ନିଶା

“ଆଖି ଖୋଲି ଦେଖେ ତ ମୁଁ ଗୋଟିଏ ଗଛ ତଳେ ଶୋଇଛି । ସେ ଗଛ ର ନାଁ ମଧ୍ୟ ମୋର ମନେ ପଡୁ ନଥାଏ, ଅନେକ ଥର ଦେଖିଛି ସେ ଗଛ କୁ କିନ୍ତୁ, ଓଃ । ଖାଲି ସେ ଗଛ ନୁହେଁ, ଏମିତି ଅନେକ କଥା ମୋର ମନେ ପଡୁ ନଥାଏ । ଯେମିତି କି କିଏ ମୁଁ, କେଉଁଠି ମୁଁ ଥିଲି, ମୁଁ କୁଆଡେ ଆସିଲି ଆଉ କାହିଁକି ଆସିଲି କିମ୍ବା ଏଇଠି ମୋତେ କିଏ ଆଣି ଥୋଇଦେଲା, ଆଉ ସବୁଠୁ ବଡ ପ୍ରଶ୍ନ ମୋତେ ଏତେ ଥଣ୍ଡା କାହିଁକି ଲାଗୁଥିଲା କିମ୍ବା ଗରମ ଓଃ। ବୁଝି ପାରୁନଥାଏ କଣ ହେଉଥିଲା ମୋ ସହିତ । ସେତେବେଳେ ଆଖି ଆଗରେ ମୋ ଆଖି ବନ୍ଦ ହେବା ପୂର୍ବର ଗୋଟିଏ ଛୋଟିଆ ଦୃଶ୍ୟ ଝାପସା ଝାପସା ନାଚି ଉଠୁଥାଏ ।

ମୁଁ ଗୋଟିଏ ସହର ରେ ଚାଲି ଚାଲି ରାସ୍ତା ପାର ହେଉଥାଏ । ହଠାତ ମୋତେ କିଛି ଗୋଟେ ହେଇଗଲା ଆଉ ମୁଁ ସେଇ ରାସ୍ତା ଉପରେ ହିଁ ଶୋଇଗଲି । ସେତେବେଳେ କିଛି ଲୋକ ଧାଇଁ ଆସିଲେ, ଆଉ ମୋତେ ଉଠେଇବାକୁ ଚେଷ୍ଟା କଲେ । ଆଉ ମୁଁ ଆଖି ବନ୍ଦ କରିଦେଲି । ଯେତେବେଳେ ଆଖି ଖୋଲିଲି ନିଜକୁ ସେ ଗଛ ତଳେ ପାଇଲି । ହେଲେ ମୁଁ ସେ ଗଛ କୁ ଚିହ୍ନି ପାରୁନଥିଲି କଣ ପାଇଁ ? ହଁ, ବୋଧେ ସେ ଲୋକ ମାନେ ମୋତେ କିଛି ଖୁଆଇ ଦେଇଛନ୍ତି । ଯେଉଁ କାରଣ ରୁ ଏ ସବୁ ବିଚିତ୍ର ଅନୁଭୂତି ।

ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ଚାଲି ପାରୁନଥିଲି । ତା ଛଡା ମୋତେ କିଛି ବୁଝା ମଧ୍ୟ ପଡୁ ନଥିଲା କି ମୁଁ କୁଆଡେ ଯିବି । ଠିକ ସେତିକି ବେଳେ ଜଣେ କଳା ରଙ୍ଗ ର, ମୋଟା ମଣିଷ ନିଜ ଭୟଙ୍କର ନିଶ କୁ ସଜ କରି କରି ମୋରି ଆଡକୁ ଆସିଲା ଆଉ ମୋ ପାଖରେ ବସି କହିଲା, “କେମିତି ଲାଗୁଛି ? ମଜା ଲାଗୁଥିବ ନିଶ୍ଚୟ ଏ ନିଶ ଟା” ଏତିକି କହି ଜୋର ଜୋର ରେ ସିଏ ହସିବାକୁ ଲାଗିଲା । ମୋତେ ସେ ଲୋକ ଟିର କଥା ବାର୍ତ୍ତା, ଆଉ ତା’ର ହସ ଆଦୌ ପସନ୍ଦ ନଥିଲା । ତେଣୁ ମୁଁ ସେ ଲୋକ ଟି ଉପରେ ଆକ୍ରମଣ କରି ତା’ର ପାଟି ଚୁପ କରିବାକୁ ଚେଷ୍ଟା କଲି, ହେଲେ ପାରିଲିନି । ବରଂ ସିଏ ମୋତେ ଗୋଟିଏ ଚଟକଣି ମାରି ପୁଣି ସେଇ ଜଣା ଅଜଣା ଗଛ ମୂଳରେ ପକେଇ ଦେଲା ଆଉ ମୋ ଗଳା କୁ ଭିଡି ଧରି କହିଲା, “ଶୁଣ, ତୁମକୁ ଗୋଟିଏ ନିଶା ଦିଆ ଯାଇଛି । ଯାହାର ପ୍ରଭାବ ଧୀରେ ଧୀରେ ଦେଖା ଦେଲାଣି । ମୋତେ ଏଠାକୁ ତୁମର ସାହାଯ୍ୟ କରିବାକୁ ପଠା ହେଇଛି । ତେଣୁ ଚୁପ ଚାପ ବସି ରୁହ ସେଠାରେ” । ମୁଁ ସେ ଲୋକ ଟିର କଥା ଶୁଣି ଚୁପ ହେଇ ସେଇ ଗଛ ତଳେ ବସି ରହିଲି । ତା ଛଡା ମୁଁ କଣ ବା କରି ପାରିଥାନ୍ତି ସେ ମଇଁଷି ଭଳିଆ ଦେଖାଯାଉଥିବା ଦାନବ ରୂପୀ ମଣିଷଟି ର । ପ୍ରକୃତ ରେ ମୋତେ ତାକୁ ଦେଖି ଟିକେ ଭୟ ମଧ୍ୟ ଲାଗୁଥିଲା ।

ଆମେ ବସିଥିବା ସେ ଗଛ ଠାରୁ ସାମାନ୍ୟ କିଛି ପାଦ ଦୂର ଏକ ଘରେ, ଗୋଟିଏ ମଣିଷ ଶୋଇଥାଏ । ଆଉ ତା ଚାରି ପାଖରେ ଲୋକ ମାନେ ରୁଣ୍ଡ ହୋଇ ରହିଥାନ୍ତି । ସେମାନଙ୍କ ଭିତରୁ ମହିଳା ମାନେ ରାହା ଧରି କାନ୍ଦୁଥିଲେ, ଆଉ ପୁରୁଷ ମାନେ ଖୁବ ନୀରବ ଥିଲେ । କେହି କେହି ସେମାନଙ୍କ ଭିତରୁ ନୀରବ ରେ ଲୁହ ମଧ୍ୟ ଗଡାଉ ଥିଲେ । କିଛି ଜଣ ସେ ଶୋଇଥିବା ଲୋକ ଟିର ଫୋଟ ମଧ୍ୟ ଉଠାଉ ଥିଲେ ଆଉ ନିଜ ନିଜ ଭିତରେ ପଚରା ପଚାରି ହଉଥିଲେ, “ଆରେ ଏ ଖବର ଟା ଆମର ଅନ୍ୟସବୁ ସାଙ୍ଗମାନେ ଜାଣିଛନ୍ତି ନା ନାଇଁ” । କେହି କେହି କଥା ହଉଥିଲେ, “ବାଃ । ବଡ ଆଶ୍ଚର୍ଯ୍ୟ ଲାଗୁଛି ହୋ । ଆଜି ସକାଳେ ପିଲା ଟା ମୋ ଦୋକାନ ରୁ ଜଳଖିଆ ଖାଇଥିଲା ଆଉ ଏବେ ଯେ,” । ଆଉ କିଏ କହିଲା, “ହଁ ପରା ଭାଇନା, ଏ ମିଛ ସଂସାର ରେ ଏମିତି ଯିବା ଆସିବା ଲାଗିଛି ତାଉ । କିନ୍ତୁ ବଡ ଭଲ ପିଲା ଟା ଥିଲା ମ ଆମ ଗାଁ କୁ” । ସେତେବେଳେ ଜଣେ ଅଳ୍ପ ବୟସ ର ଯୁବକ ବାଇକ ରେ ଆସିଲା ଆଉ ଅଧ ବାଟ ରୁ ବାଇକ ଟି ଛାଡିଦେଇ ଧାଇଁ ଯାଇ ସେ ଶୋଇଥିବା ଲୋକ ଟିର ଦେହରେ ଲୋଟି ପଡିଲା, “ମୋ ଭାଇ, ମୋ ଭାଇ” କହି କାନ୍ଦିବାରେ ଲାଗିଲା । ତାକୁ ଦେଖିଲା ପରେ ଲୋକମାନେ କୁହା କୁହି ହେଲେ, “ହେଇ ତା, ସାନ ଭାଇ ଆସିଗଲାଣି । ଏଥର ସବୁ ବିଧି ଆରମ୍ଭ କର । ମଶାଣି ନେଇଯିବା” ।

ସେତେବେଳେ ସେ ଲୋକଟିର ଦେହରେ ପାଣି ଢାଳି ତାକୁ ଗାଧେଇ ଦିଆଗଲା, ତା ଦେହ ରେ ଲାଗିଥିବା କପଡା ସବୁ ଖୋଲିଦିଆ ଗଲା, ତାକୁ ନୂଆଁ ବସ୍ତ୍ର ପିନ୍ଧେଇ ଦିଆଗଲା । ଜଣେ ମହିଳା ଆସି ସେ ଲୋକ ଟିକୁ ଭାତ ଖୁଆଇ ଦେଉଥିଲେ ହେଲେ ସେ ଖାଉ ନଥାଏ । ତା ପରେ ତାର ଦୁଇ ଆଖି ରେ ଫଗୁ ଭାରି ଦେଇ ତାକୁ ଏକ ବାଉଁଶ ର ସବାରୀ ରେ, ଯାହାକୁ ସେମାନେ କୋକେଇ କୁହନ୍ତି ସେଇଠି ଶୁଆଇ ଦେଲେ । ଆଉ ସମସ୍ତେ ସେଇ କୋକେଇ ଟିକୁ କାନ୍ଧେଇ, ଖଇ, ଲିଆ, ଫଗୁ, କଉଡି ବିଞ୍ଛି ବିଞ୍ଛି କୁଆଡେ ନେଇଗଲେ । ସମସ୍ତେ ଏକ ସ୍ଵର ରେ କହୁଥିଲେ “ରାମ ନାମ, ସତ୍ୟ ହୈ । ହରି ନାମ ସତ୍ୟ ହୈ” ।

ଏତେ ପର୍ଯ୍ୟନ୍ତ ମୁଁ ବୁଝି ପାରୁନଥାଏ, ସେ ଲୋକ ଟି ଉପରେ ପାଣି ପକେଇଲା ପରେ ବି ଉଠୁ ନାହିଁ କାହିଁକି ? ଏମାନେ ସେ ଲୋକ ଟିକୁ କେଉଁ ଆଡେ ନେଇକି ଗଲେ? ବୋଧେ ମୋତେ ଯେଉଁ ନିଶା ଟି ମିଳିଥିଲା ସେଇ ପ୍ରଭାବ ରୁ ମୁଁ ନିଜକୁ ଏତେ ଅସହଜ ଅନୁଭବ କରୁଥିଲି ଯେ, ନିଜେ ନିଜକୁ ସମ୍ଭାଳି ପାରୁ ନଥାଏ ଆଉ ସେଇଠି କଣ ଚାଲିଥିଲା କେମିତି ବୁଝି ପାରିବି ? ମୁଁ ଆଗରୁ କେବେ କୌଣସି ପ୍ରକାର ନିଶା ନେଇ ନଥିଲି। କିନ୍ତୁ ହଠାତ ଏମିତି ନିଶା ନେଇଯିବା ଠିକ ନୁହଁ ବୋଧେ । ମୁଁ ସେ ଲୋକ ଟିକୁ ପଚାରିଲି , “ମୋ ଆଖି ସାମ୍ନା ରେ ପୃଥିବୀ ଟା ରଙ୍ଗୀନ ବଦଳରେ ଧଳା ଆଉ କଳା ଦେଖା ଯାଉଛି କାହିଁକି” । ମୋ ପ୍ରଶ୍ନ ସରିଛି କି ନାଇଁ, ଭିତରେ ଥିବା ସବୁ ଶ୍ଵାସ ବାହାରକୁ ବାହାରିବା ରେ ଲାଗିଲା । ମୋତେ ଲାଗିଲା ଯେମିତି ମୁଁ ଏକ ବେଲୁନ ଆଉ, କେହି ଜଣେ ଆସି ମୋ ଭିତର ର ସବୁ ହାୱା ଛାଡି ଦେଇଛି । ମୋତେ ଲାଗିଲା ସେ ଦିନ ମୋ ଜୀବନ ର ଶେଷ ଦିନ । ସେ ଲୋକ ଟି ମୋର ଅବସ୍ଥା ଦେଖି କହିଲା, “ଆରେ ବାଃ । କେତେ ଶୀଘ୍ର ସେ ମୂହୁର୍ତ୍ତ  ଆସିଗଲା । ଚାଲ ଏଥର ତୁମକୁ ତୁମ ଜାଗା କୁ ନେଇ ଯାଉଛି” । ମୋ ଶ୍ଵାସ କ୍ରିୟା ରେ ସମସ୍ୟା ଯୋଗୁଁ ମୁଁ କିଛି କହି ପାରୁନଥାଏ । ବାସ ନିଜ ହାତ ହଲେଇ ସେ ଲୋକଟିକୁ କହିବାକୁ ଚାହୁଁଥାଏ ଯେ, ମୁଁ କୁଆଡେ ବି ଯାଇ ପରିବିନି । ମୋର ବଳ ପାଉନି ଉଠିବାକୁ । ହେଲେ ସେ ବଦମାସ ନିର୍ଦ୍ଦୟୀ ମଣିଷ ଏପଟେ ସେପଟେ ଦେଖିଲା ଆଉ କେମିତି କେଉଁଠୁ ତାକୁ ଦଉଡି ଖଣ୍ଡେ ମିଳିଗଲା । ସେ ଦଉଡି ଟି ସିଏ ମୋ ଛାତି ପାଖରୁ ବାନ୍ଧି ଦେଇ, ଘୋଷାରି ନେଲା ତା ସାଥିରେ ।

ସେ ବଦମାସ ଶଳା ଟି ମୋତେ ଘୋଷାରି ନେଉଥିଲା ସେଇ ଲୋକ ମାନଙ୍କ ପଛେ ପଛେ ଯେଉଁ ମାନେ କହୁଥିଲେ “ରାମ ନାମ ସତ୍ୟ ହୈ, ହରି ନାମ ସତ୍ୟ ହୈ” । ବାଟ ସାରା ମୋତେ ଶୁଭୁଥିଲା ସେଇ ଦୁଇ ପଦ । ସେତେବେଳେ ମୋତେ ବୁଝାପଡିଲା ଯେ ସାମ୍ନା ରେ ଯାଉଥିବା ଦଳ ଟି ଗୋଟିଏ ମଢ କୁ ମଶାଣି ରେ ପୋଡିବା ପାଇଁ ଯାଉଥିଲେ । ସେତେବେଳେ ମୁଁ ବୁଝିଲି ଯେ, ସେଇ ଲୋକ ଟି ଶୋଇ ନଥିଲା ବରଂ ମରି ଯାଇଥିଲା । ସେତେବେଳେ ମୁଁ ବୁଝି ପାରୁଥିଲି ମୃତ୍ୟୁ କଣ କାରଣ ମୋତେ ଲାଗୁଥିଲା, ବୋଧେ ମୁଁ ମଧ୍ୟ ମଶାଣି ରେ ପୋଡା ହେବାକୁ ଯାଉଛି । କାରଣ ସେ ବଦମାସ ପୋଡାମୁହାଁ ମୋତେ ଦଉଡି ରେ ବାନ୍ଧି ଟାଣି ଟାଣି ନଉଥିଲା ।

ଯେତେବେଳେ ସେମାନେ ମଶାଣି ରେ ପହଞ୍ଚିଲେ, ସେତେବେଳେ ସେ ଲୋକ ଟିକୁ ମୋ ଅବସ୍ଥା କଥା ମନେପଡିଲା । ଯେମିତି ସିଏ ମୋତେ ଘୋଷାରିବା ବନ୍ଦ କଲା, ମୁଁ ତା ଉପରେ ଆକ୍ରମଣ କରିବାକୁ ଦୌଡିଲି । ଆଉ ପୂର୍ବ ପରି ପୁଣିଥରେ ସିଏ ମୋ ଗଳା ଧରି ଗୋଟିଏ ଗଛ ତଳେ ପକେଇ ଦେଲା । ଆଉ ମୋ ଆଖି ଦୁଇଟି ଦେଖି କହିଲା, “ହୁଁ । ନିଶା ଧୀରେ ଧୀରେ ଅଧିକ ହେଲାଣି, ଏଥର ପ୍ରଥମ ସୋପାନ ଆରମ୍ଭ କରିବାର ବେଳ ଆସିଗଲା” । ମୁଁ ତା କଥା ଶୁଣି ପାଟି କରି କହିଲି, “କି ସୋପାନ ବେ ଗଧ ? ଯଦି ଏ ନିଶା ଯୋଗୁଁ ମୋର କିଛି ହେଇଯାଏ ତାହେଲେ ମୁଁ ତୋର ଆଉ ତୋ ମାଲିକ ର କଣ ଅବସ୍ତା କରିବି ଦେଖିବୁ” । ଏତିକି କହି ମୁଁ ଧଇଁସଇଁ ହେଇଗଲି ଆଉ ମୋ ଦେହ ର ରଙ୍ଗ ଧୂସର ହେବାରେ ଲାଗିଲା । ସେ ଲୋକ ଟି ମୋ ଦେହ ର ବଦଲୁଥିବା ରଙ୍ଗ ଦେଖି କହିଲା, “ସମ୍ପ୍ରତି ତୁମକୁ ଉଚ୍ଚ ତାପମାତ୍ରା ଆବଶ୍ୟକ । ଚାଲ ସେଇ ଯେଉଁ ଜୁଇ ଦେଖାଯାଉଛି ସେ ଉପରେ ତୁମକୁ ନେଇ ପକେଇଦେବି” । ମୁଁ ବୁଝି ପାରୁନଥିଲି ହସିବି ନା କାନ୍ଦିବି। ମୁଁ ଅବାକ ହେଇ କହିଲି, “ହେଁ! କଣ କହିଲୁ ? ଅବେ ତୋ ମୁଣ୍ଡ କାମ କରୁଛି ନା ନାଇଁ ? ଏମିତି କିଏ କହେ ? ଶାଳା ଜଳନ୍ତା ନିଆଁ ରେ ନେଇ ପକେଇଦବୁ, ମୁଁ ବଞ୍ଚିବି ନା ମରିବି” । ମୋ କଥା ଶୁଣି ସେ ଲୋକ ଟି କହିଲା, “ତୁମକୁ ଯେଉଁ ନିଶା ଦିଆ ହେଇଛି ସେଥିପାଇଁ ନିଆଁ ଦ୍ଵାରା ତୁମକୁ କିଛି କ୍ଷତି ହବନି” । ମୁଁ ଡର ରେ କହିଲି, “ ତଥାପି ଭାଇ, ସେଇଟା ଅନ୍ୟ କାହା ଜୁଇ, ମୁଁ କେମିତି ବସି ପାରିବି” । ମୋର ଏଇ ପ୍ରଶ୍ନ ର ଉତ୍ତର ରେ ସେ ଲୋକ ଟି କହିଲା, “ସେଇଟା ଆଉ କାହାର ନୁହେଁ ତୁମର ହିଁ ଜୁଇ” ।

ଏ ଉତ୍ତର ଟି ଶୁଣି ମୁଁ ଆଶ୍ଚର୍ଯ୍ୟ ହେଇ ବାସ ସେ ଲୋକ ଟିକୁ ଚାହିଁ ରହିଲି । ଆଉ ସେ ଲୋକ ଟି ମୋର ଆଗତ ସବୁ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କହିଲା, “ ତୁମକୁ ମୃତ୍ୟୁ ର ନିଶା ଦିଆ ଯାଇଛି । ଟିକେ ଭଲ କି ଦେଖ କାହା ଶବ ଜଳୁଛି ସେଇଠି । ସେ ଲୋକ ମାନଙ୍କୁ ଦେଖ କିଏ ସେମାନେ ? ତୁମ ନିଜ ଲୋକ । ସେ ହଉଛି ତମ ସାନ ଭାଇ, ସେ ହେଉଛି ତୁମ ବାପା, ସେମାନେ ତୁମ ସାଙ୍ଗ । ଘରେ ଯେଉଁ ମହିଳା ମାନେ କାନ୍ଦୁ ଥିଲେ ସେମାନେ ଥିଲେ ତୁମ ମାଉସୀ, ପିଉସୀ,ଖୁଡୀ, ଭଉଣୀ, ଆଉ ତୁମ ସ୍ତ୍ରୀ” । ସେ ଲୋକ ଟିର କଥା ଶୁଣିଲା ପରେ ମୁଁ ଯେମିତି ସବୁ ଜାଣି ପାରୁଥିଲି, ସମସ୍ତଙ୍କୁ ଚିହ୍ନି ପାରୁଥିଲି । ଯେଉଁ ଗଛ ତଳେ ମୁଁ ଥିଲି ତାହା ଥିଲା ଏକ ଦେବଦାରୁ ଗଛ । ଯେଉଁଠି ମୁଁ ସବୁ ବେଳେ ଏକୁଟିଆ ବସୁଥିଲି । ତା ପରେ ମୁଁ ପଚାରିଲି, “ ତାହେଲେ ଏବେ କଣ ହବ” ।
ସେ ଲୋକ ଟି ମୋ ପ୍ରଶ୍ନ ଶୁଣି ମୋ ଆଡକୁ ଚାହିଁଲା ଆଉ କହିଲା, “ଶୁଣ। ତୁମେ ପ୍ରଥମ ଥର ମୃତ୍ୟୁ ର ନିଶା ଚାଖିନ । ଏମିତି ଅନେକ ଥର ମରିଛ ଆଉ ଆଗକୁ ବି ଅନେକ ଥର ମରିବ । ସବୁବେଳେ ତୁମର ପ୍ରଶ୍ନ ମଧ୍ୟ ସମାନ ରୁହେ ଆଉ ମୋ ଉତ୍ତର ମଧ୍ୟ । କିନ୍ତୁ ଘର ଠାରୁ ଜୁଇ ଯାଏଁ ଆସିବାର ଯାତ୍ରା ଟା ଭିନ୍ନ ଥାଏ । କେବେ ଭଲ ରେ ତ କେବେ ଏମିତି ଘୋଷାରି ଘୋଷାରି” । ମୁଁ ଏ ସବୁ ଶୁଣି ସାରିଲା ପରେ ପୁଣି ତାଙ୍କୁ ପଚାରିଲି, “ତେବେ ଏଥର ଏମିତିକା ପରିସ୍ଥିତି କାହିଁକି ତିଆରି ହେଲା” । ମୋ ପ୍ରଶ୍ନ ଶୁଣି ସିଏ ନିଜ ଓଠରେ ଟିକେ ମୁରୁକି ହସ ଭରି କହିଲେ, “ଏଇ ପ୍ରଶ୍ନ ଟି ନୂଆଁ ଥିଲା । ମଣିଷ ମାନଙ୍କର ଦୁଇଟି ଶରୀର ଥାଏ ଯଥା ସ୍ଥୂଳ ଶରୀର ଓ ସୂକ୍ଷ୍ମ ଶରୀର । ପ୍ରତ୍ୟେକ ଶରୀର ପାଞ୍ଚଟି ତତ୍ତ୍ଵ  ରେ ଗଢା ଯେମିତି କି ମାଟି, ଜଳ, ଅଗ୍ନି, ବାୟୁ ଏବଂ ଆକାଶ । ଏମାନଙ୍କୁ ପଞ୍ଚଭୁତ ମଧ୍ୟ କୁହଯାଏ । ଯେବେ ତୁମେ ମୃତ୍ୟୁ ର ନିଶା ରୁ ବାହାର କୁ ଆସିବ ସେତେବେଳେ ଏକ ବିରାଟ ଭ୍ରମ ତୁମ ବାଟ ଚାହିଁ ବସିଥିବ ଯାହାର ନାଁ ହେଲା ଜୀବନ । ଦେଖିବାକୁ ଗଲେ ଜୀବନ କୁ ଯିଏ ମୁକ୍ତି ପାଇବାର ମାଧ୍ୟମ ଭାବେ ବ୍ୟବହାର କରିଥାଏ ତା ପାଇଁ ମୃତ୍ୟୁ ସବୁବେଳେ ଉପହାର ହେଇ ଆସିଥାଏ । କିନ୍ତୁ ଯିଏ ଜୀବନ କୁ ଏକ ନିଶା ଭାବେ ବ୍ୟବହାର କରିଥାଏ ତାର ପାଞ୍ଚ ତତ୍ଵ ବିଶିଷ୍ଟ ସେଇ ସ୍ଥୂଳ ଶରୀର ଟି ଖରାପ ହେଇଯାଏ, ଆଉ ମୃତ୍ୟୁ ସମୟରେ ସେଇ ସ୍ଥୂଳ ଶରୀର ଟି ସୂକ୍ଷ୍ମ ଶରୀର ଉପରେ ପ୍ରଭାବ ପକାଇ ଥାଏ । ସେମାନେ ବୁଝି ପାରନ୍ତିନି କଣ ହଉଛି ସେମାନଙ୍କ ସହିତ । ଯାହା ଫଳରେ ମୃତ୍ୟୁ ମଧ୍ୟ ସେମାନଙ୍କୁ ନିଶା ଭଳିଆ ଲାଗୁଥାଏ । ଏଇ ଦେଖ ତୁମ ଅସ୍ଥି, ମାଂସ, ଚର୍ମ, ନଖ ସବୁ କିଭଳି ମାଟିରେ ମିଶୁଚି, ଆଉ ତୁମ ଜଠରାଗ୍ନି, କାମାଗ୍ନି,କ୍ରୋଧାଗ୍ନି ସବୁ ସେଇ ଜୁଇ ର ନିଆଁ ରେ ମିଶି ଏକାକାର ହେଇ ଯାଉଛନ୍ତି, ଏଇ ଦେଖ ତୁମ ରକ୍ତସବୁ କିଭଳି ବାଷ୍ପ ସାଜି ଉପରକୁ ଉଡି ଯାଉଛନ୍ତି । ବାକି ରହିଲା ବାୟୁ ଏବଂ ଆକାଶ ତତ୍ଵ । ଯାହା ଦ୍ଵାରା ତୁମ ସୂକ୍ଷ୍ମ ଚେତନା ତଥା ସୂକ୍ଷ୍ମ ଶରୀର ଗଠିତ । ଯାଅ, ତୁମ ଜୁଇ ର ଝାସ ରେ ପୋଡି ହେଇ ମିଶିଯାଅ ସେଇ ମହାଶୂନ୍ୟ ରେ । ମିଶି ଯାଅ ।

ମୁଁ ତାଙ୍କୁ ପୁଣି ପଚାରିଲି, “ମୋର ଏ ସବୁ ତତ୍ଵ ମହାଶୂନ୍ୟ ରେ ମିଶିଲା ପରେ, କଣ ମୋତେ ଆପଣ ନର୍କକୁ ପଠେଇବେ” । ସେ ଲୋକ ଟି ମୋ କଥା ଶୁଣି ମୋତେ ଜୁଇ ପର୍ଯ୍ୟନ୍ତ ଛାଡିବାକୁ ଗଲାବେଳେ କହିଲେ, “୧୩ ଦିନ ପରେ ଯେବେ ତୁମର କର୍ମ ର ବନ୍ଧନ ହାଲୁକା ହେବ, ସେତେବେଳେ ତୁମକୁ ଏମିତି ଏକ ସ୍ଥାନ କୁ ପଠେଇ ଦିଆଯିବ ଯାହା ସ୍ଵର୍ଗ ଠୁ ବି ସୁନ୍ଦର ଆଉ ଆରାମ ଦାୟକ ହେଇଥିବ ଏବଂ ତା ସାଙ୍ଗକୁ ନର୍କ ଠୁ ବି ଘୃଣ୍ୟ ଆଉ କଷ୍ଟ ଦାୟକ ହେଇଥିବ । ମାତୃଗର୍ଭ, ଯେଉଁଠି ଅନେକ କୀଟାଣୁ, ପରଜୀବୀ କୃମି ତୁମକୁ ଘେରି ରହିଥିବେ ମଶା ଛାରପୋକ ଭଳି । ଯେଉଁଠି ତୁମକୁ ଏହା ଚିନ୍ତା କରିବାକୁ ଯଥେଷ୍ଟ ସମୟ ମିଳିଯିବ ଯେ, ଗତ ଜନ୍ମ ରେ ତୁମେ ଏ ପୃଥିବୀ କୁ ନର୍କ ରେ ପରିଣତ କରିଛ ନା ସ୍ଵର୍ଗ ରେ । ସେଠାରେ ତୁମେ ହିଁ ନିଷ୍ପତି  ନେବ ଯେ, ତୁମେ ପୁଣି ଥରେ ପୃଥିବୀ ରେ ପାଦ ରଖିଲେ ଜୀବନ ର ନିଶା ରେ ଚୂର ହେଇ ସ୍ଵର୍ଗ କୁ ନର୍କ କରିବ ନା ଜୀବନ କୁ ମୁକ୍ତି ର ମାଧ୍ୟମ ଭାବି ନର୍କ କୁ ସ୍ଵର୍ଗ କରିବ”” ।

“ଏଥର ଧୀରେ ଧୀରେ ନିଜ ଆଖି ଖୋଲନ୍ତୁ ସାର” । ଶୁଭୁଥିବା କଥା କୁ ଅନୁସରଣ କରନ୍ତି ପ୍ରଫେସର ସୁରଞ୍ଜନ ମାଝି । ଆଉ ଆଖି ଖୋଲି ଦେଖନ୍ତି ନିଜକୁ ଏକ ସାଇକାର୍ଟିକ କ୍ଲିନିକ ର ବେଡ ରେ । ଯେଉଁଠି ଜଣେ ସାଇକାର୍ଟିଷ୍ଟ ଆସି କୁହନ୍ତି, “ପ୍ରଫେସର ସୁରଞ୍ଜନ ମାଝି । ଏବେ ଆପଣଙ୍କୁ କେମିତି ଲାଗୁଛି ? କଣ ଶିଖିଲେ ନିଜ ପାଷ୍ଟ ଲାଇଫ ରୁ” । ପ୍ରୋଫେସର ସୁରଞ୍ଜନ ସେ ବେଡ ପାଖରେ ଥିବା ତାଙ୍କ ଚଷମା ଟି ପିନ୍ଧି ଦେଇ କୁହନ୍ତି, “ବହୁତ କିଛି” ।

ସମାପ୍ତ

Leave a Comment

Your email address will not be published. Required fields are marked *