ଜନନୀ ହୁଅ ସହାୟ

କୃପାମୟୀ ମାଆ ବରଦା ବିରଜା
ନବଦୁର୍ଗା ସିଦ୍ଧିଦାତ୍ରୀ
ହୁଅ ସୁପ୍ରସନ୍ନା ଦେବୀ ମହାଶକ୍ତି
ପଦ୍ମାସନା ଜଗଦ୍ଧାତ୍ରୀ ।
ଦିଅ ଅଷ୍ଟସିଦ୍ଧି ଅଣିମା ମହିମା
ଗରିମା ଲଘିମା ପ୍ରାପ୍ତି
ଆହରି ପ୍ରାକାମ୍ୟ ଈଶିତ୍ୱ ବଶୀତ୍ୱ
ମିଳୁ ମୋକ୍ଷ ସଦଗତି ।
ଅଣିମା ସୁଜ୍ଞାନ ଅଟଇ ଅଦୃଶ୍ୟ
ଶକତି ସୂକ୍ଷ୍ମାତିସୂକ୍ଷ୍ମ
ସାଧନେ ସରଳ ହୁଅଇ କଠିନ
ଜୀବନ ହୁଅଇ ଧନ୍ୟ ।
ଆପଣା ବିଚାର ହୋଇପାରେ ବ୍ୟାପ୍ତ
ଜଗତେ ସଚରାଚର
ମହିମା ସୁଗୁଣ ମଣ୍ଡେ ବିଶାଳତା
ବଢାଏ ଜ୍ଞାନ ଭଣ୍ଡାର ।
ଗରିମା ଅଟଇ ସ୍ଥିତପ୍ରଜ୍ଞ ବୁଦ୍ଧି
ମନକୁ ରଖଇ ସ୍ଥିର
ସୁଖ ଅବା ଦୁଃଖେ ରହଇ ସାଧକ
ନୀତିନିଷ୍ଠ ଅବିଚଳ ।
ଛାଡି ହି°ସା 6ଦ୍ୱଷ ସଦ୍ଭାବନା ଯୁକ୍ତ
ହେଲେ ଅହଙ୍କାର ମୁକ୍ତ
ଅଭ୍ୟାସେ ଲଘିମା ଲାଗଇ ହାଲୁକା
ଘାରେ ନାହିଁ ରୋଗଶୋକ ।
ଅସମ୍ଭବ କାର୍ଯ୍ୟ ହୁଅଇ ସମ୍ଭବ
ଥିଲେ ଦୃଢ ଇଚ୍ଛା ଶକ୍ତି
ବାଞ୍ଛିତ ସୁଫଳ ହାସଲ ନିମନ୍ତେ
ସୁଯୋଗ ପଦ୍ଧତି ପ୍ରାପ୍ତି ।
ଅଟଇ ପ୍ରାକାମ୍ୟ ଷଷ୍ଠ ମହାବିଦ୍ୟା
ସାଧକ ସ୍ୱଇଚ୍ଛା ବଳେ
ଉଡଇ ଆକାଶେ ପାରିଥାଏ ଗମି
ଜଳସ୍ଥଳ ଭୂମଣ୍ଡଳେ ।
ସତ୍ୟ ଚିରନ୍ତନ ଅଟଇ ଈଶୀତ୍ୱ
ଶକତି ଅପରାଜେୟ
ସତ୍ୟକାମ ବ୍ୟକ୍ତି ରଖେ ସୁସାମର୍ଥ୍ୟ
କରିପାରେ କାଳ ଜୟ ।
ଅଟେ ସଦ୍ଭାବନା ପ୍ରେମ ଓ କରୁଣା
ବଶୀତ୍ୱ ଶକ୍ତି ଅଦ୍ଭୁତ
ହି°ସ୍ର ପଶୁ ମଧ୍ୟ ମାନଇ ବଶ୍ୟତା
ହୋଇଯାଏ ସମ୍ମୋହିତ ।
ନୁହେଁ ପୂର୍ଣ୍ଣ ସିଦ୍ଧି ବଳ ପରାକ୍ରମ
ଅତୁଳନୀୟ ବୈଭବ
ନୁହଁ ପ୍ରଦର୍ଶନ ପଦ ସନମାନ
ସିଦ୍ଧି ଉଦାତ୍ତ ସ୍ୱଭାବ ।
ସର୍ବଦା ନିର୍ଲିପ୍ତ ପ୍ରଭୁ ସଦାଶିବ
ପୂର୍ଣ୍ଣ ସିଦ୍ଧ ଯୋଗେଶ୍ୱର
ଜଗତର ହିତ ସାଧନ ନିମନ୍ତେ
ପାନ କଲେ ହଳାହଳ ।
କିଞ୍ଚିତ ବହୁତ ହେଉ ଲକ୍ଷ୍ୟ ସିଦ୍ଧି
ମଙ୍ଗଳ କଲ୍ୟାଣ ଧ୍ୟେୟ
ପ୍ରଭୁ ଜଗଦୀଶ ଦିଅ ଶୁଭାଶିଷ
ଜନନୀ ହୁଅ ସହାୟ ।
——

Leave a Comment

Your email address will not be published. Required fields are marked *