ଜହ୍ନ ହେ

ଜହ୍ନ ହେ… ତୁମ ରୂପରେ
ବିମୋହିତ କ୍ଷଣେ କରିଦେବେକି,
ନିଷ୍ଠୁର ବର୍ତ୍ତମାନକୁ ଭୁଲିଯାଆନ୍ତି
ଦୁଃଖ ମୋ ହୁଅନ୍ତା ଦୂର ||

ଜହ୍ନ ହେ… ତୁମ ଜୋଛନାରେ
ଚମକପ୍ରଦ କ୍ଷଣେ କରିଦେବେକି,
ଜୀବନର ଘୋର କାଳିମା ଲିଭାନ୍ତି
ଦେଖି ଆଲୋକ ତୁମର ||

ଜହ୍ନ ହେ… ତୁମ ଶୀତଳତାରେ
ମନ ମୁଗ୍ଧ କ୍ଷଣେ କରିଦେବେକି,
ହୃଦୟର ଯେତେ ଯନ୍ତ୍ରଣା ହଜାନ୍ତି
ଶାନ୍ତ ହୁଅନ୍ତା ଶରୀର ||

ଜହ୍ନ ହେ… ତୁମ ଆଶ୍ୱାସନାରେ
ଦୃଢମନା କ୍ଷଣେ କରିଦେବେକି,
ଅନ୍ତରକୁ ମୋର ଶକ୍ତ କରନ୍ତି
ସ୍ଥିର ହ୍ଵନ୍ତା ଅଭ୍ୟନ୍ତର ||

ଜହ୍ନ ହେ… ତୁମ କୁହୁକରେ
ଆକର୍ଷିତ କ୍ଷଣେ କରିଦେବେକି,
ମୁହୂର୍ତ୍ତକ ପାଇଁ ନୀରବ ହୁଅନ୍ତି
ଭାବି ତୁମକୁ ନିଜର ||

ଜହ୍ନ ହେ…ତୁମ କୋଳରେ
ନିଦ୍ରିତ କ୍ଷଣେ କରିଦେବେକି,
ନିରୋଳାରେ ଟିକେ ଆଖି ବୁଜନ୍ତି
ଶୁଣି ସଙ୍ଗୀତ ତୁମର ||

ଜହ୍ନ ହେ…ତୁମ ଚାହାଣୀରେ
ହୃଦଓଦା କ୍ଷଣେ କରିଦେବେକି,
ଅନ୍ଧାରରେ ଆଉ ଏକା ନରୁହନ୍ତି
କରି ସଭିଙ୍କୁ ଆପଣାର ||

ଜହ୍ନ ହେ…ତୁମ ବାହୁରେ
ସ୍ନେହେ ବନ୍ଦୀ କ୍ଷଣେ କରିଦେବେକି,
ଦୁନିଆରେ ସର୍ବସୁଖୀ ମୁଁ ସାଜନ୍ତି
ପାଇ ଆଲିଙ୍ଗନ ତୁମର ||

ଜହ୍ନ ହେ…ତୁମ ସରଳତାରେ
ପୁନର୍ବାର ମତେ ବଶ କରିଦେବେକି,
ସେହି ଅତୀତକୁ ପୁଣି ଭାଳନ୍ତି
ହୋଇ ପୂଜାରିଣୀ ତୁମର ||

Leave a Comment

Your email address will not be published. Required fields are marked *