ଗାଁ ସେ ମୋର ଗାଁ, ଗାଁ ସେ ମୋର ଗାଁ,
ସୁନ୍ଦର ତା’ ବେଶଭୂଷା ମଧୁର ତା’ ନାଁ।
ଗାଁ ସେ ମୋର ଗାଁ । (୦)
ପବିତ୍ର ଯାର ଗୋଡ଼ି ମାଟି, ଶୀତଳ ଯାର ବାଆ
ସବୁଜ କ୍ଷେତ, ବଣ ଜଙ୍ଗଲ, ତୋଟା ମୁଣ୍ଡିଆ
ସକାଳର ସୁରୁଜ ବି ଦିଏ ମିଠା ଛୁଆଁ,
ଗାଁ, ସେ ମୋର ଗାଁ, ଗାଁ ସେ ମୋର ଗାଁ। (୧)
ରାତି ଅନ୍ଧାରୁ ଚଷା ପୁଅ ବିଲ ମୁଣ୍ଡରେ ଠିଆ
ସୁନା ଫସଲ ଅମଳ ପାଇଁ ଖଟେ ସେ ଝାଳ ବୁହା,
ଗୋଟେ ହାତେ ତା ଖୁଦ ଚାଉଳ, ଗୋଟିଏ ହାତେ ଦାଆ
ଗାଁ, ସେ ମୋର ଗାଁ, ଗାଁ ସେ ମୋର ଗାଁ। (୨)
ଭାଷା ସରଳ, ଭାବ ସରଳ ଲୋକ ବି ସରଳିଆ
ବନ୍ଧୁବାନ୍ଧବ, ସାହିପଡ଼ିଶା ହୁଅନ୍ତି ପାଖେ ଠିଆ,
ସୁଖଦୁଃଖରେ ଭଲମନ୍ଦରେ ଗ୍ରାମଦେବତୀ ସାହା
ଗାଁ ସେ ମୋର ଗାଁ, ଗାଁ ସେ ମୋର ଗାଁ। (୩)
ଭଳିକି ଭଳି ଚଢ଼େଇ ଆଉ ସ୍ଵର ତାଙ୍କର ଆଃ
କାଉ କୋଇଲି ବଗ ହଳଦିବସନ୍ତ ଗେଣ୍ଡାଳିଆ,
ମଧୁମାଳତି ଫୁଲ ମହକେ ମହକି ଉଠେ ଗାଁ
ଗାଁ ସେ ମୋର ଗାଁ, ଗାଁ ସେ ମୋର ଗାଁ। (୪)
ଖରା ଦିନରେ ସାଙ୍ଗ ମେଳିରେ ନଦୀକୁ ମାରୁ ଡିଆଁ
ଶୀତଦିନିଆ ଚାଇଁ ପଖାଳ, ଚୁଲିର ନିଆଁ ପୁଆଁ
ବରଷା ପାଗେ କାଗଜ ଡ଼ଙ୍ଗା, ସାଥେ ମୁଢ଼ି ନଡ଼ିଆ
ଗାଁ ସେ ମୋର ଗାଁ, ଗାଁ ସେ ମୋର ଗାଁ। (୫)
ଯାନି ଯାତରା ପୁଣ୍ୟପରବ ଲାଗେ ଭାରି ବଢ଼ିଆ
ଗାଁ ମନ୍ଦିରେ ସନ୍ଧ୍ୟା ଆଳତି, ଶୁଭେ ଦାଶକାଠିଆ,
ମା’ ହାତର ମଣ୍ଡା, କାକରା ଲାଗେ ତ ସୁଆଦିଆ
ଗାଁ ସେ ମୋର ଗାଁ, ଗାଁ ସେ ମୋର ଗାଁ। (୬)