ସେଦିନର ରାତି ତ ଅମାବାସ୍ୟାର ଥିଲା ହେଲେ ପୁନେଇଁ ଚାନ୍ଦ ପରି ଚମକୁ ଥିଲା ସ୍ଵାତୀ। ଏକ ଅବ୍ୟକ୍ତ ସତ କୁ ଦୀପ ତଳେ ରଖି ଅହନିଶି ଜଳି ଚାଲିଥିଲା ସେ ସଳିତା ଟିଏ ପରି , ନିଜ ପରିବାରର ଆତ୍ମସମ୍ମାନ କୁ ସେମିତି ଝଟକେଇ ରଖିବା ପାଇଁ ।
ଜଳି ଜଳି ଲିଭି ଯିବାକୁ ବସିଲା ବେଳେ ଯେମିତି ତା କଟା ଘା ରେ ଚୂନ ଲଗାଉଥିଲା ଏଇ ଦୀପାବଳି ଆଉ ବାଣ ର ଶବ୍ଦ। ଆଜକୁ ପ୍ରାୟ ୩ ବର୍ଷ ପୂର୍ବେ ଠିକ୍ ଏମିତି ସଜେଇ ହେଇଥିଲା ସ୍ଵାତୀ ର ଘର ଆଉ ସ୍ଵାତୀ ,ରୂପ ରଙ୍ଗ ରେ ମୋହିତ ହୋଇ ବୋଧେ ରହିପାରିଲେନି ସଞ୍ଜୀବ ମାମୁଁ , ଭାଣେଜି କୁ ଚକୋଲେଟ ଆଉ ଝୁର୍ଝୁରିଆ ବାଣ ଦେବା ଲୋଭ ରେ ଡାକିନେଲେ , ଆଉ ମିଞ୍ଜି ମିଞ୍ଜି ଦୀପ ଆଲୁଅ ରେ ସ୍ଵାତୀ ର ସେଇ କୁନି ଶରୀର ରୁ ସବୁ ସ୍ବପ୍ନ ,ଆଶା କୁ ଯେମିତି ବାଣ ର ଧୂଆଁ ସହ ମିଶେଇ ଦେଇ ଚାଲିଗଲେ ଭଦ୍ର ଆଉ ନମ୍ର ପରି ଠିକ୍ ସେମିତି ହାତ ଦୁଇଟିକୁ ପଛକୁ କରି ।
କାନ୍ଦି କାନ୍ଦି ଯେତେ ଡାକ ପକାଉଥିଲେ ବି ବାଣ ର ତୀବ୍ର ଶବ୍ଦ ରେ ତାର କରାଳ ସ୍ୱର କାହାକୁ ଶୁଭି ନଥିଲା , ଘର ଲୋକ ତଳେ ସ୍ଵାତୀ କୁ ନ ପାଇ ତା ରୁମ୍ ଆସି ଦେଖନ୍ତି ତ ସ୍ଵାତୀ ପଥର ପାଲଟି ଯାଇଛି , ମାମା ବାବା ଙ୍କୁ ଦେଖି ବହୁତ୍ କାନ୍ଦିଛି ସେଦିନ ସିଏ ନ୍ୟାୟ ପାଇବା ଆଶା ରେ । ପରିବାର ର ଆତ୍ମସମ୍ମାନ , ମର୍ଯ୍ୟାଦା ପାଇଁ ଚୁପ୍ କରେଇ ଦିଆ ଗଲା ତାକୁ , ସେମିତି ସିଏ କଥା କୁହା କଣ୍ଢେଇ ପାଲଟି ଯାଇଛି ।ହେଲେ ଆଜି ଖବର ଆସିଛି , ବ୍ରିଜ୍ ଉପରୁ କାର ଖସି ସଞ୍ଜୀବ ମାମୁଁ ଙ୍କ ମୃତ୍ୟୁ ହେଇଯାଇଛି । ଘରେ କାନ୍ଦ ବୋବାଳି , ଘର ସେମିତି ସଜା ହେଇଛି ଦୀପ ବି ଜଳୁଛି ବାଣ ବି ଫୁଟିଚି ହେଲେ ଏଥର ସ୍ଵାତୀ ଫୁତାଉଚି । ଆଖିରେ ତାର ବି ଲୁହ ୩ ବର୍ଷ ତଳର ପୀଡ଼ା ସବୁ ଯେମିତି ଖୁସି ରେ ଦୌଡ଼ୁଛନ୍ତି ।