କବିତାରେ ଆଉ କ’ଣ ଲେଖିବା ବାକି ରହିଲା ?
ଯେ ମୁଁ ଲେଖିବି!
ଯାହା ଲେଖା ହେବାର କଥା ସବୁ ତ ଲେଖା ହେଲା ।
ଅମାବାସ୍ୟାର ଆଲିଙ୍ଗନଠୁ ଆରମ୍ଭ କରି ପୂର୍ଣ୍ଣମୀର ଚୁମ୍ବନ ପର୍ଯ୍ୟନ୍ତ ,
ସାଗରର ଯୌବନଠୁ ଆରମ୍ଭକରି ନଦୀର ତୃଷ୍ଣା ପର୍ଯ୍ୟନ୍ତ ,
ନୀଳକଇଁର ଅପେକ୍ଷାଠୁ ଆରମ୍ଭ କରି ଝରାଶେଫାଳୀର ମୋକ୍ଷ ପର୍ଯ୍ୟନ୍ତ
ସବୁ ତ ଲେଖା ସରିଲାଣି , ଆଉ କ’ଣ ବା ଲେଖିବି??
ଦୁଃଖ ଦରିଆ ର ଗଭୀରତା ଏଠି ମପାସରିଛି
ବେଦନାର ବତୁରା କାଗଜଡ଼ଙ୍ଗା ଭାସିଯାଇଛି
ଅସଂଖ୍ୟ ଅସ୍ତିତ୍ଵ ଖିନ୍ ଭିନ ନୀରବତାର
ଡ଼ାଇନା ମାଇଟ ବିସ୍ଫୋରଣରେ
କବିତାରେ କେବେ ରକ୍ତ ଟକ୍ ମକ୍ ଫୁଟିଛି
ପୁଣି କେତେ ଆଞ୍ଚୁଡ଼ାଦାଗ ପ୍ରିୟତମା ! ର ଛାତିରେ
ନୀଳକଇଁର ତୃଷ୍ଣା ଜାଗ୍ରତ କରିଛି
ଆଉ କ’ଣ ବା ରହିଲା ବାକି ମୁଁ ଲେଖିବି ??
ଏଇଠି ଜୀବନର ଉପପାଦ୍ୟଠୁ ଆରମ୍ଭ କରି
ସର୍ବଶ୍ରେଷ୍ଠ ଉପନ୍ୟାସର ଉପସଂହାର ଲେଖାସରିଛି
ଉଆଁସୀ କନ୍ୟାର ଝୁରା ପଣଠୁ ଆରମ୍ଭ କରି
ଆଦ୍ଯ ମୌସୁମୀରେ ଶ୍ରାବଣୀ ଦାସର ଆତ୍ମତୃପ୍ତିର
ଦସ୍ତାବିଜ୍ ରେ ଦସ୍ତଖତ ଲାଲ୍ ଅଳତାରେ ଦେଇଛି
ଶାନ୍ତିଠୁ ଆରମ୍ଭ କରି ମୋକ୍ଷର ଦ୍ଵାରଦେଶ ପର୍ଯ୍ୟନ୍ତ
ଲମ୍ବିଥିବା ରାସ୍ତାର ପାନ୍ଥଶାଳାର ଠିକଣା କବିତାରେ ଅଛି
ଆଉ କ’ଣ ବା ରହିଲା ବାକି ??
କବିତାରେ ଅନନ୍ତ ଅନ୍ତରୀକ୍ଷ ର ପ୍ରତିଛବି
ପୁଣି ଆକାଶର ପରିବ୍ୟାପ୍ତି
କିଏ ଜଣେ ଆଙ୍କିଥିଲା ତ ଚାତକର ସ୍ଵପ୍ନ
ଅତି ନିକଟରେ ଝୁଲୁଥିବା ପଞ୍ଜୁରୀର ପକ୍ଷୀ ଆଶା
ବନ୍ଦୀକଏଦୀର ନିରୂତା ଆତ୍ମବାଣୀ
ପ୍ରିୟତମା! ଆଖିରେ ଶେଷହୀନ ଅନୁରାଗ
ଶ୍ରୀରାଧା ର ଯେତକ ଝୁରାପଣର
କେତେ କେତେ ପୃଷ୍ଠାର କବିତା
ସେହି କବିତା ଅପେକ୍ଷାରେ ଯେତେ ଆତୁରପଣ
ସବୁ ତ କବିତାରେ ଖୁବ୍ ଜୀବନ୍ତୁ
ଆଉ କ’ଣ ବା ରହିଲା ବାକି ??
ଯେ ମୁଁ ଲେଖିବି !!
କାଶ୍ମୀର ର ଶିକାରାରେ ଆସନ୍ନ ସନ୍ଧ୍ୟା
ପୁଣି କୋଣାର୍କରେ ସୂର୍ଯ୍ୟଦୋୟର ଜାଗ୍ରତପଣ
ପରଦେଶୀର ଅପେକ୍ଷାରେ
ବସନ୍ତର ଧାଡ଼ି ଧାଡ଼ି ବିରହ ଗଜଲ
ପୁଣି ଫୁଗୁଣରେ ଫୁଲଝରା ପ୍ରୀତିର
ମଦିରାରେ ମାତାଲ୍ ସଜଉଥିବା ନିଶାର ପିଆଲା
ସବୁ ତ ଲେଖାହେଲା
ଆଉ କ’ଣ ବା ରହିଲା ବାକି ??
ଯେ, ମୁଁ ଲେଖିବି!!
ତଥାପି କବିତାଟେ
ଲେଖିବାର ଅଛି !!





