ତୁମ ସହ ଥରେ ସାକ୍ଷାତ କରିବା ପାଇଁ ମନରେ ଥିଲା ଅନେକ ଉତ୍ସାହ ଏବଂ ଉଦ୍ଦୀପନା | ମୁଁ ଯେତିକି ଇଚ୍ଛୁକ ନଥିଲି, ଆମ ପରିବାର ଲୋକେ ତୁମ ସହ ମୋର ସାକ୍ଷାତ କରେଇବା ପାଇଁ ଅତି ବ୍ୟାକୁଳ ହେଉଥିଲେ | ଆମ ସମ୍ପର୍କକୁ ସେମାନେ ସ୍ୱୀକୃତି ଦେବେ ଜାଣିଥିଲି କିନ୍ତୁ ଆମକୁ ନେଇ ସେମାନେ ଏତେ କଥା ଭାବିଦେବେ, ମୁଁ ସ୍ବପ୍ନରେ ସୁଦ୍ଧା ଭାବିନଥିଲି | ତୁମ ସହ ସାକ୍ଷାତ ପାଇଁ ମୁଁ ମୋର ପ୍ରୟାସ ଜାରି ରଖିଥାଏ, କିନ୍ତୁ ସଫଳ ହେଇପାରୁନଥାଏ | ତୁମର ମୋର ସମ୍ପର୍କ ଏତେ ନିବିଡ଼ ଥିଲା, ଆମକୁ କିଏ କେତେ ଦିନ ଅଲଗା କରି ରଖିବ ଯେ, ଶେଷରେ ସମୟ ହାର ମାନିଗଲା ଓ ତୁମ ସହ ସାକ୍ଷାତର ସମୟ ଧାର୍ଯ୍ୟ ହେଇଗଲା | ତୁମ ସହ ପ୍ରଥମ ଦେଖା ହେବା ଦିନର ପୂର୍ବ ରାତିରେ ନାଁ ମତେ ନିଦ ଲାଗୁଥିଲା, ନାଁ ମତେ ଭୋକ କରୁଥିଲା, ମୋ ଆଖିରେ ଖାଲି ତୁମର ପ୍ରତିଛବି ଦୃଶ୍ୟମାନ ହେଉଥିଲା |
ଜାଣିଛ ନା ! ମୋ ସାଙ୍ଗ ମାନେ ଭାରି ଦୃଷ୍ଟ, ତୁମ ନାଁରେ ଏପଟସେପଟ କରି କହୁଥିଲେ, କିନ୍ତୁ ମୁଁ ଜାଣିଥିଲି ତୁମେ ଟିକେ ଖରାପ ହେଲେ ମୁଁ ଭାବିଲି ମୋ ହାତର ନରମ ସ୍ପର୍ଶରେ ବୋଧହୁଏ ତୁମେ ପରିବର୍ତ୍ତନ ହେଇଯିବ | ରାତିରେ ତୁମ କଥା ଭାବୁ ଭାବୁ କେତେବେଳେ ଯେ ଆଖି ଲାଗିଗଲା, ଜାଣିପାରିଲିନାହିଁ |ସକାଳୁ ଉଠି ଦେଖେ ତ, ଉଠିବାରେ ଟିକେ ଲେଟ ହେଇଯାଇଛି | ସେଥିପାଇଁ ଶୀଘ୍ର ଶୀଘ୍ର ବାହାରିବାକୁ ଲାଗିଲି, କାରଣ ଆମ ଘର ଠାରୁ ତୁମକୁ ସାକ୍ଷାତ କରିବାକୁ ଯିବାକୁ ଏକ ଘଣ୍ଟା ସମୟ ଲାଗିବ | କଥାରେ ଅଛି….
“ପ୍ରଥମ ପ୍ରେମ, ପ୍ରଥମ ସ୍ପର୍ଶ ଓ ପ୍ରଥମ ଦେଖା କୁ କେବେ ଭୁଲିହୁଏନି “
ମନେ ମନେ ଭାବୁଥିଲି, ଯେହେତୁ ଆମର ପ୍ରଥମ ଦେଖା, ତେଣୁ ନିଜକୁ ଖୁବ ଭଲ କରି ସଜେଇବି ;ପୁଣି ଭାବିଲି ମୋ ସଜେଇହେବା ଆଉ ନ ସଜେଇହେବାରେ ତୁମର କିଛି ଫରକ ପଡ଼ିବନି, କାରଣ ତୁମେ ତ ମୋ ହୃଦୟକୁ ଭଲ ପାଉଛ |
ବାଟରେ ଗଲାବେଳେ ଖାଲି ଚାରିଆଡେ ତୁମ ଛବି ଦେଖାଯାଉଥିଲା ଏବଂ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିଲା | ବହୁ ପଥ ଅତିକ୍ରମ କରି ତୁମ ପାଖରେ ପହଁଚିଲା ବେଳକୁ ପ୍ରଥମେ ତୁମ ସୁରକ୍ଷା ଦାୟିତ୍ୱରେ ଥିବା ରକ୍ଷକକୁ ଦେଖି ମତେ ବହୁତ ଡର ଲାଗିଲା, ବୋଧହୁଏ ସେ କିଛି ବାଧା ଉତ୍ପନ କରିବ |
ମୁଁ ଯେବେ ଧୀରେ ଧୀରେ ତୁମ ପାଖକୁ ଯିବାକୁ ଲାଗିଲି, ମୋ ପାଦର ପାଉଁଜିର ଝମ୍ ଝମ୍ ଶବ୍ଦ, ମୋ ଚୁଡ଼ିର ରୁଣୁଝୁଣୁ ସ୍ୱର ଏବଂ ମୋ ମଥାର ବିନ୍ଦି ବୋଧହୁଏ ତୁମକୁ ମୋ ଆଡକୁ ଆକର୍ଷିତ କରୁଥିଲା | ମୋ ପରି ଆହୁରି ତିନି ଜଣ ତୁମର ସାକ୍ଷାତ ପାଇଁ ଅପେକ୍ଷା କରିଥିଲେ | କିନ୍ତୁ ଆମ ସମ୍ପର୍କ ଏତେ ଗଭୀର ଯେ, ଯେପରି ଭକ୍ତ ଭଗବାନକୁ ଦେଖିଲେ ତା ଆଖିରେ ଅଶ୍ରୁର ଧାର ପଳିଆସେ, ଠିକ ସେହିପରି ତୁମକୁ ଦେଖୁ ଦେଖୁ ମୋ ଆଖିରେ ଲୁହ ଧାର ବୋହିବାକୁ ଲାଗିଲା | ହୃଦୟର ସ୍ପଦନ ଧୀରେ ଧୀରେ ବଢିବାକୁ ଲାଗିଲା, ପାଦ ଧୀରେ ଧୀରେ ଥରିବାକୁ ଲାଗିଲା | ଲୁହ, ପ୍ରେମ, ଭୟ, ଲାଜ ଏବଂ ରାଗର ଏକ ନୂତନ ଉପାଦାନ ସୃଷ୍ଟି ହେଲା |ସର୍ବଶେଷରେ ସବୁ ଅପେକ୍ଷାର ଅନ୍ତ ଘଟେଇ ତୁମେ ପ୍ରଥମ ଥର ପାଇଁ ଛୁଇଁ ଦେଲ | ଆଃ ଆଃ…, ସେ ସ୍ପର୍ଶରେ ମୋ ମନ ଓ ହୃଦ ଆନ୍ଦୋଳିତ ହେଇଗଲା, ଯାହାର ବର୍ଣ୍ଣନା କାଗଜ କଲମରେ ଅସମ୍ଭବ | ତୁମ ସ୍ପର୍ଶରେ ଭରି ରଖିଥିଲା ଏତେ ପ୍ରେମ ଯେ, ମୁଁ ଏବେ ଆଉ କାହାକୁ ସ୍ପର୍ଶ କରିବାକୁ ବିଛଣାରୁ ଉଠିପାରୁନି |ତୁମେ ମତେ ବହୁତ କଷ୍ଟ ଦେଲ, ମୁଁ ବି ଅଭିମାନ କରିଛି, ବହୁତ ରାଗିଛି….. !!
କେହି ଜଣେ କହିଥିଲେ ” ଯିଏ ଯାହା ଉପରେ ଯେତେ ରାଗେ ଏବଂ ଅଭିମାନ କରେ, ସେ ତାକୁ ସେତେ ଅଧିକା ଭଲ ପାଏ “
ତାମାନେ ମୁଁ କଣ ତୁମକୁ…………………………………
*ଇସ ! ଇଏ ବହୁତ ଲାଜ କଥା…!*
ହେଇ ! ଶୁଣୁଛ ତ! ମୁଁ ବି କେତେ ବଡ଼ ପ୍ରେମ ପାଗିଳି…… ମୁଁ ଏ ଯାଏଁ ତୁମର ପରିଚୟ ଦେଇନି | ତୁମେ କେହି ନୁହଁ ମୋର ପ୍ରିୟ କୋଭିସିଲଡ଼ ଟୀକା, ତୁମର ପ୍ରଥମ ଛୁଆଁ ର ଦାଗ ଏବଂ ପ୍ରଭାବ ଜୀବନ ସାରା ଭୁଲି ପାରିବିନି |
ତୁମ ପ୍ରେମର ଭିନ୍ନ ଏକ ପରିଭାଷାକୁ ଆଜି ବି ହୃଦୟର ଅଦେଖା କୋଠରୀରେ ସାଇତିଛି | ହୁଏତ ସବୁ ଭୁଲିଯାଇପାରିବି କିନ୍ତୁ ତୁମକୁ ଭୁଲିବା ସମ୍ଭବ ନୁହଁ | ନିଜକୁ କେବେ ହୁଏତ ପାସୋରି ଦେଇପାରେ କିନ୍ତୁ ଏବେବି ମୁଁ ମୋ ପ୍ରଥମ ପ୍ରେମର ନିଆଁ ହୁଳାରେ ନିଇତି କୁହୁଳୁଛି ଓ ନିଜ ଭିତରେ ସେ ଅସ୍ପଷ୍ଟ ସ୍ୱରକୁ ଶୁଣି ପ୍ରେମର ବତୀଟିଏ ଜାଳୁଛି…. !!