ସେଦିନ ଘରକୁ ଚାନ୍ଦ ଆସିବ ବୋଲି ମୁଁ ବହୁତ ଖୁସି ଥିଲି। “ତୋ ବୋହୂ ପାଇଁ ମିଠା କୋଳି ଆଣିବା ପାଇଁ ଯାଉଛି ଲୋ ବୋଉ ” କହି ଘରୁ ବାହାରିଲି। ଚାନ୍ଦ ର ମିଠା କୋଳି ଭାରୀ ପସନ୍ଦ। ପିଲା ବେଳେ କେତେ ଯେ ବୁଲି ବୁଲି କୋଳି ଖାଇଛୁ ତା ନ କହିବା ଭଲ।ତା ପାଇଁ କେତେ ଥର ଗଛରୁ ପଡି ଖଣ୍ଡିଆ ହେଇଛି। ଖଣ୍ଡିଆ ଜାଗାରେ ସେ ଟିକେ ହାତ ମାରିଦେଲେ ଦରଜ ଏକାଥରେ ଛୁ ମନ୍ତର ହେଇଯାଏ। ତା ମନ ପସନ୍ଦର କୋଳି ନେଇ ଘର ଭିତରକୁ ପଶୁ ପଶୁ ଦେଖିଲି ସେ ଆସି ବୋଉ ପାଖେ ଦୁଃଖ ସୁଖ ହେଉଛି। ଭଙ୍ଗା କୁଡ଼ିଆରେ ତୋଫା ଜହ୍ନର କିରଣ ଯେମିତି ଘରକୁ ଆଲୋକମୟ କରିଦିଏ ତା ପାଦ ମୋ କୁଡିଆରେ ପଡ଼ି ମୋ କୁଡିଆକୁ ଆଲୋକମୟ କରୁଥିଲା। ମୁଁ କିଛି କହିବା ଆଗରୁ ସେ କହିଲା ,”ଏ ମନୁଆ ଭାଇ ତତେ ମୁଁ କେତେ ଖୋଜିଲିଣି ଜାଣିଛୁ। ଗାଁ କୁ ଆସୁ ଆସୁ ପ୍ରଥମେ ତୋ ଘରକୁ ଆସିଛି ମୋ ବାହାଘର ନିମନ୍ତ୍ରଣ କାର୍ଡ ଦେବାକୁ।” “ବାହାଘର? “ମୁଁ ପଚାରିଲି।
“ହଁ ମୋ ବାହାଘର ଆଉ ମାତ୍ର ୧୦ ଦିନ ରହିଲା। ମୋ ଅଫିସର ଷ୍ଟାଫ୍ ଙ୍କ ସହ ହେଉଛି । ବାପା ଆମ ପ୍ରେମ ବିବାହ ସପକ୍ଷରେ ନ ଥିଲେ ସେଥିପାଇଁ କହିନଥିଲି।”ଗଳଗଳ ହେଇ କହିଗଲା ଚାନ୍ଦ। ମୁଁ ତାକୁ ବାହାରକୁ ଟାଣି ଆଣି କହିଲି,”ମୁଁ ଯୋଉ ତତେ ନେଇ ସଂସାର କରିବାର ସ୍ୱପ୍ନ ଦେଖିଥିଲି ! “ମୋ କଥା ଶୁଣି ଠୋ ଠୋ ହୋଇ ହସିଲା ଚାନ୍ଦ । ଆରେ ତତେ ବାହା ହେବି ବୋଲି ତୁ ଭାବିଲୁ କେମିତି ।ତୋ ମୋ ଭିତରେ ଆକାଶ ପାତାଳ ଫରକ। ” ସେ ଆଉ କିଛି କହିବା ଆଗରୁ ମୁଁ ହସି ହସି କହିଲି “ଆଲୋ ପାଗେଳି ମୁଁ ମଜାରେ କହିଦେଲି ନା ।” ହଉ ତୋ ମଜା ସେତିକି ଥାଉ ,ଦେଲୁ ଦେଲୁ ମୋ ପାଇଁ ଯୋଉ କୋଳି ଆଣିଛୁ ମତେ ଦେ, ମୋର ସିଆଡେ କେତେ କାମ ” କହି ମୋ ଗାମୁଛାରୁ କୋଳି ସବୁ ନେଇ ଚାଲିଗଲା। ତା ଯିବା ବାଟକୁ ଚାହିଁ ମୁଁ ଭାବୁଥାଏ ,”ମୋ ଚାନ୍ଦ ଏବେ ପରା ଚାନ୍ଦିନୀ ମିଶ୍ର ହେଇଗଲାଣି। ସେ ଆଉ ମୋ ଚାନ୍ଦ ହେଇ ନାହିଁ ଏବେ ସେ ଆକାଶର ଚାନ୍ଦ ମୁଁ ବାମନ ହେଇ ହାତ ବଢେ଼ଇବା ବୃଥା।”
ଚାନ୍ଦ
