ଚିଠିରେ ଚିଠିରେ

ଖଣ୍ଡେ କାଗଜର ନଦୀପଠାରେ
ସେ ଏକ ସେ ଏକ ଛଳ ଛଳ ଭାବପ୍ରବଣତାର ମୃଦୁ ଉର୍ମିମାଳା
ଯେଉଁଠି ସଞ୍ଚରି ଯାଏ କୂଳରୁ କୂଳକୁ
ଭେଳା ଭେଳା ଆତ୍ମୀୟତାର ଦଳ, ଶବ୍ଦରେ ଶବ୍ଦରେ
ଧୋଇ ଦେଇ ପ୍ରତୀକ୍ଷାର ନୀଳ ଗାର ମାନ।

କେତେ କଣ ଅଭିଯୋଗର ଚିଠା
ଭରପୁର ମାତ୍ରାରେ ସାଇତା ପ୍ରଗଳ୍ଭତା
ଅନା ବନା ଭାବନାର ରଙ୍ଗ ପ୍ରଜାପତି
ଚୁନା ଚୁନା ସପନର ଅଧା ଶୁଆ ରାତି
ବୁନ୍ଦା ବୁନ୍ଦା ଲୁହର ଚକ୍ ଚକ୍ ମୋତି
ଖିଲି ଖିଲି ହସର ପୂର୍ଣ୍ଣ କରାମତି
ଅଭିମାନରେ ଜୁଡୁ ବୁଡୁ ଭିଜା ଅବଶୋଷ
ନାଚି ନାଚି ଝୁମୁଥିବା ବହୁ ପରିହାସ
ଆମନ୍ତ୍ରଣର ସେ ଏକ ପ୍ରଗାଢ ସମ୍ମୋହନ
ବିରହରେ ଭିଜୁଥିବା ବତୁରା କଷଣ।

ଏମିତି କେତେ କଣ ଲେଖା ହୁଏ ଚିଠିରେ ଚିଠିରେ
କେହି ଜଣେ ରଖି ଦେଇଛି କି ଆଉ
ଯାହା ଥିଲା ପୋଛି ପାଛି ପୀଡ଼ିତ ଛାତିରେ।

କେବେ ଆମ୍ବ ବଉଳର ବାସ୍ନା
ଝରି ଆସେ ସେ ସ୍ୟାହି ଭରା କାଗଜ ତୋଟାରୁ
କେବେ ଶ୍ରାବଣର ଭରପୁର ନିଶା
ଉତୁରି ଯାଏ ସେଥିରେ ସାଇତା ଥିବା ଲୁହର ଲୋଟାରୁ
ଋତୁ ମାନେ ଦୋଳି ଖେଳନ୍ତି ତା ଝଙ୍କାଳିଆ ଶବ୍ଦ ଅରଣ୍ୟରେ
ବାଟବଣା ହୁଏ ଯେତେ ଜୀବନ ବ୍ୟସ୍ତତା
ପରାସ୍ତ ହେବାକୁ ପଡ଼େ ପ୍ରାଣ ଖୋଲା ଅଭିବାଦନରେ।

ଏମିତି ସୂକ୍ଷ୍ମ ଦେହଟିଏ ଉଡ଼ି ବୁଲେ ଚିଠିରେ ଚିଠିରେ,
ପ୍ରତୀକ୍ଷାର ଅଗ୍ନିଶିଖା ସାମାନ୍ୟ ଧିମେଇ ଯାଏ
ସ୍ପର୍ଶ ସୁଖ ମିଳି ଯାଏ ବୋଧେ ଜାକି ଧରି ବିହ୍ୱଳିତ ଇପ୍ସିତ ଛାତିରେ।

Leave a Comment

Your email address will not be published. Required fields are marked *