ସେଦିନର କଥା ଭାବିଲାବେଳକୁ ଖୁବ୍ ହସ ଲାଗେ, ହସିଦିଏ ବି ମନେ ମନେ । ହେଲେ ଖରାପ ଲାଗେ ନିଜକୁ, ନିଜର ବ୍ୟବହାର ପାଇଁ । କିନ୍ତୁ ମୁଁ କ’ଣ କରିବି ଯେ ? ଏତେ ଶୀଘ୍ର କ’ଣ କାହାକୁ ବିଶ୍ୱାସ କରିହୁଏ, ପୁଣି ପ୍ରଥମ ଦେଖାରେ !
ହଁ, ସେଦିନ ଥିଲା ଅଫିସରେ ପ୍ରଥମ ଦିନ । ଅପେକ୍ଷା କରିଥାଏ ଟ୍ୟାକ୍ସିକୁ, ୮ କି. ମି. ଦୂରରେ ଥିବା ଅଫିସରେ ପହଞ୍ଚିବାକୁ । ପ୍ରଥମ ଦିନ, ସମୟ ପୂର୍ବରୁ ପହଞ୍ଚିବା ନିହାତି ଦରକାର । ଏମିତିରେ ତ, ନୂଆ ଜାଗା, ରୁମରୁ ବାହାରୁ ବାହାରୁ ଟିକେ ଡେରି ହେଲା, ତା’ ଉପରେ ଟ୍ୟାକ୍ସି ବି ମିଳୁନି କିଛି ସେପଟକୁ । ଏପଟେ ସମୟ ସରି ସରି ଯାଉଛି । ବ୍ୟସ୍ତ ହୋଇ କଲ୍ କଲି ବୋଉକୁ । ସେ ଅବା କ’ଣ କରିବ, ବରଂ ବହେ ଗାଳି କଲା ମୋତେ । ଆଖିରେ ଲୁହ ଛଳ ଛଳ । ବୋଧେ ଆଉ ଟିକେ ହୋଇଥିଲେ ଝରିଥାନ୍ତା ଠପ୍ ଠପ୍ । ହଠାତ୍ “ମ୍ୟାଡାମ୍ କୁଆଡ଼େ ଯିବେ ? ଆସନ୍ତୁ ମୁଁ ଡ୍ରପ୍ କରିଦେବି ।” ଶୁଣି ଚମକି ପଡିଲି ।
ହଁ, ଚଷମା ପିନ୍ଧା ମୁହଁ, ପୋଷାକ, କଥାବାର୍ତ୍ତାରୁ ତ ଲାଗିଲା ଭଦ୍ର ବୋଲି । ହେଲେ ମୁଁ କେମିତି ବିଶ୍ୱାସ କରିନେବି ଯେ ? ବୋଉ କାନେ କାନେ କହିଛି, ଅଜଣା ଜାଗା, ଦେଖିକି ଚଳିବୁ । ନଚେତ୍ ଯାହା ଅସୁବିଧା ହେବ ନିଜେ ବୁଝିବୁ, କାରଣ ନିଜେ ହିଁ ଜିଦ୍ କରି ଯାଇଛୁ ।
କେମିତି ଆସି ନ ଥାନ୍ତି ଯେ ? ପ୍ରଥମ ଥର ପାଇଁ ନିଜେ କିଛି କରିବାର ସୁଯୋଗ ପାଇଛି । ପୁଣି ସେଣ୍ଟ୍ରାଲ୍ ଜବ୍ । ଛାଡ଼ିଦେବାଟା କ’ଣ ଏତେ ସହଜ ! ହେଲେ ଆଜି ଖୁବ୍ ମନେପଡୁଛି ସେଦିନର କଥା । ଘରେ ସମସ୍ତେ ମନାକରିଥିଲେ ଚାକିରି କରିବାକୁ । ମୁଁ ହିଁ ଜିଦ୍ କରି ଆସିଲି । କିନ୍ତୁ ଆଜି ଭାବୁଛି କାହିଁକି ଆସିଲି ?
“ମ୍ୟାଡାମ୍ କ’ଣ ଭାବୁଛନ୍ତି ? ଲାଗୁଛି ବହୁତ୍ ବ୍ୟସ୍ତରେ ଅଛନ୍ତି ! ବୋଧେ ଏଠି ଆପଣ ନୂଆ । ଆଜି ଏପଟକୁ ଟ୍ୟାକ୍ସି କିଛି ଆସିବନି, ରାସ୍ତା ବନ୍ଦ୍ ପାଇଁ । ବିଶ୍ୱାସ କରନ୍ତୁ, ମୁଁ ସୁରକ୍ଷିତରେ ପହଞ୍ଚାଇ ଦେବି ।” କହିଲେ ସେ ।
ମନ କହିଲା ଯିବାକୁ, ହେଲେ ବାଧାଦେଲା ବିବେକ । ସିଧା ସିଧା ମନାକଲି । ସେ ପୁଣି ବାଧ୍ୟକଲେ, ଭଦ୍ରାମିର ସହ । ଏଥର କିନ୍ତୁ ମୁଁ ରାଗିଗଲି । ଯାହା ଆସିଲା କହିଗଲି ମୁହେଁ ମୁହେଁ । ଶେଷରେ ସେ କ୍ଷମା ମାଗି ଚାଲିଗଲେ ସେଇ ଦିଗକୁ, ଯୁଆଡେ ଯିବାକୁ ଚାହୁଁଥିଲି ମୁଁ । ଓଃ… ବହୁତ୍ କଷ୍ଟରେ ଅଧ ଘଣ୍ଟା ଡେରିରେ ଯାଇ ପହଞ୍ଚିଲି ଅଫିସରେ । ବଞ୍ଚିଗଲି, ପ୍ରଥମ ଦିନ ବୋଲି ।
ମୋତେ ମୋ ବିଭାଗର ମୁଖ୍ୟଙ୍କ ସହ ଦେଖାକରିବାକୁ କୁହାଗଲା । ଚ୍ୟାମ୍ବରକୁ ଗଲି । ଏ କ’ଣ ? ସେ ଏଠି ? ମାନେ ସେ ମୋ ହେଡ୍ ଅଫିସର୍ । ମୁହଁ ତଳକୁ ହୋଇଗଲା ମୋର । ସେ କିନ୍ତୁ ବ୍ୟବହାର କଲେ, ଯେମିତି ସେ କିଛି ଜାଣିନାହାନ୍ତି । ଧୀରେ ଧୀରେ ମୋ ସହକର୍ମଚାରୀଙ୍କଠାରୁ ଜାଣିଲି, ସେ ହେଉଛନ୍ତି ଅଫିସର ସମସ୍ତଙ୍କ ଭିତରେ ବେଷ୍ଟ୍ । ଭଦ୍ର, ନମ୍ର, ସରଳ, ସମୟାନୁବର୍ତ୍ତୀ ସହ ଜଣେ ସାହାଯ୍ୟକାରୀ ମଣିଷ ।
ବାସ୍ ଏମିତି ହିଁ ସେଦିନର କଥା ଭାବୁ ଭାବୁ ମିକି ବେଶ୍ ଆରାମରେ ଶୋଇ ଯାଇଥିଲା ମୁକେଶଙ୍କ ବାହୁ ବଳୟରେ ଆଉ ଅନୁଭବ କରୁଥିଲା, ତା’ କର୍ମମୟ ଜୀବନର ପ୍ରଥମ ଦିନରେ ପାଇଥିବା ତା’ ପ୍ରଥମ ପ୍ରେମକୁ ।