ଜୀବନ ଜ୍ୟାମିତି

ପ୍ରାପ୍ତି ଅପ୍ରାପ୍ତିର ଠିକ୍ ମଝିରେ
ରେଖାଖଣ୍ଡର ମଧ୍ୟବିନ୍ଦୁ ଭଳି
ନା ଛୁଇଁପାରେ ପ୍ରାନ୍ତକୁ, ନା ଫେରିପାରେ ଆଦ୍ୟକୁ
ସେମିତି ଖୋଲା ଆଖିରେ ଶୋଇ ଶୋଇ
ଜୀବନ୍ତ ନିର୍ଜୀବଟିଏ ପାଲଟିଗଲାଣି
ଏଇ ଜୀବନଟା ।

ହେଇ ତ, ସାମ୍ନାରେ ଦେଖୁଛି ତାକୁ
ଖୁବ୍ ପାଖରୁ; ଠିକ୍ ମୋ ପରି
ହେଲେ ତା’ ଠିକଣାରେ ପହଞ୍ଚିବାଟା ଯେ ଗୋଟେ ଅନିଶ୍ଚିତତା
ଏଇଟା ହିଁ ମୋ ପାଇଁ ସୁନିଶ୍ଚିତ; ବୁଝିସାରିଲିଣି ମୁଁ
ମିଶିପାରିବେକି ଦୁଇ ବିପକ୍ଷ ବାହୁ
ଏଇ ଯେମିତି ଆୟତକ୍ଷେତ୍ରର ।

ଆମ ସମାଜଟା ବି କେଉଁ  କମ୍ କି !
ନୀତି, ନିୟମ, ପ୍ରଥା, ପରମ୍ପରା, ବିଶ୍ୱାସ, ଭରସାର
ସ୍ଥୂଳ ପରିଧିଟିଏ; ଚତୁଃପାର୍ଶ୍ୱରେ ମଜବୁତ୍ ଭାବେ
ଆଉ ମୋ ସ୍ଥାନ ? ନା ବହିଃସ୍ଥ ନା ଉପରିସ୍ଥ
ସିଧା ଯାଇ ବୃତ୍ତର କେନ୍ଦ୍ରବିନ୍ଦୁରେ ।

ଭାବିଲି, ଚାଲ୍ ତେବେ
ତ୍ରିଭୁଜଟିଏ ହୋଇଯିବି, ତିନି ବିନ୍ଦୁକୁ ନେଇ
ତିନି ବାହୁର ସାହାରାରେ ପୂର୍ଣ୍ଣ କରିଦେବି
ଏଇ ନିରୋଳା ରାସ୍ତା, ଖୁବ୍ ସହଜରେ, ବିନା ଦ୍ବିଧାରେ;
ହେଲେ ଏ ଜୀବନଟା କ’ଣ ସପିଂ ମଲ୍ ର ଲିଫ୍ଟ କି ?
ସହଜ କରିଦେବ ଚଲାପଥ; ବରଂ ସିଧା ଆଣି ଥୋଇଦେଲା
ତିନି ମଧ୍ୟମାର ଛେଦବିନ୍ଦୁ ଉପରେ ।

ଏବେ, ଗୋଟିଏ କ’ଣ ? ଚାରିପାଖେ ତ ଘେରିଗଲେ
ଚାରି ଚାରିଟା ତ୍ରିଭୁଜ, ଆଉ ମୁଁ ? ତା’ ଭିତରେ ଏକ ସଂଜ୍ଞାହୀନ ପଦ ।

ପୁଣି ହେଲା ରୂପାନ୍ତର,
ସାମନ୍ତରିକ ଚିତ୍ରର ସମାନ୍ତରାଳ ଦୁଇ ବାହୁପରି
ଗୋଟିଏ ପଟରେ ଜୀବନ, ଅନ୍ୟପଟେ ମୁଁ
ଭାବିଲି, ଏଇଟା ହିଁ ଥିଲା ବୋଧହୁଏ ସମାଧାନ
ଜୀବନ ସହ ତାଳ ମିଶାଇ ତାକୁ ଅତିବାହିତ କରିବାର
ହେଲେ ଏଇ କର୍ଣ୍ଣ ! ଖୁବ୍ ଚାଲାଖରେ ପୁଣିଥରେ ଆଣି ଯୋଡ଼ିଦେଲା
ଆଉ ଏକ ପ୍ରାରମ୍ଭର ପାଦଦେଶରେ ।

ଏବେ ତ ସମାନ ବି ହୋଇପାରେନି
କମ୍ପାସର ଦୁଇ ମୁନ,
ଆଉ ଝାପ୍ସା ହୋଇଗଲାଣି
ପ୍ରୋକ୍ଟାଟରର ରେଖାସବୁ,
ଠିକ୍ ସାୟଂ  କାଳର ଛାଇପରି;
ବୋଧହୁଏ ଲିଭିଯିବ ଆଉ କିଛି ସମୟରେ
ଜୀବନ ଜ୍ୟାମିତିର ଏଇ ଅଙ୍କନସବୁ
ଅଜଣା ଅନ୍ଧକାରର ଗାଢ଼ତା ଭିତରେ,
ରବରର ସଫେଦ୍ ପୃଷ୍ଠକୁ କଳଙ୍କ ଲଗାଇ ।

4 thoughts on “ଜୀବନ ଜ୍ୟାମିତି”

  1. ଚିନ୍ମୟ କୁମାର ନାୟକ

    ଖୁବ୍ ଚମତ୍କାର ହୋଇଛି କବିତାଟି ….. 😊👏👏👏

Leave a Comment

Your email address will not be published. Required fields are marked *