ଦୁଃଖୀ ରତନ

ତୁମେ ଏତେ ବଡ ବୋଲି
ଜାଣି ନଥିଲି
ହୃଦୟ କୁଡିଆ କରି
ସଜାଉ ଥିଲି ।।
ତୁମେ ବଡ ଧନୀ ବୋଲି
ଆଜି ବୁଝିଲି
ବଡ଼ ଦାଣ୍ଡେ ଭିକାରୁଣୀ
ଯେବେ ମୁଁ ହେଲି ।।
ତୁମେ ବଡ଼ ଦାନୀ ବୋଲି
ଦେଖି ନଥିଲି
ଅବଢା ତୁମର ଯେବେ
ମାଗି ଖାଇଲି ।।
ତୁମେ ବିଶ୍ଵରାଜା ବୋଲି
ଭାବି ନଥିଲି
ବାଇଶି ପାହାଚେ ଯେବେ
ନ୍ୟାୟ ମାଗିଲି ।।
ରାଧା ପ୍ରାଣଧନ ବୋଲି
ଜାଣି ତ ଥିଲି
ଚିରାହୃଦେ ବାନ୍ଧିବାକୁ
ପାର୍ଥନା କଲି ।।
ଏତେ ସୁଖ ଶ୍ରୀମନ୍ଦିରେ
ଦେଖି ନ ଥିଲି
ଗରୁଡ଼ ଖମ୍ବରୁ ଫେରି
ବୁଝି ପାରିଲି ।।
ତୁମେ ଏତେ ପୁଣ୍ୟ ବୋଲି
ବୁଝି ନଥଲି
ମହୋଦଧି କୋଳେ ଯେବେ
ପାପ ଧୋଇଲି ।।
ତୁମେ ଭାଗ୍ୟ ଲେଖ ବୋଲି
ଜାଣି ନ ଥିଲି
ଲହୁକୁ ଝରାଇ ଯେବେ
ଅନ୍ଧ ହୋଇଲି ।।
ତୁମେ ଆପଣାର ଏତେ
ଗଣି ନ ଥିଲି
ଯେବେ ଅଭିମାନ ତୁମ
ପାଶେ ବାଢ଼ିଲି ।।
ମାଗିବିନି ସୁଖ କେବେ
କଳାବଦନ
ଦୁଃଖୀ କରିଦିଅ ପ୍ରଭୁୁ
ଅମୂଲ୍ୟ ଧନ ।।
ମିଛର ସମ୍ପର୍କ ଗଢି
ଜଳେ ଜୀବନ
ସତ ଜଗନ୍ନାଥ ମୋର
ଦୁଃଖୀ ରତନ ।।

Leave a Comment

Your email address will not be published. Required fields are marked *