ଝଡିଯାଉଥିବା କଢିଟିଏ

ରଞ୍ଜନର ପରିବାର ଗାଆଁର ଭିଟାମାଟି ଛାଡ଼ି ସହରରେ ନିଜ ବାପାଙ୍କ ଅମଳରୁ ରହିଆସୁଛନ୍ତି। ରଞ୍ଜନ କହେ- ଗାଆଁ ନାମ ତା’ର ନଚ୍ଛିପୁର। ଗାଆଁରେ କେବଳ ତାଙ୍କର ଘରଡିହ ଛାଡିଦେଲେ ପୈତୃକ ସମ୍ପତ୍ତି ଆଉ କିଛି ବି ନ ଥିଲା। ତେଣୁ ବାପା ତା’ର ପାଖରେ ଥିବା ଡୋଲିପୁର ସହରକୁ ରୋଜଗାର ଉଦ୍ଦେଶ୍ୟରେ ଆସି କମ୍ ପଇସାରେ ଘରବାଡ଼ିଟିଏ କିଣି ରହିଆସୁଛନ୍ତି। ସହର ଆସିଲା ବେଳକୁ ରଞ୍ଜନ ଛୋଟ ଥିଲେ ମଧ୍ୟ ହେତୁ ଆସିଗଲାଣି। ସେ ଝାପ୍ସା କିଛି କଥାକୁ ମନେ ପକାଇପାରୁଛି। ସହରରେ ନିଜ ବାସସ୍ଥାନଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଗଡଗଡେଶ୍ଵର ଶିବ ମନ୍ଦିର। ଆଉ ତାପାଖରେ ବାପା ତା’ର ପୂଜା ଉପକରଣ ଦୋକାନଟିଏ ଖୋଲିଥିଲେ।
ବାପାଙ୍କ ଅନ୍ତେ ରଞ୍ଜନ ଏବେ ଦୋକାନ ସମ୍ଭାଳୁଛି। ରଞ୍ଜନର ବୟସ ପାଖାପାଖି ଅଣଚାଳିଶି । ଦୋକାନର ବୟସ ପ୍ରାୟ ଚଉତିରିଶି । ରଞ୍ଜନର ପରିବାର କହିଲେ ଦୀର୍ଘଦିନ ଧରି ପକ୍ଷାଘାତ ପୀଡ଼ିତା ଚଉତିରିଶି  ବର୍ଷର ସ୍ତ୍ରୀ, ଚଉଦ ବର୍ଷର ପୁଅ ଗୋଟିଏ, ଆଠ  ବର୍ଷର ସାନ ଝିଅ ଓ ଦିବ୍ୟାଙ୍ଗ ବତିଶି  ବର୍ଷର ସାନ ଭଉଣୀ। ବାପାଙ୍କ ପୂର୍ବରୁ ମାଆର ଟ୍ୟୁମରରେ ଦେହାନ୍ତ ହୋଇଯାଇଥିଲା। ପଇସା ଅଭାବରୁ ମାଆର ଉପଯୁକ୍ତ ଚିକିତ୍ସା ହୋଇପାରି ନ ଥିଲା। ମାଆଙ୍କ ପରେ ପରେ ବାପା ବି ଆଖି ବୁଜିଲେ। ଆୟର ପନ୍ଥା ଏକମାତ୍ର ପୂଜା ଉପକରଣ ଭଣ୍ଡାର। ପୁଅର ଦଶମ ଶ୍ରେଣୀ ଓ ଝିଅ ଚତୁର୍ଥ ଶ୍ରେଣୀରେ ପଢେ‌ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢନ୍ତି‌। ରାମ ସାର଼ କହନ୍ତି ପୁଅ ଓ ଝିଅ ଦୁଇଜଣ ଭଲ ପଢୁଛନ୍ତି। ପଢାରେ ଯେମିତି ହେଳା ନ ହୁଏ‌। ଛୁଟି ଦିନ ଛାଡିଦେଲେ ଅନ୍ୟ ଦିନରେ ପୁଅକୁ ଦୋକାନକୁ ଆସିବାକୁ ମନା କରି ଦେଇଛି। ପୁଅର ଲକ୍ଷ୍ୟ ଡାକ୍ତର ହେବ। ସେଥିପାଇଁ ପରିଶ୍ରମ ବି ଜାରି ରଖିଛି‌। ବରଂ କଷ୍ଟ ହେଉ ସେ ନିଜେ ବଡି ଭୋରରୁ ଉଠି ସ୍ତ୍ରୀ, ଭଉଣୀ ଓ ପିଲାମାନଙ୍କ କଥା ବୁଝିସାରି ଦୋକାନକୁ ବାହାରିଯାଏ। ମଝିରେ ଆସି ସମସ୍ତ ବ୍ୟବସ୍ଥା ବୁଝି ପୁଣି ଦୋକାନକୁ ଫେରିଆସେ। ପ୍ରଭୁ ଗଡଗଡେଶ୍ଵରଙ୍କ କୃପାରୁ ଯାହା କିଛି ରୋଜଗାର ହୁଏ, ସେଥିରୁ ସଞ୍ଚୟ ନ ହେଲେ ବି ପରିବାର କଷ୍ଟେ ମଷ୍ଟେ ଚଳିଯାଏ। ପୁଅ ପାଠପଢ଼ାରେ ଖୁସି ହୋଇ ରବୀନ୍ଦ୍ର ଗୁରୁଜୀ ତା’ର ଉଚ୍ଚତର ଅଧ୍ୟୟନ ନିମନ୍ତେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସମୟ ରାତି ନଅଟା। ରାତ୍ର ଭୋଜନ ପାଇଁ ସମସ୍ତେ ରଞ୍ଜନ ଅପେକ୍ଷାରେ। ଆଜି ଆସିବାରେ କାହିଁକି ଟିକେ ବିଳମ୍ବ ହୋଇଗଲାଣି। ହଠାତ୍ କବାଟ ଠକ୍ ଠକ୍ ଶବ୍ଦରେ ପୁଅ ଭାଗବତ କବାଟ ଖୋଲି ଦେଖିଲା ଜଣେ ପୁଲିସ୍ ବାବୁ ଖାକି ପୋଷାକରେ ଠିଆ ହୋଇଛନ୍ତି। ବାବୁଙ୍କୁ ନମସ୍କାର ଜଣାଇଲା ଭାଗବତ। ପୁଲିସ୍ ବାବୁ ପଚାରିଲେ- ରଞ୍ଜନ ନାୟକ ତୁମର କ’ଣ ହୁଅନ୍ତି? ବାପା ବୋଲି ପାଟିରୁ ବାହାରିଗଲା। ଠିକ୍ ଅଛି, ଆସ ଗାଡ଼ିରେ ବସ। ମୁଁ ଓ ଭଉଣୀ ପ୍ରିୟମ୍ବଦା କିଛି ବୁଝିବା ପୂର୍ବରୁ ମୁଁ ପୁଲିସ୍ ଗାଡ଼ିରେ ବସି ସାରିଥିଲି।
ଗାଡି ଯାଇ ସିଧା ଡାକ୍ତରଖାନା ଅଗଣାରେ ରହିଲା। ଭାଗବତକୁ ପୁଲିସ ବାବୁ ଏକ ନିଛାଟିଆ ଘର ଆଡ଼େ ନେଇଗଲେ। ସେ ଘର ଭିତରକୁ ଯାଇ ଦେଖେ ତ କେହି ଜଣେ ଧଳା ଚାଦରଟେ ଢାଙ୍କି ହୋଇ ଶୋଇଛନ୍ତି। ମୁହଁରୁ ଜଣେ ଚାଦର ଖୋଲି ଦେଇ କହିଲେ ଚିହ୍ନିଲ ଏ କିଏ ? ବାପା କାହିଁକି ଏଠି ଶୋଇଛନ୍ତି? କ’ଣ ହୋଇଛି ବାପାଙ୍କର ? ପୁଲିସ ବାବୁ କହିଲେ- ତୁମ ବାପା ଆଉ ନାହାନ୍ତି ‌। ସେ ମରି ଯାଇଛନ୍ତି। ସତେ ଯେମିତି ଆକାଶଟା ଛିଡ଼ି ପଡିଲା ଭାଗବତ ଉପରେ। ସେ ବାପା ବୋଲି ଚିତ୍କାର କରି ବାପାଙ୍କ ଶବ ଉପରେ ଲୋଟି ପଡ଼ିଲା। ପୁଲିସ ବାବୁ ତାକୁ ଉଠାଇବାକୁ ଚେଷ୍ଟା କଲେ। ସେ କିନ୍ତୁ ଅଚେତ ହୋଇ ଯାଇଥାଏ।
ଘଟଣାଟା ଥିଲା ଏହିପରି। ୨ ମଇ ୨୦୨୨ ସୋମବାର ରାତି ୮ ଟା ପ୍ରାୟ। ସୋମବାର ପାଇଁ ମନ୍ଦିର ଭିଡ ଥିଲେ ବି କମି ଆସିଲେଣି ଲୋକ। ଦୋକାନର ଭିଡ଼ ବି ଟିକେ ପତଳା ହୋଇଆସିଲାଣି। ପାଖରେ ଅଳଙ୍କାର ଦୋକାନଟିଏ । ଆସନ୍ତା କାଲି ଅକ୍ଷୟ ତୃତୀୟା ନିମନ୍ତେ ଦୋକାନ ସଜ୍ଜା ଚାଲିଛି। ହଠାତ୍ କିଛି ବାଣ ଫୁଟିଲା ଭଳି ଶବ୍ଦରେ ରଞ୍ଜନ ଦୋକାନ ବାହାରକୁ ଚାଲି ଆସିଛି। ଜଣେ ଲୋକ ତାକୁ ଧକ୍କା ଦେଇ ଚାଲିଗଲା। ଅଳଙ୍କାର ଦୋକାନୀ ଚୋର….ଚୋର ବୋଲି ଚିତ୍କାର କରୁଥାଏ। ରଞ୍ଜନ ଆଉ ଜଣକୁ କାବୁ କରିବାକୁ ଗଲାବେଳେ ସେପଟୁ ଏକ ଗୁଳି ଆସି ତା ଛାତିରେ ବାଜିଲା। ଓମ୍ ନମଃ ଶିବାୟ ଓ ଭାଗବତ…ଭାଗବତ ଡାକି ଡାକି ତା’ର ପ୍ରାଣବାୟୁ ଉଡିଗଲା। ୧୦୮ ଆମ୍ବୁଲାନ୍ସରେ ତାକୁ ଡାକ୍ତରଖାନା ନିଆଗଲା। ସେଠାରେ ଡାକ୍ତର ମୃତ ବୋଲି ଘୋଷଣା ପରେ ଶବ ବ୍ୟବଚ୍ଛେଦ ପାଇଁ ଗଲା। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ଯେପରି ସିନେମା ପରି ଘଟିଗଲା।
ଭାଗବତର ଚେତା ଫେରିଲା ବେଳକୁ ଦେଖିଲା ତା ସମ୍ମୁଖରେ ବାପାଙ୍କ ଶବ। ଶେଷକୃତ୍ୟ ପାଇଁ ଆୟୋଜନ ହୋଇଯାଇଛି। ନିଜକୁ ଆୟତ୍ତ କରି ସବୁ କର୍ମ ଶେଷ କଲା ସେ।
ସରକାରଙ୍କ କିଛି ସହାୟତା ରେ ଦଶାହ କାର୍ଯ୍ୟ ବି ଶେଷ ହୋଇଗଲା।
ଭାଗବତ ବର୍ତ୍ତମାନ ଅନେକ ବୁଢିଆଣୀ ଜାଲ ଭିତରେ ଫସିଥିବା ଛୋଟ କୀଟଟିଏ। କ’ଣ କରିବ ସେ ? କିଛି ବି ଭାବିଲା ବେଳକୁ ଆଖି ସାମ୍ନାରେ ନାଚି ଯାଉଛି ତା ରୋଗୀଣା ମାଆ, ଦିବ୍ୟାଙ୍ଗ ପିଉସୀ ଓ ସାନ ଭଉଣୀର ମୁହଁ। ତାସ ପତା ପରି ତା ସ୍ଵପ୍ନ ଗୁଡିକ ଯେପରି ଟଳି ପଡୁଛନ୍ତି। ଝଡି ଯାଉଥିବା ଫୁଲ କଢିଟେ ସେ।
ସଂସାରରେ ଏହିପରି ଆଖିରେ ଆଖିଏ ସ୍ଵପ୍ନ ଦେଖୁଥିବା ଅନେକ ସୁନ୍ଦର କଢି ପ୍ରସ୍ଫୁଟିତ ପୂର୍ବରୁ ଝଡ଼ି ଯାଉଛନ୍ତି। ସେମାନଙ୍କ ପାଇଁ ଆମେ କ’ଣ କରିପାରିବା ଆଜି ତାହା ପ୍ରଶ୍ନବାଚୀ।
**********************

Leave a Comment

Your email address will not be published. Required fields are marked *