ତୁମେ ସୁଆଦିଆ ଗରମ ଚା’ ର ବାସ୍ନା
ମୁଁ ସେଇ ପୋଡା ମାଟିର କପ୍
ତୁମେ ସନ୍ଧ୍ୟାର ଅଦିନିଆ ମେଘୁଆ ପାଗ
ମୁଁ ରାଗ ମିଶା ଖଟାଳିଆ ସୁପ୍ ।।
ତୁମେ ସଜ ଫୁଲମାନଙ୍କର ସତେଜ ତୋରଣ
ମୁଁ ଡ଼ାଏରୀ ଛାତିର ଶୁଖିଲା ଗୋଲାପ
ତୁମେ ହୀରାମୋତି ଖଞ୍ଜା ଜୀବନ୍ତ ମୂର୍ତ୍ତିଟିଏ
ମୁଁ ତମ୍ବା ଚାଦରରେ ସୁନାର ପ୍ରଲେପ ।।
ତୁମେ ସଂଗ୍ରହାଳୟେ ସାଇତା ପୋଥିଟିଏ
ମୁଁ ତୁମ ଥାକରେ ଆଲେଖା କଲମ
ତୁମେ ଶୀତଳ କାଚଘରର ଗୋଲ୍ ସେଓ
ମୁଁ ତରଳି ସରିଯାଉଥିବା ମହମ ।।
ତୁମେ କଷ୍ଟିଆ ଅବୁଝା ରସାୟନ ବିଜ୍ଞାନ
ମୁଁ ତ ଶରୀର ତତ୍ତ୍ଵ ସବୁଦିନିଆ
ତୁମେ ବୁଝିଲା ଶୁଝିଲା ଦାୟିତ୍ଵବାନ୍ କେତେ
ମୁଁ ଭାରି ଅଝଟ ଗେଲ ବସରିଆ ।।
ତୁମେ ଉଚ୍ଚା ତାଳଗଛ ଡେଙ୍ଗା ପାହାଡ଼
ମୁଁ ଝାଉଁଳା ଲତାଟିଏ ଲାଜକୁଳୀ
ତୁମେ ଭୟକୁ ଜିତିଯାଇଥିବା ପୁଅଟିଏ
ମୁଁ ବାସ୍ ଏମିତି ଝିଅଟେ ଡରକୁଳି ।।
ତୁମେ ବାସ୍ତବତା ଦୃଷ୍ଟିଭଙ୍ଗୀର ମଣିଷଟେ
ମୁଁ ଭଲପାଏ ମୋ କଳ୍ପନା ରାଇଜକୁ
ତୁମେ ଚିଲ ଶାଗୁଣା ପରି ବେଶ୍ ଉଡ଼ିପାର
ମୁଁ ଚାଁହୁଥାଏ ଖଣ୍ଡିଉଡ଼ା ଦେବାକୁ।।
ତୁମେ ମୋ ପ୍ରତି ରାତିର ସ୍ବପ୍ନମେଳରେ
ମୁଁ ତୁମର ହଜିଲା ଦିନର ପ୍ରିୟା
ତୁମେ ମୋ ଝରକା ଫାଙ୍କର ତୋଫା ଜହ୍ନ
ମୁଁ ତୁମ ଜୀବନ ଆକାଶର ଅମାବାସ୍ୟା।।