ବଜାରେ ଆଜି ହଜାରେ କଥା
ପଚାରି ବୁଝୁଛି କିଏ,
କାରଣ ଆଜି ବାରଣ ସାଜି
ନିଜକୁ ମାରୁଛି ସିଏ…।।
ନୀରବ ମନେ ଭିଷଣ ଯୁଦ୍ଧ
ସ୍ଥିରତା ଆସୁନି ମୋଟେ,
ଦୁଃଖ ଦରିଆ କୂଳରେ ବସି
ଲୁହ ମୁଁ ପିଇଛି ପେଟେ…।।
ଗୋଲାପ ଦେହେ ରକତ ଏତେ
କିଏ ସେ ଦେଇଛି ଢାଳି,
ତଥାପି ଦେହେ ବିଛେଇ କଣ୍ଟା
ନିଜେ ହିଁ ମାରୁଛି ତାଳି…।।
ସମୟ ଯଦି କୁହନ୍ତା ଥରେ
ପଛକୁ ଫେରିବ ସିଏ,
କହିବି ତାକୁ ସାଙ୍ଗରେ ନବୁ
ଡାକି ଆଣିଥିଲା ଯିଏ…।।
ସପନ ଯଦି ମିଳନ୍ତା ହାଟେ
ବିକନ୍ତି ନିକିତି ଧରି,
ସାଇତିବାକୁ ଅମାର ନାହିଁ
ନିଦ ମୋ ଯାଇଛି ସରି…।।
ଜୀବନ ଏଠି ଖୋଜୁଛି ମାଟି
ତା ଦେହେ ମିଶିବା ପାଇଁ,
ଦୁନିଆ ନିଜେ ଜଳୁଛି ସିନା
କିଛି ବି କାରଣ ନାହିଁ…।।
ସମୟ ଯଦି କବିତା ହୁଏ
ଜୀବନ ଗୋଟିଏ ଗପ,
ଶବଦ ଯଦି ସଳିତା ହୁଏ
କଲମ ଜାଳୁଛି ଦୀପ…।।
ଖୁବ୍ ସୁନ୍ଦର ଓ ସରସ କବିତାଟିଏ