ପାପ ଚିନ୍ତା ମନୁ ଯାଇନି ଏବେ
ପାପର କଳସୀ ଭରିନି ଏବେ
ପୂଣ୍ୟର ସରସୀ ମିଳିବ କାହୁଁ
ପଙ୍କୁ ନ ବାହାରି ପଙ୍କଜ କାହୁଁ …!! 1
ପୁଣ୍ୟ କାଣିଚାଏ କରିନି କେବେ
ପୁଣ୍ୟତୋୟା ଗଙ୍ଗା ଯାଇନି କେବେ
ପୁଣ୍ୟ ନ ଦେଖୁଛି କେବେ ସପନେ
ପୁଣ୍ୟ କି ମିଳିବ ଏ ପାପୀ ମନେ….!!2
ପାପ ଭାର ଯେବେ ପ୍ରବଳ ହେବ
ପାପ ତାପ ଜଗା ସବୁ ଦେଖିବ
ପାପ ନ କରିବା ସମୟ ଦେବ
ପାପ ନ ଛାଡ଼ିଲେ ପ୍ରାଣ ହରିବ …!!3
ପାପୀ ମନ ପାପ ପଙ୍କରେ ଲୋଟେ
ପାପ ଅର୍ଜିବାକୁ ମନ ଉଚ୍ଚାଟେ
ପାପପୁଣ୍ୟ ଚିନ୍ତା ମନରେ ଆସୁ
ପାପହାରି ହରି ଧ୍ୟାନରେ ଆସୁ ।।4
ପୁଣ୍ୟ ବଦଳରେ ଏ ପ୍ରାଣ ଯାଉ
ପୁଣ୍ୟ ପାଇଁ ହରି ନାମକୁ ଗାଉ
ପୁଣ୍ୟ ଅଟେ ହରି ନାମର ଗାନ
ପୁଣ୍ୟ ଅରଜିବ କରି ଭଜନ …!!5
ପୁଣ୍ୟମୟ ଏହି ପୁରୁଷୋତ୍ତମ
ପୁଣ୍ୟ ତା ପ୍ରସାଦ ଅମୃତସମ
ପୁଣ୍ୟ ମହୋଦଧି ସଲିଳ ସ୍ନାନ
ପୁଣ୍ୟ ନୀଳଚକ୍ରକୁ ଦରଶନ…!!6
ପ୍ରାଣ ଯାଉ ହରି ଦର୍ଶନ ପରେ
ପ୍ରାଣ ଯାଉ ହରି ଚକ୍ର ମାଡ଼ରେ
ପ୍ରାଣ ରହି ଆଉ କି ଲାଭ ହେବ
ପ୍ରାଣ ଗଲେ ଆତ୍ମା ହରି ଲଭିବ ..!!7