ଦିଗହରା ମାର୍ଗଦର୍ଶକ(ପୁରାଣ ବର୍ଣ୍ଣିତ )

ମହାରାଜ ଉତଥାନପାଦ ଙ୍କର ଦୁଇଟି ପତ୍ନୀ ଥିଲେ, ସୁନୀତି ଏବଂ ସୁରୁଚି । ସେମାନଙ୍କ ନାମ ଅନୁସାରେ ସେମାନଙ୍କ ଗୁଣ ମଧ୍ୟ ସେହିଭଳି ହିଁ ଥିଲା । ସୁନୀତି ସବୁବେଳେ ନୀତି ଆଦର୍ଶ ଏବଂ ଧର୍ମ ର ମାର୍ଗ ରେ ଚାଲୁଥିଲେ, ଆଉ ସୁରୁଚି ସବୁବେଳେ ସେଇ ମାର୍ଗ ରେ ଚାଲୁଥିଲେ ଯାହା ତାଙ୍କୁ ରୁଚିକର ଲାଗୁଥିଲା । ଦୁଇ ରାଣୀ ଙ୍କର ଦୁଇଟି ପୁତ୍ର ମଧ୍ୟ ଥିଲେ । ସୁନୀତି ଙ୍କ ପୁତ୍ର ଥିଲେ ଧ୍ରୁବ ଯାହାର ଅର୍ଥ ସ୍ଥିର/ଦୃଢ ସଂକଳ୍ପବଦ୍ଧ । ସୁରୁଚି ଙ୍କ ପୁତ୍ର ଥିଲେ ଉତ୍ତମ ଯାହାକୁ ବ୍ୟାକରଣରେ ସନ୍ଧି ବିଛେଦ କଲେ ହୁଏ ଉତ୍+ତମ । ଅର୍ଥାତ ତମ ଗୁଣ ର ଉତ୍କୃଷ୍ଟତା ।

ଦିନେ ଉତଥାନପାଦ ଙ୍କ  କୋଳ ରେ ସୁରୁଚି ଙ୍କ ପୁତ୍ର ଉତ୍ତମ ବସିଥିବାର ଦେଖି, ଧ୍ରୁବ ଙ୍କୁ ମଧ୍ୟ ଇଛା ହେଲା ବାପା ଙ୍କ କୋଳ ରେ ବସିବା ପାଇଁ । ତେଣୁ ସେ ଦୌଡିଲେ ବାପାଙ୍କ ପାଖକୁ । ମହାରାଜ ଉତଥାନପାଦ ମଧ୍ୟ ଖୁବ ଆଗ୍ରହ ର ସହିତ ଧ୍ରୁବ ଙ୍କୁ ନିଜ କୋଳ କୁ ନେବାକୁ ଯାଉଥିଲେ, କିନ୍ତୁ ଠିକ ସେତେବେଳେ ସୁରୁଚି ଆସି ଧ୍ରୁବ ଙ୍କୁ ମହାରାଜ ଙ୍କ କୋଳ ରୁ ନିବୃତ କରି ଭୂମି କୁ ଫିଙ୍ଗିଦେଲେ ଆଉ କହିଲେ, “ଆଜି ମହାରାଜ ଙ୍କ କୋଳରେ ବସିବୁ, ତା’ପରେ କାଲି ସିଂହାସନ ରେ ବସିବୁ । ଭାରି ସାହସ ତୋ’ର ଦେଖୁଛି । ଶୁଣ! ତୋ’ର ଏ ସବୁ ରେ କିଛି ବି ଅଧିକାର ନହିଁ । ନା ମହାରାଜ ଙ୍କ କୋଳ ରେ ନା ସିଂହାସନ ରେ । ଆଉ ଯଦି ତୁ ସେଠାରେ ବସିବାକୁ ଚାହୁଁ, ତାହେଲେ ତୋତେ ମୋ ଗର୍ଭ ରୁ ଜନ୍ମ ନେବାକୁ ପଡିବ । ତେଣୁ ଭଗବାନ ଙ୍କୁ ତପସ୍ୟା କର, ଆରଜନ୍ମ ରେ ଯେମିତି ତୋତେ ମୋ ଗର୍ଭରେ ସ୍ଥାନ ମିଳିବ” ।

ସୁରୁଚି ଙ୍କ କଥା ରେ ଧ୍ରୁବ କ୍ରୋଧିତ ହେଇ ସୁରୁଚି ଙ୍କୁ ପ୍ରତିଉତ୍ତର ଦେବାକୁ ଉଦ୍ୟତ ହୁଅନ୍ତେ ତାଙ୍କ ମାତା ସୁନୀତି ସେଠାରେ ଉପସ୍ଥିତ ହେଲେ ଆଉ ଧ୍ରୁବ ଙ୍କୁ କହିଲେ,

“ମୂର୍ଖସ୍ୟ ପଞ୍ଚଚିହ୍ନାଣି ଗର୍ବୋ ଦୁର୍ବଚନମ ତଥା

କ୍ରୋଧସ୍ୟ ଦୃଢବାଦସ୍ୟ ପରୋବକ୍ୟେ ସ୍ଵନାଦରଃ”

ଅର୍ଥାତ, ଶାସ୍ତ୍ର ରେ କୁହାଯାଇଛି ଯେ ମୂର୍ଖ ମାନଙ୍କର ପାଞ୍ଚଟି ଚିହ୍ନ ଥାଏ ଯଥା; ମିଛରେ ଗର୍ବ କରିବା, ଅନ୍ୟ ମାନଙ୍କୁ କଷ୍ଟ ଲାଗିଲା ଭଳିଆ କଥା କହିବା, ତୁଚ୍ଛରେ କ୍ରୋଧ କରିବା, ଦୃଢ ଭାବେ ଯୁକ୍ତି କରିବା ଏବଂ ଅନ୍ୟ ମାନଙ୍କ କଥା କୁ ଅନାଦର କରିବା ।ଯିଏ ଆମକୁ ଭଗବାନ ଙ୍କ ଶରଣ କୁ ଯିବା ପାଇଁ ପରାମର୍ଶ ଦିଅନ୍ତି ତାଙ୍କୁ କେବେ ମଧ୍ୟ ଅନାଦର କରିବା ଉଚିତ ନୁହଁ ପୁତ୍ର । ତେଣୁ ତୁମେ ମାତା ସୁରୁଚି ଙ୍କୁ ଧନ୍ୟବାଦ ଜଣାଅ ଆଉ ଭଗବାନ ଙ୍କୁ ତପସ୍ୟା କର । ପିତାଶ୍ରୀ ଙ୍କ କୋଳ ରେ ବସିବାକୁ ସିନା ମାତା ସୁରୁଚି ଙ୍କ ଗର୍ଭରୁ ଜନ୍ମ ହେବାକୁ ପଡିବ ହେଲେ ଭଗବାନ ଙ୍କ କୋଳ ରେ ବସିବା ପାଇଁ ସେସବୁ କିଛି ଦରକାର ନାଇଁ । ତୁମ ସ୍ଥାନ ଭଗବାନ ଙ୍କ କୋଳ ରେ ଅଛି ଧ୍ରୁବ, ଯାଅ ଭଗବାନ ଙ୍କୁ ତପସ୍ୟା କର” ।

ଅବୋଧ ଶିଶୁ ଥିଲେ ଧ୍ରୁବ, ସିଏ କଣ ବା ଜାଣିବେ ତପସ୍ୟା କେମିତି କରାଯାଏ ? ଥରେ ମାତା ସୁନୀତି ଙ୍କ ଠାରୁ ଶୁଣିଥିଲେ ଯେ ମୁନି ଋଷି ମାନେ ଜଙ୍ଗଲରେ ତପସ୍ୟା କରନ୍ତି । ବାସ୍, ଚାଲିଲେ ଜଙ୍ଗଲ ଆଡକୁ ତପସ୍ୟା କରିବା ପାଇଁ ।

ଜଙ୍ଗଲ ଭିତରେ ଜଣେ କୁନି ଶିଶୁକୁ ଏମିତି କାନ୍ଦି କାନ୍ଦି ଯାଉଥିବାର ଦେଖି, ଧନୁ ତୀର ଧରିଥିବା ଜଣେ ବ୍ୟାଧ ତା ପାଖକୁ ଗଲା ଆଉ ପଚାରିଲା,

“ଏ ଛୁଆ! କାନ୍ଦି କାନ୍ଦି ଏ ଜଙ୍ଗଲ ଭିତରେ କୁଆଡେ ଯାଉଛୁ ? କିଏ ତୁ?”

“ମହାରାଜ ଉତଥାନପାଦ ଆଉ ମାତା ସୁନୀତି ଙ୍କ ପୁତ୍ର, ମୋ ନାଁ ଧ୍ରୁବ । ମୁଁ ଏ ଜଙ୍ଗଲ କୁ ତପସ୍ୟା କରିବାକୁ ଆସିଛି । ଭଗବାନ ଯେତେବେଳେ ଦେଖାଦେବେ ମୁଁ ତାଙ୍କୁ କହିବି, ସିଏ ମୋତେ ତାଙ୍କ କୋଳ ରେ ବସେଇବେ । ମାତା ସୁରୁଚି ମୋତେ ପିତାଙ୍କ କୋଳ ରେ ବସିବାକୁ ଦେଉନାହାନ୍ତି ନା, ସେଥିପାଇଁ ମାତା ସୁନୀତି କହିଲେ ଯାଅ ତୁମେ ତପସ୍ୟା କଲେ ଭଗବାନ ଙ୍କ କୋଳ ରେ ବସିବ ” ।

ଅବୋଧ ବାଳକ ଧ୍ରୁବ ଙ୍କ କଥା ଶୁଣି ସେ ବ୍ୟାଧ ଟି, “ହେ ହେ ହେ ହେ…. ଜଙ୍ଗଲ ରେ ଭଗବାନ” କହି ହସିବାକୁ ଲାଗିଲା ଆଉ ତା ପରେ କହିଲା, “ଭଗବାନ ନାଇଁ, ବଡ ବଡ ଦନ୍ତ, ମୁନିଆ ଧାରୁଆ ନଖ ରଖିଥିବା ବାଘ ଅଛି ଜଙ୍ଗଲ ରେ । ଖାଇଯିବ ତୋତେ, ଯା ଘରକୁ ପଳା” ।

ସେ ବ୍ୟାଧ ର କଥା ଶୁଣି ଧ୍ରୁବ ନିଜ ନିରୀହ କଣ୍ଠ ରେ କହିଲେ, “ମାତା କୁହନ୍ତି, ବାଘ ଭିତରେ ବି ଭଗବାନ ଅଛନ୍ତି । ଯଦି ଭଗବାନ ମୋତେ ଖାଇବେ ତାହେଲେ ଖାଆନ୍ତୁ” ।

ବ୍ୟାଧ ପୁଣି କହିଲା, “ତୁ ଜାଣିନୁ ରେ ଛୁଆ, ତପସ୍ୟା କଲାବେଳେ ବହୁତ କଷ୍ଟ ହବ । ଖରା, ବର୍ଷା, ଶୀତ ଏ ସବୁ କୁ ତୋ’ର କୁନି ଶରୀରରେ ଜମା ସହି ପାରିବୁନି, ମରିଯିବୁ ତୁ । ଯା ପଳା ଏଇଠୁ” ।

ନିରୀହ ଧ୍ରୁବ ପୁଣି କହିଲେ, “ମାତା କୁହନ୍ତି, ଶିଶୁ ଟିଏ ଜନ୍ମ ହେବା ସମୟରେ ଶିଶୁ ଆଉ ମାତା ଦୁହିଁଙ୍କୁ ବହୁତ ପୀଡା ହୁଏ, ଯନ୍ତ୍ରଣା ହୁଏ । ସେତେବେଳେ ତ ସେମାନଙ୍କ ର ମରିଯିବାର ସମ୍ଭାବନା ଅଧିକ ଥାଏ । କିନ୍ତୁ ଭଗବାନ ସେତେବେଳେ ସେମାନଙ୍କର ରକ୍ଷା କରନ୍ତି । ଏବେ ବି ମୁଁ ତପସ୍ୟା କଳାବେଳେ ମୋର ରକ୍ଷା କରିବେ, ମୋର କିଛି ହବନି” ।

ସେ ବ୍ୟାଧ ଧ୍ରୁବଙ୍କ କଥା ଶୁଣି ହସିବାକୁ ଲାଗିଲା ଆଉ କହିଲା, “ଆରେ ଏ କ୍ଷତ୍ରୀୟ ଛୁଆ! ଏ ସବୁ କହିବା ବଡ ସହଜ । କିନ୍ତୁ ଯେତେବେଳେ ତପସ୍ୟା କରୁଥିବୁ ଭୋକ ଲାଗିବ, ଆଉ ତୋତେ କିଛି ଖାଇବାକୁ ମିଳିବନି । ସେତେବେଳେ କେଉଁ ଭଗବାନ ତୋ ପିଠିରେ ପଡିବ ଦେଖିବା । ଏବେ ବି ସମୟ ଅଛି, ତୋ ମାତା ତୋପାଇଁ ଖାଇବା ଥାଳି ଧରି ଅପେକ୍ଷା କରିଥିବେ । ସୁନା ପିଲାଙ୍କ ଭଳିଆ ଘରକୁ ପଳା ଯା” ।

ଧ୍ରୁବ କିନ୍ତୁ ନିଜ ନିସ୍ପତି ରେ ଅଟଳ ଥିଲେ, ତେଣୁ ସିଏ ପୁଣି କହିଲେ, “ମୋ ମାତା କୁହନ୍ତି, ଯେତେବେଳେ ମୁଁ ଜନ୍ମ ହେଲି ସେତେବେଳେ ମୋତେ ଖାଦ୍ୟ କଣ, କିପରି ଖା’ନ୍ତି, କାହିଁକି ଖା’ନ୍ତି କିଛି ଜଣା ନଥିଲା । ହେଲେ ଏ ସବୁ ର ବ୍ୟବସ୍ଥା ଭଗବାନ ମୋ ପାଇଁ ଆଗରୁ କରି ରଖିଥିଲେ, ମୁଁ ଜନ୍ମ ହେବା ପୂର୍ବରୁ ମୋ ମାତା ଙ୍କ ବକ୍ଷ ରେ ମୋ ପାଇଁ ଖାଦ୍ୟ ଭରି ରଖିଥିଲେ । ତାହେଲେ ଏବେ ବି ସିଏ କିଛି ନା କିଛି ମୋର ଖାଇବା ପାଇଁ ବ୍ୟବସ୍ଥା କରି ହିଁ ଦେବେ” ।

ବାଳକ ଧ୍ରୁବ ଙ୍କର ଏହି ସବୁ କଥା ଶୁଣି ସେ ବ୍ୟାଧ ଟି ଖୁସି ହେଇଗଲା ତା ପରେ ଗୋଟିଏ ଶେଷ ପ୍ରଶ୍ନ କଲା, “ଆଛା! ତପସ୍ୟା କରିବାକୁ ଯାଉଛୁ, କାହାକୁ ଗୁରୁ ଭାବେ ଗ୍ରହଣ କରିଛୁ ନା ନାଇଁ?” ।

“ଗୁରୁ ?” ଧ୍ରୁବ ଅବୁଝା ଭାବେ ପ୍ରଶ୍ନ କଲେ ।

ବ୍ୟାଧ ଉତ୍ତର ଟି ଉତ୍ତର ରେ କହିଲା, “ଆରେ ଗୁରୁ ଅର୍ଥାତ ସିଏ, ଯିଏ ତୋ ଅଜ୍ଞାନ ରୂପକ ଅନ୍ଧକାର କୁ ଦୂର କରି ଜ୍ଞାନ ର ଆଲୋକ ଭରିଦେବ ତୋ ଭିତରେ । ଜ୍ଞାନ ଆସିଲେ ଭକ୍ତି ଆସିବ, ଆଉ ଭକ୍ତି ଆସିଲେ ସ୍ଵୟଂ ଭଗବାନ ଆସିବେ” ।

“ନାଇଁ” ମୁଣ୍ଡ ତଳକୁ କରି ଧ୍ରୁବ ଉତ୍ତର ଦେଲେ ।

ଧ୍ରୁବ ର ଉତ୍ତର ଶୁଣିଲା ପରେ ବ୍ୟାଧ ରୂପ କୁ ପରିତ୍ୟାଗ କରି ଦେବର୍ଷି ନାରଦ ନିଜ ପ୍ରକୃତ ରୂପରେ ପ୍ରକଟ ହେଇ କହିଲେ, “ହେ ଧ୍ରୁବ! ଅଜିଠୁ ତୁମେ ହେଲ ମୋର ଶିଷ୍ୟ । ମୋତେ ଗୁରୁ ଭାବେ ଗ୍ରହଣ କର” । ତା’ପରେ ଦେବର୍ଷି ନାରଦ “ଓମ୍ ନମୋ ଭଗବତେ ବାସୁଦେବାୟ” ମହାମନ୍ତ୍ର ର ଦିକ୍ଷା ଧ୍ରୁବଙ୍କୁ ଦେଲେ । ଆଉ ଧ୍ରୁବ ଙ୍କୁ ସେଠାରେ ତପସ୍ୟା କରିବାକୁ ଛାଡିଦେଇ ଅନ୍ତର୍ଧ୍ୟାନ ହେଇଗଲେ ।

ହଠଯୋଗ, ପ୍ରାଣାୟମ ସାଙ୍ଗକୁ ସମାଧିସ୍ଥ ହେଇ ଦେବର୍ଷି ଶିଖେଇଥିବା ମହାମନ୍ତ୍ର କୁ ସର୍ବଦା ଧ୍ୟାନ କଲେ ଧ୍ରୁବ । ଦିନ ପରେ ଦିନ ଗଡି ଚାଲିଲା, ତତସଙ୍ଗେ ସଙ୍ଗେ ଧ୍ରୁବ ଙ୍କର ତପସ୍ୟା ର ପ୍ରଖରତା ବଢି ଚାଲିଲା । ଏମିତି ଏକ ଦିନ ଆସିଲା ଯେ, ଧ୍ରୁବ ଙ୍କର ତପସ୍ୟା ପ୍ରକୋପ ତିନି ପୁର କୁ କମ୍ପେଇ ଦେଇ ବିଷ୍ଣୁ ଲୋକ ରେ ପହଞ୍ଚିଲା । ଶେଷରେ ଭଗବାନ ବିଷ୍ଣୁ ଙ୍କୁ ଆସିବାକୁ ପଡିଲା, ବାଳକ ଧ୍ରୁବ ଙ୍କୁ ଦର୍ଶନ ଦେବାକୁ ନୁହେଁ ବରଂ ତାଙ୍କ କୁନିଭକ୍ତ ଧ୍ରୁବ ଙ୍କର ଦର୍ଶନ କରିବାକୁ । ଭଗବାନ ଆସିଲେ, ଆଉ ଧ୍ରୁବ ଙ୍କୁ କେବଳ ନିଜ କୋଳ ରେ ନୁହଁ ବରଂ ତିନିଲୋକ ର ଉର୍ଦ୍ଧ ରେ ।

କିଏ ଜାଣିଥିଲା ଯେ, ଭଗବାନ ଙ୍କୁ ଖୋଜିବା ପାଇଁ ଘଞ୍ଚ ଜଙ୍ଗଲ ଭିତରେ ଦିଗହରା ହୋଇ ବୁଲୁଥିବା ବାଳକ ଟି ଦିନେ ନିଜେ ଉତ୍ତର ଆକାଶ ରେ ରହି ଅନେକ ଦିଗହରା ପଥିକ ଙ୍କୁ ନିଜ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚିବାର ଠିକଣା ଦେଖେଇବ ବୋଲି ? ଅବଶ୍ୟ ଏ କାହାଣୀ ଟି ଆପଣ ମାନଙ୍କ ପାଇଁ ନୂଆଁ ହେଇନଥିବ ନିଶ୍ଚୟ । କିନ୍ତୁ ସତ କହିଲେ, ସଂସାର ର ସବୁଠାରୁ କମ ବୟସ ର ଭକ୍ତ ଧ୍ରୁବଙ୍କ କଥା ଶୁଣିଲେ କି ପଢିଲେ କଣ ମନ ପୂରିଯାଏ ? ଭଗବତ ପୁରାଣ କୁ, ଓଡିଆ ଭଗବତ ର ଚତୁର୍ଥ ସ୍କନ୍ଦ କୁ, କିଛି ପ୍ରବଚକ ଙ୍କ ପ୍ରବଚନ କୁ, ପିଲାବେଳେ ମୋ ଆଈ ପାଖରୁ ଶୁଣିଥିବା କାହାଣୀ କୁ ଆଉ ଶେଷରେ ମୋ ଖୁରାଫାତି ଦିମାଗ କୁ ଆଶ୍ରୟ କରି ମୁଁ ଏ କାହାଣୀ ଉପସ୍ଥାପନା କରିବାକୁ ଚେଷ୍ଟା କରିଛି । ଯଦି କେଉଁଠି ଭୁଲ ଥାଏ କିମ୍ବା ଖରାପ ଲାଗିଥାଏ, ତାହେଲେ ଦୟାକରି ମୋତେ କ୍ଷମା କରିଦେବେ ।

ସମାପ୍ତି

Leave a Comment

Your email address will not be published. Required fields are marked *