ଦୂର ଆକାଶର ଇନ୍ଦୁଟିଏ ଅବା,
ଗଭୀର ସାଗର ର କାଣିଚାଏ ବିନ୍ଦୁ ଟିଏ;
ଦୂର ପାହାଡ଼ ର ଅପହଞ୍ଚ ପଥର ଟିଏ ଅବା,
ସମୁଦ୍ର କୂଳବର୍ତ୍ତୀ ନିର୍ଜନ ଗ୍ରାମ ସିଏ।।
ଦୂର ଦିଗନ୍ତର କେବେ ସେ ଅଣବାହୁଡା ରବି,
ବିଷାଦଗ୍ରସ୍ଥା ଧରଣୀର ପାଣ୍ଡୁ ରଙ୍ଗର ପ୍ରତିଛବି;
ଅଗାଧ ଗାଧ ମହୋଦଧିର ସେ ଦିଶାହୀନ ତରଣୀ,
କେଉଁ ଏକ ଦୁର୍ଭାଗିନୀ ଧରିତ୍ରୀ ନିମନ୍ତେ ଅଦୃଶ୍ୟ ଆକାଶର ପ୍ରେମ ବରଣୀ।।
ଜହ୍ନ ଉଇଁ ନଥିବା ବିଭାବରୀ ର ସେ ଏକ କଳଙ୍କିତ ଫର୍ଦ୍ଦ,
ଦେବାଳୟ ନଦେଖି ମଧ୍ୟ କାହା ପାଇଁ ଦେବୀର ସ୍ୱରୂପ;
ରାତ୍ରୀର ଶେଯ କୁ ସଜାଏ ସେ ଆତ୍ମାହୁତି ଦେଇ କେତେ ଯେ କେଳି ଦୀପ,
କାହାପାଇଁ ସେ କୃଷ୍ଣକାୟ କୁମୁଦିନୀ ପୂର୍ଣ୍ଣ ପୁଷ୍କରିଣୀ ର ପ୍ରଳାପ।।
ଦିବସର ଚଞ୍ଚଳତାରେ ସେ ସାଜିଯାଏ କଳଙ୍କିନୀ,
ଯାମିନୀ ର ଅନ୍ତରାଳେ ମହୁଲି ସୁରେ ସାଜେ ଅର୍ଦ୍ଧାଙ୍ଗିନୀ;
କେହି ତାକୁ ପଚାରେ ନାହିଁ ସେ କାହାର ଜାୟା ଅବା କାହା ସମର୍ପିଣୀ,
କଳଙ୍କିତ ଅଧ୍ୟାୟରେ ଲେଖିଚାଲେ ଲହୁରେ କାହାଣୀ।।
ଦୂର ଦିଗନ୍ତ ଖାଲି ଦୂରରୁ ସୁନ୍ଦର ଦିଶେ,
ପାଖକୁ ଗଲେ ସେ ଦୂରେଇ ଯାଇ ମୁହଁ ଫେରାଇ ନିଏ;
ରହିବାକୁ ଦିଏ ନାହିଁ କାହାକୁ ନିଜ ପାଶେ,
ଶହ ଶହ ଲୋକଙ୍କୁ ପରିବେଷ୍ଟିତ କରିଥିବା ନୀରବ ସ୍ୱରଟିଏ।।
ରଙ୍ଗୀନ ରଜନୀର ସେ ସାଜି ଯାଏ କଳଙ୍କିତ ଜହ୍ନ,
ସମସ୍ତଙ୍କୁ ଆବୋରି ନିଏ ସହି କେତେ ମାନ, ଅପମାନ;
ରାତ୍ରୀର ଗାଢତାରେ ସୃଙ୍ଗାର କରେ ରୂପକ,ଉପମେୟ,ଉପମାନ!
ଦୂର ଦିଗନ୍ତରେ ଲୀନ ହୋଇଯାଏ ଯେବେ ପ୍ରଭାବ ବିସ୍ତାରେ ବୟସର ଚିହ୍ନ!





