ହଁ ପଦେ କଥା ହେବାକୁ ଖୋଲିଥିଲି ଦ୍ୱାର
ଉଦ୍ବିଗ୍ନ ପ୍ରଶ୍ନବାଚୀ?
ନିର୍ମଳ ସକାଳ,
କଅଁଳ ଖରା
କାଖରେ ଜାକି ତୃଷାର୍ତ୍ତ
କେଉଁ କାଳୁ
ପ୍ରଶ୍ନର ଗଣ୍ଠିଲି !
କୋଇଲିର କଣ୍ଠରୁ ଝରା କୁହୁ କୁହୁ ତାନ
ମଧୁମକ୍ଷିକା ର ରହି ରହି ଗୁଞ୍ଜନ
ଝର ଝର ଝରଣାର ସ୍ରୋତ
ଆଖି ଦେଖି ଅଦେଖା !
ବଣି ପାଇଁ ଝିଣ୍ଟିକା ଧରୁ ଧରୁ
କେତେ କଣ୍ଟା ଫୁଟିଛି ପାଦ ପାପୁଲିରେ !
ଉତୁରିନି ଏଯାଏଁ ନିଶା ,
ଏଇତ ପତଙ୍ଗ ଉଡ଼ୁଛି ବିଶାଳ ଆକାଶେ
ଲୋଟେଇ ଆଉ କାହା ହାତେ
ତେବେ ମୋର ବୋଲି ସ୍ୱତନ୍ତ୍ରତା କାହିଁ??
ପଥିକ ମୁଁ ଅବିଶ୍ରାନ୍ତ ଦଉଡ଼
ଲମ୍ବିତ ପଥ ଗନ୍ତବ୍ଯ କାହିଁ ??
ହେଲା ନାହିଁ ଆପଣା ଅଙ୍ଗ
ଝଡ଼ିଗଲା ଦାନ୍ତ
ପାଚିଗଲା ବାଳ
ଭଙ୍ଗା ଚଷମାର ଦୁନିଆର ଦୃଶ୍ୟ
ଆଉ କି ଦେଖିବା ବାକି ?
ପୁଣି ମୁଁ କିଏ ??
ତୁମେ କିଏ ??
କିଏ କାହାର ସାଥି ??
କାହା ପାଇଁ ସ୍ୱପ୍ନ ??
କାହା ପାଇଁ ଜାଗରଣ??
କିଏ ମହଲ ପାଇଁ ଖୋଳୁଛି ମାଟି
କିଏ ଚିର ବିଶ୍ରାମ ପାଇଁ
କେବଳ ଅନ୍ତିମ ବିଦାୟ ଯାଏଁ
ମରୁଭୂମିର ତୃଷ୍ଣା ପରି
ଖୋଜୁଥାଏ ପ୍ରଶ୍ନର ଉତ୍ତର !!