁ ହେବ
କେବଳ ତୁମରି ପାଇଁ ।

Leave a Comment

Your email address will not be published. Required fields are marked *