ଜହ୍ନରେ ତୋଳିବା ଘର

ଜହ୍ନ ପରି ମନ ମୋର ସରାଗରେ ଜଡସଡ
ଦେଖେ କେତେ ନିତି ନୂଆ ସପନ,
ରୂପେଲି ତା କିରଣରେ ଛନ୍ନ ଛନ୍ନ ହୁଏ ମନ
ଲାଗେ ମୁଁ ସ୍ୱଚ୍ଛନ୍ଦ ପୁଣି ଅଟେ ପକ୍ଷବାନ ।
ଉଡିବୁଲେ ଆକାଶରେ ଜହ୍ନ ତୋଫା ଆଲୁଅରେ
ମୁହଁ ସବୁ ଜହ୍ନ ପରି ଦିଶଇ ଉଜ୍ଜ୍ୱଳ
ନିକୁଞ୍ଜ କୁଞ୍ଜ କାନନେ ନନ୍ଦନ ଚନ୍ଦନବନେ
ପ୍ରସ୍ଫୁଟିତ ତାରା ପରି ରଙ୍ଗରଙ୍ଗ ଫୁଲ ।
ଚହଟି ଉଠଇ ବାସ ଋତୁ ଲାଗେ ମଧୁମାସ
ଦେହମନେ ଖେଳିଯାଏ ମୃଦୁ ଶିହରଣ
ମିଠା ମିଠା ଗୀତ ସ୍ୱରେ ଡାକେ କିଏ ହାତ ଠାରେ
ଆସ ସାଥି କର ନାହିଁ ଅଧିକ ବିଳମ୍ବ ।
ମିଳାଅ ମୋ ସୁରେ ସୁର ଉଡିବାକୁ ହେବ ଦୂର
ଧୂଳିମଳି ଯତନରେ ଦେହୁ ଦିଅ ଝାଡି
ପ୍ରସରିବ ବର୍ଣ୍ଣ ବିଭା ମହକିବ ଭାବଶୋଭା
ଝଲସିବ ଦଶଦିଶ ଦିଗନ୍ତ ପ୍ରକୃତି ।
ସରଜିବା ପରିବାର ଜହ୍ନରେ ତୋଳିବା ଘର
ବିକଶିବା ଆସ ଆମେ ସୁନ୍ଦର ସାହିତ୍ୟ
ଘୂଞ୍ଚିଯିବ ଅନ୍ଧକାର ନୀଳସ୍ୱପ୍ନେ ହୁଅ ମଗ୍ନ
ଉଡିବାରେ ମିଳେ ମୁକ୍ତି ଅପାର ଆନନ୍ଦ ।

Leave a Comment

Your email address will not be published. Required fields are marked *