ଘର ବାହୁଡ଼ା

କିଏ କହେ ନିଜର ଲୋକକୁ ସାମ୍ନାରେ ପାଇଲେ ଗୋଟେ ନାରୀ ତା’ର ଉତ୍କଣ୍ଠାକୁ ଚାପିରଖିପାରେ ବୋଲି l ସେଇଟା ଯଦି ସତ, ମୋ ଦ୍ୱାରା ହୋଇପାରେନି l ଖାଲି ମୋ ଭଳି ଯଦି କେହି ତାଙ୍କର ଜୀବନସାଥୀ ସେନାବାହିନୀରେ ଥିବେ ଓ ମାସ ମାସ ଧରି ନିଜଠାରୁ ଦୂରରେ ରହୁଥିବେ, ସେମାନେ ହିଁ ଏଭଳି ଅନୁଭବକୁ ବୁଝିପାରିବେ l ବାହାଘରର ଠିକ୍ ଅଳ୍ପଦିନ ପରେ ଏମିତି ହଠାତ୍ ଡାକରା ଆସିବ ଆଉ ସେ ସମ୍ପୂର୍ଣ୍ଣ ଛୁଟିକୁ ନ କାଟି ଅଳ୍ପ ଅଳ୍ପ ପରିଚିତଭରା ଛଳ ଛଳ ଆଖିରେ ବିଦାୟ ନେବେ ବୋଲି ମୁଁ କେବେ ସ୍ବପ୍ନରେ ଭାବିନଥିଲି l ସେଇ ବିଦାୟ ପରେ ଆଜି ହିଁ ତାଙ୍କର ପ୍ରଥମ ଘର ବାହୁଡ଼ା, ଦୀର୍ଘ ଏକ ବର୍ଷ ପରେ l ସେ ଆସିବାର ଉତ୍କଣ୍ଠା ଓ ତାଙ୍କଛାତିର ଉଷୁମ ସ୍ପର୍ଶ ପାଇଁ ମୁଁ ଯେମିତି ବ୍ୟାକୁଳ ହୋଇଉଠୁଥିଲି l

ସେ ଆସି ପହଞ୍ଚିଲେ l ସମସ୍ତେ ଖୁସି, ବାପା ମା’ ତାଙ୍କୁ ଆଉଁସି ଦେଉଥାନ୍ତି l ସାହି ପଡ଼ିଶା ସଭିଏଁ ଆସି ବସିଛନ୍ତି ଟିକେ ଦେଖିବେ ଓ କଥାଟିକେ ହେବାପାଇଁ l ମୁଁ ତାଙ୍କୁ ମୁଣ୍ଡିଆଟେ ମାରି ଘରର କବାଟକୁ ଆଉଜି ତାଙ୍କୁ ଦେଖୁଛି ଆଉ ସେ ବି କଣେଇ କଣେଇ ମୋତେ l ସମସ୍ତଙ୍କୁ ସମୟ ଦେଉ ଦେଉ ସନ୍ଧ୍ୟା ଆଉ ମୁଁ ସେମିତି ଅପେକ୍ଷାରେ ଥାଏ l ସେ ବି ତ ତର ତର ହେଉଥିଲେ, ହେଲେ ତାଙ୍କର ସ୍ୱାଭିମାନ ଓ ଗମ୍ଭୀରତା ଭିତରେ ଏସବୁ ଲୁଚି ଯାଉଥିଲା l

ସେ ଆସିଲେ ଘରଭିତରକୁ, ଧିରେକି କବାଟ ବନ୍ଦ କଲେ ଓ ଏକ ହାଲକା କୋମଳ ସ୍ୱରରେ କହିଲେ,”ତୁମେ ଆଖି ବନ୍ଦ କର ତ ଥରେ,” ସେ ମୋ ଠାରୁ ଅଳ୍ପ କିଛି ଦୂରରେ ଛିଡ଼ାହୋଇଥିଲେ l ତାଙ୍କ ଯବାନ୍ ଦେହର ବାସ୍ନା ଭାରି ଭଲ ଲାଗୁଥିଲା l ଆଜି ସେ ବି ଭାରି ଖୁସି ଜଣାପଡୁଥିଲେ l

“ଆରେ କୁହ ତ, ଏମିତି କ’ଣ ଅଛି ଯେ ଆଖି ବନ୍ଦ କରିବା ନିହାତି ଜରୁରୀ?” ମୁଁ ଟିକେ ଉତ୍ସୁକତା ଭରା ଅଳସ ଆଖିରେ ଚାହିଁ ପଚାରିଲି l ସେ ଯେମିତି ତାଙ୍କ ଖାକୀ ପୋଷାକରେ ବହୁତ୍ ଗମ୍ଭୀର ଲାଗନ୍ତି ଠିକ୍ ତା’ର ଓଲଟା ଯେବେ ସାଧା ପୋଷାକରେ ରୁହନ୍ତି l ଖାସ୍ କରି ଧଳା ପୋଷାକରେ l ଆଜି ହିଁ ତ ସେମିତି ଧଳା ପୋଷାକ ପିନ୍ଧି ମୋ ଆଖି ବନ୍ଦ କରିବାର ଜିଦ୍ଦି ଧରୁଛନ୍ତି l ମୁଁ ବି ନା ଏମିତି ଏକ ଖୁସି ମୁହୂର୍ତ୍ତରେ ଆଖି ବନ୍ଦ ନକରି ଛିଡ଼ା ହୋଇଛି l “ଆଚ୍ଛା ହଉ, ଦେଖ ମୁଁ ଆଖି ବନ୍ଦ କଲି l” ଟିକେ ହସକୁ ଚାପି ଧରି ଉତ୍କଣ୍ଠାର ସହ କହି, ଆଖି ବନ୍ଦ କଲି l ତାଙ୍କର ଏମିତି ଏକ ଆକସ୍ମିକ ଉପହାର ବହୁତ ଖୁସି ଦେଇଥିଲା ପ୍ରଥମ ରାତ୍ରିରେ l ହେଲେ ଆଜି କ’ଣ ଯେ ହୋଇପାରେ ସେ ଉପହାର? ଭାବିଲା ବେଳକୁ ଛାତି ଧକ ଧକ ହେବା ସହ ଦେହ ସମ୍ପୂର୍ଣ୍ଣ ଥରି ଉଠୁଛି l

କିଛି ସମୟ ନା ଥିଲା ଶବ୍ଦ ନା ତାଙ୍କର କିଛି ଆଭାସ l “ଆରେ ଏ କ’ଣ, ତୁମେ ଚୁପ୍ ହୋଇ ଛିଡା ହୋଇଛ ନା କ’ଣ? କିଛି ଶବ୍ଦ ବି ଶୁଭୁନି? ସେ ତଥାପି ଚୁପ୍ ଥିଲେ l ମୁଁ ଠିକ୍ ଆଖି ଖୋଲିବା ଖୋଲିବା ହେଉଥିଲି ଠିକ୍ ଏତିକି ବେଳକୁ ତାଙ୍କର ହାଲକା ଗରମ ଓଠରେ ସ୍ପର୍ଶ ମୋ ମଥାରେ ଛୁଇଁଗଲା, ହଠାତ୍ ଯେମିତି ମଥାଠାରୁ ପାଦ ଯାଏ ଏକ ଅଦ୍ଭୁତ ଉଲ୍ଲାସ ଖେଳିଗଲା ଆଉ ମୁଁ ତାଙ୍କୁ ଜୋରରେ କୁଣ୍ଢେଇ ଧରିଲି l ଲାଗୁଥିଲା ଯେମିତି ଦୁହିଁଙ୍କ ସ୍ପନ୍ଦନରେ ଗୋଟିଏ ଶବ୍ଦ l ତାଙ୍କ ହାତରେ ଥିଲା ଗୋଟେ ଟିକି ଝିଅ କଣ୍ଢେଇ, ଯେଉଁଟାକୁ ଦେଖି ମୋ ଆଖିରେ ଲୁହ ଆସିଯାଉଥିଲା l ହଁ, ଆଜି ଆମର ବିବାହ ବାର୍ଷିକ, ୟା ଠାରୁ ଭଲ ଉପହାର କଣ ହୋଇପାରେ ଯେ l ସାଙ୍ଗମାନେ କୁହନ୍ତି ତାଙ୍କ ବିବାହ ବାର୍ଷିକରେ ସୁନା, ରୂପା, ହୀରା ଏସବୁର ମହକ ଥାଏ, ହେଲେ ମୋର ତ ଏଇ କୋମଳ ସ୍ପର୍ଶ ଓ ପ୍ରଥମଥର ଭଳି ଝିଅ କଣ୍ଢେଇଟିଏ ହେଲେ କେତେ କ’ଣ, ସେ ଜାଣିଛନ୍ତି ମୋର ଧଳା ସାର୍ଟ ଓ ଟିକି ଝିଅ କଣ୍ଢେଇରେ ଦୁର୍ବଳତା l ସେଥିପାଇଁ ବୋଧେ…..l

“ଆରେ, କ’ଣ ଭାବୁଛ? ସେ ପଚାରିଲେ, ମୁଁ ଲୁହ ଭିଜା ଆଖିରେ ମୁଣ୍ଡକୁ ହଲାଇ କିଛି ନୁହେଁ ବୋଲି ଜଣାଇଲି ଆଉ ପୁଣିଥରେ ତାଙ୍କ ଛାତିକୁ ଜାବୁଡ଼ି ଧରିଲି, ଯେଯାଏ ମୋର କୋହଭରା ଆବେଗ ଶାନ୍ତ ନହୋଇଛି l ସେ ବି ତ ଭାବୁକ ହୋଇଆସୁଥିଲେ l

1 thought on “ଘର ବାହୁଡ଼ା”

Leave a Comment

Your email address will not be published. Required fields are marked *