କୁମୁଦିନୀ ଖୋଜେ ଜହ୍ନର ଠିକଣା
ପଠାଇବ ବୋଲି ଚିଠି।
କେତେଦିନୁ ହୃଦେ ରଖିଛି ସାଇତି
ଅସରା ମଧୁର ପ୍ରିତୀ।।
ସହିଯାଏ ଘୋର ନିଦାଘ ଜ୍ଵଳନ
ଅନ୍ଧାରି ଯାମିନୀ ଆଶେ।
ଚାହିଁ ରହିଥାଏ ଗଗନେ ଆକୁଳେ
ଇନ୍ଦୁ ଦରଶନ ଆଶେ।।
ଚକ୍ଷୁ ହୁଏ ସ୍ଥିର ହୃଦୟ ଅସ୍ଥିର
ଚାହିଁ ଚାହିଁ ପାହେ ରାତି।
ମନକଥା ଧୀରେ ମରିଯାଏ ମନେ
ତଥାପି ସରେନା ପ୍ରୀତି।।
କେଜାଣି ଏ ଜହ୍ନ ବୁଝେ କି ନବୁଝେ
କୁମୁଦ ହୃଦୟ ବ୍ୟଥା।
ସଞ୍ଜେ ଉଇଁ ଅସ୍ତ ହୁଏ ପ୍ରଭାତରେ
ବୁଝେନା କା ମନ କଥା।।
ବିଧାତା ଲେଖିନି କପାଳରେ ଯଦି
ପ୍ରିୟ ମିଳନର ଯୋଗ।
କଇଁ କିନ୍ତୁ ତାର ପ୍ରେମକୁ ଆବୋରି
ଗାଉଛି ପ୍ରଣୟ ରାଗ।।
ସେଥିପାଇଁ ଆଜି ଜହ୍ନର ଠିକଣା
ଆତୁରେ ଖୋଜୁଛି କଇଁ।
ଜଣେଇବ ନିଜ ହୃଦୟ ସ୍ତବକ
ଉତ୍ତର ପାଇବା ପାଇଁ।।