ମୁଣ୍ଡରେ ନାଲିଫିତା ବାନ୍ଧୁଥିବା ଝିଅଟିଏ
ଏବେ ତା’ର ରେଶମୀକେଶରାଶିକୁ
ଖୋଲାପବନରେ ଉଡ଼ାଏ
କାହା ଆଖି ନ ଦେଖି ପାରିଲାପରି ଅଭିନୟ କରି
ଲାଲ୍ ଗୋଲାପ ଫୁଲଟିଏ ମୁଣ୍ଡରେ ଖୋସେ
କେହି କିଛି ପଚାରିଲେ ଆଡବାହାନା କରି
ଅଳ୍ପ ହସି ଚାଲିଯାଏ
ସେ ହସରେ ଭରିଥାଏ ଅନନ୍ୟ ମାଦକତା
ଚହଲା ପାଣିକୁ ଚାହିଁଦେଲେ ସେଥିରେ ଭାରିଯାଏ
ଝିଅ ଦେହର ଉସ୍ମତା ।।
ଝିଅଟିଏ , ଏବେ ଧୀର ସଲ୍ଲଜ ଚାହାଣୀରେ ଚାହେଁ
ଦୃଷ୍ଟିରେ ତୋଲିଧରେ ନିଜ ପ୍ରିୟତମର ଦୁନିଆଁ
କଟାକ୍ଷରେ ବିଦାରିଦିଏ ପ୍ରିୟତମର ବକ୍ଷକୁ
ଠୋପା ଠୋପା ରକ୍ତରେ ପୁଣି ତିନ୍ତିଯାଏ ନିଜେ
ସେଥିରେ ସେ ଖୋଜେ ଆତ୍ମତୃପ୍ତି ଶାନ୍ତି
ସେ କ’ଣ ପାଏ ନ ପାଏ ?
ଏହାର ହିସାବ ନା , ସେ କରେ ନା’ ଆଉ କିଏ
ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅଟିଏ ! ।।
ସେ ଝିଅଟି ଆଜିକାଲି ଗୀତ ଗାଏ
ଏକ ନୂଆ ତାଳ , ନୂଆ ଲୟ
ସଂପୂର୍ଣ୍ଣ ନୂଆ ଏକ ଛାନ୍ଦରେ
ଜାଣେନା ମୁଁ କେଉଁଠୁ ଶିଖିଲା ସେ ଗୀତ
କିନ୍ତୁ , ଭଲଲାଗେ ସେ ଗୀତଟି
ଝିଅଟିଏ ଯେବେ ଗାଏ ନିଜ ଅବଚେତନ ମନରେ
ନିହାତି ଖିୟାଲି ଭାବରେ
ମୁଁ ଭାବେ ସେ ବି ଏକ ସୁରିଲା ଗୀତଟିଏ
ନୂଆ ନୁଆ ପ୍ରେମରେ ପଡ଼ିଥିବା ଝିଅଟିଏ!।।
ସେ ନିରେଖି ଦେଖୁଥାଏ ଆକାଶକୁ
ସତେଯେମିତି ଗପୁଛି ତାରାଜହ୍ନଙ୍କ ସହ
କେଉଁ ଏକ ଅବୁଝା ଦରଭଙ୍ଗା ଭାଷାରେ
ପୁଣି ସେ କହିଦିଏ କେତେ କେତେ କଥା
ଇସାରାର ଉଡ଼ୁଥିବା ହଳଦୀବସନ୍ତଙ୍କ ଆଖିରେ
ବୁଡିରୁହେ ସେ ଅନ୍ୟ ଏକ ନୂଆ ଦୁନିଆଁରେ
ମୋ ସାମ୍ନାରେ ଥାଇ ବି , ନଥାଏ ତା ନିଜ ଭିତରେ
ଫଗୁଣର ଫଗୁ ଭଳି ସେ ଆଜିକାଲି ଲାଲ୍ ଦିଶୁଥାଏ
ନୂଆ ନୂଆ ପ୍ରେମରେ ପଡ଼ୁଥିବା ଝିଅଟିଏ!॥
କେବେ ତୂଳୀଧରିନଥିବା ହାତରେ
ସେ ଓଜାଡି ଦିଏ କେତେ ରଂଗ କାନ୍ଭାସରେ
ମନଭରି ଚିତ୍ର ଆଙ୍କେ ; ଝରକା ସେ ପାଖରେ
ଦୋହଲୁଥିବା ଇଲେକ୍ଟ୍ରିତାରରେ ହଳେ ବଣିଙ୍କ ଚିତ୍ର
ସେ ପୁଣି ଦୁନିଆଁଟିଏ କରେ , ନିଜର ଅତି ଆପଣାର
ଚତୁଃପାର୍ଶ୍ଵରେ ଘେରାଇଦିଏ
ମିଳନ ଆକାଂକ୍ଷା ର ଦୀର୍ଘ ସଉଚ୍ଚ ପ୍ରାଚୀର
ସେ ବୁଝେ କାହା ମନ କାନ୍ଭାସାରେ ସେ ଚିତ୍ରଟିଏ
ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅଟିଏ ! II
ଝିଅଟିଏ , ଏବେ କେତେ କଥା ଭାବେ
ଖିଆଲି ଭାବରେ
କାହା ଭାବନାରେ ହଜିଯାଏ ; ପୁଣି ନିଜକୁ ଖୋଜୁଥାଏ
ସତରେ ଏ ଲୁଚକାଳି କୁ ସେ ଭଲପାଏ
ହଜିବା ଖୋଜିବା ଭିତରେ
ସେ ଲେଖିବସେ ଅସଂଖ୍ୟ କବିତା
କାହାକୁ ନେଇ , ପୁଣି କାହା ପାଇଁ ସେ କୁହେନା
କିନ୍ତୁ , ଦିଶେ ମୋତେ ସେ ନିଜେ କେଉଁ କବିଙ୍କର
ଏକ ଅନନ୍ୟ ଷୋଡ଼ଶୀ କବିତାଟିଏ
ନୂଆ ନୂଆ ପ୍ରେମରେ ପଡିଥିବା ଝିଅଟିଏ ! II
ସେ ଧିରେ ଭଲପାଇଲାଣି ନିରବତାକୁ
ଆଡେଇ ସର୍ବ କୋଳାହଳ
ଆପଣେଇଲାଣି ରାତ୍ରିର ନିର୍ଜନତାକୁ
ସଭିଙ୍କୁ କରି ଅଢୁଆଳ
କଣ ପାଏ ସେ ନୀରବ ନିର୍ଜନ ବେଳାରେ
ଯାହା ଖାଲି ଘୂରିବୁଲେ ଏକ ଅକଳ୍ପନୀୟ ଜଗତରେ
ରାତି ଅନ୍ଧାରରେ ହଜାରେ ସ୍ବପ୍ନ ସେ ଦେଖୁଥାଏ
ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅଟିଏ !।।
ଝିଅଟି , ମନେ ମନେ ହସେ
ପୁଣି ମନକୁ ମନ ଋଷେ
ପୁଣି ମନକୁ କ’ଣ ଭାବି
ଆଣ୍ଠୁରେ ମୁହଁପୋତି ବସେ
ତଳକୁ ମୁହଁ କରି
ମାଟିରେ ଗାର ପକାଏ
ଅନ୍ୟମନସ୍କତାରେ ବୁଡ଼ିରହି
ନିଜ ଓଢଣୀରେ ଅସଂଖ୍ୟ ଗଣ୍ଠିପକାଏ
ଖୁବ୍ ପ୍ରେମରେ ଚିଠିଟିଏ ଲେଖେ
ଯାହାର ଠିକଣା ସେ ନିଜେ ଜାଣିନଥାଏ
ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅଟିଏ ! ॥
ଚାଲୁ ଚାଲୁ ଝୁଣ୍ଟିପଡେ ରାସ୍ତାରେ
ହସୁଥାଏ ନୀରବରେ
ବେଳେ ବେଳେ ଆଖିରୁ ବି ଲୁହପୋଛେ
କିନ୍ତୁ, ହସଟିଏ ଲାଖିଥାଏ ତା ଓଠରେ
ସବୁବେଳେ ଚିର ସତେଜ ଦେଖାଯାଏ
ଠିକ୍ ସ୍ଵର୍ଗର ପାରିଜାତ ଭଳି
ପରୀ ରାଇଜର ସୁନାପରୀ ଭଳି
ତାର ଏମିତି ବଦଳିଯିବାର କାରଣ ମୁଁ ପାଏନା
କେହି ଜଣେ ପ୍ରେମ ବୋଲି କୁହେ
ମୁଁ ପ୍ରମାଣ ନ ଖୋଜି, ତାକୁ ଅନେଇରୁହେ
ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅଟିଏ ! ॥
ମୋ ସାମ୍ନାରେ ବସିଥାଏ ଘଣ୍ଟାଘଣ୍ଟା
ଏମିତି ହିଁ ନିଜକୁ ଦେଖୁଥାଏ
ମନହେଲେ ; ସଜ ହୁଏ
ଗୋରା ପାଦରେ ଅଳତା,
ହାତରେ ଚୁଡ଼ି,
ମଥାରେ ଟିକିଲି ,
କାନରେ ଝୁମୁକା ; ଯତ୍ନରେ ଲଗାଏ
ମୋତେ ଟିକେଟିକେ ଚାହେଁ
ଲାଜ କରେ, ଦୁଇ ପାପୁଲିରେ ମୁହଁଲୁଚାଏ
ପୁଣି କଣ ଭାବି , ଫେଁ କିନା ହସିଦିଏ
ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅଟିଏ! II
ମୋ ଆଖିଆଗରେ ଝିଅଟିଏ
ପ୍ରେମିକା ପାଲଟିଗଲା ଅବିଳମ୍ବେ
କେଉଁ ପରଦେଶୀର ଥରେ ମାତ୍ର ଇସାରାରେ
ଭୁଲିଗଲା ସବୁକିଛି; ନିଜକୁ ବି
ପ୍ରେମର କୁହୁକ ସ୍ପର୍ଶରେ
ଏବେ ସବୁକିଛି ନୂଆ ଓ ସତେଜ
ଠିକ୍, ମୌସୁମୀର ପ୍ରଥମ ବର୍ଷାଛିଟାରେ
ହଠାତ୍ କିଛି ମୁହୂର୍ତ୍ତରେ ବଦଳିଗଲା ସିଏ
ନୂଆ ନୂଆ ପ୍ରେମରେ ପଡିଥିବା ଝିଅଟିଏ!।।