ତୁମେ ଶକ୍ତି ତୁମେ ଭକ୍ତି

ଅସୀମିତ ଆଶା ଆକାଂକ୍ଷା ଭିତରେ
ଅଚିହ୍ନାଟେ ଥିଲ ତୁମେ,
ଅଗଣିତ କଥା ଅଭିଳାଷ ମଧ୍ୟେ
ବାନ୍ଧିନେଲ ଆଜି ତୁମେ ।

ଜଣାନାହିଁ କେବେ ଏତେ ବି ନିଜର
ସାଜିଗଲ ଧୀରେ ତୁମେ,
ମନେନାହିଁ କେବେ ଅଜଣାଟେ ବୋଲି
ଥିଲ କେଉଁ ଦିନ ତୁମେ ।

ଅନେକ ସ୍ୱପ୍ନର ଦିଗହରା ପଥେ
ବାସ୍ତବତା ପରା ତୁମେ,
ଅଦେଖା ବାଟର ସମ୍ଭାବନା ପରି
ଆଶାର ଆଲୋକ ତୁମେ ।

ଝରା ଶେଫାଳୀର ପ୍ରୀତି ସୁଗନ୍ଧରେ
ସକଳ ସନ୍ତୋଷ ତୁମେ,
ଭରା ଜୀବନର ଆତ୍ମତୃପ୍ତି ମଧ୍ୟେ
ଶାନ୍ତିର ସୌଭାଗ୍ୟ ତୁମେ ।

ହଜିଯାଉଥିବା ହସର ସାଉଁଟା
ପୂର୍ଣ୍ଣ ସିନ୍ଦୂକଟା ତୁମେ,
ଲୁଚିଯାଉଥିବା ସ୍ଵାତି ନକ୍ଷତ୍ରର
ନୂଆ ପରିଚୟ ତୁମେ ।

ତୁମରି ଆଦର୍ଶେ ତୁମ ପରାମର୍ଶେ
ସଦା ବାସୁଥାଅ ତୁମେ,
ତୁମେମୟ ଏଇ ଜୀବନ ପୃଷ୍ଠାରେ
ନିତି ଆସୁଥାଅ ତୁମେ ।

ଚିହ୍ନା ଅଚିହ୍ନା ଏ ଅଙ୍କାବଙ୍କା ବାଟେ
ଶକ୍ତିର ଉତ୍ସଟେ ତୁମେ,
ବିଶ୍ୱାସ ଭରଷା ଭାବନା ମାର୍ଗରେ
ଭକ୍ତିର ଦୀପାଳି ତୁମେ ।

Leave a Comment

Your email address will not be published. Required fields are marked *